spot_img
Home Blog Page 4400

କୋଇଡ଼ାରେ ‘ସୁଦକ୍ଷ’ କୋଚିଂ କେନ୍ଦ୍ର ଉଦଘାଟିତ: ଶିକ୍ଷିତ ଯୁବକଯୁବତୀଙ୍କ ସ୍ୱପ୍ନ ପୂରଣ ପାଇଁ ମାଗଣା କୋଚିଂ

ସୁନ୍ଦରଗଡ଼/କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକରେ ଆରମ୍ଭ ହେଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ କେନ୍ଦ୍ରର ଜଣେ ଛାତ୍ରୀ ଫିତା କାଟି ଏହାକୁ ଉଦଘାଟନ କରିଥିଲେ । କୋଇଡା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଖୋଲିଥିବା ଏହି କେନ୍ଦ୍ର ସୁନ୍ଦରଗଡ଼ ଜିଲ୍ଲାରେ ୪ର୍ଥ । ପୂର୍ବରୁ ସୁନ୍ଦରଗଡ଼, ରାଉରକେଲା ଓ ବଣାଇଠାରେ ୩ଟି କେନ୍ଦ୍ର ରହିଛି ।

କୋଇଡାରେ ଏହି କେନ୍ଦ୍ର ଖୋଲାଯାଇଥିବାରୁ ବିଧାୟକ ମୁଣ୍ଡା ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଖଣି ପ୍ରଭାବିତ କୋଇଡ଼ା ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀଙ୍କ କ୍ୟାରିୟର ସ୍ୱପ୍ନ ପୂରଣ ଦିଗରେ ଏହି କେନ୍ଦ୍ର ବିଶେଷ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି ।

ପୂର୍ବରୁ ଥିବା ୩ଟି କେନ୍ଦ୍ରରେ ମାଗଣାରେ କୋଚିଂ ନେଇ ଜିଲ୍ଲାର ବହୁ ପିଲା ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି । ଏହା ଆମ ପାଇଁ ବଡ ସଫଳତା । କୋଇଡ଼ା ଅଞ୍ଚଳର ଶିକ୍ଷିତ ଯୁବକଯୁବତୀଙ୍କୁ କୋଚିଂର ସୁବିଧା ଦେଇ ସେମାନଙ୍କ କ୍ୟାରିୟର ଗଢିବା ଲାଗି ଏହି କେନ୍ଦ୍ର ଖୋଲା ଯାଇଥିବା କଲ୍ୟାଣ କହିଛନ୍ତି ।

ଉଦଘାଟନ ସମାରୋହରେ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଥିବା ଯୁଧିଷ୍ଠିର ମୁଣ୍ଡାଙ୍କ ମା’ ସୀତା ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁଧିଷ୍ଠିର ବଣାଇ ‘ସୁଦକ୍ଷ’ କେନ୍ଦ୍ରରେ ମାଗଣା କୋଚିଂ ନେଇ ନିକଟରେ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଛନ୍ତି ।

ଜିଲ୍ଲାର ଯୁକ୍ତଦୁଇ ଓ ଯୁକ୍ତ ତିନି ପାସ୍ କରିଥିବା ଯୁବକଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଚାଲିଛି । ସୁନ୍ଦରଗଡ଼, ରାଉରକେଲା ଓ ବଣାଇ କେନ୍ଦ୍ରରେ ୫ମ ବ୍ୟାଚ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯାଉଛି । ଏହାସହ ହଷ୍ଟେଲରେ ରହିବା, ଖାଇବାଠାରୁ ଆରମ୍ଭ କରି ୟୁନିଫର୍ମ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି ।

ସୁନ୍ଦରଗଡ଼ ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ କୋଚିଂ ଓ ତାଲିମ ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ସଫଳ କରାଇବା ହେଉଛି ‘ସୁଦକ୍ଷ’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ସହଯୋଗୀ ସଂସ୍ଥା ଭାବେ ପରିଚାଳନା ଦାୟିତ୍ୱ ତୁଲାଉଛି ।

ଏଠାରେ ପିଲାମାନଙ୍କୁ ବ୍ୟାଙ୍କିଙ୍ଗ୍, ଷ୍ଟାଫ୍ ସିଲେକ୍ସନ୍, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍, ଓଡ଼ିଶା ପୋଲିସ, ଅର୍ଦ୍ଧ ସାମରିକ ବାହିନୀ ଏବଂ ବୀମା କ୍ଷେତ୍ର ଲାଗି କୋଚିଂ ଦିଆଯାଉଛି । ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ ପାଇଁ ପିଲାମାନଙ୍କ ସାପ୍ତାହିକ ଟେଷ୍ଟ୍ ଓ ମକ୍ ଇଣ୍ଟରଭ୍ୟୁ କରାଯାଇଥାଏ । ବିଭିନ୍ନ ପରୀକ୍ଷା ପାଇଁ ପାଠ୍ୟ ଉପକରଣ ଓ ପୁରୁଣା ପ୍ରଶ୍ନପତ୍ର ମଧ୍ୟ ଯୋଗାଇ ଦିଆଯାଇଥାଏ ।

ଉଦଘାଟନୀ କାର୍ଯ୍ୟକ୍ରମରେ ବଣାଇ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ବଣାଇ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, କୋଇଡ଼ା ବ୍ଲକ ଅଧ୍ୟକ୍ଷ ସୁରେଶ କୁମାର ନାଏକ, ଜିଲ୍ଲା ପରିଷଦ ସଭ୍ୟା ସୁଶିଳା ମୁଣ୍ଡା ଏବଂ ଅଶୋକ କୁମାର ନାଏକ, କୋଇଡ଼ା ସରପଞ୍ଚ ହୃଷିକେଶ ଦେହୁରୀ, କୋଇଡ଼ା ତହସିଲଦାର ଡି.ଏସ୍. ଶୁଭଦର୍ଶୀ ଯୋଶୀ, ବିଡିଓ ପଲ୍ଲବୀରାଣୀ ରାଜ୍, ନିୟତି ଫାଉଣ୍ଡେସନର ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଇତିଶ୍ରୀ ପଣ୍ଡାଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବନ୍ଧୁକରୁ ଧୂଆଁ ନୁହେଁ ଗୁଳି ବାହାର କରିବାର ଧମକ ଦେଇଥିବା ସପା ବିଧାୟକଙ୍କ ପେଟ୍ରୋଲ ପମ୍ପରେ ଚଢ଼ିଲା ବୁଲଡୋଜର

ବରେଲି: ଉତ୍ତର ପ୍ରଦେଶରେ ଯୋଗୀ ସରକାର ପୁନର୍ବାର ଶାସନକୁ ଫେରିବା ପରେ ବ୍ୟବସ୍ଥା ଆହୁରି କଡ଼ାକଡ଼ି ହୋଇ ଯାଇଛି ।  ଅବୈଧ ଭାବରେ ନିର୍ମାଣ ହୋଇଥିବା ବିଲଡିଙ୍ଗ୍‌ ଉପରେ ବୁଲଡୋଜର ଚଲାଯାଉଛି । ଏବେ ବରେଲିରେ ସମାଜବାଦୀ ପାର୍ଟିର ବିଧାୟକ ଶହଜିଲ ଇସଲାମଙ୍କ ପେଟ୍ରୋଲ ପମ୍ପ୍‌କୁ ଯୋଗୀ ସରକାର ମାଟିରେ ମିଶାଇ ଦେଇଛନ୍ତି ।

ଶହଜିଲ ଇସଲାମଙ୍କ ଉପରେ ବିନା ପାସ୍‌ କରି ପେଟ୍ରୋଲ ପମ୍ପ୍‌ ତିଆରି କରିଥିବା ଅଭିଯୋଗ ଲାଗିଛି । ସୂଚନାଯୋଗ୍ୟ  ଶହଜିଲ ଇସଲାମ୍‌ ପ୍ରାୟ ଏକ ସପ୍ତାହ ପୂର୍ବରୁ ବିଧାୟକ ସ୍ୱାଗତ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବିବାଦୀୟ ବୟାନ୍‌ ଦେଇଥିଲେ । ସେ କହିଥିଲେଯେ, ତାଙ୍କ ମୁହଁରୁ  ଶବ୍ଦ ବାହାରିଲେ ଆମ ବନ୍ଧୁକରୁ ଧୂଆଁ ନୁହେଁ ଗୁଳି ବାହାରିବ । ଏଭଳି ବୟାନ୍‌ ଦେବାର ସାତ ଦିନ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।  ତେବେ ବିଧାୟକଙ୍କ ପେଟ୍ରୋଲ ପମ୍ପ୍‌ ଦିଲ୍ଲୀ-ରାମପୁର ନ୍ୟାସନାଲ ହାଇଓ୍ୱେ ଉପରେ ତିଆରି ହୋଇଥିଲା ।

ବୁଧବାର ବରେଲି ବିକାଶ ପ୍ରାଧିକରଣ ଉପାଧ୍ୟକ୍ଷ  ଯୋଗେନ୍ଦ୍ର ସିଂ ଦାୟିତ୍ୱ ନେବା ପରଠାରୁ ଲଗାତାର ତଦନ୍ତ କରାଯାଉଛି ଏବଂ ସରକାରୀ ଜମିକୁ  ମୁକ୍ତ କରାଯାଉଛି ।

୧୭ କୋଟି ଘାଟାରେ ଚାଲୁଥିବା ପ୍ରାଧିକରଣର ଖାତାରେ ଏପର୍ଯ୍ୟନ୍ତ ୧ ହଜାର କୋଟିରୁ ଅଧିକ ଜମା ହୋଇ ସାରିଛି ।  ବରେଲି ବିକାଶ ପ୍ରାଧିକରଣ ମଙ୍ଗଳବାର ବରେଲିର ଷ୍ଟାଡିୟମ ରୋଡ୍‌ ସ୍ଥିତ ସିଟି ଡିଭାଇନ୍‌ ମ୍ୟାରେଜ୍‌ ହଲ ଉପରେ ବୁଲଡୋଜର ଚଢ଼ାଇ ଧ୍ୱଂସ କରିଦେଇଛି ।

ବିବାହରେ ବର-କନ୍ୟାଙ୍କୁ ଉପହାରରେ ମିଳିଲା ପେଟ୍ରୋଲ

କୌଣସି ବିବାହ ଉତ୍ସବ ଯିବା ଆଗରୁ ଆମେ ବିଭିନ୍ନ ପ୍ରକାର ଉପହାର ଦେବାକୁ ଚିନ୍ତା କରିଥାଉ । ସମସ୍ତଙ୍କ ଉପହାରଠୁ କିଛି ଭିନ୍ନ ଓ ସ୍ୱତନ୍ତ୍ର ଉପହାର ପାଇଁ ପ୍ରାୟ ସମସ୍ତେ ଚିନ୍ତା କରନ୍ତି । ବିବାହରେ ସୁନା, ରୂପା ବିଭିନ୍ନ ଅଳଙ୍କାର ହେଉ ଅବା ଶାଢ଼ି ବିଭିନ୍ନ ଉପହାର ଦେଖିଥିବେ । ମାତ୍ର ବିବାହରେ ପେଟ୍ରୋଲ ଉପହାର ଦେଉଥିବା କଥା ଶୁଣିଛନ୍ତି କି ? ଆଜ୍ଞା ହଁ ଘଟଣାଟି ସମ୍ପୂର୍ଣ୍ଣ ସତ । ଏକ ବିବାହ ଉତ୍ସବରେ ବର-କନ୍ୟାଙ୍କୁ ଉପହାର ସ୍ୱରୂପ ପେଟ୍ରୋଲ ମିଳିଛି ।

ଏବେ ପନିପରିବା ଦର ବୃଦ୍ଧି ସାଙ୍ଗକୁ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି । କେବଳ ଓଡ଼ିଶା ନୁହଁ ଭାରତରେ ଅନେକ ସ୍ଥାନରେ ତୈଳ ଦରରେ ନିଆଁ ଲାଗିଛି । ଏଭଳି ପରିସ୍ଥିତିରେ ତାମିଲନାଡ଼ୁର ଚେୟୁର ଅଞ୍ଚଳରେ ଏକ ବିବାହ ଉତ୍ସବରେ ବର-କନ୍ୟାଙ୍କୁ ପେଟ୍ରୋଲ ଉପହାର ମିଳିଛି । ବିବାହ କରୁଥିବା ବରକନ୍ୟା ହେଉଛନ୍ତି ଗ୍ରେସ କୁମାର ଏବଂ କୀର୍ତ୍ତନା । ଉଭୟଙ୍କ ବନ୍ଧୁ ୧ ଲିଟର ପେଟ୍ରୋଲ ଏବଂ ୧ ଲିଟର ଡିଜେଲ ଉପହାର ଦେଇଛନ୍ତି । ସବୁଠୁ ମହଙ୍ଗା ଉପହାର ଦେବାକୁ ଚିନ୍ତା କରିବାରୁ ପ୍ରଥମେ ପେଟ୍ରୋଲ ହିଁ ମନକୁ ଆସିଥିଲା । ତେଣୁ ସେମାନେ ଏଭଳି ଉପହାର ଦେବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ନବବିବାହିତଙ୍କ ବନ୍ଧୁ । ଉଭୟ ନବ ବିବାହିତ ଦମ୍ପତ୍ତି ନିଜ ବନ୍ଧୁମାନଙ୍କଠାରୁ ଏହି ଉପହାର ଗ୍ରହଣ କରି ଫଟୋ ଉଠାଇଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପିଆଜ, ଟମୋଟୋ ଭଳି ପରିବା ଦର ବୃଦ୍ଧି ବେଳେ ଅନେକ ବିବାହରେ ପିଆଜ, ଟମୋଟୋ ଉପହାର ଦେବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପେଟ୍ରୋଲ ଦର ବୃଦ୍ଧି ହେତୁ ନବବିବାହିତ ବରକନ୍ୟାଙ୍କୁ ଏହି ଉପହାର ମିଳିଥିବା ଦେଖାଯାଉଛି । ମାର୍ଚ୍ଚ ୨୨ ପରେ ଦେଶରେ କ୍ରମଶଃ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇବାରେ ଲାଗୁଛି । ତାମିଲନାଡ଼ୁରେ ମଧ୍ୟ ଦର ବୃଦ୍ଧିର ଅନେକ ପ୍ରଭାବ ପଡ଼ିଛି । ଏଠାରେ ପେଟ୍ରୋଲ ଲିଟର ପିଛା ୧୧୦.୮୫ ଥିବାବେଳେ ଡିଜେଲ ୧୦୦.୯୪ ରହିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୧ ଥିବାବେଳେ ଡିଜେଲ ଦର ୯୬.୬୭ ରହିଛି ।

ସଂକଟରେ ଶ୍ରୀଲଙ୍କା, ଭାରତର ଏହି ରାଜ୍ୟରେ ବଢ଼ୁଛି ବ୍ୟବସାୟ

ନୂଆଦିଲ୍ଲୀ: ଜଣେ କ୍ଷତି ସହିଲେ, ଆଉ କିଛି ଜଣ ଲାଭ ପାଇବେ । ଦେଶ ଦେଶ କ୍ଷେତ୍ରରେ ମଧ୍ୟ ଏହା ଘଟୁଛି । ଏବେ ଆମ ପଡ଼ୋଶୀ ଶ୍ରୀଲଙ୍କା ଏବେ ସ୍ୱାଧୀନତା ପରଠାରୁ ସବୁଠୁ ବଡ଼ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି । ଖାଲି ଆର୍ଥିକ ନୁହେଁ ରାଜନୈତିକ ଓ ସାମାଜିକ ସଂକଟ ଘନେଇବାରେ ଲାଗିଛି । ଶ୍ରୀଲଙ୍କାର ଲୋକ ଚିନି, ଚାଉଳ, କ୍ଷୀରରୁ ନେଇ ଡିଜେଲ, ପେଟ୍ରୋଲ ଓ ଗ୍ୟାସ୍ ଭଳି ଜରୁରୀ ସାମଗ୍ରୀର ଅଭାବକୁ ସାମ୍ନା କରୁଛନ୍ତି ।

ଅନ୍ୟପଟେ ଶ୍ରୀଲଙ୍କାର ଏ ସଂକଟ ଭାରତକୁ କିଛିଟା କ୍ଷେତ୍ରରେ ଫାଇଦା ଦେଇଛି । ବିଶେଷକରି ତାମିଲନାଡ଼ୁର ତିରୁପୁର ସ୍ଥିତ ଟେକ୍ସଟାଇଲ୍ ହବ ଏବଂ ଦକ୍ଷିଣ ଭାରତ ଓ ଆସାମର ଚା’ ବଗିଚା ଶ୍ରୀଲଙ୍କା ସଂକଟ ଯୋଗୁ ବେଶ୍ ଲାଭାନ୍ୱିତ ହୋଇଛନ୍ତି ।

 Sri Lanka Crisis Textile Hub Of Tamilnadu And Tea Estates Of Assam

ଶ୍ରୀଲଙ୍କା ସରକାରଙ୍କ ତଥ୍ୟ ଅନୁସାରେ, ବିଶ୍ୱ ବାଣିଜ୍ୟରେ କପଡ଼ା ଓ ଚା ରପ୍ତାନୀର ବଡ଼ ଅଂଶ ରହିଛି । ପର୍ଯ୍ୟଟନ କ୍ଷେତ୍ର ପରେ ଶ୍ରୀଲଙ୍କା ଜିଡିପିରେ କପଡ଼ା ଓ ଚା ରପ୍ତାନୀ ଅଧିକାନ ଯୋଗଦାନ ଦେଇଥାଏ । ଏବେ ଶ୍ରୀଲଙ୍କା ସଂକଟର ସାମ୍ନା କରୁଥିବା ବେଳେ ପର୍ଯ୍ୟଟନ ସହ ରପ୍ତାନୀ ବହୁଳ ପରିମାଣରେ ପ୍ରଭାବିତ ହୋଇଛି । ଯାହାର ଫାଇଦା ଭାରତକୁ ମିଳୁଛି । ପୂର୍ବରୁ ଶ୍ରୀଲଙ୍କା କପଡ଼ା ଓ ଚା ରପ୍ତାନୀ କରୁଥିବା ବେଳେ ଏବେ ଭାରତର ଚାହିଦା ବଢ଼ିଛି ।

ରିପୋର୍ଟ ଅନୁସାରେ, ଶ୍ରୀଲଙ୍କାରେ ଘନେଇଥିବା ସଂକଟ ପାଇଁ କପଡ଼ା ଶିଳ୍ପ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଏପରିକି ଶ୍ରୀଲଙ୍କା ସଂକଟ ପାଇଁ ବଡ଼ ବଡ଼ ବ୍ରାଣ୍ଡ ଅର୍ଡର ବାତିଲ୍ କରିବା ସହ ତିରୁପୁର ଟେକ୍ସଟାଇଲକୁ ନୂଆ ଅର୍ଡର ଦେଇଛନ୍ତି । ଶ୍ରୀଲଙ୍କା ସାଧାରଣତଃ ବାର୍ଷିକ ୫.୪୨ ବିଲିଅନ୍ ଡଲାର କପଡ଼ା ରପ୍ତାନୀ କରିଥାଏ । ସେହିଭଳି ସଂକଟ ଯୋଗୁଁ ଶ୍ରୀଲଙ୍କା ଚା ରପ୍ତାନୀ ହ୍ରାସ ପାଇଥିବାରୁ ଭାରତୀୟ ଚାର ଚାହିଦା ବଢ଼ିଛି ।

 Sri Lanka Crisis Textile Hub Of Tamilnadu And Tea Estates Of Assam

ଶ୍ରୀଲଙ୍କାରେ ଏବେ ଦୈନିକ ୧୦ର ୧୨ ଘଣ୍ଟା ବିଦ୍ୟୁତ୍ କାଟ ହେଉଛି । ଜେନେରେଟର ଚଲାଇବା ଲାଗି ତେଲ ବି ମିଳୁନି । ଫଳରେ ଟି ପ୍ରୋସେସିଂ ୟୁନିଟରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଏପରିକି ବ୍ଲାକ୍ ଟି ପତ୍ର ନଷ୍ଟ ହେବାରେ ଲାଗିଛି । ଶ୍ରୀଲଙ୍କା ଅର୍ଥୋଡକ୍ସ ଟି ଉତ୍ପାଦନ କରି ଇରାକ, ଇରାନ, ୟୁଏଇ, ଲିବିଆ, ଋଷ ଓ ତୁର୍କୀ ଭଳି ଦେଶକୁ ରପ୍ତାନୀ କରିଥାଏ । ଆଉ ଭାରତ ମୁଖ୍ୟତଃ ଇରାନ ଓ ଋଷ ବଜାରକୁ ରପ୍ତାନୀ କରେ ।

ଲଦାଖର ବିଦ୍ୟୁତ୍ ବିତରଣ କେନ୍ଦ୍ର ଉପରେ ଚୀନର ସାଇବର ଆଟାକ

ଲଦାଖ: ଚୀନ୍ ଟାର୍ଗେଟରେ ଭାରତର ପାଓ୍ୱର ଗ୍ରୀଡ ସେଣ୍ଟର । ଲଦାଖର ବିଦ୍ୟୁତ୍ ବିତରଣ କେନ୍ଦ୍ର ଉପରେ ଚୀନର ସାଇବର ଆଟାକ । ଚୀନର ସରକାରୀ ହାକର୍ସମାନେ ଲଦାଖସ୍ଥିତ ଭାରତୀୟ ବିଦ୍ୟୁତ୍ ବିତରଣ କେନ୍ଦ୍ରଗୁଡ଼ିକ ଉପରେ ସାଇବର ଆଟାକ କରିଥିବା ରିପୋର୍ଟ ଦେଇଛି ଅନଲାଇନ ଇଣ୍ଟେଲିଜେନ୍ସ ଗ୍ରୁପ । ଦୁନିଆର ସବୁଠୁ ବଡ଼ ଇଣ୍ଟେଲିଜେନ୍ସ ଏହି ରିପୋର୍ଟ ଦେଇଛି । ଏହି ରିପୋର୍ଟରେ କହୁଯାଇଛି, କିଛି ମାସ ତଳେ ଆମେ ଅତି କମରେ ୭ଟି ଇଣ୍ଡିଆନ୍ ଷ୍ଟେଟ୍‌ ଲୋଡ୍ ଡେସପ୍ୟାଚ୍ ସେଣ୍ଟରର ସାମ୍ଭାବ୍ୟ ନେଟଓ୍ୱାର୍କକୁ ଟାର୍ଗେଟ କରି ହ୍ୟାକର୍ସମାନେ ପ୍ରବେଶ କରିଥିବା ଜାଣିବାକୁ ପାଇଛି । ଏ ସମ୍ପର୍କରେ ଇଣ୍ଟେଲିଜେନ୍ସ ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ଭାରତ ସରକାରଙ୍କୁ ଅବଗତ କରାଇ ସାରିଛି ।

୨୦୨୧ ଅଗଷ୍ଟରୁ ମାର୍ଚ୍ଚ ମଧ୍ୟରେ ଏହି ଆଟାକ କରି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଚାଇନିଜ ହ୍ୟାକର ଏଭଳି କରିଛନ୍ତି ବୋଲି ରିପୋର୍ଟ ମିଳିଛି । ପୂର୍ବରୁ RedEcho ଗ୍ରୁପ ହ୍ୟାକ କରୁଥିବା ବେଳେ ଏବେ ଟ୍ୟାଗ-୩୮ର ନାଁ ସାମ୍ନାକୁ ଆସିଛି। ଭାରତ ବିରୋଧରେ ଚୀନ ହ୍ୟାକର୍ସଙ୍କର ଏହା ବିରାଟ ଷଡ଼ଯନ୍ତ୍ର ହୋଇପାରେ ବୋଲି ଏହି ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଛି ।

ଋଷର ୟୁକ୍ରେନ ହାମଲା ବିରୁଦ୍ଧରେ ପୁଣି ବାହାରିଲା ଆମେରିକା, ପୁଟିନଙ୍କ ୨ ଝିଅ ଉପରେ ଲଗାଇଲା କଟକଣା

କିଭ୍: ୪୩ ଦିନର ଯୁଦ୍ଧରେ ଧ୍ୱସ୍ତ ହୋଇଛି ୟୁକ୍ରେନ । ସବୁ ସହରରୁ ଆସୁଛି ବିଧ୍ୱଂସର ବିନାଶକାରୀ ଚିତ୍ର। ସବୁ ସହରରେ ଘନ ଘନ ମିସାଇଲ ଓ ବୋମା ମାଡ଼। ୟୁକ୍ରେନରେ ଋଷର ବର୍ବରତା ବିରୁଦ୍ଧରେ ପୁଣିଥରେ ସାମ୍ନାକୁ ଆସିଛି ଆମେରିକା । ଋଷ ରାଷ୍ଟ୍ରପତି ପୁଟିନଙ୍କ ଦୁଇ ଝିଅ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା।

ପୂର୍ବରୁ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଆମେରିକା ଏବଂ ଅନ୍ୟ କିଛି ଦେଶ ଋଷ ଏବଂ ଏହାର ଅନେକ ନାଗରିକଙ୍କ ଉପରେ କଟକଣା ଲାଗୁ କରିଛନ୍ତି । ଏହା ବ୍ୟତୀତ ବୁଧବାର କିଛି ରଷିଆନ୍ ବ୍ୟାଙ୍କ ଉପରେ ଆମେରିକା ଜରିମାନା ମଧ୍ୟ ଲଗାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଟିନଙ୍କ ଝିଅମାନଙ୍କ ସମ୍ପତ୍ତି ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଘୋଷଣା କରିଛନ୍ତି । ପରିବାର ଲୋକେ ପୁଟିନଙ୍କ ସମ୍ପତ୍ତି ଲୁଚାଇପାରନ୍ତି ବୋଲି ଏପରି ନିଷ୍ପତ୍ତି ନେଇଛି ଆମେରିକା ।

ତେବେ କେବଳ ପୁଟିନ ନୁହଁନ୍ତି ତାଙ୍କ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋବ, ତାଙ୍କ ପତ୍ନୀ ଓ ପିଲାମାନେ ମଧ୍ୟ ଆମେରିକାର ପ୍ରତିବନ୍ଧକ ପରିସର ଭିତରକୁ ଆସିଛନ୍ତି । ତା ସହିତ ପୁଟିନଙ୍କ ସମସ୍ତ ନିକଟତର ବ୍ୟକ୍ତି ଯଥା ଋଷିଆ ନ୍ୟାସନାଲ ସିକ୍ୟୁରିଟି କାଉନସିଲର ସଦସ୍ୟମାନଙ୍କ ଉପରେ ବି ପ୍ରତିବନ୍ଧକ ଲାଗିଛି ।

ପୁଟିନଙ୍କର ଦୁଇ ଝିଅ ମାରିଆ ଏବଂ କ୍ୟାଟରିନା ଟିଖୋନୋଭଙ୍କ ବିରୋଧରେ ଏହି ନୂଆ ଦଣ୍ଡବିଧାନ କରାଯାଇଛି । ପୁଟିନଙ୍କ ସମସ୍ତ ଘନିଷ୍ଠଙ୍କୁ ଆମେରିକୀୟ ଆର୍ଥିକ ବ୍ୟବସ୍ଥାରୁ ଅଲଗା କରିଦେବା ପରେ ଆମେରିକାରେ ରଖିଥିବା ସମ୍ପତ୍ତିକୁ ଅଚଳ କରି ଦିଆଯାଇଛି । ଏହା ସହ ଋଷର ସର୍ବବୃହତ ସରକାରୀ ତଥା ବେସରକାରୀ ଆର୍ଥିକ ପ୍ରତିଷ୍ଠାନ, ସେରବ୍ୟାଙ୍କ ଏବଂ ଆଲଫା ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଋଷ ବିରୋଧରେ ସମ୍ପୂର୍ଣ୍ଣ ଅଚଳ ଘୋଷଣା କରିଛି ଆମେରିକା । ଋଷରେ ଆମେରିକାର ସମସ୍ତ ନୂଆ ପୁଞ୍ଜି ନିବେଶକୁ ମଧ୍ୟ ନିଷେଧ କରାଯାଇଛି ।

ଜଣାଇଦେବାକୁ ଚାହୁଁ ଯେ ଭ୍ଲାଦିମିର ପୁଟିନଙ୍କ ପରିବାର ବିଷୟରେ ବହୁତ କମ୍ ତଥ୍ୟ ସାମ୍ନାକୁ ଆସିଛି ସୂଚନା ମୁତାବକ ପୁଟିନଙ୍କ ପୂର୍ବତନ ପତ୍ନୀ ଲ୍ୟୁଡମିଲାଙ୍କ ୨ ଝିଅ ଅଛନ୍ତି । ଯାହାଙ୍କ ନା ମାରିଆ ଭୋରୋଣ୍ଟସୋଭା ଏବଂ କ୍ୟାଟରିନା ଟିକୋନୋଭା । ବିବାହର ପ୍ରାୟ ୩୦ ବର୍ଷ ପରେ ପୁଟିନ ପତ୍ନୀଙ୍କଠୁ ଅଲଗା ହୋଇଥିଲେ । ପୁଟିନ ତାଙ୍କ ପରିବାର ସହିତ ୧୯୯୬ରେ ମସ୍କୋକୁ ଚାଲିଯାଇଥିଲେ, ଯେଉଁଠାରେ ତାଙ୍କ ଝିଅମାନେ ଏକ ଜର୍ମାନ ଭାଷା ବିଦ୍ୟାଳୟରେ ପଢ଼ୁଥିଲେ । କିନ୍ତୁ ପରେ ୧୯୯୯ରେ ପୁଟିନ ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କ ଝିଅମାନେ ସ୍କୁଲରୁ ଓହରି ଯାଇଥିଲେ ଏବଂ ଘରୁ ଅଧ୍ୟୟନ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ନାଁ ବଦଳାଇ ନକଲି ପରିଚୟ ଦେଇ କଲେଜରେ ଆଡମିଶନ କରିଥିଲେ ।

