spot_img
Home Blog Page 4402

ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗରେ ଭାରତୀୟ ବାୟୁସେନାର ଯବାନ ଗିରଫ

ନୂଆଦିଲ୍ଲୀ: ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ବାୟୁସେନାର ଜଣେ ଯବାନଙ୍କୁ ଗିରଫ କରିଛି । ଗିରଫ ଯବାନଙ୍କ ନାଁ ଦେବେନ୍ଦ୍ର ଶର୍ମା ବୋଲି ଜଣାପଡ଼ିଛି । ଦେବେନ୍ଦ୍ରଙ୍କୁ ହନିଟ୍ରାପରେ ଫସାଇ ବାୟୁସେନା ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଯବାନ ଜଣଙ୍କୁ ରାଡାର ନିୟୋଜିତ ହୋଇଥିବା ସ୍ଥାନ ଓ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀଙ୍କ ନାମ ଓ ଠିକଣା ମଗାଯାଇଥିଲା । ଗୁଇନ୍ଦା ସଂସ୍ଥାର ସୂଚନା ଆଧାରରେ ଯବାନ ଦେବେନ୍ଦ୍ର ଶର୍ମାଙ୍କୁ ଗିରଫ କରାଯାଇଛି ।

ଦେବେନ୍ଦ୍ର ଶର୍ମା ମୂଳତଃ ଉତ୍ତରପ୍ରଦେଶର କାନପୁର ବାସିନ୍ଦା । ଅତୀତରେ ସେ ଫେସବୁକରେ ଏକ ମହିଳାଙ୍କ ସହ ବନ୍ଧୁତା କରିଥିଲେ । ମହିଳା ଜଣଙ୍କ ଏକ ଭାରତୀୟ ନମ୍ବର ବ୍ୟବହାର କରି ମୋବାଇଲରେ ଦେବେନ୍ଦ୍ର ଶର୍ମାଙ୍କ ସହ କଥା ହେଉଥିଲେ । ଯବାନଙ୍କୁ ଗିରଫ କରିବା ପରେ ପୋଲିସ ସେହି ଫେସବୁକ ପ୍ରୋଫାଇଲ୍ କାହାର ଥିଲା, ସେ ନେଇ ଯାଞ୍ଚ କରୁଛି । ଏହି କାର୍ଯ୍ୟରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଜଡିତ ଥିବା ସନ୍ଦେହ କରାଯାଉଛି ।

 

ଗରିବ ବୋଲି ଦହଗଞ୍ଜ, ରହିବୁ କେଉଁଠି ?

ନୂଆଦିଲ୍ଲୀ: ଆମର ନା ଅଛି ଘର ନା ଅଛି ଦ୍ୱାର । ଭାଗ୍ୟକୁ ଭରସା କରି ଦିନେ ଏହି ଫୁଟପାଥକୁ ଘର କରି ନେଇଥିଲୁ । ରାସ୍ତାକଡ଼ରେ ଗାଡ଼ିମେଳରେ ବାନ୍ଧିଥିଲୁ ଜରିପାଲ । ଛିଡ଼ି ଯାଇଥିବା ପାଲରେ ସୂର୍ଯ୍ୟ ବି ଦିଶୁଥିଲା, ଜହ୍ନ ବି ତାରା ମେଳରେ ମୁରୁକି ହସୁଥିଲା । କହୁଥିଲା ଆଉ କେତେଦିନ ଏମିତି ଏଇଠି ପଡ଼ିବୁ । ଆଜି ସେ ଦିନ ଆସି ଯାଇଛି, ପ୍ରଶାସନର ନୋଟିସ୍ ପରେ ଆମେ ଆମ ହାତରେ ବାନ୍ଧିଥିବା ବାଉଁଶ ଜରିପାଲକୁ ଭାଙ୍ଗୁଛୁ।

ଆଜି ଏଠୁ ଚାଲିଯିବୁ, ପୁଣି ଆଉ କେଉଁଠି ବସା ବାନ୍ଧିବୁ । ସେଠି ବି ଆମକୁ କେବେ ପ୍ରଶାସନ ପୁଣି ନ ଉଠାଇ ଦେବ । ତାର ବି ଭରସା ନାହିଁ । ଭରସା ବି ରହିବ କେମିତି ? ଯେଉଁଠି ଏ ବଡ଼ ସହରରେ ବଡ଼ ବଡ଼ ବାବୁ ରୁହନ୍ତି । ଆମ ଭଳି ଭୋଟ୍ ବ୍ୟାଙ୍କକୁ ନେଇ ବଡ଼ ବଡ଼ କଥା କୁହନ୍ତି । ଆମକୁ ଆଜି ଏଠୁ ହଟାଇ ଦିଆଯାଉଛି । ତଥାପି ସେମାନଙ୍କ ସହାନୁଭୂତି ତ ଦୂରର କଥା ଦେଖା ଦର୍ଶନ ନାହିଁ ।

ଜାଣିନୁ ଏଠୁ ଗଲା ପରେ ଆଉ କେଉଁଠି ଜରିପାଲ ଖଣ୍ଡେ ବାନ୍ଧିବାକୁ ଜାଗା ମିଳିବ କି ନାହିଁ । ଜଣାନାହିଁ ମୋ କଅଁଳ ଛୁଆର ଭବିଷ୍ୟତ କଣ ହେବ ? କିନ୍ତୁ ଏତିକି ଜାଣିଛି ଆମେ ଯେଉଁଠି ବି ରହିବୁ। ଏମିତି ପ୍ରତିଶ୍ରୁତି ପାଇବୁ, ପ୍ରତାରିତ ହେବୁ । ହେ ସରକାର, ହେ ପ୍ରଶାସନ, ଆମକୁ ଏଭଳି ବିସ୍ଥାପିତ ଆଉ କେତେଦିନ କରିବ ? ଆଉ କେତେଥର ଏମିତି ଆମକୁ ତଡ଼ି ଦେବ ? କଣ ଗରିବ ହୋଇ ଜନ୍ମ ହୋଇଛୁ ବୋଲି ଘର ଖଣ୍ଡିଏ ପାଇବୁନି ।

ନିର୍ଦ୍ଧାରିତ ସମୟ ପୂର୍ବରୁ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମେ ୧୫ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସକ୍ରିୟ ହେବ ମୌସୁମୀ ବାୟୁ। ଆଣ୍ଡାମାନ୍ ସାଗର ସହ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅଗ୍ରସର ହେବ । ପୂର୍ବରୁ ମେ ୨୦ ବେଳକୁ ସକ୍ରିୟ ହେଉଥିଲା। ଚଳିତ ବର୍ଷ ୫ ଦିନ ପୂର୍ବରୁ ମୗେସୁମୀ ବାୟୁ ସକ୍ରିୟ ହେଉଥିବାରୁ  ପାଗ ଅନୁକୂଳ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଜ୍ଞାନବ୍ୟାପୀ ମସଜିଦ ପରିସରରେ ସର୍ଭେ ଓ ଭିଡିଓଗ୍ରାଫି ବିରୋଧରେ ଆବେଦନ, ଆଜି ରାୟ ଶୁଣାଇବେ କୋର୍ଟ

