ହିମାଳୟ ଅଞ୍ଚଳରେ ଚୀନର ବେଆଇନ କାର୍ଯ୍ୟକଳାପ, ସତର୍କ କରାଇଲେ ଆମେରିକା କମାଣ୍ଡିଂ ଜେନେରାଲ

ଲଦାଖ: ଲଦାଖରେ ଡ୍ରାଗନର ଖେଳ । ଚାଲିଛି ବେଆଇନ କାର୍ଯ୍ୟକଳାପ । ଏନେଇ ସତର୍କ କରାଇଛନ୍ତି ଆମେରିକା ଆର୍ମି ପାସିଫିକର କମାଣ୍ଡିଂ ଜେନେରାଲ ଚାର୍ଲସ ଏ. ଫ୍ଲିନ । ସେ କହିଛନ୍ତି ଚୀନର ଏହି କାର୍ଯ୍ୟକଳାପ ଓ ଭିତ୍ତିଭୂମି ନିର୍ମାଣ ଅସ୍ଥିରତା ସୃଷ୍ଟି ଉଦ୍ଦେଶ୍ୟରେ କରାଯାଉଛି । ଏହା ସହ ଏହା ଦ୍ବିପାକ୍ଷିକ ସମ୍ପର୍କ ବି କ୍ଷୁଣ୍ଣ କରିପାରେ । ସେ କହିଛନ୍ତି ଚୀନ ପକ୍ଷରୁ ଓ୍ବେଷ୍ଟେର୍ଣ୍ଣ ଥିଏଟର କମାଣ୍ଡରେ କରାଯାଉଥିବା ଏହି ନିର୍ମାଣ କାର୍ଯ୍ୟ ପ୍ରତି ସତର୍କ ହେବାର ଆବଶ୍ୟକତା ରହିଛି । ଚୀନର ଏହି ପ୍ରକଳ୍ପ ଉଦ୍ଦେଶ୍ୟମୂଳକ ଓ ଗୋପନୀୟ ଭାବେ ଜାରି ରହିଛି । ଏହି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି ଲାଗି ଚୀନର ଏହି ପଦକ୍ଷେପ ବୋଲି କହିଛନ୍ତି ଫ୍ଲିନ । ଚୀନର ଏହି ଛଳନା ବିରୋଧରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ଜେନେରାଲ ଫ୍ଲିନ ।

ଆସନ୍ତା ଅକ୍ଟୋବରରେ ଭାରତ ଓ ଆମେରିକା ପକ୍ଷରୁ ମିଳିତ ଭାବେ ହିମାଳୟ ଅଞ୍ଚଳରେ ସମରାଭ୍ୟାସ କରାଯିବ । ପ୍ରାୟ ୧୦ ହଜାର ଫୁଟ ଉଚ୍ଚରେ ଏହି ସମରାଭ୍ୟାସ ଚାଲିବ । ଅତ୍ୟଧିକ ଉଚ୍ଚତାରେ ଯୁଦ୍ଧ କୌଶଳ ଲାଗି ପ୍ରସ୍ତୁତି ଏହି ସମରାଭ୍ୟାସର ଉଦ୍ଦେଶ୍ୟ । ଏହି ସମରାଭ୍ୟାସରେ ନୂଆ ପ୍ରଯୁକ୍ତି, ବାୟୁସେନାକୁ ସଶକ୍ତ କରିବା, ଆକାଶମାର୍ଗରେ ଯୁଦ୍ଧ କୌଶଳ, ଲଜିଷ୍ଟିକ୍ସ ଓ ସୂଚନା ଆଦାନପ୍ରଦାନ ଲାଗି କ୍ଷେତ୍ର ପ୍ରସ୍ତୁତ କରାଯିବ । ଗତ ଜାନୁଆରୀରେ ଲଦାଖ ଅନ୍ତର୍ଗତ ପଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ ଏକ ପୋଲ ନିର୍ମାଣ କରୁଥିବା ସୂଚନା ମିଳିଥିଲା । ଏହା ସହ ହିମାଳୟ ଅଞ୍ଚଳରେ ଚୀନ କେତେକ ଏୟାରଫିଲ୍ଡ ଓ ଭିତ୍ତିଭୂମି ନିର୍ମାଣ କରୁଥିବା ବି ସୂଚନା ମିଳିଛି ।