spot_img
Home Blog Page 4392

ଜାଲ୍ ପ୍ରମାଣପତ୍ରରେ ଆଡମିଶନ୍ ଘଟଣା: ନାମଲେଖା ବାତିଲ ନେଇ OCACକୁ ଅବଗତ କରାଇଲା ବିଭାଗ

ଭୁବନେଶ୍ୱର: ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ରରେ ବିଜେବି କଲେଜରେ ଆଡମିଶନ ଘଟଣାରେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି  । ଚଳିତବର୍ଷ ହେବାକୁ ଥିବା ନାମଲେଖା ବାତିଲ ନେଇ OCACକୁ ଅବଗତ କରାଇଲା ବିଭାଗ  । ସେହିପରି SAMS ପୋର୍ଟାଲରେ ଅପଡେଟ୍ କରାଇବାକୁ ବିଭାଗ  କହିଛି  । ମିଳିଥିବା ସୂଚନା ମୁତାବକ 2019ରୁ ଏଯାଏ ଜାଲ୍ ପ୍ରମାଣପତ୍ରରେ ନାମ ଲେଖାଇଛନ୍ତି ୮ଛାତ୍ରଛାତ୍ରୀ  । ଏନେଇ OCAC ଜିଏମଙ୍କୁ ଉଚ୍ଚଶିକ୍ଷା ବିଭାଗ ଉପନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି  ।

ସେପଟେ ଏହି ଘଟଣାରେ ୨ଅଭିଯୁକ୍ତଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ  । ମାନସ ବେଜ ଓ ନିରଞ୍ଜନ ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି  ।
୫ନକଲି ପ୍ରମାଣପତ୍ର ମଧ୍ୟ ଜବତ କରିଛି ପୋଲିସ  । ଅଭିଯୁକ୍ତମାନେ ନିୟମିତ ଜାଲ ସାର୍ଟିଫିକେଟ୍ ପ୍ରସ୍ତୁତ କରୁଥିଲେ  । ୪୦ହଜାର ଟଙ୍କାରେ ଯୋଗାଉଥିଲେ ଜାଲ୍ ପ୍ରମାଣପତ୍ର  । ଏଭଳି ରାକେଟ କାମ କରୁଥିଲା  । ଟଙ୍କା ନେଇ ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରୁଥିଲା  ।

ସରିଲା ଖରିଫ ଧାନ କିଣା, ବିଭାଗ କିଣିଲା ୫୭ଲକ୍ଷ ୨୨ହଜାର ୩୦୪ମେଟ୍ରିକ ଟନ ଧାନ

ଭୁବନେଶ୍ୱର: ରାଜ୍ୟରେ ସରିଛି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ମାର୍ଚ୍ଚ ୩୧ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷର ଖରିଫ ଧାନ କିଣା ପ୍ରକ୍ରିୟା ଶେଷ ହୋଇଛି । ମୋଟ ୫୭ଲକ୍ଷ ୨୨ହଜାର ୩୦୪ମେଟ୍ରିକ ଟନ ଧାନ କିଣିଛି ଯୋଗାଣ ବିଭାଗ । ୩୦ ଜିଲ୍ଲାର ମୋଟ ୧୨ଲକ୍ଷ ୯୨ହଜାର ୭୩୨ଜଣ ଚାଷୀ ଧାନ ବିକ୍ରି କରିଛନ୍ତି ।ଏଥିରେ ରହିଛନ୍ତି ୧୦ଲକ୍ଷ ୯୨ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଯାହାକି ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୯୫ ପ୍ରତିଶତ ଅଧିକ । ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣିବାକୁ ବିଭାଗ ଗୁରୁତ୍ବ ଦେଇଛି ।

ଆଗୁଆ ଟୋକନ ବ୍ୟବସ୍ଥାରେ ଲୋକଙ୍କଠାରୁ ଧାନ କିଣାଯାଇଛି । ଏହାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶି କରିବାକୁ 5T ଆଧାରରେ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି । ପ୍ରଥମଥର ପାଇଁ ୭ଜିଲ୍ଲାରେ ପାଇଲଟ୍ ପ୍ରକଳ୍ପ ଭାବେ ସାଟେଲାଇଟ୍ ଇମେଜରି ମାଧ୍ୟମରେ ଧାନ ଜମିର ଯାଞ୍ଚ କରାଯାଇଛି । ଭୁଲ ତଥ୍ୟ ଆଧାରରେ ପଞ୍ଜିକୃତ ଜମିକୁ ପ୍ରକ୍ରିୟାରୁ ବାଦ ଦିଆଯାଇଛି । ଏଥର ବରଗଡ଼ ଜିଲ୍ଲାରୁ ସର୍ବାଧିକ ୬ଲକ୍ଷ ୧୪ହଜାର ୧୦୨ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି ।

 

ସ୍ୱପ୍ନରେ ସାପ ଦେଖିଲେ କ’ଣ ହୁଏ ?

ସ୍ୱପ୍ନରେ ମଣିଷକୁ ବହୁତ କିଛି ଦେଖିବାକୁ ମିଳେ । ସେ କିଛି ବି ହୋଇପାରେ । ଖାଦ୍ୟ ହୋଇପାରେ, ବସ୍ତ୍ର ହୋଇପାରେ , ସମ୍ପର୍କୀୟ ହୋଇପାରନ୍ତି ବା କୌଣସି ଜୀବଜନ୍ତୁ । ଏ ସବୁକୁ ନେଇ ମଣିଷର କିଛି ଆଗାମୀ କଥା ବିଷୟରେ ଜାଣିବାକୁ ମିଳେ ବୋଲି କୁହାଯାଏ । ସେହିଭଳି ଏକ କଥା ସାପକୁ ନେଇ ରହିଛି । ଯଦି ଆପଣ ସ୍ୱପ୍ନରେ ସାପ ଦେଖୁଛନ୍ତି ତେବେ କ’ଣ ହୋଇଥାଏ ?

କୌଣସି ମନ୍ଦିରରେ ସାପ ଦେଖିବା :

ସ୍ୱପ୍ନରେ କୌଣସି ମନ୍ଦିରରେ ସାପ ଦେଖିବା ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଏପରି ସ୍ୱପ୍ନ ଆପଣଙ୍କର ଇଚ୍ଛା ଶୀଘ୍ର ପୂରଣ ହେବାକୁ ସୂଚିତ କରିଥାଏ ।

ଗଛ ଉପରେ ସାପ ଚଢିବା ଦେଖିବା :

ସ୍ୱପ୍ନରେ ଏକ ଗଛ ଉପରକୁ ଚଢୁଥିବା ସାପ ଦେଖିବା ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଏଭଳି ସ୍ୱପ୍ନ ଜୀବନରେ ପ୍ରଗତି ଏବଂ ସଫଳତାକୁ ସୂଚିତ କରିଥାଏ । ଏପରି ସ୍ୱପ୍ନ ଦେଖୁଥିବା ବ୍ୟକ୍ତିଙ୍କୁ ତାଙ୍କର ଅଟକି ରହିଥିବା ଧନ ମିଳିପାରେ ।

ଶିବ ଲିଙ୍ଗ ଉପରେ ସାପ ଦେଖିବା :

ସ୍ୱପ୍ନରେ ଆପଣ ଶିବ ଲିଙ୍ଗ ଉପରେ ସାପ ଦେଖିଲେ ବୁଝି ଯିବେ ଯେ ଆପଣଙ୍କ ଉପରେ ଶିବଙ୍କର କୃପା ରହିଛି ।

ଧଳା, ସୁବର୍ଣ୍ଣ ଏବଂ ଉଜ୍ୱଳ ସାପ ଦେଖିବା :

ସ୍ୱପ୍ନରେ ସୁବର୍ଣ୍ଣ କିମ୍ବା ଉଜ୍ଜ୍ୱଳ ସାପ ଦେଖିବା ଭାଗ୍ୟ ଖୋଲିବାକୁ ସୂଚିତ କରିଥାଏ । ଆପଣଙ୍କ ସମସ୍ୟା ଦୂର ହୋଇ ଜୀବନରେ ସୁଖ-ସମୃଦ୍ଧି ଆସିଥାଏ ।

ସ୍ୱପ୍ନରେ ବାରମ୍ବାର ସାପ ଦେଖିବା :

ଯଦି କେହି ସ୍ୱପ୍ନରେ ସାପକୁ ବାରମ୍ବାର ଦେଖନ୍ତି, ତେବେ ଏହାର ଅର୍ଥ ଯେ ରାଶିରେ ସର୍ପ ଦୋଷ ରହିଛି । ଏହା ବ୍ୟତୀତ ସ୍ୱପ୍ନରେ ଏକ ସାପ ପାଣିରେ ପହଁରୁଥିବାର ଦେଖିବା ମଧ୍ୟ କାଳ ସର୍ପ ଯୋଗକୁ ସୂଚିତ କରିଥାଏ  ବୋଲି କୁହାଯାଏ ।

ପାକିସ୍ତାନ ବାସୀଙ୍କୁ ଆଜି କ’ଣ କହିବେ ଇମ୍ରାନ ଖାନ୍ ?

ଇସଲାମବାଦ: ଦେଶର ସର୍ବୋଚ୍ଚ ଅଦାଲତଙ୍କଠାରୁ ଶକ୍ତ ଧକ୍କା ଖାଇବା ପରେ ବ୍ୟାକଫୁଟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କିନ୍ତୁ ତାଙ୍କର ପରବର୍ତ୍ତୀ ରଣନୀତି କଣ ହେବ, ସେ ନେଇ ସରଗରମ ହେବାରେ ଲାଗିଛି ଚର୍ଚ୍ଚା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇମ୍ରାନ ସରକାର ଅନାସ୍ଥା ଭୋଟ ସମ୍ମୁଖୀନ ହେବେ ନା ଜବାବୀ ପଦକ୍ଷେପ ନେଇ ବିରୋଧୀଙ୍କୁ ପୁଣି ଥରେ ଚ୍ୟାଲେଞ୍ଜ କରିବେ । ଏସବୁ କଳ୍ପନାଜଳ୍ପନା ମଧ୍ୟରେ ଇମ୍ରାନ ଖାନ ଆଜି ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଉଛନ୍ତି ।ପାକିସ୍ତାନ ସୁପ୍ରିମକୋର୍ଟଠୁ ଝଟକା ପାଇଲା ପରେ ଇମ୍ରାନ ଖାନଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ସମସ୍ତଙ୍କର ନଜର ।

ସୁପ୍ରିମକୋର୍ଟଙ୍କ ରାୟରେ ବିରୋଧୀ ଦଳ ଉଲ୍ଲସିତ ହୋଇଥିବା ବେଳେ ନିଜର ରଣନୀତି ସ୍ପଷ୍ଟ କରିନାହାନ୍ତି ଇମ୍ରାନ । ତେବେ ଶେଷ ବଲ୍ ଯାଏଁ ସଂଘର୍ଷ କରିବେ ବୋଲି ସଂକେତ ଦେଇଛନ୍ତି ଇମ୍ରାନ । ଅନାସ୍ଥା ପ୍ରସ୍ତାବ ରଦ୍ଦ ନେଇ ଡେପୁଟି ସ୍ପିକରଙ୍କ ରୁଲିଂ ଅସାମ୍ବିଧାନିକ ବୋଲି ଗତକାଲି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ସର୍ବସମ୍ମତ ରାୟ ଦେଇଥିଲେ । ନ୍ୟାସନାଲ ଆସେମ୍ବଲି ପୁନଃସ୍ଥାପନ ସହ ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଆଜି ଇମ୍ରାନ ଖାଁ ପୁଣି ଥରେ ଦେଶକୁ ସମ୍ବୋଧନ କରିବାକୁ ଯାଉଛନ୍ତି । ଏଥିସହ ଇମ୍ରାନ ଖାଁ କ୍ୟାବିନେଟ ଓ ତେହରିକ-ଇ-ଇନସାଫର ସଂସଦୀୟ ଦଳ ବୈଠକ ଡାକିଛନ୍ତି । କୁହାଯାଉଛି ଯେ, ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ।