ବାରାଣସୀ: ବାରାଣସୀର ଜ୍ଞାନବ୍ୟାପୀ ମସଜିଦ ଭିତରେ ସର୍ଭେ କରାଯାଇପାରିବ କି ନାହିଁ , ସେନେଇ ଆଜି ରାୟ ଶୁଣାଇବେ କୋର୍ଟ । ମସଜିଦ୍ ପଛ ପଶ୍ଚିମ ପ୍ରାଚୀର ନିକଟରେ ଥିବା ଏକ ହିନ୍ଦୁ ଉପାସନା ପୀଠକୁ ବର୍ଷତମାମ ପ୍ରବେଶ ଦାବିରେ ୫ ମହିଳା କୋର୍ଟରେ ଆବେଦନ କରିଥିଲେ । ଆବେଦନର ଶୁଣାଣି କରି କୋର୍ଟ ମସଜିଦ ଭିତରେ ସର୍ଭେ କରିବା ପାଇଁ ଆଦେଶ ଦେଇଥିଲେ । ଗତ ଶୁକ୍ରବାର ମସଜିଦ ଭିତରେ ସର୍ଭେ ଓ ଭିଡିଓଗ୍ରାଫି କରାଯାଇଥିଲେ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ମସଜିଦର କେୟାରଟେକର କମିଟି କିନ୍ତୁ କୋର୍ଟ ନିଯୁକ୍ତ ତଦାରଖ ଟିମର ସର୍ଭେ ଓ ଭିଡିଓଗ୍ରାଫିକୁ ବିରୋଧ କରିଛନ୍ତି । ଏହାଛଡ଼ା ସର୍ଭେ କାର୍ଯ୍ୟର ତଦାରଖ ଦାୟିତ୍ୱରେ ଥିବା କମିଶନରଙ୍କ ନିରପେକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲା ଏହି କମିଟି । କମିଶନରଙ୍କୁ ହଟାଇବା ଦାବି ଉପରେ ମଧ୍ୟ କୋର୍ଟ ରାୟ ଦେବେ । ମସଜିଦ ଭିତରେ ସର୍ଭେ ଓ ଭିଡିଓଗ୍ରାଫି ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି  ।

ଗତବର୍ଷ ୫ ଜଣ ମହିଳା ମସଜିଦ ପରିସରରେ ଥିବା ମାଆ ଶୃଙ୍ଗାର ଗୌରୀ ମନ୍ଦିରରକୁ ବର୍ଷ ତମାମ ପ୍ରବେଶ ପାଇଁ ଅନୁମତି ଲୋଡିବା ସହ ଅନ୍ୟ ଦେବଦେବୀ ମନ୍ଦିର ସଂପର୍କରେ ବି ଅନୁଧ୍ୟାନ ପାଇଁ ଆବେଦନ କରିଥିଲେ ।

ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର । ମେ ୧୫ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିବାକୁ ଥିବା ବେଳେ ସେ ୨୦୨୫ ଯାଏଁ ଏହି ପଦବୀରେ ରହିବେ । ତେବେ ବର୍ତ୍ତମାନର ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମେ ୧୪ରେ ଅବସର ନେବେ। ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜୀବ ନୀତି ଆୟୋଗର ଭାଇସ୍ ଚେୟାରମ୍ୟାନ୍ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ସେ ଏପ୍ରିଲ୍ ମାସରେ ଏହି ପଦବୀରୁ ଇସ୍ତଫା ଦେଇଥିଲେ ।

ସୂଚନା ଅନୁଯାୟୀ, ୧୯୮୪ ମସିହାର ଆଇଏଏସ୍ ଅଫିସର ହେଉଛନ୍ତି ରାଜୀବ କୁମାର । ୨୦୧୪ରେ ମୋଦି ସରକାର ଶାସନକୁ ଆସିବା ପରେ ଯୋଜନା ଆୟୋଗର ନାମ ପରିବର୍ତ୍ତନ ହୋଇ ନୀତି ଆୟୋଗ ହୋଇଥିଲା । ସେ ସମୟରେ ଅରବିନ୍ଦ ପନଗଢିଆ ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ବନିଥିଲେ । ତା’ପରେ ଉପାଧ୍ୟକ୍ଷ ବନିଥିଲେ ରାଜୀବ କୁମାର। ୨୦୧୭ ମସିହାରୁ ରାଜୀବ ସରକାରଙ୍କ ଥିଙ୍କ ଟ୍ୟାଙ୍କର ଭିସି ହୋଇଥିଲେ । ଆହୁରି ମଧ୍ୟ ରାଜୀବ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ କାର୍ଯ୍ୟ କରିସାରିଛନ୍ତି ।

ଟାଇଟ୍ ଜିନ୍ସ ବ୍ୟାନ୍, କେଶ ବି କରିପାରିବେନି ରଙ୍ଗ

ନୂଆଦିଲ୍ଲୀ: ଏହି ଦେଶରେ ଲାଗୁ  ହୋଇଛି ଅଜବ ନିୟମ । ଦେଶରେ ମହିଳାମାନଙ୍କ ଉପରେ କଡ଼ା ନିୟମ କରିଛନ୍ତି ସରକାର । ସେଠାକାର ମହିଳା ଟାଇଟ୍ ଜିନ୍ସ ପିନ୍ଧି ପାରିବେନି କି କେଶ ରଙ୍ଗ ବି କରିପାରିବେନି । ଏପରି କଡ଼ା ନିୟମ କରିଥିବା ଦେଶ ହେଲା  ଉତ୍ତର କୋରିଆ । ଉତ୍ତର କୋରିଆର ଶାସନ ପଦ୍ଧତି ବିଶ୍ବର ସବୁ ରାଷ୍ଟ୍ରରେ ପ୍ରଚଳିତ ଶାସନଠାରୁ ଭିନ୍ନ ହୋଇଥାଏ । ଏହି ଦେଶ ଆଶ୍ଚର୍ଯ୍ୟ ଏବଂ ଅଜବ ନିଷ୍ପତ୍ତି ନେଉଥିବାରୁ ଦେଶର ସୁପ୍ରିମୋ କିମ୍ ଜୋଙ୍ଗ୍ ଉନ୍ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

ଏହି ଦେଶ ଅନେକ ରହସ୍ୟକୁ ନିଜ ଛାତି ତଳେ ଚାପି ରଖିଛି ବୋଲି ସାରା ବିଶ୍ବ ଜାଣିଛି । ଦେଶରେ ଲାଗୁ ହୋଇଥିବା ପୁରୁଣା ନିୟମ ଚର୍ଚ୍ଚାର ବିଷୟ ପାଲଟିଥିଲାବେଳେ ଏବେ ଏହି ନୂଆ ନିୟମ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

୨୦୨୧ ମସିହା ଡିସେମ୍ବରରେ ଉତ୍ତର କୋରିଆ ପୂର୍ବତନ ସୁପ୍ରିମୋ କିମ୍ ଜୋଙ୍ଗ ଇଲଙ୍କ ମୃତ୍ୟୁର ୧୦ମ ବାର୍ଷିକୀ ଅବସରରେ ୧୧ ଦିନ ପାଇ ଲୋକଙ୍କ ହସିବା, ମଦ୍ୟପାନ  ଓ ସଉଦା କିଣିବା ଉପରେ କଟକଣା ଲାଗୁ ହୋଇଥିଲା । କେବଳ ଏତିକି ନୁହେଁ ଲଗାଇଥିବା ଗଛରେ ଫୁଲ ଫୁଟି ନଥିବାରୁ ବଗିଚା ରକ୍ଷକଙ୍କୁ ଲେବର୍ କ୍ୟାମ୍ପକୁ ପଠାଇ ଦିଆଯାଇଥିବା ଖବର ବି ରହିଛି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଉତ୍ତର କୋରିଆର ସୋସିଆଲିଷ୍ଟ ପାଟ୍ରିଅଟ୍ ୟୁଥ୍ ଲିଗ୍ ଏବେ ୨୦ରୁ ୩୦ ବର୍ଷୀୟ ମହିଳାଙ୍କୁ ଟାର୍ଗେଟ କରିଛି । ମହିଳାଙ୍କର ଅଣ୍ଟା ଯାଏ ଲମ୍ବିଥିବା କେଶ, ରଙ୍ଗୀନ କେଶ କିମ୍ବା ବଡ଼ ବଡ଼ ବିଦେଶୀ ଅକ୍ଷର ଲେଖାଥିବା ପୋଷାକ ପିନ୍ଧୁଥିବା ମହିଳାଙ୍କ ଉପରେ କଟକଣା ଲଗାଇଛନ୍ତି । ସେଠାକାର ମହିଳାମାନେ ଟାଇଟ୍ ଫିଟ୍ ଜିନ୍ସ ବା ସ୍କିନ୍ ଫିଟ୍ ଜିନ୍ସ  ପିନ୍ଧିପାରିବେ ନାହିଁ ।

ଯଦି କେହି ନିୟମ ମାନୁ ନଥିବା ନଜର ଆସୁଛନ୍ତି ତାହାଲେ ତତକ୍ଷଣାତ୍ ଘରୁ ପୋଷାକ ଆଣି ପିନ୍ଧିବାକୁ ବାଧ୍ୟ କରାଯାଉଛି । ଏମିତି କଟକଣା ପରେ ବି ସେଠାକାର ଯୁବବର୍ଗ ବିଦେଶୀ କଳାକାର ଏବଂ ଟିଭି କଳାକାର ପିନ୍ଧୁଥିବା ପୋଷାକକୁ ଆପଣାଇବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ।

ଏପରି ଯୁବବର୍ଗଙ୍କୁ ଖୋଜିବାକୁ ଦି ୟୁଥ୍ ଲିଗ୍ ଏବେ ଦୁଇଗୁଣା ପ୍ରୟାସ କରୁଛନ୍ତି ।

ବିରାଟ କୋହଲି ‘ଲଷ୍ଟ ହିଜ୍ ଫର୍ମ’

ନୂଆଦିଲ୍ଲୀ: ବିରାଟ କୋହଲି କହିଲେ କେବଳ ନାଁ ହିଁ ଯଥେଷ୍ଟ । ବହୁ ମ୍ୟାଚରେ ଶତକ କରିବା ସହ ମ୍ୟାଚ୍ ଜିତି ଥିବାରୁ ତାଙ୍କୁ ସଚିନଙ୍କଠାରୁ ବଡ଼ ବ୍ୟାଟସମ୍ୟାନ୍ ବୋଲି ଭାବନ୍ତି । ହେଲେ ଏବେ କାହିଁକି ବିରାଟ ଭଲ ଖେଳି ପାରୁନାହାନ୍ତି? ତାଙ୍କ ଫ୍ୟାନମାନେ ଏବେ ତାଙ୍କ ଫର୍ମକୁ ନେଇ ଚିନ୍ତିତ ଅଛନ୍ତି । ଏହାରି ଭିତରେ ଶହେରୁ ଅଧିକ ମ୍ୟାଚ ଗଲାଣି ହେଲେ କୋହଲି ଆଉ ଆଗଭଳି ଶତକ କରିପାରୁନାହାନ୍ତି ।

ଆଉ ଏବେ ଆଇପିଏଲରେ ତାଙ୍କ ପ୍ରଦର୍ଶନ କଥା ନ କହିବା ଭଲ । ତାଙ୍କର ଲକ୍ଷ ଲକ୍ଷ ଫ୍ୟାନଙ୍କୁ ସେ ନିରାଶ କରିଚାଲିଛନ୍ତି । ଆଉ କେବେ ତାଙ୍କ ବ୍ୟାଟରୁ ଶତକ ହେବ ତାକୁ ସମସ୍ତେ ଚାହିଁ ବସିଛନ୍ତି ।

ନିକଟରେ ବିରାଟ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ । ସବୁବେଳେ ମାନସିକ ଦୃଢ଼ତା ଭଳି ନଜର ଆସୁଥିବା ବିରାଟ ଏଥିରେ କିନ୍ତୁ ଭତରୁ ଭାଙ୍ଗି ପଡ଼ିଥିବା ସ୍ପଷ୍ଟ ବାରି ହେଇପଡ଼ୁଥିଲା ।

ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଶୁଣିଛି ଆପଣଙ୍କର ପୋଷା ଜୀବଜନ୍ତୁ ପ୍ରିୟ ବୋଲି । ଘରେ କେତୋଟି ଜୀବଜନ୍ତୁ ଅଛନ୍ତି ? କୋହଲି କହିଥିଲେ ସେମାନଙ୍କ ଯତ୍ନ ନେବାକୁ ସମୟ ହେଉନି ସେଥିପାଇଁ ରଖିନାହିଁ । ପ୍ରଶ୍ନକର୍ତ୍ତା ଆହୁରି ଚାଲାଖ ହୋଇ ପ୍ରଶ୍ନ ପଚାରିଥିଲେ । ସେ ପଚାରିଲେ ଯେ, ଆପଣ ଏଇ କିଛିଦିନ ହେଲା ଦୁଇଟା ବତକ ରଖିଛନ୍ତି? ବିରାଟ ହାତ ପାପୁଲିରେ ନିଜ ମୁହଁ ଲୁଚାଇ ହସିବାକୁ ଲାଗିଲେ । ଏହାପରେ ପ୍ରଶ୍ନକର୍ତ୍ତାଙ୍କ ସହ ସେ ଗୀତ ଗାଇଥିଲେ । ଗୀତରେ ଗୋଟିଏ ପଦ ଥିଲା ‘ବିରାଟ କୋହଲି ଲଷ୍ଟ ହିଜ୍ ଫର୍ମ’ ।

ଏହାପରେ ପ୍ରଶ୍ନ ଥିଲା ଏପରି ଦୁର୍ବଳ ଫର୍ମ ସମୟରେ ସାଥି ଖେଳାଳି ସହଯୋଗ କରୁଛନ୍ତି ନା ନାହିଁ?  ବିରାଟ କହିଥିଲେ ମୋ ଦାୟିତ୍ବ ଅନ୍ୟ କେହି ତୁଲାଇବା ସମ୍ଭବ ନୁହେଁ । ଜୀବନର ଏହି ମୁହୂର୍ତ୍ତ ସବୁକୁ ମୋତେ ହିଁ ଯୁଝିବାକୁ ପଡ଼ିବ । ମୋ କ୍ୟାରିୟରରେ ଅନେକ ଭଲ କଥା ଘଟିଛି ଏବେ ଖରାପ କଥାଗୁଡ଼ିକର ପାଳି ପଡ଼ିଛି । ଏବେ ଗଣମାଧ୍ୟମରେ ଦିଆଯାଉଥିବା ମନ୍ତବ୍ୟଠାରୁ ଦୂରରେ ରହିବାକୁ ଚେଷ୍ଟା କରୁଛି ।

ଏହାପରେ ପ୍ରଶ୍ନକର୍ତ୍ତା ବିରାଟଙ୍କୁ ସ୍ବାଧିନତା ମାନେ କ’ଣ ତାହାର ଏକ ଚିତ୍ର ଆଙ୍କିବାକୁ ଏକ ପେପର ଦେଲେ । ଏବଂ ପ୍ରଶ୍ନକର୍ତ୍ତା ନିଜେ ମଧ୍ୟ ଏକ ପେପରରେ ଚିତ୍ର କଲେ । ପ୍ରଶ୍ନକର୍ତ୍ତା ପେପରରେ ଏକ ବିଶାଳ ଧନରାଶିକୁ ଅଙ୍କରେ ଲେଖିଥିଲାବେଳେ ବିରାଟ ପାହାଡ଼ର ଚିତ୍ର ଆଙ୍କିଥିଲେ, ସେଥିରେ ଥିଲା ପାହାଡ, ପାହାଡ ତଳେ ଝରଣା । ଝରଣା ପାଖରେ ଛୋଟିଆ ଘର ଏବଂ ସେଇଠି ନିଜେ ବିରାଟ, ପତ୍ନୀ ଅନୁଷ୍କା ଏବଂ ତାଙ୍କ କନ୍ୟା ରହୁଥିବାର ଚିତ୍ର ଥିଲା।

