spot_img
Home Blog Page 4391

ପାଣିପାଗର ମିଜାଜ୍ ଭିନ୍ନଭିନ୍ନ, ଜଳୁଛି ଉତ୍ତର-ପଶ୍ଚିମ, ଭିଜୁଛି ଉତ୍ତର-ପୂର୍ବ

ନୂଆଦିଲ୍ଲୀ: ଏବେ ଭାରତରେ ଅନୁଭୂତ ହେଉଛି ଦୁଇ ପ୍ରକାର ପାଣିପାଗ । ଉତ୍ତର ଓ ପଶ୍ଚିମ ଭାରତ ପ୍ରବଳ ଖରାରେ ସିଝୁ ଥିବା ବେଳେ ଉତ୍ତର-ପୂର୍ବ ଓ ଦକ୍ଷିଣ ଭାରତର କିଛି ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷାରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଉତ୍ତର ଭାରତର ଗାଙ୍ଗେୟ ସମତଳ ଭୂମି ଓ ଉତ୍ତର ପଶ୍ଚିମରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶର ବନ୍ଦାରେ ସର୍ବାଧିକ ଦିନ ତାପମାତ୍ରା ଥିଲା ୪୮.୮ ଡିଗ୍ରୀ ସେଲସିୟସ । ପଶ୍ଚିମ ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ଆସନ୍ତା ଦୁଇ ଦିନ ପାଇଁ ହିଟଓ୍ବେଭ ସତର୍କତା ଜାରି କରାଯାଇଛି । ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉତ୍ତର ଓ ଉତ୍ତର ପଶ୍ଚିମ ଭାରତର ଅନେକ ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଉପରେ ରହୁଛି ।

ତେବେ ଉତ୍ତରପଶ୍ଚିମ ଓ ଗାଙ୍ଗେୟ ସମତଳ ପ୍ରଚଣ୍ଡ ରୌଦ୍ର ତାପରେ ଝଲସୁ ଥିବା ବେଳେ ଏହାର ଉତ୍ତର-ପୂର୍ବ ଭାରତରେ ଦେଖିବାକୁ ମିଳିଛି ଏହାର ବୀପରିତ ଦୃଶ୍ୟ । ଆସାମ ଓ ମେଘାଳୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଆସାମର ଅନେକ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା । ଦିମା ହାସାଓ ଜିଲ୍ଲାରେ ସୃଷ୍ଟି ହୋଇଛି ସାଂଘାତିକ ସ୍ଥିତି । ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ସହ ରାସ୍ତା ଧୋଇ ହୋଇଯାଇଛି । ଏ ବର୍ଷର ପ୍ରଥମ ବନ୍ୟାରେ ରାଜ୍ୟର ୬ଟି ଜିଲ୍ଲାର ୨୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ମେଘାଳୟର ଅନେକ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଅରୁଣାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବିଷମ ସ୍ଥିତି । ଆସାମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ଗତ ଦୁଇଦିନର ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ଉତ୍ତର –ପୂର୍ବରେ ଆସନ୍ତା ୧୮ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି ।

 

ମନ୍ତ୍ରୀଙ୍କ ପୁଅ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ

ଜୟପୁର: ଦୁଷ୍କର୍ମ ମାମଲାରେ ଫସିଛନ୍ତି ରାଜସ୍ଥାନ ସରକାରରେ ମନ୍ତ୍ରୀ ଥିବା ମହେଶ ଯୋଶୀଙ୍କ ପୁଅ ରୋହିତ । ଜଣେ ୨୩ ବର୍ଷିୟା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଛି । ଦିଲ୍ଲୀ ପୋଲିସର ଟିମ୍ ଜୟପୁର ସ୍ଥିତ ମନ୍ତ୍ରୀଙ୍କ ଦୁଇ ବାସଭବନକୁ ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ଅଭିଯୁକ୍ତ ପୁଅକୁ ପାଇ ନ ଥିଲେ । ରୋହିତଙ୍କୁ ନ ପାଇବାରୁ ତାଙ୍କୁ ଚଳିତ ମାସ ୧୮ ସୁଦ୍ଧା କୋର୍ଟରେ ହାଜର ହେବା ପାଇଁ ସମନ କରିଛି ଦିଲ୍ଲୀ ପୋଲିସ ।

ସମନ କପିକୁ ରୋହିତଙ୍କ ଘରକାନ୍ଥରେ ମାରିଦିଆଯାଇଛି । ବିବାହର ପ୍ରତିଶ୍ରୁତି ଦେଇ ରୋହିତ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା । ଅଭିଯୋଗ ଆଧାରରେ ପୋଲିସ ରୋହିତଙ୍କ ବିରୋଧରେ ଏତଲା ଦାୟର କରିଥିଲା । ପୋଲିସକୁ ତା କାମ କରିବାକୁ ଦିଆଯାଉ ବୋଲି ରୋହିତଙ୍କ ପିତା ମହେଶ ଯୋଶୀ କହିଛନ୍ତି । ସତ କଣ ତାହା ଶୀଘ୍ର ସାମନାକୁ ଆସିବ ବୋଲି ସେ କହିଛନ୍ତି । ରାଜସ୍ଥାନରେ ଏହି ମାମଲା ଚର୍ଚ୍ଚାର ବିଷୟ ହୋଇଛି । ମନ୍ତ୍ରୀ ମହେଶ ଯୋଶୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ।

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ଶାହା

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ମାଣିକ ଶାହା । ରବିବାର ମାଣିକ ଶାହାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରମେଶ ବୈଶ । ବିପ୍ଲବ କୁମାର ଦେବ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମାଣିକ । ବିଧାୟକ ଦଳ ବୈଠକରେ ମାଣିକ ନେତା ନିର୍ବାଚିତ ହେବା ପରେ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିଥିଲେ । ଆସନ୍ତାବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳାଇଛି ବିଜେପି ।

ରାଜ୍ୟରେ ପ୍ରଥମ ବିଜେପି ସରକାରର ନେତୃତ୍ବ ନେଇଥିବା ବିପ୍ଲବ ଦେବ ଶନିବାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଥିଲେ । ଏହା ପରେ ଗତକାଲି ହୋଇଥିବା ବିଧାୟକ ଦଳ ବୈଠକରେ ମାଣିକ ଶାହ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ ହୋଇଥିଲେ । ଗତକାଲି ବିଧାୟକ ଦଳ ବୈଠକରେ କେନ୍ଦ୍ର ମନ୍ତ୍ରୀ ଭୂପିନ୍ଦର ଯାଦବ ଓ ବିଜେପି ମହାସଚିବ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ସୂଚନା ଅନୁସାରେ, ୨୦୧୬ରେ କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହୋଇଥିଲା ମାଣିକ ଶାହ । ୨୦୨୦ ସେ ତ୍ରିପୁରା ବିଜେପି ଅଧ୍ୟକ୍ଷ ହେବା ସହ ରାଜ୍ୟସଭା ଯାଇଥିଲେ ।

 

ଶ୍ରୀଲଙ୍କାରେ ହା ହାକାର: ଅଧିକାଂଶ ମେଡିସିନ ଦୋକାନରେ ନାହିଁ ମେଡିସିନ୍

କଲମ୍ବୋ: ସଂକଟ ଜର୍ଜରିତ ଶ୍ରୀଲଙ୍କାରେ ସୁଧୁରୁନି ସ୍ଥିତି । ଦେଶରେ ଖାଦ୍ୟାଭାବ, ଇନ୍ଧନ, ମେଡିସିନର ଘୋର ଅଭାବ ଜାରି ରହିଛି । ବିଭିନ୍ନ ସ୍ଥାନରେ ଜାରି ରହିଛି ଆନ୍ଦୋଳନ । ଶ୍ରୀଲଙ୍କାର ବିରୋଧୀ ଦଳ ସାଂସଦ ହର୍ଷ ଡି ସିଲଭା କହିଛନ୍ତି ଭାରତରେ ଯେପରି ୧୯୯୧ରେ ଅବସ୍ଥା ସୃଷ୍ଟି ହୋଇଥିଲା ବର୍ତ୍ତମାନ ଶ୍ରୀଲଙ୍କାରେ ସେହି ଅବସ୍ଥା ଜାରି ରହିଛି । ସମାଗି ଜନ ବଲଓ୍ବେଗା ବା ଏସଜେବିର ସାଂସଦ କହିଛନ୍ତି ଦେଶର ଅବସ୍ଥା ଦିନକୁ ଦିନ ଅଧିକ ଘନୀଭୂତ ହେବାରେ ଲାଗିଛି ।

