spot_img
Home Blog Page 4368

କମିଲା ତୈଳଦର, ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୦୩.୧୯ ଟଙ୍କା ରେକର୍ଡ

ନୂଆଦିଲ୍ଲୀ: କିଛି ଦିନ ହେବ ଲଗାତାର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପରେ ଆଜି ହ୍ରାସ ପାଇଛି ଦର । ଆଜିଠୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିଛି । ଲିଟର ପ୍ରତି ଦେଶରେ ୯ଟଙ୍କା ୫୦ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପ୍ରତି ୭ଟଙ୍କା ହ୍ରାସ କରାଯାଇଛି । ଯଦିଓ ଏନେଇ ଗତକାଲିଠାରୁ ଘୋଷଣା କରାଯାଇଥିଲା । କିନ୍ତୁ ଆଜି ଠାରୁ ତାହା କାର୍ଯ୍ୟକାରୀ ହୋଇଛି ।  ଇନ୍ଧନ ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍‌ ଶୁକ୍ଳ ହ୍ରାସ କରିବା ଦ୍ୱାରା ପେଟ୍ରୋଲ ଓ ଡିଜେଲ ଦର କମିଛି । ଏନେଇ ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଥିଲେ ।

କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ କେନ୍ଦ୍ର ସରକାର ଇନ୍ଧନ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବେ । ଯାହା ଫଳରେ ତୈଳ ଦର ହ୍ରାସ ପାଇବ ।  ପେଟ୍ରୋଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ପିଛା ୮ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୬ ଟଙ୍କା ହ୍ରାସ କରୁଛୁ । ଏହାଦ୍ୱାରା ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯.୫ ଟଙ୍କା ଏବଂ ଡିଜେଲର ଲିଟର ପିଛା ୭ ଟଙ୍କା ହ୍ରାସ ପାଇବ ।

ତେଣୁ  ଆଜି ତୈଳ ଦର ହ୍ରାସ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ତୈଳଦର ଅଲଗା ଅଲଗା ରହିଥିବା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୦୩.୧୯ ଟଙ୍କା ରହିଥିବା ବେଳେ ନୂଆଦିଲ୍ଲୀ​‌​‌ରେ ୯୬ଟଙ୍କା ୭୨ପଇସା, କୋଲକାତା ୧୦୬ଟଙ୍କା ୦୩ ପଇସା, ମୁମ୍ବାଇ୧୧୧ଟଙ୍କା ୩୫ ପଇସା, ଚେନ୍ନାଇ ୧୦୨ଟଙ୍କା ୬୩ ପଇସା ରହିଛି । ବାଙ୍ଗାଲୋର ୧୦୧ଟଙ୍କା ୯୪ପଇସା, ଚଣ୍ଡିଗଡ଼ ୯୬ଟଙ୍କା ୨ପଇସା, ହାଇଦ୍ରାବାଦ ୧୦୯ଟଙ୍କା ୬୬ ପଇସା, ଜୟପୁର ୧୦୮ଟଙ୍କା ୪୮ପଇସା, ଲକ୍ଷ୍ନୌ ୯୬ଟଙ୍କା ୫୭ ପଇସା, ପାଟନା ୧୦୭ଟଙ୍କା ୨୪ ପଇସା ରହିଛି ତୈଳ ଦର ।

