ଚନ୍ଦକା ଡମପଡ଼ା ଅଭୟାରଣ୍ୟକୁ ଫେରିଲେ ମହାନଦୀରେ ଫସିଥିବା ଦୁଇ ହାତୀ

ଆଠଗଡ଼: ଚନ୍ଦକା ଡମପଡ଼ା ଅଭୟାରଣ୍ୟକୁ ଫେରିଲେ ମହାନଦୀରେ ଫସିଥିବା ଦୁଇ ହାତୀ । ଗତକାଲି ଆଠଗଡ଼ ସୁକାଶନ ଜଙ୍ଗଲରୁ ଚନ୍ଦକା ଡମପଡ଼ା ଅଭୟାରଣ୍ୟକୁ ଯାଉଥିବା ସମୟରେ ସକାଳ ହୋଇଯିବାରୁ ବାଙ୍କୀ ଭଗିପୁର ଗ୍ରାମ ନିକଟ ମହାନଦୀରେ ଫସି ରହିଥିଲେ ଦୁଇ ହାତୀ । ଦିନ ତମାମ ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ପାଣି ଭିତରେ ରହିବା ପରେ ହାତୀ ବାହାରକୁ ବାହାରି ଆସିଛନ୍ତି । ତେବେ ହାତୀକୁ ଦେଖିବା ପାଇଁ ନଦୀ ତୁଠରେ ସ୍ଥାନୀୟ ଲୋକ ମାନଙ୍କ ଭିଡ଼ ଲାଗିଥିବା ବେଳେ ହାତୀମାନେ ଉପରକୁ ଆସିବା ପାଇଁ ବାଧା ସୃଷ୍ଟି ହୋଇଥିଲା । ସନ୍ଧ୍ୟା ହେବା ପରେ ହାତୀ ଦୁଇଟି ଉପରକୁ ଆସିଥିଲେ ଏବଂ ସନ୍ଧ୍ୟା ସମୟରେ ରାସ୍ତାରେ ଜନଗହଳି ଥିବାରୁ ହାତୀ ଦୁଇଟି ରାସ୍ତା କରକୁ ଆସି ପୁଣି ନଦୀ କୂଳକୁ ଫେରି ଯାଇଥିଲେ । ସେଠାରେ ୩ ରୁ ୪ ଘଣ୍ଟା ରହିବା ପରେ ରାତି ପ୍ରାୟ ୩ଟା ସମୟରେ ହାତୀ ଦୁଇଟି ଭଗିପୁର ଗାଁ ନିକଟରେ ଥିବା ବାବା ଧୁଳିଆ ଷଣ୍ଢ ମନ୍ଦିର ଦେଇ ଚନ୍ଦକା ଡମପଡା ଅଭୟାରଣ୍ୟକୁ ଚାଲିଯାଇଥିବା ନେଇ ଡମପଡା ରେଞ୍ଜର ବିରାଜ ଦାସ ସୂଚନା ଦେଇଛନ୍ତି ।