ଜୁନ୍ ଶେଷ ସପ୍ତାହରେ ବିଦେଶ ଗସ୍ତରେ ଯିବେ ନବୀନ, ରୋମରେ ଓ୍ବାର୍ଲଡ ଫୁଡ କାର୍ଯ୍ୟକ୍ରମରେ କରିବେ ସମ୍ବୋଧନ

ଭୁବନେଶ୍ୱର: ଜୁନ୍ ଶେଷ ସପ୍ତାହରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ରୋମରେ ଅନୁଷ୍ଠିତ ହେବାକୁ ଥିବା ଓ୍ବାର୍ଲଡ ଫୁଡ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ରହିଛି । ପରେ ଭାଟିକାନ୍ ସିଟିରେ ପୋପଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି । ଶେଷରେ ଦୁବାଇ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓ୍ବାର୍ଲଡ ଫୁଡ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କୃଷି, ଖାଦ୍ୟ ନିରାପତ୍ତା ଏବଂ ବିପର୍ଯ୍ୟୟ ପ୍ରଶମନର ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାର ଉଦ୍ୟମ, ସାମର୍ଥ୍ୟ ଓ ସଫଳତା ଅନ୍ୟମାନଙ୍କ ପାଇଁ କିଭଳି ଅନୁକରଣୀୟ ହୋଇପାରିଛି, ସେନେଇ ନିଜ ଅନୁଭୂତି ଓ ଉପଲବ୍ଧି କହିବେ ।

ରୋମଠାରେ ଥିବା ପ୍ରବାସୀ ଓଡ଼ିଆ ସଂଘ ସହିତ ମୁଖ୍ୟମନ୍ତ୍ରୀ ଭାବବିନିମୟ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହା ସହ ମୁଖ୍ୟମନ୍ତ୍ରୀ ଭାଟିକାନ୍ ସିଟି ଯାଇ ପୋପଙ୍କୁ ସାକ୍ଷାତ କରିବାର ମଧ୍ୟ ସମ୍ଭାବନା ରହିଛି । ବିଦେଶ ଗସ୍ତର ଶେଷ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଦୁବାଇରେ ପହଞ୍ଚିବେ । ସେଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ଦୁବାଇରେ ଅବସ୍ଥାନ କରୁଥିବା ଓଡ଼ିଆ ସଂଗଠନର ସଦସ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଦୀର୍ଘ ଏକ ଦଶନ୍ଧି ପରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବେ । ଶେଷଥର ପାଇଁ ସେ ୨୦୧୨ରେ ବ୍ରିଟେନ ଗସ୍ତ କରିଥିଲେ ।