ବଲାଙ୍ଗୀରରେ ଲାଞ୍ଚ କାରବାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

ବଲାଙ୍ଗୀର: ବଲାଙ୍ଗୀର ପାଟଣାଗଡ଼ ରେଞ୍ଜ୍ ଲରମ୍ଭା ସେକ୍ସନ ଫରେଷ୍ଟର ଓ ଫରେଷ୍ଟଗାର୍ଡ ଲାଞ୍ଚ କାରବାରର ଅଡିଓ ଭାଇରାଲ୍ ଘଟଣା । ଜବତ୍ କାଠ ଟ୍ରାକ୍ଟର ଛାଡିବା ପାଇଁ ଫରେଷ୍ଟର ୨୦ ହଜାର ଓ ଗାର୍ଡ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଘଟଣାରେ ଦୁଇ ଜଣଙ୍କୁ ନିଲମ୍ବିତ କରିଛନ୍ତି ବଲାଙ୍ଗୀର ଡିଏଫଓ ନୀତିଶ କୁମାର । ଫରେଷ୍ଟର ଭାଗବତ ଦାସ ଓ ଫରେଷ୍ଟଗାର୍ଡ ଗୋପାଳକୃଷ୍ଣ ଗଡତିଆକୁ ନିଲମ୍ବିତ କରିଛନ୍ତି ଡିଏଫଓ । ଗତ ମାର୍ଚ୍ଚ ମାସରେ ଜଙ୍ଗଲରୁ ଟ୍ରାକ୍ଟର ଯୋଗେ କାଠ ଚୋରା ଚାଲାଣ ବେଳେ ଗାଡି ସିଜ୍ କରିଥିଲେ ଫରେଷ୍ଟର ।

ଲରମ୍ଭା ଭାରତବାହାଲ ଗାଁର କରୁଣାକର ମିଶ୍ର ନାମକ ଜଣେ ବ୍ୟକ୍ତି ପାଟଣାଗଡ଼ ବନଖଣ୍ଡ ଲରମ୍ଭା ଫରେଷ୍ଟ ସେକ୍ସନ ମହଦାସନୀ ଓ ବୁଢାରାଜା ରିଜର୍ଭ ଫରେଷ୍ଟରୁ କାଠକାଟି ଟ୍ରାକ୍ଟଟରେ ଚୋରା ଚାଲାଣ କରୁଥିଲେ  । ତେବେ ଫରେଷ୍ଟର ଭାଗବତ ଦାସ ୨୦ ହଜାର ଟଙ୍କା ଓ ଫରେଷ୍ଟଗାର୍ଡ ଗୋପାଳକୃଷ୍ଣ ଗଡତିଆ ଗାଡ଼ି ଛାଡ଼ିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ହେଲେ ଟଙ୍କା ଦେବା ପରେ ମଧ୍ୟ ଗାଡ଼ି ଛାଡ଼ିନଥିଲେ । ଏହାର ଅଡ଼ିଓ ଭାଇରାଲ ହେବା ପରେ ଦୁଇ ଜଣଙ୍କୁ ନିଲମ୍ବିତ କରିଛନ୍ତି ଡିଏଫଓ ।

ଚେତାବନୀ ଦେଲେ ଚକ୍ଷୁ ବିଶେଷଜ୍ଞ: ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ ନହେଲେ ହୋଇଯିବେ ଅନ୍ଧ

ଏବେ ଦେଶରେ ଅଧିକାଂଶ ଅଭିଯୋଗ ଲୋକଙ୍କ ଦୃଷ୍ଟି ଶକ୍ତି ହ୍ରାସକୁ ନେଇ ଆସୁଛି । ଆଉ ଏହାର ମୁଖ୍ୟ କାରଣ ହେଉଛି ଖରାପ ଜୀବନଶୈଳୀ ।  ଅଧିକାଂଶ ଲୋକ କମ୍ପ୍ୟୁଟର ଆଗରେ ବସି ଦିନକୁ ୮ ରୁ ୧୦ ଘଣ୍ଟା ବିତାନ୍ତି । ଏହା ବ୍ୟତୀତ, ଆଖି ଉପରେ କ୍ରମାଗତ ଭାବେ ପ୍ରଭାବ ସେତେବେଳେ ପଡେ, ଯେତେବେଳେ ଆପଣ ଅତ୍ୟଧିକମାତ୍ରାରେ ମୋବାଇଲର ବ୍ୟବହାର କରନ୍ତି । ଏହାସହ କମ୍ ଆଲୋକରେ କାମ କରିବା, ଆଖିର ଯତ୍ନ ନ ନେବା, ଉପଯୁକ୍ତ ଖାଦ୍ୟ ଗ୍ରହଣ ନକରିବା ହେତୁ ଆଖି ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ ଏବଂ ତା’ପରେ ଆଖିର ଦୃଷ୍ଟି ଶକ୍ତି କମିବା ଆରମ୍ଭ କରେ ।

ବିଶେଷଜ୍ଞମାନେ କହିଛନ୍ତି ଯେ, ବୟସ ବଢିବା ସହିତ ଆମର ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଏ । ଏହାସହ ଖ୍ୟାଦ୍ୟପାନିୟ ଠିକ୍ ନରହିଲେ ମଧ୍ୟ ଦୃଷ୍ଟି ଶକ୍ତି ଶୀଘ୍ର କମିବା ଆରମ୍ଭ କରେ । ଆଉ ଜଣେ ବିଶେଷଜ୍ଞ କହିଛନ୍ତି ଯେ ଚାରୋଟି ଜିନିଷ ଆଖିକୁ ଦୁର୍ବଳ କରିପାରେ ଏବଂ କେତେକ କ୍ଷେତ୍ରରେ ଅନ୍ଧ ମଧ୍ୟ କରିପାରେ । ଆସନ୍ତୁ ସେହି ଜିନିଷ ବିଷୟରେ ଜାଣିବା

ଏହି ଜିନିଷଗୁଡିକ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ହ୍ରାସ ହୋଇପାରେ

ସାଧାରଣ ଭାବେ ଏକ୍ସପର୍ଟମାନେ କୁହନ୍ତି ଯେ, ବୟସ ବଢିବା ସହ ଦୃଷ୍ଟି ଶକ୍ତି କମିବା ,ସାଧାରଣ କଥା କିନ୍ତୁ ଏମିତି କିଛି ଖାଦ୍ୟ ପଦାର୍ଥ ଯାହାକୁ ଖାଇବା ଦ୍ୱାରା ଆପଣ ବୟସ ପୁର୍ବରୁ ହିଁ ଦୃଷ୍ଟି ଶକ୍ତିକମିବାର ସମ୍ଭାବନା ରହିଛି । ସେଥିଲେ  ଅତ୍ୟଧିକ ମିଠା ଜିନିଷ ଏବଂ ପ୍ରକ୍ରିୟାକୃତ କାର୍ବୋହାଇଡ୍ରେଟ୍ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ନଷ୍ଟ ହୋଇପାରେ । ଏହି ଖରାପ ପ୍ରକ୍ରିୟାକୃତ କାର୍ବୋହାଇଡ୍ରେଟ୍ ଖାଦ୍ୟ ହେଉଛି ଧଳା ପାଉଁରୁଟି ଏବଂ ପାସ୍ତା । ଏହାସହ, ଟମାଟୋ କେଚପ୍ ଏବଂ କୋଲ୍ଡ ଡ୍ରିଙ୍କସ ମଧ୍ୟ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଏହାର କାରଣ ହେଉଛି ଖାଦ୍ୟଗୁଡ଼ିକ ଶୀଘ୍ର ହଜମ ହେବା । ଯେଉଁ କାରଣରୁ ରକ୍ତରେ ଶର୍କରାର ସ୍ତର ବଢିଥାଏ ଏବଂ ରକ୍ତରେ ଶର୍କରା ବୃଦ୍ଧି ହେତୁ ‘ବୟସ ସମ୍ବନ୍ଧୀୟ ମାକୁଲାର ଡାଜେନେରେସନ୍’ (AMD) ର କାରଣ ହୋଇଥାଏ ।  AMD ହେଉଛି ଏକ ଚକ୍ଷୁ ରୋଗ ଯାହା ଦୃଷ୍ଟିଶକ୍ତିକୁ ଦୁର୍ବଳ କରିଥାଏ, ଦୃଷ୍ଟି ଶକ୍ତି ହରାଇବା ସହ ଶେଷରେ ଆପଣଙ୍କୁ ସମ୍ପୂର୍ଣ୍ଣ ଅନ୍ଧ ମଧ୍ୟ କରିପାରେ ।