କିଛିଦିନ ପୂର୍ବରୁ ପୁଟିନ କରୋନା ଟୀକାକରଣ ସମୟରେ ତାଙ୍କ ଝିଅ ବିଷୟରେ ଆଲୋଚନା କରିଥିଲେ ଯେ ତାଙ୍କ ଝିଅକୁ ମଧ୍ୟ ଏହି ଟିକା ଦିଆଯାଇଛି । ଏହା ବ୍ୟତୀତ ପୁଟିନ ତାଙ୍କ ଝିଅମାନଙ୍କର ପରିଚୟ କେବେ ପ୍ରକାଶ କରିନାହାଁନ୍ତି, କେବଳ ଏତିକି କହିଛନ୍ତି ଯେ ତାଙ୍କର ୨ ଜଣ ଝିଅ ଅଛନ୍ତି । ତାଙ୍କ ପରିବାର ସବୁବେଳେ ସ୍ପଟ୍ ଲାଇଟ୍ ଠାରୁ ଦୂରରେ ରୁହନ୍ତି ।

ଦ୍ୱିତୀୟ ଥର ପାଇଁ ଶ୍ରୀଲଙ୍କାକୁ ୭୬ ହଜାର ଟନ୍‌ ଡିଜେଲ ଓ ପେଟ୍ରୋଲ ପଠାଇଲା ଭାରତ

ନୂଆଦିଲ୍ଲୀ:  ଗମ୍ଭୀର ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିବା ଶ୍ରୀଲଙ୍କାକୁ ଭାରତ ଲଗାତାର ସାହାଯ୍ୟ କରୁଛି । ଭାରତ କ୍ରେଡିଟ୍‌ ଲାଇନ୍‌ ଦ୍ୱାରା ଦ୍ୱିତୀୟ ଥର  ଇନ୍ଧନ ସଙ୍କଟରୁ ବାହାର କରିବା ପାଇଁ ଶ୍ରୀଲଙ୍କାକୁ ଡିଜେଲ ଏବଂ ପେଟ୍ରୋଲ ପଠାଇଛି । ମଙ୍ଗଳବାର ଓ ବୁଧବାର ଭାରତରୁ ୩୬ ହଜାର ମେଟ୍ରିକ୍‌ ଟନ୍‌ ପେଟ୍ରୋଲ ଏବଂ ୪୦ ହଜାର ମେଟ୍ରିକ୍‌ ଟନ୍‌ ଡିଜେଲ ଶ୍ରୀଲଙ୍କାରେ ପହଞ୍ଚିଛି ।  ଭାରତ ,ପର୍ଯ୍ୟନ୍ତ ୨.୭୦ ଲକ୍ଷ ମେଟ୍ରିକ୍‌ ଟନରୁ ଅଧିକ ଇନ୍ଧନ ଶ୍ରୀଲଙ୍କାକୁ ପଠାଇ ସାରିଲାଣି ।

ଶ୍ରୀଲଙ୍କାର ବୁଡ଼ି ଯାଉଥିବା ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ଭାରତ ୧ ବିଲିୟନ୍‌ ଆମେରିକୀୟ ଡଲାର ଧାର ଦେବାକୁ ଘୋଷଣା କରିଛି ।  ଏହି ମଧ୍ୟରେ ଗୋଟବାୟା ସରକାରଙ୍କୁ ଳଗାତାର ଜନତାଙ୍କ ବିରୋଧର ସାମ୍ନା କରିବାକୁ ପଡ଼ୁଛି । ଲୋକଙ୍କ କ୍ରୋଧ ଦୁଇ ଗୁଣା ହେବାରେ ଲାଗିଛି । ଦେଶରେ ହାହାକାର ସୃଷ୍ଟି ହୋଇଛି ।      ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ତେବେ ଲୋକଙ୍କ କହିବା ହେଉଛି ଚୀନକୁ ସବୁକିଛି ବିକ୍ରି କରି ଦେଇ ନିଃସ୍ୱ ହୋଇ ଯାଇଛନ୍ତି ଶ୍ରୀଲଙ୍କା ସରକାର । ସେଥିପାଇଁ ଆଜି ଏଭଳି ଦୁର୍ଦ୍ଦିନ ଦେଖିବାକୁ ପଡ଼ିଛି ।  ଅନ୍ୟପଟେ ବିରୋଧୀ ମଧ୍ୟ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ।

ଔଷଧ ପାଇଁ ଭାରତକୁ ଧନ୍ୟବାଦ ଜଣାଇଲା ଶ୍ରୀଲଙ୍କା:

କେବଳ ଖାଦ୍ୟ ଏବଂ ଇନ୍ଧନ ଗ୍ୟାସ୍‌ କାହିଁକି ବରଂ ଆବଶ୍ୟକୀୟ ଔଷଧ ମଧ୍ୟ ଶ୍ରୀଲଙ୍କାରେ ଅଭାବ । ଏଥିପାଇଁ ପଡ଼ୋଶୀ ଦେଶଣ ଆବଶ୍ୟକତାକୁ ନଜରରେ ରଖି ଭାରତ ଜରୁରୀ ଔଷଧ ମଧ୍ୟ ପଠାଇଛି । ନ୍ୟାସନାଲ ଆଇ ହସ୍ପିଟାଲ କଲମ୍ବୋର ନିର୍ଦ୍ଦେଶକ ଡାକ୍ତର ଦମମିକାଙ୍କ କହିବା ହେଉଛି ଭାରତରୁ ଅଧିକତର ଔଷଧ ଏବେ ଶ୍ରୀଲଙ୍କାରେ ପହଞ୍ଚୁଛି । ଯାହା ସେମାନଙ୍କ ପାଇଁ ଏକ ବଡ଼ ସାହାଯ୍ୟ ।

 

ସୂଚନାଯୋଗ୍ୟ କୋଭିଡ ମହାମାରୀ ପରଠାରୁ ଶ୍ରୀଲଙ୍କା ଅର୍ଥବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ଯେଉଁଥିପାଇଁ ୨ କୋଟିରୁ ଅଧିକ ଲୋକଙ୍କ ଖାଦ୍ୟ ଏବଂ ଔଷଧ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହା ୧୯୪୮ ମସିହା ପରେ ଦେଶରେ ସବୁଠାରୁ ବଡ଼ ଆର୍ଥିକ ସଙ୍କଟ ।

 

ଅଙ୍ଗନଓ୍ୱାଡି କେନ୍ଦ୍ରରେ ମହୁମାଛି ଆତଙ୍କ, ୧୨ ଗୁରୁତର

ବୌଦ୍ଧ: ମହୁମାଛି ଆକ୍ରମଣରେ ୧୨ ଜଣ ଗୁରୁତର । କଣ୍ଟାମାଳ ବ୍ଲକ ଦପଳା ପଞ୍ଚାୟତ ବଉଲସିଙ୍ଗା ଅଙ୍ଗନୱାଡ଼ି କେନ୍ଦ୍ରରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ମହୁମାଛି । ଅଙ୍ଗନୱାଡ଼ି ଦିଦି ଓ ରୋଷେୟା ସମେତ ୧୦ ଜଣ ଶିଶୁ ଗୁରୁତର ଅବସ୍ଥାରେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସୂଚନା ଅନୁଯାୟୀ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଦପଳା ପଞ୍ଚାୟତ ବଉଲସିଙ୍ଘା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ବରଗଛରେ ଶତାଧିକ ମହୁମାଛି ବସା କରିଥିବାବେଳେ ଆଜି ପିଲାଙ୍କ ପାଇଁ ବିପଦର କାରଣ ହୋଇଛି । କୌଣସି କାରଣ ବଶତଃ ମହୁମାଛିମାନେ ଅତର୍କିୟ ଭାବେ ଅଙ୍ଗନବାଡି ଓ ପ୍ରାଥମିକ ବିଦ୍ୟାଳୟର ୧୦  ଜଣ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିବା ବେଳେ ଜଣେ ଅଙ୍ଗନୱାଡ଼ି ଦିଦି ଓ ଜଣେ ରୋଷେୟାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ମହୁମାଛି ଆକ୍ରମଣରେ ଆହତ ହୋଇଥିବା ସମସ୍ତଙ୍କୁ ସୋନପୁର ମୁଖ୍ୟଚିକିତ୍ସାଳୟ ଭର୍ତ୍ତି କରାଯାଇଛି । ଅନ୍ୟ ପକ୍ଷରେ ଏହାର ପ୍ରତିକାର ପାଇଁ ଅଭିଭାବକ ଓ ଶିକ୍ଷକମାନେ ଦାବି କରିଛନ୍ତି ।

ନିରଞ୍ଜନଙ୍କ ପରେ କିଏ ହେବ ପିସିସି ସଭାପତି ? ତାରା ନେଲେ ସୁରଙ୍କ ନାଁ

ଭୁବନେଶ୍ୱର: ବଦଳିବେ ପିସିସି ସଭାପତି । ମୁହଁ ଖୋଲିଲେ ତାରା । ବାରମ୍ବାର କଂଗ୍ରେସ ନେତା ଦିଲ୍ଲୀ ଯିବା ଓ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ନେଇ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ମୁହଁ ଖୋଲିଛନ୍ତି । ରୋକଠୋକ୍ କହିଛନ୍ତି, ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରାଯାଉ । ବିଧାୟକଙ୍କ ମଧ୍ୟରୁ କେହିବି ପିସିସି ସଭାପତି ହୁଅନ୍ତୁ । ସୁର ଭାଇ ହେଲେ ବି ଆମେ ସ୍ୱାଗତ କରିବୁ ବୋଲି କହିଛନ୍ତି ତାରା ବାହିନୀପତି ।

 PCC President Race Tara Nominate Sura Routray Name

ଏହା ପଛର କାରଣ ବି ଦର୍ଶାଇଛନ୍ତି ତାରା । କହିଛନ୍ତି, ଜିଲ୍ଲାକୁ ଗଲେ ସର୍କିଟ୍ ହାଉସ୍ ମିଳିବ । ଏଥିପାଇଁ ବିଧାୟକ କହିଲେ କଥା ରହିବ । ଜିଲ୍ଲା ସଭାପତିମାନଙ୍କୁ ଜିଲ୍ଲାପାଳ ବାସୀ ପାଣିରେ ପଚାରୁ ନାହାନ୍ତି । ଜଣେ ବିଧାୟକ ହେଲେ ଏ ସମସ୍ୟା ରହିବ ନାହିଁ । ଏଥିସହ ପୂର୍ବରୁ ଯେଉଁମାନେ ପିସିସି ସଭାପତି ରହି ସାରିଛନ୍ତି ସେମାନଙ୍କୁ ନେତୃତ୍ୱ ଦିଆନଯାଉ ବୋଲି କହିଛନ୍ତି ତାରା । କିନ୍ତୁ ବିଧାୟକଙ୍କୁ ହିଁ ପିସିସି ସଭାପତି କରନ୍ତୁ ବୋଲି ତାରା କହିଛନ୍ତି ।

ତେବେ ଏନେଇ କେହି ତାଙ୍କ ସହ ଆଲୋଚନା କରିନାହାନ୍ତି । ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ପ୍ରଭାରୀ ତାଙ୍କ ସହ ଆଲୋଚନା କଲେ ସେ ଏନେଇ ପ୍ରସ୍ତାବ ଦେବେ । ବିଧାୟକ ପିସିସି ସଭାପତି ହେଲେ ଲୋକେ ମଧ୍ୟ କଂଗ୍ରେସକୁ ଗ୍ରହଣ କରିବେ ବୋଲି ତାରା ଯୁକ୍ତି ବାଢ଼ିଛନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନରେ ପରାଜୟ ପରେ ଏବେ କଂଗ୍ରେସରେ ପିସିସି ସଭାପତି ହଟାଇବା ଦାବି ଜୋର୍ ଧରିଥିବା ବେଳେ ତାରାଙ୍କ ବିଧାୟକ ଫର୍ମୁଲା ଶୀର୍ଷ ନେତୃତ୍ୱ କିଭଳି ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ।

କରୋନାର ନୂଆ ଭାରିଆଣ୍ଟ XEର କ’ଣ ରହିଛି ଲକ୍ଷଣ ଜାଣନ୍ତୁ…

ଦେଶରେ କରୋନାର ପ୍ରକୋପ ଧିରେ ଧିରେ କମିବାର ଦେଖାଯାଉଛି । କେବଳ ଭାରତ ନୁହେଁ ସାରା ପୃଥିବୀ ୨ ବର୍ଷରୁ ଅଧିକ ସମୟ ଧରି ଏହି ମହାମାରୀର ସାମନା କରିଆସୁଛି । ସମୟକ୍ରମେ କରୋନାର ନୂଆ ଭାରିଆଣ୍ଟ ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ଓମିକ୍ରନର BA.2 ନାମକ ଏକ ଭାରିଆଣ୍ଟ ଦେଖାଯାଇଥିଲା । ବର୍ତ୍ତମାନ XE ନାମକ ଏକ ନୂଆ ଭାରିଆଣ୍ଟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି । ଏହି XE ଭାରିଆଣ୍ଟ ଏବଂ କପ୍ପା ଭାରିଆଣ୍ଟ ମୁମ୍ୱାଇରେ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ମାତ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବାନୁସାରେ ମୁମ୍ୱାଇରେ ମିଳିଥିବା ନୂଆ ଭାରିଆଣ୍ଟର ଯାଞ୍ଚ କରାଯାଉଛି ମାତ୍ର ଏହା XE ଭାରିଆଣ୍ଟ ବୋଲି ଏଯାବତ୍ ସ୍ପଷ୍ଟ ହୋଇନାହିଁ ।

ରିପୋର୍ଟ ଅନୁସାରେ ଓମିକ୍ରନର XE ନାମକ ନୂଆ ଭାରିଆଣ୍ଟ BA.1 ଓ BA.2 ଭଳି ଅନ୍ୟ ସମସ୍ତ ଭାରିଆଣ୍ଟଠାରୁ ୧୦ ପ୍ରତିଶତ ଅଧିକ ସଂକ୍ରାମକ । ଏହି ଭାରିଆଣ୍ଟ କେତେ ବିପଦଜନକ ତାହା ବର୍ତ୍ତମାନ ସ୍ଥିତିକୁ ଦେଖି କହିବା କଷ୍ଟକର । ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ କୋଭିଡର ଭିନ୍ନ ଭିନ୍ନ ଲକ୍ଷଣ ପରିଲକ୍ଷିତ ହୋଇଥାଏ । କରୋନା ମହାମାରୀ କେତେକଙ୍କ ଉପରେ ଖୁବ୍ କମ୍ ପ୍ରଭାବ ପକାଇଥିବା ବେଳେ କେତେକ ମରଣ ମୁହଁରୁ ଫେରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।

ନ୍ୟାସନାଲ ହେଲଥ୍ ସର୍ଭିସର ରିପୋର୍ଟ ଅନୁସାରେ କ’ଣ ରହିଛି କରୋନାର ନୂଆ ଭାରିଆଣ୍ଟ XEର ଲକ୍ଷଣ :

  • ଜ୍ଜ୍ୱର
  • ବ୍ରେନ୍ ଫଗ୍
  • ମାନସିକ ଭ୍ରମ
  • ଭୟଭୀତ ହେବା
  • ହାଇପୋକ୍ରେସିଆ
  • ରକ୍ତଚାପ ବୃଦ୍ଧି ହେବା
  • ମୁହଁର ରଙ୍ଗ ପରିବର୍ତ୍ତନ ହେବା

ଯଦି କୌଣସି ବ୍ୟକ୍ତିଙ୍କୁ ଭୀଷଣ ଜ୍ଜ୍ୱର ସହ ଲଗାତାର କାଶ ଏବଂ ସ୍ୱାଦ-ଗନ୍ଧ ବାରିବାରେ ଅସୁବିଧା ହେଉଛି ତେବେ ଏହା କୋଭିଡର ଲକ୍ଷଣ । ଯେଉଁ ବ୍ୟକ୍ତିଙ୍କର ଏଭଳି ଲକ୍ଷଣ ଦେଖାଯାଉଛି ସେ ତୁରନ୍ତ ଏକ୍ସପର୍ଟଙ୍କ ପରାମର୍ଶ ନେଇ ଶୀଘ୍ର ଯାଞ୍ଚ କରିବା ଆବଶ୍ୟକ ।

 

ବ୍ରିଟେନରେ ମିଳିଛି କରୋନାର ନୂଆ ଭାରିଆଣ୍ଟ :

କରୋନାର ଏହି ନୂଆ ଭାରିଆଣ୍ଟ ବ୍ରିଟେନରେ ଦେଖିବାକୁ ମିଳିଛି । ବ୍ରିଟେନରେ XE ଭାରିଆଣ୍ଟରେ ପ୍ରାୟ ୬୭୩ ଲୋକ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଏହି ଭାଇରସ୍ ଆଗକୁ ମାରାତ୍ମକ ହୋଇପାରେ । ବର୍ତ୍ତମାନ ସତର୍କତା ଅବଲମ୍ୱନ ନ କଲେ ସାରା ବିଶ୍ୱକୁ ଏହା ଖୁବ୍ କମ୍ ଦିନରେ ସଂକ୍ରମିତ କରିବ ବୋଲି ଅନୁମାନ କରାଯାଉଛି । ମାଇ ଗମେଣ୍ଟ ରିପୋର୍ଟ ଅନୁସାରେ ଭାରତରେ ୧୮୫ କୋଟିରୁ ଅଧିକ ଲୋକ ଭ୍ୟାକ୍ସିନ ଡୋଜ ନେଇସାରିଲେଣି । କେତେକ ରାଜ୍ୟରେ କରୋନା ଗାଇଡଲାଇନ୍ ହଟାଯାଇଥିଲେ ମଧ୍ୟ ସତର୍କ ରହିବା ଆବଶ୍ୟକ ।