ତେବେ ତତକାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂଙ୍କ ଭୂମିକା ଯୋଗୁ ଏହି ସ୍ଥିତିର ସମାଧାନ ହୋଇଥିଲା ବୋଲି ସେ କହିଛନ୍ତି । ସେପଟେ ଦେଶରେ ଅର୍ଥନୈତିକ ସଂକଟ ମଧ୍ୟରେ ଫାର୍ମାସ୍ୟୁଟିକାଲ ଶିଳ୍ପ ଗଭୀର ପ୍ରଭାବିତ ହୋଇଛି । ଅଧିକାଂଶ ଦୋକାନରେ ମେଡିସିନ ନଥିବା ଯୋଗୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ତେଣେ ହୋଟେଲ ଶିଳ୍ପ ବି ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।  ଶତାଧିକ ହୋଟେଲ, ମଲ, ରେଷ୍ଟୁରାଣ୍ଟ ଖାଲି ପଡିଛି । ଏପରିକି ଅତୀତରେ ଜନଗହଳିପୂର୍ଣ୍ଣ ରହୁଥିବା ସମୁଦ୍ର ଉପକୂଳ ବି ଖାଁ ଖାଁ ରହିଛି ।

ନିର୍ଦ୍ଧିଷ୍ଟ ସୀମାଠାରୁ ଅଧିକ ଟଙ୍କା ଜମା କିମ୍ବା ଟଙ୍କା ଉଠାଇବା ନେଇ ମେ ୨୬ରୁ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟରେ ଏକ ନିର୍ଦ୍ଧିଷ୍ଟ ସୀମାଠାରୁ ଅଧିକ ଟଙ୍କା ଜମା କିମ୍ବା ଟଙ୍କା ଉଠାଇବା ପାଇଁ କେନ୍ଦ୍ର ସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି, ଯାହା ମେ ୨୬ରୁ କାର୍ଯ୍ୟକାରୀ ହେବ । ଏହା ବ୍ୟତୀତ ବ୍ୟାଙ୍କ କିମ୍ବା ଡାକଘରେ ଆକାଉଣ୍ଟ ଖୋଲିବା ପାଇଁ ଏହି ନିୟମ ମଧ୍ୟ ଲାଗୁ କରାଯାଇଛି । ଉଭୟ କାର୍ଯ୍ୟ ପାଇଁ ସରକାର ଆଧାର କିମ୍ବା ପାନ୍ (ସ୍ଥାୟୀ ଆକାଉଣ୍ଟ୍ ନମ୍ବର) କୁ ବାଧ୍ୟତାମୂଳକ କରିଛନ୍ତି ।

ବର୍ତ୍ତମାନ ୨୦ ଲକ୍ଷରୁ ଅଧିକ ଟଙ୍କା ଜମା କିମ୍ବା ପ୍ରତ୍ୟାହାର ପାଇଁ ଏହି ନିୟମ ଲାଗୁ ହେବ । ୧୦ ମେ’ ରେ ବିଜ୍ଞପ୍ତି ଜାରି କରି CBDT ଏହି ସୂଚନା ଦେଇଛି । ଏହା ବ୍ୟତୀତ ଯେକୌଣସି ବ୍ୟାଙ୍କ କିମ୍ବା ଡାକଘରେ ଆକାଉଣ୍ଟ କିମ୍ବା କ୍ୟାସ କ୍ରେଡିଟ ଆକାଉଣ୍ଟ ଖୋଲିବା ମଧ୍ୟ ଆବଶ୍ୟକ ହେବ । ଏମିତି କରିବା ଦ୍ୱାରା ଆର୍ଥିକ କାରବାରରେ ସ୍ୱଚ୍ଛତା ବୃଦ୍ଧି ପାଇବ ।

ନୂଆ ନିୟମ କ’ଣ?

ନିୟମ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ପ୍ୟାନର ଡିଟେଲ ଦେବା ଆବଶ୍ୟକ କରନ୍ତି କିନ୍ତୁ ତାଙ୍କ ପାଖରେ ପ୍ୟାନ୍ କାର୍ଡ ନଥାଏ ତେବେ ସେ ଆଧାରର ବାୟୋମେଟ୍ରିକ୍ ପରିଚୟ ଦେଇ କାର୍ଯ୍ୟ କରିପାରିବେ  । ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, କାରବାର ସମୟରେ ପ୍ୟାନ ନମ୍ବର ଦିଆଯିବା ପରେ ଟିକସ ଅଧିକାରୀଙ୍କ ପାଇଁ କାରବାର ଉପରେ ନଜର ରଖିବା ସହଜ ହୋଇଯିବ ।

ଚିନ୍ତନ ଶିବିରର ଶେଷ ଦିନ, ଏକ ପରିବାର, ଏକ ଟିକେଟ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଉଦୟପୁର: କଂଗ୍ରେସ ନବ ସଂକଳ୍ପ ଚିନ୍ତନ ଶିବିରର ଆଜି ଶେଷ ଦିନ । ଦଳର ସାଂଗଠନିକ ପୁର୍ନବିନ୍ୟାସ ନେଇ ଆସିଥିବା ପ୍ରସ୍ତାବକୁ ଆଜି ଗୁରୁତ୍ବର ସହ ବିଚାର ପରେ ସେଥିରେ ଲାଗିପାରେ ମୋହର । କଂଗ୍ରେସ ସଂସଦୀୟ ବୋର୍ଡ ଗଠନ ପାଇଁ ଅସନ୍ତୁଷ୍ଟ ନେତାଙ୍କ ଦାବିକୁ ଦଳ ସ୍ବୀକାର କରିଛି । କିନ୍ତୁ ଏଥିପାଇଁ କଂଗ୍ରେସ ଓ୍ବାର୍କିଂ କମିଟିର ଅନୁମୋଦନ ଜରୁରୀ । କଂଗ୍ରେସ ଓ୍ବାର୍କିଂ କମିଟି ହେଉଛି ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା । କଂଗ୍ରେସ ସଂସଦୀୟ ବୋର୍ଡ ପାଇଁ ନିର୍ବାଚନ ହେବ ନା ଏହାର ସଦସ୍ୟ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଦ୍ବାରା ମନୋନୀତ ହେବେ, ସେ ନେଇ ଓ୍ବାର୍କିଂ କମିଟି ନିଷ୍ପତ୍ତି ନେବ ।

କଂଗ୍ରେସ ସଂସଦୀୟ ବୋର୍ଡ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ସ୍ଥାନ ନେବ । ଏହା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବ । ପୂର୍ବରୁ କଂଗ୍ରେସ ନେତା ପି.ଭି. ନରସିଂହ ରାଓଙ୍କ ସମୟରେ ସଂସଦୀୟ ବୋର୍ଡ ଗଠନ ଲାଗି ଯେଉଁ ନିୟମ କରାଯାଇଥିଲା ତାହା ବଳବତ୍ତର ରହିନାହିଁ । କଂଗ୍ରେସର ସମ୍ବିଧାନ ଅନୁସାରେ ସିଡବ୍ଲୁସି ଏକ ସଂସଦୀୟ ବୋର୍ଡ ଗଠନ କରିବ ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ଓ ୯ ଜଣ ସଦସ୍ୟ ରହିବେ । ଏହି ୯ ଜଣଙ୍କ ମଧ୍ୟରେ ସଂସଦରେ ଦଳର ନେତା ସଦସ୍ୟ ରହିବେ । ଯଦି ଏହି ନୀତି ପୁଣି କାର୍ଯ୍ୟକାରୀ ହୁଏ ତେବେ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ କରିବା କ୍ଷେତ୍ରରେ ଏହି ବୋର୍ଡ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ନିୟମକୁ ପୁନଃକାର୍ଯ୍ୟକ୍ଷମ କରିବା ଲାଗି ଗୁରୁତ୍ବ ଦେଇଆସୁଛନ୍ତି ଗ୍ରୁପ-୨୩ ନେତା । ଏହା ସହ ଏକ ପରିବାର ଏକ ଟିକେଟ ନୀତି ଓ ଅନ୍ୟାନ୍ୟ ପ୍ରସ୍ତାବ ଉପରେ ମୋହର ଲାଗିପାରେ ।

 

ତେଲେଙ୍ଗାନାରୁ କେନ୍ଦ୍ର ଉଠାଇଲା ବଳକା ଉଷୁନା ଚାଉଳ, ଓଡ଼ିଶାରୁ କେବେ ?

ଭୁବନେଶ୍ୱର: ରାଜ୍ୟରୁ କେନ୍ଦ୍ର ବଳକା ଉଷୁନା ଚାଉଳ ଉଠାଇବା ପାଇଁ ସଂସଦରେ ପୁଣି ଦାବି ଉଠାଇବ ବିଜେଡି । ଆବଶ୍ୟକ ପଡ଼ିଲେ, ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେଡି ସାଂସଦ ମୁନା ଖାନ୍ କହିଛନ୍ତି । ବାରମ୍ବାର ଦାବି ପରେ ବି କେନ୍ଦ୍ର ସରକାର ଶୁଣୁନାହାନ୍ତି । ସଂସଦରେ ଦାବି ଉଠାଗଲା, କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ସାଂସଦମାନେ ଭେଟିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଚିଠି ଲେଖିଲେ । କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଲେ, କିନ୍ତୁ ଉଷୁନା ଚାଉଳ ଉଠାଇଲେ ନାହିଁ । ଯେତେବେଳେ କର୍ଣ୍ଣାଟକର ଉଷୁନା ଚାଉଳ ଉଠାଇଥିଲେ । ସେ ସମୟରେ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ ସାଂସଦ ।

ତେଲେଙ୍ଗାନା ସମେତ ଓଡ଼ିଶାର ବଳକା ଉଷୁନା ଚାଉଳ ଉଠାଇବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏବେ କେବଳ ତେଲେଙ୍ଗାନାର ବଳକା ଉଷୁନା ଚାଉଳ ଉଠାଇ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଇଛନ୍ତି । ସଂସଦରେ ଏହି ପ୍ରସଙ୍ଗ ପୁଣି ଉଠାଇବ ବିଜେଡି । ଆବଶ୍ୟକ ପଡ଼ିଲେ, ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେଡି ସାଂସଦ ମୁନା ଖାନ କହିଛନ୍ତି।

ସେପଟେ କଂଗ୍ରେସ କହିଛି, ଓଡ଼ିଶା ପ୍ରତି ଏହା କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ । ତେଲେଙ୍ଗାନାର ଉଷୁନା ଚାଉଳ ଉଠିବ, ଓଡ଼ିଶାର କାହିଁକି ନୁହେଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଓଡ଼ିଶାର ବଳକା ଚାଉଳ କିଣିବା ସହ କେନ୍ଦ୍ର ସରକାର ବକେୟା ଅର୍ଥ ପ୍ରଦାନ କରିବାକୁ ଦଳ ଦାବି କରିଛି । ନହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

 

 

ବାସହରା କଲା ‘ଅସାନି’: ଆସାମରେ ଭୂସ୍ଖଳନ, ୩ ମୃତ

ଡିମାହାସା: ଆସାମରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । କିଛି ଦିନ ହେବ ହେଉଥିବା ଲଗାଣ ବର୍ଷା କାରଣରୁ ଡିମାହାସା ଜିଲ୍ଲାରେ ଭୂସ୍ଖଳନ ହୋଇଛି । ଏବଂ ଜିଲ୍ଳାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏବେ ବି ଅନେକ ଲୋକ ନିଖୋଜ ରହିଥିବା ଜଣାପଡ଼ିଛି ।

ତେବେ ଭୂସ୍ଖଳନ ଯୋଗୁ ୧୨ଟି ଗାଁର ପ୍ରାୟ ୮୦ରୁ ଊର୍ଦ୍ଧ୍ଵ ଘର ମାଟିରେ ମିଶିଯାଇଛି । ତେବେ କୁହାଯାଉଛି କି ଏହି ଭୂସ୍ଖଳନ ଆସାମରେ ହୋଇଥିବା ବନ୍ୟା ଯୋଗୁ ହୋଇଛି ।

ତେବେ ଆସାମର ଏଭଳି ପରିସ୍ଥିତି ବାତ୍ୟା ‘ଆସାନି’ ପାଇଁ ହୋଇଛି । ଅସାନି ଯୋଗୁ ପ୍ରବଳ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି । ଡିମା ହାସାଓର ହାଫଲଙ୍ଗରେ ଏକ ଭୂସ୍ଖଳନରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟାନ୍ୟ ଅଞ୍ଚଳରେ ସଡ଼କ ଓଭରଫ୍ଲୋ ଘଟଣା ଘଟିଥିବାର ସୂଚନା ମିଳିଛି।

ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିବାରୁ ଲୋକଙ୍କୁ ଯାତ୍ରା ଠାରୁ ଦୂରେଇ ରହିବାକୁ ଡିମା ହାସାଓଙ୍କ ଡେପୁଟି କମିଶନର ନାଜରିନ୍ ଅହମ୍ମଦ ଏକ ପରାମର୍ଶ ଦେଇଛନ୍ତି। ଏହି କାରଣରୁ ରାସ୍ତାର ଅବସ୍ଥା ମଧ୍ୟ ଖରାପ ରହିଛି। ଏହାସହ ବନ୍ୟାରେ ୬ଟି ଜିଲ୍ଲାର ୯୪ଟି ଗାଁ ଧୋଇଯାଇଛି । ଯାହାଫଳରେ ପ୍ରାୟ ୨୪ ହଜାର ୬୮୧ ଲୋକ ପ୍ରଭାବିତ ହୋଇଛନ୍ତି ।

ଏଥର ଜଟଣୀରୁ ମୁଁ ନୁହେଁ ପୁଅ: ସୁର ରାଉତରାୟ

ଭୁବନେଶ୍ୱର: ଜଟଣୀରୁ ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ଏ କଥା ଆମେ କହୁ ନାହୁଁ । ଖୋଦ୍ ସୁର ରାଉତରାୟ ଏହି କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ଆର ଥରକୁ ମୁଁ ଆଉ ନିର୍ବାଚନ ଲଢ଼ିବିନି । ମୋତେ ଏବେ ୭୯ ବର୍ଷ ବୟସ ହେଲାଣି । ୨୦୨୪ ନିର୍ବାଚନ ବେଳକୁ ମୋତେ ୮୦ ହୋଇସାରିଥିବ । ତେଣୁ ଆଗାମୀ ନିର୍ବାଚନରେ ମୋର ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ କଂଗ୍ରେସ ଦଳରୁ ପ୍ରାର୍ଥୀ ହେବ ବୋଲି ଗଣମାଧ୍ୟମରେ କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।

ସେ ଆହୁରି କହିଛନ୍ତି- କଂଗ୍ରେସ ଦଳ ଓ୍ୱାନ୍ ଫ୍ୟାମିଲି, ଓ୍ୱାନ୍ ଟିକେଟ୍ ନୀତିରେ ଆଗେଇବାକୁ ଯାଉଛି । ଏ ଦୃଷ୍ଟିରୁ ମୋର ସାନ ପୁଅ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବ । ମୁଁ ପୂର୍ବରୁ ବି ଘୋଷଣା କରିଥିଲି, ଏବେ ବି ସେହି କଥା ଘୋଷଣା କରୁଛି । ଆଗକୁ ଯଦିଓ ସକ୍ରିୟ ରାଜନୀତିରେ ରହିବି ନାହିଁ କିନ୍ତୁ ମୃତ୍ୟୁ ପର୍ଯ୍ୟନ୍ତ ଜନସାଧାରଣ ଓ କଂଗ୍ରେସ ପାଇଁ କାମ କରିବି ବୋଲି କହିଛନ୍ତି ସୁର ରାଉତରାୟ ।

 

ଆଜିଠୁ ରଥଖଳାରେ ଆରମ୍ଭ ହେଲା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ

ପୁରୀ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଯେତିକି ପାଖେଇ ଆସୁଛି ଚଳଚଞ୍ଚଳ ହେବାରେ ଲାଗିଛି ରଥଖଳା । ରଥଖଳାରେ ଜୋରସୋରରେ ଚାଲିଛି ରଥ କାମ । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ଆରମ୍ଭ ହେଲା ସିଙ୍ଗଡ଼ା ବାଡିଆ କାର୍ଯ୍ୟ । ପାରମ୍ପରିକ ଭାବେ ମା’ ଚର୍ଚ୍ଚିକାଙ୍କ ନିକଟରେ ଭୋଇ ସେବାୟତଙ୍କ ପୂଜା ପରେ ନଡ଼ିଆ ବାଡିଆ ଯାଇ ଶୁଭାରମ୍ଭ ହୋଇଛି ସିଙ୍ଗଡ଼ା ବାଡିଆ । ଗତକାଲି ନିର୍ମାଣ ହୋଇଥିବା ଯନ୍ତା ଗାଡରେ ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଭୋଇ ସେବାୟତମାନେ ଆରମ୍ଭ କରିଛନ୍ତି । ୩ ରଥରେ ଥିବା ୪୨ଟି ତୁମ୍ଭରେ ୬୭୨ ଖଣ୍ଡ ଅରକୁ ସଂଯୋଗ କରାଯାଇଥାଏ ।