ରକ୍ତରେ ଉଚ୍ଚ ଶର୍କରା ସ୍ତର ଟାଇପ୍-୨ ମଧୁମେହ ସୃଷ୍ଟି କରେ ।  ମଧୁମେହ ରୋଗୀମାନଙ୍କର ଆଖିରେ ସମସ୍ୟା ସୃଷ୍ଟି କରିଥାଏ । ମଧୁମେହ ରୋଗୀଙ୍କଠାରେ ଅଧିକ ସମୟ ରକ୍ତରେ ଶର୍କରା ଅନିୟନ୍ତ୍ରିତ ରହିଲେ ଆଖିରେ ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ । ଯେଉଁମାନେ ପାଶ୍ଚାତ୍ୟ ଖାଦ୍ୟ ବା ଜଙ୍କଫୁଡ୍ ଖାଆନ୍ତି, ସେମାନଙ୍କ ଆଖିରେ ଅଧିକ ସମସ୍ୟା ଦେଖା ଦିଏ କାରଣ ଏହି ଖାଦ୍ୟଗୁଡ଼ିକ ଆଖିକୁ ନଷ୍ଟ କରିଦିଏ।

ଏକ ରିପୋର୍ଟ ଅନୁଯାୟୀ, ଗୋଟିଏ ବାଳକ ଜଙ୍କ୍ ଫୁଡ୍ ଖାଇବା ପରେ ଅନ୍ଧ ହୋଇଯାଇଛି । ଏହି ଅନୁସନ୍ଧାନ ଜଙ୍କ ଫୁଡ ଖାଇବାର କ୍ଷତି ବିଷୟରେ ଚକ୍ଷୁ ବିଶେଷଜ୍ଞମାନେ ମଧ୍ୟ ଚେତାବନୀ ଦେଇଛନ୍ତି । ବାସ୍ତବରେ, ବ୍ରିଟେନର ଅନୁସନ୍ଧାନକାରୀମାନେ ଚକ୍ଷୁ ଡାକ୍ତରଖାନାରେ ଜଣେ ୧୪ ବର୍ଷର ବାଳକର ଥକାପଣ ବିଷୟରେ ଅଭିଯୋଗ ଆସିଥିଲା । ତାଙ୍କର BMI ସ୍ୱାଭାବିକ ଥିଲା କିନ୍ତୁ ସେ ଖାଦ୍ୟରେ ଫ୍ରେଞ୍ଚ୍ ଫ୍ରାଏ, ପ୍ରିଙ୍ଗଲେସ୍, ଧଳା ପାଉଁରୁଟି ଏବଂ ପ୍ରକ୍ରିୟାକୃତ ମାଂସ ଖାଉଥିଲେ । ଯେତେବେଳେ ତାଙ୍କୁ ପରୀକ୍ଷା କରାଯାଇଥିଲା, ଏହା ଦେଖାଗଲା ଯେ ଶରୀରରେ ଭିଟାମିନ୍ B12 ର ସ୍ତର ବହୁତ କମ୍ ଥିଲା ଏବଂ ମାକ୍ରୋସାଇଟିକ୍ ରକ୍ତହୀନତା ସହିତ ଅନେକ ଭିଟାମିନ୍ ର ଅଭାବ ଥିଲା ।

ଡାକ୍ତରୀ ରିପୋର୍ଟରେ କୁହାଯାଇଛି ଯେ ବାଳକକୁ B12 ଇଞ୍ଜେକ୍ସନ ଦିଆଯାଇଥିଲା, ସପ୍ଲିମେଣ୍ଟ ଦିଆଯାଇଥିଲା ଏବଂ ଭଲ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଗୋଟିଏ ବର୍ଷ ପରେ ଯେତେବେଳେ ବାଳକଟି ପୁଣି ଥରେ ହସ୍ପିଟାଲକୁ ଆସିଥିଲା ସେତେବେଳେ  ସେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଥିବା ଦେଖିବାକୁ ମିଳିଥିଲା ।