ଭାଇ ହେଲା ଭଗାରୀ, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇକୁ ହାଣିଲା ସାବତ ଭାଇ

ବାଲିପାଟଣା: ଭାଇ ହେଲା ଭଗାରୀ । ଭାଇକୁ ହାଣି ଦେଲେ ସାବତ ଭାଇ ଏବଂ ସାବତ ମାଆ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇ ହେଲା ଭଗାରୀ । ଏପରି ଘଟଣା ଘଟିଛି ବାଲିପାଟଣା ଥାନା ସରାଟ ଗ୍ରାମରେ । ଗୁରୁତର ଅବସ୍ଥାରେ ଭାଇ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣକାରୀ ସାବତ ଭାଇ ଦେବେନ୍ଦ୍ର ବେହେରା ଏବଂ ସାବତ ମାଆଙ୍କୁ ବାଲିପାଟଣା ପୋଲିସ୍ ଗିରଫ କରିଛି ।

ସୂଚନା ଅନୁସାରେ ସରାଟ ଗ୍ରାମର ସଂଜୟ ବେହେରା ଆଜି ସକାଳୁ ଖାଇବା ପରେ ହାତ ଧୋଉଥିଲେ । ଏହି ସମୟରେ ସଂଜୟଙ୍କର ସାବତ ଭାଇ ଦେବେନ୍ଦ୍ର ତାଙ୍କ ମୁଣ୍ଡକୁ କଟୁରୀରେ ହାଣି ଦେଇଥିଲା । ଏହା ସହ ସଂଜୟଙ୍କର ସାବତ ମାଆ ମଧ୍ୟ କୌଣସି ଏକ ଅସ୍ତ୍ରରେ ସଂଜୟଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସଂଜୟ ଲହୁଲୁହାଣ ହୋଇଥିଲେ । ସଙ୍ଗେ ସଙ୍ଗେ ସଂଜୟଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସଞ୍ଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ ରେଫର କରାଯାଇଛି ।

ଅଭିବୃଦ୍ଧିରେ ଜଙ୍ଗଲ ସମ୍ପଦର ସିଂହଭାଗ

ଭୁବନେଶ୍ୱର: କରୋନା କାଳରେ ବନ କର୍ମଚାରୀମାନେ କାର୍ଯ୍ୟ କରିଛନ୍ତି । ସେମାନଙ୍କ କାମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଆଜି ଉଦଘାଟିତ ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଦୁଇ ଦିନ ଧରି ଚାଲିବ । ସମ୍ମିଳନୀରେ ପ୍ରଥମ ଦିନରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩.୫୦ ପ୍ରତିଶତ ଜଙ୍ଗଲ ବୃଦ୍ଧି ସହ ଜାତୀୟ ସ୍ତରରେ ତୃତୀୟ ହୋଇଛି ଓଡ଼ିଶା । ୧ ଲକ୍ଷ ୧୦ ହଜାର ହେକ୍ଟର ବନୀକରଣ ହୋଇଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ଏହି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ରାଜ୍ୟର ଜଙ୍ଗଲ ସମ୍ପଦ ବିଶ୍ବରେ ଆମକୁ ନୂଆ ପରିଚୟ ଦେଇଛି । ଜୀବିକାସାଧନ ଜରିଆରେ ଆୟ ବୃଦ୍ଧି ପାଇଁ ସହାୟତା ଦିଆଯାଇଛି । ଜଙ୍ଗଲ ଯୋଜନାରେ ୨୦ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଙ୍ଗଲରେ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ବୃକ୍ଷରୋପଣ ଏକ ପ୍ରମୁଖ ଉପାଦାନ । ଜଙ୍ଗଲ ବିଭାଗ ବିହନ ବୁଣିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । 5T ଇନିସିଏଟିଭ୍ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବହନ କରିବାକୁ ସେ ଅନୁରୋଧ କରିଛନ୍ତି ।

ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବା ୫୦ ପ୍ରତିଶତ କମିଛି । ଏହା ଲୋକଙ୍କ ସଚେତନତା ଯୋଗୁ ସମ୍ଭବ ହୋଇପାରିଛି । ଲୋକଙ୍କୁ ସଚେତନ କରୁଥିବା ବନ କର୍ମଚାରୀଙ୍କୁ ପ୍ରଶଂସା କରାଯାଇଛି । ରାଜ୍ୟରେ ୨୪ ବନଖଣ୍ଡରେ ୮୬ ରେଞ୍ଜରେ ହାତୀ ଯାତାୟତ କରନ୍ତି । ଲୋକଙ୍କୁ ସଚେତନ କରିବାକୁ ଗଜସାଥୀ ନିୟୋଜିତ ହୋଇଛନ୍ତି । ମୋବାଇଲ ମେସେଜରେ ହାତୀ ଚଳାଚଳ ନେଇ ସୂଚନା ମିଳୁଛି । ବିପୁଳ ଜଙ୍ଗଲ ସମ୍ପଦ ରହିଛି, ସଦୁପଯୋଗ କରି ଅଭିବୃଦ୍ଧି ଦିଗରେ ଲୋକଙ୍କ ସହଯୋଗ ଲୋଡିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ପରିବେଶ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନତିକରଣ ୨୦୧୬-୧୭ରୁ ଆରମ୍ଭ ହୋଇଥିଲା । ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତି କରାଯାଇଛି । ୨୦୨୧-୨୨ରେ ୭୦ ହଜାର ୨୧୬ ପର୍ଯ୍ୟଟକ ଆସିଛନ୍ତି । ୫ ବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

 

ଜରଡ଼ା ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଯାତ୍ରାପାର୍ଟି ବସ୍, ୧୩ ଯାତ୍ରା କାଳକାର ଗୁରୁତର

ଢ଼େଙ୍କାନାଳ: ମଦୁଆ ଡ୍ରାଇଭର ଓଲଟାଇ ଦେଲା ଯାତ୍ରାପାର୍ଟି ବସ । ଏହି ଦୁର୍ଘଟଣା ଫଳରେ ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗଡ଼ପଳାଶୁଣି ରାସ୍ତାର ଜରଡ଼ା ଘାଟି ନିକଟରେ ଓଲଟିଲା ଯାତ୍ରାପାର୍ଟି ବସ ଜଗଦମ୍ବା । ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏହି ବସରେ ପ୍ରାୟ ୩୫ ରୁ ୪୦ ଜଣ ଯାତ୍ରା କଳାକାର ଥିଲେ । ଯାତ୍ରାପାର୍ଟି ବସଟି କଙ୍କଡାହାଡ଼ ୩ନଂ କଲୋନୀରୁ ଦେବଗଡ଼ ଜିଲ୍ଲା ପଳସାବାହାଳକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜରଡା ଘାଟିରେ ଓଲଟି ପଡିଥିଲା ।

ତେବେ ମଦ୍ୟପ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସମସ୍ତ ଗୁରୁତର ଓ ଆହତ ଯାତ୍ରା କଳାକାରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା । ସମ୍ବଲପୁରର ଜଗଦମ୍ବା ଅପେରା ଢେଙ୍କାନାଳ ଏବଂ ଏହାର ଆଖ ପାଖ ଅଂଚଳରେ କିଛି ବର୍ଷ ହେବ ଯାତ୍ରା ପରିବେଷଣ କରି ଆସୁଥିଲା । ଆଜି ଦେବଗଡ଼ ଅଂଚଳକୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା ।