ଜଳୁଛି ପଶ୍ଚିମ ଓଡ଼ିଶା, ଆହୁରି ଦୁଇ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ସ୍ବାଭାବିକଠାରୁ ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ଏଥିପାଇଁ ବରଗଡ଼, ନୂଆପଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଟିଟିଲାଗଡ଼ରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ଥିବା ବେଳେ ୪୩ ଡିଗ୍ରୀ ଉପରେ ୯ଟି ସହର ରହିଛି ।

ସେହିପରି ୪୦ ଡିଗ୍ରୀ ଉପରେ ୧୯ଟି ସହର ରହିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରୋଗୀ, ବୟସ୍କ ଏବଂ ଶିଶୁଙ୍କୁ ଖରା ସଂସ୍ପର୍ଶରେ ଆସିବାକୁ ବାରଣ କରାଯାଇଛି । ଗ୍ରୀଷ୍ମପ୍ରବାହ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତି ଜିଲ୍ଲାପାଳଙ୍କୁ କୁହାଯାଇଛି । ଉପକୂଳ ଓଡ଼ିଶାରେ ତାତି ଅଧିକ ନଥିଲେ ବି ଗୁଳୁଗୁଳି ଅନୁଭୁତ ହେଉଛି । ତାପମାତ୍ରା ୩୫ରୁ ୩୮ ଡିଗ୍ରୀ ମଧ୍ୟରେ ରହୁଥିଲେ ମଧ୍ୟ ଆର୍ଦ୍ରତା ୭୦ ରୁ ୯୦ ପ୍ରତିଶତ ରହୁଛି । ପାଣିପାଗ ନିୟାମକ ଅନୁକୂଳ ନଥିବାରୁ ଲଘୁଚାପ କିମ୍ବା ଘୂର୍ଣ୍ଣିବଳୟ ସୃଷ୍ଟି ହେଉନାହିଁ । ୧୨ ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।