ନୂଆ ମନ୍ତ୍ରୀଙ୍କୁ 6-T ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଏଣିକି 5-T ବଦଳରେ 6-Tରେ କାମ କରିବେ ମନ୍ତ୍ରୀ । ନବ ନିର୍ବାଚିତ ମନ୍ତ୍ରୀଙ୍କୁ  6-Tର  ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବର ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟେକ୍ନୋଲଜି, ଟାଇମ୍, ଟ୍ରାନ୍ସଫରମେସନ ପରେ ଏବେ ଯୋଡ଼ି ହେଲା ଟୁର । ଟୁର ସମାଜର ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଜିଲ୍ଲା ଓ ବ୍ଲକସ୍ତରକୁ ଗସ୍ତ କରିବାକୁ ସବୁ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସହ ଲୋକଙ୍କ ସମସ୍ୟା ସହ ଅବଗତ ହେବାକୁ ପରାମର୍ଶ ଦେଇଛନ୍ତି  । ଲୋକଙ୍କ ବିକାଶ ପାଇଁ ଯତ୍ନଶୀଳ ହେବା ସହ ୨୦୨୪ ପୂର୍ବରୁ ବିଜେଡିର ନିର୍ବାଚନ ଇସ୍ତାହାର ଶତ ପ୍ରତିଶତ ପୂରା କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମୋ ।

ଦାୟିତ୍ବ ବଣ୍ଟନ ପରେ ଆଜି ସମସ୍ତ ମନ୍ତ୍ରୀ ପହଞ୍ଚିଥିଲେ ନବୀନ ନିବାସରେ । ସେଠାରେ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୁଶାସନ ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହାସହ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ନୂଆମନ୍ତ୍ରୀ  । ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସମସ୍ତ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ମନ୍ତ୍ରୀ ନବକିଶୋର ଦାସ, ସମୀର ଦାଶ, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା, ଅଶୋକ ପଣ୍ଡା, ବାସନ୍ତୀ ହେମ୍ବ୍ରମ,  ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ତୁଷାରକାନ୍ତି ବେହେରାଙ୍କ ସମେତ ସମସ୍ତ ୨୧ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ।