ମହଙ୍ଗା ପଡ଼ିଲା ବିବାଦୀୟ ବୟାନ, ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କଲା ବିଜେପି

1 min read

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଛି । ନିକଟରେ ବିଜେପି ମୁଖପାତ୍ର ନୂପୁର ଶର୍ମା ଏକ ଟିଭି ଡିବେଟରେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ । ଯାହା ପରେ ଏହାକୁ ନେଇ ଅନେକ ବିରୋଧ ମଧ୍ୟ ହୋଇଥିଲା । ଏହି ବିବୃତ୍ତିରେ ଉତ୍ତେଜନା ପରେ ବିଜେପି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଜେପି ନୂପୁର ଶର୍ମାଙ୍କ ସହ ଗଣମାଧ୍ୟମ ଦାୟିତ୍ୱରେ ଥିବା ନବୀନ ଜିନ୍ଦଲଙ୍କୁ ମଧ୍ୟ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଛି ।

ରବିବାର ବିଜେନି ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା । ଏହି ବିବୃତ୍ତିରେ ବିଜେପି ପକ୍ଷରୁ କୁହାଯାଇଥିଲା କି ଦଳ ସମସ୍ତ ଧର୍ମକୁ ସମ୍ମାନ କରେ । କୌଣସି ଧର୍ମର ବ୍ୟକ୍ତିର ଅପମାନକୁ କଡ଼ା ନିନ୍ଦା କରୁଛି । ତେବେ ପାର୍ଟି ଏହି ବୟାନରେ ନୂପୁର ଶର୍ମାଙ୍କ ଉଲ୍ଲେଖ କରିନାହିଁ । ତେବେ ଏହି ବିବୃତ୍ତିର କିଛି ସମୟ ପରେ ନୂପୁର ଶର୍ମାଙ୍କୁ ଦଳ ନିଲମ୍ବିତ କରିଥିଲା ।

ସୂଚନା ଅନୁସାରେ, ନିକଟରେ ଏକ ଟିଭି ବିତର୍କ ସମୟରେ ନୂପୁର ଶର୍ମା ଜ୍ଞାନବାପି ମସଜିଦ ମାମଲାରେ ନିଜର ମତ ଦେଇଥିଲେ। ଏହି ସମୟରେ ସେ ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ଏକ ବିବୃତ୍ତି ଦେଇଥିଲେ । ଏହି ବିବୃତ୍ତିକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଧାର୍ମିକ ଭାବନାକୁ ଆଘାତ ଦେବା, ଘୃଣା ବିସ୍ତାର କରିବା ଏବଂ ଅନ୍ୟ ଧର୍ମ ବିରୁଦ୍ଧରେ ମନ୍ତବ୍ୟ ଦେବା ପାଇଁ ନୂପୁର ଶର୍ମାଙ୍କ ବିରୋଧରେ ଏକ ଏଫଆଇଆର ମଧ୍ୟ ପଞ୍ଜୀକୃତ ହୋଇଥିଲା ।