ତାତିରୁ ମିଳିଛି ତ୍ରାହି, କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ଦେଲା ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଫଳରେ ତାତିରୁ ସାମାନ୍ୟ ତ୍ରାହି ମିଳିଛି । କାଳବୈଶାଖୀ ପ୍ରଭାବରେ ଆଜି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କୋରାପୁଟ, ରାୟଗଡ଼ା, ଗଜପତିରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପର ଆସନ୍ତାକାଲି କାଳବୈଶାଖୀ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

୨୪ ଓ ୨୫ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଅନ୍ୟପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଧିରେ ଧିରେ ବଢ଼ିବାରେ ଲାଗିଛି । ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି । ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଗ୍ରୀଷ୍ଣ ପ୍ରବାହ ପାଇଁ ସତର୍କତା ଜାରି ହୋଇଛି ।

ପୁରୀ ସାତପଡ଼ା ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ

ବ୍ରହ୍ମଗିରି: ପୁରୀ ସାତପଡ଼ା ଜାତୀୟ ରାଜପଥର ନାଗାଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଦୁର୍ଘଟଣାରେ କାର୍ ଡ୍ରାଇଭର ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ପୁରୀରୁ ବ୍ରହ୍ମଗିରି ଅଭିମୁଖେ କାରଟି ଆସୁଥିଲା । ହେଲେ ନାଗାଛକ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଯାହାଫଳରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ କାରର ମାଲିକ ଧୀରୁ ପଲାଇ ଓ ଡ୍ରାଇଭର ନବା ଖାଁ ଓରଫ ବାବୁର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି କାର ଭିତରୁ ମୃତଦେହ ଉଦ୍ଧାର କରିଛି ।

ଟାଟା ମୋଟର୍ସ ନୂଆ ନେକ୍ସନ ଇଭି ମ୍ୟାକ୍ସର ବଜାର ପ୍ରବେଶ

ଭୁବନେଶ୍ୱର: ବଜାର ପ୍ରବେଶ କରିଛି ନୂଆ ଇଲେକ୍ଟ୍ରିକାଲ୍ କାର୍‌ । ଭୁବନେଶ୍ୱରରେ ଟାଟା ମୋଟର୍ସ୍ ପକ୍ଷରୁ ନୂଆ ନେକ୍ସନ ଇଭି ମ୍ୟାକ୍ସ କାରର ଶୁଭାରମ୍ଭ । ସାମନ୍ତରାପୁର ସ୍ଥିତ ଲୁଇସ୍ ରୋଡର ଟାଟା ମୋଟର୍ସ ସୋରୁମରେ ଶୁଭାରମ୍ଭ ହୋଇଛି । ଏହି ଇଲୋକ୍ଟ୍ରୋନିକ୍ କାରକୁ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ ସେଲସ୍ ମାର୍କେଟିଂ ମୁଖ୍ୟ ବିବେକ ଶ୍ରୀବାସ୍ତବ, ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡର ପ୍ରଡକ୍ଟ ଲାଇନ୍ ଆଣ୍ଡ ଅପରେସନ ବିଭାଗର ଉପାଧ୍ୟକ୍ଷ ଆନନ୍ଦ କୁଲକର୍ଣୀ ଉନ୍ମୋଚନ କରିଥିଲେ । ୧୭.୭୪ ଲକ୍ଷ ଟଙ୍କାରେ ବଜାରରେ ଉପଲବ୍ଧ ହୋଇଛି ଏହି କାର୍‌ ।

ନୂଆ ନେକ୍ସନ ଇଭି ମାକ୍ସ ହାଇ ଭୋଲ୍ଟେଜ୍ ଜିପଟ୍ରୋନ ଟେକ୍ନୋଲୋଜି ଦ୍ଵାରା ଦୁଇ ପ୍ରକାରରେ ଉପଲବ୍ଧ ହେଉଛି । ଗୋଟିଏ ନେକ୍ସନ ଇଭି ମାକ୍ସ ଏକ୍ସ୍ ଜେଡ୍ ପ୍ଲସ ଆଉ ଗୋଟିଏ ହେଉଛି ନେକ୍ସନ ଇଭି ମାକ୍ସ ଏକ୍ସ୍ ଜେଡ୍ ପ୍ଲସ ଲକ୍ସ । ଏହି କାରରେ ଉଚ୍ଚ କ୍ଷମତା ସମ୍ପର୍ନ୍ନ ବ୍ୟାଟେରୀ, ୪୩୭ କିଲୋମିଟର ପର୍ଯ୍ୟନ୍ତ ଏକ ଚିନ୍ତାମୁକ୍ତ ଡ୍ରାଇଭ୍ କରିପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଗାଡ଼ି ଚଳାଇବା ଦ୍ଵାରା ଆରାମ ଦାୟକ ଟ୍ରାଭେଲିଂ କରିପାରିବେ ଗ୍ରାହକ ।

କେବଳ ସିଦ୍ଧୁ ନୁହଁନ୍ତି ତାଙ୍କ ପୂର୍ବରୁ ଏହି ବଡ଼ ବଡ଼ ନେତା ଯାଇସାରିଛନ୍ତି ଜେଲ୍

ନୂଆଦିଲ୍ଲୀ: ନିଜର ଦୁର୍ନୀତି ମନ ବୃତ୍ତି ଏମିତି କିଛି ଲୋକଙ୍କୁ ଜେଲରେ ଭର୍ତ୍ତି କରିଛି ଯେଉଁମାନେ କେବେ ଶାସନ ଗାଦିରେ ବସିଥିଲେ । ଏହି ଧାରା କାହିଁ କେତେ ଦିନରୁ ଚାଲି ଆସିଛି  । ଏବେ ଏଥିରେ ଆଉ ଏକ ନାଁ ଯୋଡି ହୋଇଛି । ସେ ହେଉଛନ୍ତି  କ୍ରିକେଟରରୁ ରାଜନେତା ପାଲଟି ଥିବା ନବଜୋତ ସିଂହ ସିଦ୍ଧୁ । ତାଙ୍କୁ ଗୁରୁବାର ସୁପ୍ରିମକୋର୍ଟ ୧ ବର୍ଷ ଜେଲ୍‌ଦଣ୍ଡ ଦେଇଛନ୍ତି । ତେବେ ସିଦ୍ଧୁଙ୍କ ପୂର୍ବରୁ ଆଉ ୭ ଜଣ ହାଇପ୍ରୋଫାଇଲ ନେତା ମଧ୍ୟ ଜେଲ୍‌ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ମଧ୍ୟ ରହିଛନ୍ତି।

ଆସନ୍ତୁ ଜାଣିବା ଏମିତି କିଛି ମହାରଥିଙ୍କ ବିଷୟରେ ଯେଉଁମାନେ ଦୁର୍ନିତି ଗ୍ରସ୍ତ ହୋଇ ଏବେ ଜେଲ ଦଣ୍ଡ ଭୋଗିଛନ୍ତି ।

ଏଥିରେ ପ୍ରଥମ ନାଁ ହେଉଛି ଜେ ଜୟଲଳିତା
ଦୁର୍ନୀତି ମାମଲାରେ ଜୟଲଳିତା ୨୦୧୪ ସେପ୍ଟେମ୍ବରରେ ଦୋଷୀ ସାବ୍ୟସ୍ତ ହୋଇ ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର ଅଦାଲତଙ୍କ ଦ୍ବାରା ୪ ବର୍ଷର ଜେଲ ଦଣ୍ଡାଦେଶ ‌ପାଇଥିଲେ । ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ସେତେବେଳେ ଏହି ୬୬ ବର୍ଷୀୟ ଏଆଇଏଡିଏମକେ ନେତ୍ରୀଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଜେଲ୍‌ଦଣ୍ଡ ସହିତ ତାଙ୍କୁ ୧୦ କୋଟି ଟଙ୍କାର ଜରିମାନା ମଧ୍ୟ ହୋଇଥିଲା । ଏହି ରାୟ ଆସିବା ପରେ ସେ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କି ନିଜ ମୁଖ୍ୟମନ୍ତ୍ରୀ ପଦବି ହରାଇଥିଲେ ଏବଂ ଜେଲ୍‌ ଯାଇଥିଲେ । କିନ୍ତୁ ୨୦୧୫ ମେ ୧୧ ତାରିଖରେ ସେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରା ସବୁ ଅଭିଯୋଗରୁ ମୁକ୍ତ ହୋଇଥିଲେ।

