ମନ୍ତ୍ରୀ ଭାବେ ଶପଥ ନେବା ପରେ କିଏ କ’ଣ କହିଲେ ?

1 min read

ଭୁବନେଶ୍ବର: ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀ । ଲୋକସେବା ଭବନ କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ପାହ୍ୟା) ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆସନ୍ତୁ ଜାଣିବା ଶପଥ ନେବା ପରେ କିଏ କ’ଣ କହିଲେ ।

ଅତନୁ ସବ୍ୟସାଚୀ ନାୟକ: ଯେଉଁ ଦାୟିତ୍ୱ ମିଳିଛି ଠିକଣା ଭାବେ ତୁଲାଇବି । ଲୋକଙ୍କ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ନିର୍ଦ୍ଦେଶ ଅଛି ତାହାକୁ କାର୍ଯ୍ୟକାରୀ କରିବି । ସମୟ ବଡ଼ କଥା ନୁହେଁ, ଯେଉଁ କାମ ଦିଆଯାଇଛି ତାକୁ ନିଷ୍ଠାର ସହ ସମ୍ପାଦନ କରିବା ବଡ଼ କଥା । କେନ୍ଦ୍ରାପଡ଼ାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଛନ୍ତି । ମୁଁ ଓ ପ୍ରତାପ ଦେବ ମିଶି କେନ୍ଦ୍ରାପଡ଼ାର ବିକାଶ ପାଇଁ କାମ କରିବୁ । ବିଜେଡି ପ୍ରତିଶ୍ରୁତି ପାଳନରେ ଆଗରେ ରହୁଛି ବୋଲି ଜନତାଙ୍କ ସମର୍ଥନ ମିଳୁଛି ।

ପ୍ରଫୁଲ୍ଲ ମଲ୍ଲିକ: ପୁଣି ଥରେ ମନ୍ତ୍ରୀ ଭାବରେ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି । ପୂର୍ବରୁ ଯେମିତି ଲୋକଙ୍କ ପାଇଁ କାମ କରୁଥିଲି ଆଗକୁ ଜାରି ରଖିବି ।

ଶ୍ରୀକାନ୍ତ ସାହୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ । ମୋ ଉପରେ ଆସ୍ଥା ଓ ବିଶ୍ୱାସ ରଖି ଦାୟିତ୍ୱ ଦେଇଛନ୍ତି । ଓଡ଼ିଶାର ବିକାଶ ଓ ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା ପାଇଁ ରାଜ୍ୟ ସରକାର ଯେଉଁ 5T କାର୍ଯ୍ୟକ୍ରମ କରିଛନ୍ତି ତାକୁ ଆଗକୁ ନେବୁ ।

ଟୁକୁନି ସାହୁ: ମୁଖ୍ୟମନ୍ତ୍ରୀ ମୋ ଉପରେ ଭରଷା କରିଥିବାରୁ ଧନ୍ୟବାଦ । ଯେଉଁ ବିଭାଗ ମିଳିବ ସେଥିରେ ଲୋକଙ୍କ ପାଇଁ କାମ କରିବି । ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବି ।

ପ୍ରୀତି ରଞ୍ଜନ ଘଡେଇ: ନିଷ୍ଠାର ସହ କାମ କରିବା ଆମର ଧର୍ମ । ଆଶା, ଭରଷା ରଖି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ । କେବେ ବିଧାୟକ ହେବି ବୋଲି ବି ସ୍ୱପ୍ନ ଦେଖି ନଥିଲି । ମୁଖ୍ୟମନ୍ତ୍ରୀ ବିଧାୟକ କରିଥିଲେ । ଆଜି ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରି ଦାୟିତ୍ବ ଦେଇଛନ୍ତି, ତାଙ୍କୁ ଆଉ ଥରେ ଧନ୍ୟବାଦ ଜଣାଉଛି ।

ଅଶୋକ ଚନ୍ଦ୍ର ପଣ୍ଡା: ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଓ ବିଶ୍ବାସ ରହିଛି । ଦାୟିତ୍ବ ସବୁ ବେଳେ ସମାନ । ତାହା ହେଲା ଲୋକଙ୍କ ସେବା କରିବା । ଆଗାମୀ ନିର୍ବାଚନକୁ ସମୟ କମ୍ ଥିବା ବେଳେ ଲକ୍ଷ୍ୟ ବହୁତ ଅଛି, ଚ୍ୟାଲେଞ୍ଜ ରହିବ । ତଥାପି ଆଗକୁ ଆଗେଇବାକୁ ପଡ଼ିବ ।

ନବ କିଶୋର ଦାସ: ଆମର ଯିଏ ନେତା ସେ ଯେଉଁଠି ଛିଡ଼ା ହେବେ ସେଠାରେ ଗଣତନ୍ତ୍ରର ବିଜୟ ହେଉଛି । ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ଯେଉଁ ଦାୟିତ୍ବ ମିଳିବ ତୁଲାଇବି । ପ୍ରଥମ ଥର ନୁହେଁ, ୫ମ ଥର ପାଇଁ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇଛନ୍ତି ।

ରଣେନ୍ଦ୍ର ପ୍ରତାପ ସ୍ବାଇଁ: ମୁଖ୍ୟମନ୍ତ୍ରୀ ବିଶ୍ବାସ ରଖି ନୂଆ ମନ୍ତ୍ରିମଣ୍ଡଳରେ ଦାୟିତ୍ୱ ଦେଇଛନ୍ତି । କଠୋର ପରିଶ୍ରମ କରି ତାଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିବି । ଯେତେବେଳେ ଯେଉଁ ଦାୟିତ୍ବ ମିଳିଛି ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛୁ ଓ ଆଗକୁ କରିବୁ ।

ରୀତା ସାହୁ: ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା । ଯେଉଁ ବିଭାଗ ଦେବେ କାମ କରି ରାଜ୍ୟ ଓ ମୋ ଅଞ୍ଚଳର ଲୋକଙ୍କ ସେବା କରିବି । ସରକାରଙ୍କ ଲୋକାଭିମୁଖୀ କାମ ଲୋକଙ୍କ ପାଖରେ ପହଞ୍ଚାଇବି ।

ରୋହିତ ପୂଜାରୀ: ମନ୍ତ୍ରିମଣ୍ଡଳରେ ସାମିଲ ହେବାର ଆଶା କେବେ ନଥିଲା । ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଥିବାରୁ ଧନ୍ୟବାଦ । ଏବେ ଗୁରୁଦାୟିତ୍ବ ଦେଇଛନ୍ତି । ଓଡ଼ିଶାବାସୀଙ୍କର ତାଙ୍କ ପ୍ରତି ଯେଉଁ ସମ୍ମାନ ରହିଛି ତାକୁ ଆଗକୁ ନେବାକୁ ଚେଷ୍ଟା କରିବି । ସରକାରଙ୍କ 5T ଓ ଅନ୍ୟ ଯୋଜନାକୁ ଲୋକଙ୍କ ପାଖକୁ ନେଇ କି ଯିବି ।