ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ପରମ୍ପରା ଅନୁଯାୟୀ ଚକଡେରା ନୀତି ସମ୍ପନ୍ନ

ପୁରୀ: ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥରେ ଚଢ଼ି ପତିତ ଉଦ୍ଧାରରେ ବାହାରିବେ ପତିତପାବନ । ଏଥିପାଇଁ ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ୩ ରଥର କାମ । ପରମ୍ପରା ଅନୁଯାୟୀ ଆଜି ଶୀତଳଷଷ୍ଠୀରେ ଅନୁଷ୍ଠିତ ହୋଇଛି ଚକଡେରା ନୀତି । ସମସ୍ତ ଚକ ସହ ଅଖ ସଂଯୋଗ କରାଯାଇଛି । ଭୋଇ ସେବକମାନେ ୩ ରଥର ମୋଟ ୪୨ଟି ଚକରେ ଅଖ ସଂଯୋଗ କରିଛନ୍ତି । ପାର୍ଶ୍ଵ ଦଣ୍ଡାରେ କୁଡ଼ୁକା ଓ ନିରାଡ଼ି ଲଗାଯିବା କାର୍ଯ୍ୟ ଜାରି ରହିଛି ।

ସେପଟେ ଗରଗରା ଗୁଡିକରେ ଚାଲିଛି ବିନ୍ଧ ଖୋଦେଇ କାମ । ଚାରପରିଛା ନିର୍ମାଣ ପାଇଁ କାଠ ଚଉପଟ କରାଯାଉଛି । ତାଳଧ୍ବଜ ଏବଂ ନନ୍ଦିଘୋଷ ରଥର ପୋଲଗୟଳ କାମ ଶେଷ ହୋଇଛି । ଦେବଦଳନ ରଥର ପୋଲଗୟଳ କାମ ଜାରି ରହିଥିବା ବେଳେ ରୂପକାର ସେବକମାନେ ତିନିରଥର ସିଂହାସନରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।