ଏଥିସହ ଇମ୍ରାନଙ୍କ ଦଳ ତେହେରିକ୍ –ଇ-ଇନସାଫର ସବୁ ସାଂସଦ ନ୍ୟାସନାଲ ଆସେମ୍ବଲି ଓ ପ୍ରାନ୍ତୀୟ ବିଧାନସଭାରୁ ଇସ୍ତଫା ଦେଇପାରନ୍ତି ।
ଏପ୍ରିଲ ୩ ତାରିଖରେ ଅନାସ୍ଥା ପ୍ରସ୍ତାବ ଖାରଜ କରିଦେଇଥିଲେ ଡେପୁଟି ସ୍ପିକର କାସିମ ସୁରୀ । ପରେ ଇମ୍ରାନ ଖାଁଙ୍କ ପରାମର୍ଶରେ ନ୍ୟାସନାଲ ଆସେମ୍ବଲି ଭଙ୍ଗ କରିଥିଲେ ରାଷ୍ଟ୍ରପତି । ମିଳିତ ବିରୋଧୀ ଦଳର ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଡେପୁଟି ସ୍ପିକରଙ୍କ ରୁଲିଂ ଅସାମ୍ବିଧାନିକ ଦର୍ଶାଇଥିଲେ । ଆସନ୍ତାକାଲି ସକାଳ ସାଢେ ୧୦ଟାରେ ନ୍ୟାସନାଲ ଆସେମ୍ବଲି ଅଧିବେଶନ ଡାକି ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଶନିବାର ଗଡ଼ିବ ବାବା ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର: ଆଜି ନେତ ଉତ୍ସବ । ପ୍ରତିଷ୍ଠା ହେବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୦ ତାରିଖ ଠାରୁ ରଥଖଳାରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଦଶପଲ୍ଲାରୁ ରଥ କାଠ ଆସିବା ପରେ ୫୫ଜଣ ମହାରଣା ସେବାୟତ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି । ଆସନ୍ତାକାଲି ଅର୍ଥାତ ଶନିବାର ଗଡ଼ିବ ବାବାଙ୍କ ଅଣଲେଉଟା ରୁକୁଣା ରଥ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ ।

ଆଶୋକାଷ୍ଟମୀରେ ପରମ୍ପରା ଓ ନୀତିକାନ୍ତି ସହ ପହଣ୍ଡି ପରେ ଅପରାହ୍ନ ସାଢେ ୩ଟାରେ ରଥଟଣା । ୫ଦିନ ବ୍ୟାପୀ ହେବାକୁ ଥିବା ରୁକୁଣା ରଥଯାତ୍ରା ହେବାକୁ ଥିବାବେଳେ ୧୩ ତାରିଖରେ ହେବ ବାହୁଡା । ଦୁଇବର୍ଷ ପରେ ରୁକୁଣା ରଥଯାତ୍ରାରେ ସାମିଲ ହେବେ ଭକ୍ତ । ଶ୍ରଦ୍ଧାଳୁଙ୍କୁ ମିଳିବ ରଥଟାଣିବାର ସୁଯୋଗ । କରୋନା କଟକଣା ଯୋଗୁଁ ୨୦୨୦ରେ ଶେଷ ମୂହୁର୍ତ୍ତରେ ରଥଯାତ୍ରାକୁ ବନ୍ଦ କରିଥିଲା ପ୍ରଶାସନ । ୨୦୨୧ରେ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା । ଚଳିତ ବର୍ଷ ଭକ୍ତ ସାମିଲ ହେବାକୁ ଥିବାରୁ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା ।

ଆତଙ୍କବାଦୀ ହାଫିଜ୍ ସଇଦକୁ ୩୧ ବର୍ଷ ଜେଲ୍

ଇସଲାମାବାଦ: ଜମାତ ଉଦ୍ ଦାୱା ଆତଙ୍କବାଦୀ ସଂଗଠନର ମୁଖ୍ୟ ହାଫିଜ୍ ସଇଦକୁ ଜେଲ୍ । ଆଉ ୨ଟି ମାମଲାରେ ହାଫିଜକୁ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଏନେଇ ପାକିସ୍ତାନ ମିଡିଆ ଦାବି କରିଛି । ଏହା ପୂର୍ବରୁ ହାଫିଜ୍ ସଇଦକୁ ଟେରର୍ ଫଣ୍ଡିଂ ମାମଲାରେ ୩୬ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା ।]ଉକ୍ତ ମାମଲାରେ ହାଫିଜ୍ କୋଟ ଲଖପତ ଜେଲରେ ସଜ୍ଜା କାଟୁଥିବା ଜଣାପଡ଼ିଛି ।

୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟରମାଇଣ଼୍ଡ ଥିଲା ହାପିଜ୍ ସଇଦ  ।  ଲସ୍କର ଏ ତୋଏବା ରଚିଥିଲା  ନରସଂହାର । ଉକ୍ତ ଆକ୍ରମଣରେ ୬ ଜଣ ଆମେରିକୀୟ ନାଗରିକଙ୍କ ସମେତ ୧୬୬ ଲୋକଙ୍କ ମୃତ୍ୟୁ ହୋଇଥିଲା । ଜାତିସଂଘ ହାଫିଜ୍ ସଇଦକୁ ବୈଶ୍ୱିକ ଆତଙ୍କବାଦୀ ଘୋଷଣା କରିଥିଲା ।

ହାଫିଜକୁ ୨୦୧୯ ଜୁଲାଇ ୧୭ରେ ଆତଙ୍କବାଦୀକୁ ଟଙ୍କା ଯୋଗାଇବା ମାମଲାରେ ଗିରଫ କରାଯାଇଥିଲା । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସମ୍ପର୍କିତ ୨ଟି ମାମଲାରେ ୨୦୨୦ ଫେବ୍ରୁଆରୀରେ ଆତଙ୍କବାଦୀ ନିରୋଧୀ ଅଦାଲତ ୧୧ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।

ମୁମ୍ବାଇ ୨୬/୧୧ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହାଫିଜକୁ ୨୦୨୦ ନଭେମ୍ବରରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ  ସମ୍ପର୍କିତ ୨ଟି ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ଏଥିସହ କୋର୍ଟ ସଇଦର ସମ୍ପତ୍ତି ଜବତ ସହ ୧.୧ ଲକ୍ଷ ଟଙ୍କା ଜରିମାନା ଦେଇଥିଲେ ।

ଏଭଳି ଏକ ପରମ୍ପରା, ପରିବାରର କାହାର ମୃତ୍ୟୁ ହେଲେ ମହିଳା କାଟି ଦିଅନ୍ତି ଆଙ୍ଗୁଠି

ନୂଆଦିଲ୍ଲୀ:  ଦୁନିଆରେ ଅନେକ ଅଜବ ଘଟଣା ଦେଖିବାକୁ ମିଳେ । ପରମ୍ପରା ସବୁଠି ଭିନ୍ନ ଭିନ୍ନ । କିନ୍ତୁ ସାଧାରଣ ପରମ୍ପରା କଥା ଛାଡ଼ନ୍ତୁ ଯଦି ଆଖି ସାମ୍ନାରେ କିଛି ଅଜବ ପରମ୍ପରା ଦେଖିବାକୁ ମିଳେ ଆପଣଙ୍କ ଝାତି ଉଠିବ । ଏଇ ଯେମିତି କେରଳରେ ବୟସ ହୋଇଗଲେ ବୃଦ୍ଧକୁ ଜବରଦସ୍ତି ମାରି ଦିଆଯାଏ । ଠିକ୍‌ ସେହିଭଳି ଏକ ପରମ୍ପରା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଠାରେ ପରିବାର ସଦସ୍ୟଙ୍କ ମୃତ୍ୟୁ ହେଲେ ମହିଳାମାନଙ୍କର ଆଙ୍ଗୁଠି କାଟି ଦିଆଯାଏ ।

ଏହି ରୀତିନୀତି ଅତ୍ୟନ୍ତ ଆଶ୍ଚର୍ଯ୍ୟକର । ଘଟଣା ଘଟେ ଇଣ୍ଡୋନେସିଆରେ । ପରମ୍ପରା ନାଁରେ ଏକ ଦଣ୍ଡବିଧାନ ନୁହେଁ ତ ? ଯଦି ଘରର କୌଣସି ସଦସ୍ୟଙ୍କ ମୃତ୍ୟୁ ହୁଏ ତେବେ ଘରର ଜଣେ ମହିଳାଙ୍କ ଆଙ୍ଗୁଠି କାଟିଦିଆଯାଏ ।

ଗଣମାଧ୍ୟମ ସୂଚନା ଅନୁଯାୟୀ, ଦାନି ଜନଜାତିର ମହିଳାମାନଙ୍କୁ ଭାବପ୍ରବଣ ଯନ୍ତ୍ରଣା ବ୍ୟତୀତ ଶାରୀରିକ ଯନ୍ତ୍ରଣା ମଧ୍ୟ ସାମ୍ନା କରିବାକୁ ପଡିଥାଏ । ଯେତେବେଳେ ସେମାନଙ୍କର ପ୍ରିୟଜନଙ୍କ ମୃତ୍ୟୁ ହୁଏ, ଏହି ଇଣ୍ଡୋନେସିଆ ଜନଜାତିର ମହିଳା ସଦସ୍ୟମାନେ ସେମାନଙ୍କର ଆଙ୍ଗୁଠିର ଉପର ଅର୍ଦ୍ଧ ଭାଗକୁ କାଟି ଦିଅନ୍ତି । ବିଶ୍ୱାସ କରାଯାଏ ଯେ ଆଙ୍ଗୁଠି କାଟିବା ଦ୍ୱାରା ଆତ୍ମା ମୃତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିଯାଏ ।

ଏହା ମଧ୍ୟ ଶୋକର ଯନ୍ତ୍ରଣା ଅଟେ । କେବଳ ଏତିକି ନୁହେଁ, କିଛି ପିଲାଙ୍କ ଆଙ୍ଗୁଠିକୁ ସେମାନଙ୍କ ମା କାଟି ଦିଏ । ଏହି ପ୍ରଥାକୁ ଇକିପାଲିନ୍ କୁହାଯାଏ । ଆଙ୍ଗୁଠି କଟାଯିବା ଏହି ଅସାଧାରଣ ଅଭ୍ୟାସକୁ ଇଣ୍ଡୋନେସିଆ ସରକାର କିଛି ବର୍ଷ ପୂର୍ବେ ନିଷିଦ୍ଧ କରିଥିଲେ । ହେଲେ ଏବେବି ଅନେକ ସ୍ଥାନରେ ଗୁପ୍ତ ଭାବେ ଏହି ପ୍ରଥା ଚାଲୁ ରହିଛି ।

ପ୍ରକାଶ ପାଇଲା OSSTET-୨ର ପରୀକ୍ଷା ଫଳ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷକ ଚାକିରି ଆଶାୟୀଙ୍କ ଆପେକ୍ଷାର ଅନ୍ତ ଘଟିଲା । ରାଜ୍ୟରେ ପ୍ରକାଶ ପାଇଲା OSSTET-୨ର ପରୀକ୍ଷା ଫଳ । ଚଳିତବର୍ଷ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୩୮ହଜାର ୪୧୧ଜଣ ପରୀକ୍ଷାର୍ଥୀ । OSSTET ସଫଳତା ହାର ୫୮ଦଶମିକ ୯୯ପ୍ରତିଶତ ରହିଛି । ପେପର- ଓ୍ୱାନ ଓ ପେପର-୨ରେ ମୋଟ୍ ୬୫ହଜାର ୧୦୬ଜଣ  ପରୀକ୍ଷା  ଦେଇଥିଲେ ।

୧୧ ବର୍ଷ ପରେ ମା’ ହେଲେ ଦେବିନା

ମୁମ୍ବାଇ:  ଟିଭି ଜଗତର ବହୁ ଚର୍ଚ୍ଚିତ ଯୋଡ଼ି ହେଉଛନ୍ତି ଦେବିନା ଏବଂ ଗୁରମିତ୍‌ । ରାମାୟଣରେ ଉଭୟଙ୍କୁ ଦର୍ଶକଙ୍କ ଖୁବ୍‌ ଭଲପାଇବା ମିଳିଥିଲା । ଉଭୟଙ୍କ ଅଭିନୟ ଏତେ ଜୀବିତ ଥିଲାଯେ, ଲୋକେ ସେମାନଙ୍କୁ ବାସ୍ତବ ଭଗବାନ ରାମ ଓ ସୀତା ବୋଲି ଭାବି ନେଇଥିଲେ । ନିକଟରେ ଦେବିନା ମା’ ହୋଇଛନ୍ତି । ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।  ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୀର୍ଘ ୧୧ ବର୍ଷ ପରେ ଦେବିନା ଓ ଗୁରମିତଙ୍କ ଘରକୁ ଖୁସି ଫେରିଛି ।  ସେମାନେ ଖୁବ୍‌ ଉତ୍ସାହର ସହିତ କୁନି ପରୀକୁ ଘରକୁ ନିମନ୍ତ୍ରଣ କରିଛନ୍ତି ।

ପ୍ରଥମ ଥର ଝିଅକୁ ହାତରେ ଧରି ଖୁବ୍‌ ଭାବବିହ୍ୱଳ ହୋଇଗଲେ ଏହି ଯୋଡ଼ି । ତେବେ ଏକ ସାକ୍ଷାତକାରରେ ଦେବିନା କହିଛନ୍ତିଯେ, ମା’ ହେବାର ଖୁସିକୁ ଅନୁଭବ କରିବା ପାଇଁ ତାଙ୍କୁ ଦୀର୍ଘ ସମୟ ଲାଗିଗଲା । କିନ୍ତୁ ଦେବିନା କହିଛନ୍ତିଯେ, ଝିଅକୁ ହାତରେ ଧରି ଉଭୟ କାନ୍ଦି ପକାଇଥିଲେ । ତେବେ ଗୁରମିତଙ୍କୁ ଛୋଟ ଛୁଆ ବହୁତ ପସନ୍ଦ । କିନ୍ତୁ ନିଜେ ବାପା ହେବାର ଅନୁଭୂତି ଖୁବ୍‌ ନିଆରା ବୋଲି କହିଛନ୍ତି ଏହି ଟ୍ୟାଲେଣ୍ଟେଡ୍‌ ଆକ୍ଟର ।

ସୂଚନାଯୋଗ୍ୟ ଦେବିନା ଗର୍ଭବତୀ ଥିବା ସମୟରେ ଗୁରମିତ ତାଙ୍କର ସମସ୍ତ ପ୍ରୋଜେକ୍ଟରୁ ଦୂରେଇ ରହିଥିଲେ ।

ଅଲୋଡ଼ା ଦିବ୍ୟାଙ୍ଗ ଶିଶୁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଉଦ୍ଧାର

ଢେଙ୍କାନାଳ: ଅଲୋଡ଼ା ହୋଇଛି ଦିବ୍ୟାଙ୍ଗ ଶିଶୁ । ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ମାନସିକ ଓ ଶାରୀରିକ ଦିବ୍ୟାଙ୍ଗ ଶିଶୁ ଉଦ୍ଧାର ହୋଇଛି । ଖବର ପାଇ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ ଅନୁରାଧା ଗୋଷ୍ୟାମୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ ଖୁଣ୍ଟିଆ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ଶିଶୁକୁ ଶିଶୁ ମଙ୍ଗଳ କମିଟିରେ ହାଜର କରାଗଲା ପରେ ଥଇଥାନ କରାଯିବ ।

ଶିଶୁକୁ କିଏ ଓ କାହିଁକି ଏପରି ଛାଡ଼ିଚାଲିଗଲେ, ତାହାର କାରଣ ଅସ୍ପଷ୍ଟ ରହିଛି  ।  ଏହି ଘଟଣାର ସଠିକ ତଦନ୍ତ କରାଯିବ ବୋଲି ଉଭୟ ଅଧିକାରୀ ସୂଚନା ଦେଇଛନ୍ତି । ଶିଶୁଟିର ଆନୁମାନିକ ବୟସ ୩ରୁ ୪ବର୍ଷ ହେବ । ତେବେ ଯେହେତୁ ଶିଶୁଟି ଅପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା ତେଣୁ କେହି ଛାଡି ଚାଲି ଯାଇଥିବା ସନ୍ଦେହ କରାଯାଉଛି । ତେବେ କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଲା ତାହାକୁ ତଦନ୍ତ କରାଯିବ ବୋଲି ଅଧିକାରୀ କହିଛନ୍ତି  ।

ଏଭଳି ଘଟଣା ସାଧରଣରେ ଚର୍ଚ୍ଚା ପାଲଟିଛି  । ନିଜ ସନ୍ତାନକୁ ଏମତି ମରଣ ମୁହଁରେ ଛାଡିଦେବା ଗ୍ରହଣୀୟ ନୁହେଁ  । ତେବେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ସାମାଜିକ ସୁରକ୍ଷା ଅଧିକାରୀ  । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ  ।