ଆଉ ଗୋଟେ ନାଁ ହେଉଛି ଶିବୁ ସୋରେନ୍‌
ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ତଥା ଜେଏମଏମ ନେତା ଶିବୁ ସୋରେନଙ୍କୁ ଦିଲ୍ଲୀର ଏକ ଅଦାଲତ ୨୦୦୬ ସେପ୍ଟେମ୍ବର ୫ ତାରିଖରେ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ଏଥିସହିତ ୫ ଲକ୍ଷ ଟଙ୍କାର ଜରିମାନା ରାଶି ମଧ୍ୟ ତାଙ୍କ ଠାରୁ ଆଦାୟ କରି ପୀଡ଼ିତଙ୍କ ପରିବାରକୁ ଦେବାଲାଗି ନିର୍ଦ୍ଦେଶ ଦେଇଥିଲେ । ୧୯୯୪ ମସିହାରେ ତାଙ୍କ ବ୍ୟକ୍ତିଗତ ସଚିବ ଶଶି ନାଥ ଝାଙ୍କୁ ଅପରହଣ ଓ ହତ୍ୟା ମାମଲାରେ କୋର୍ଟ ଏହି ରାୟ ଦେଇଥିଲେ। କିନ୍ତୁ ୨୦୦୭ ଅଗଷ୍ଟ ୨୨ରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଦୋ‌ଷମୁକ୍ତ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରମାଣ କରିବାରେ ସିବିଆଇ ବିଫଳ ହୋଇଥିବା ଦର୍ଶାଇ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ। ପରେ ଏହି ରାୟ ମଧ୍ୟ ୨୦୧୬ ଏପ୍ରିଲରେ ସୁପ୍ରିମ କୋର୍ଟରେ କାଏମ ରହିଥିଲା।

ବଙ୍ଗାରୁ ଲକ୍ଷ୍ମଣ
ବିଜେପିର ପୂର୍ବତନ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବଙ୍ଗାରୁ ଲକ୍ଷ୍ମଣଙ୍କୁ ସିବିଆଇ ଅଦାଲତ ୨୦୧୨ ଏପ୍ରିଲରେ ୪ ବର୍ଷର ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ଦଳର ମୁଖ୍ୟାଳୟରେ ଜଣେ ଛଦ୍ମବେଶୀ ସାମ୍ବାଦିକଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଡିଲର ଭାବେ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଦଣ୍ଡିତ କରାଯାଇଥିଲା। ବଙ୍ଗାରୁ ପ୍ରଥମ ରାଜ‌ନେତା ଯେ କି ଷ୍ଟିଙ୍ଗ ଅପରେସନରେ ଧରାପଡ଼ି ଦଣ୍ଡିତ ହୋଇଥିଲେ। ଏପରିକି ସେ ହେଉଛନ୍ତି କୌଣସି ଦଳର ପ୍ରଥମ ସଭାପତି ଯେ କି ଦୁର୍ନୀତି ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି।

ଏ ରାଜା
୨ଜି ଦୁର୍ନୀତି ମାମଲାରେ ପୂର୍ବତନ ଟେଲିକମ୍ ମନ୍ତ୍ରୀ ତଥା ଡି‌ଏମକେ ନେତା ଏ ରାଜାଙ୍କୁ ୧୫ ମାସ ଜେଲ୍ ଯିବାକୁ ପଡ଼ିଥିଲା। ୨୦୧୧ ଫେବ୍ରୁଆରି ୨ରେ ସେ ଜେଲ ଯାଇଥିବାବେଳେ ୨୦୧୨ ମେ ୧୨ରେ ତାଙ୍କୁ ଜାମିନ ମିଳିଥିଲା। ୨ଜି ଦୁର୍ନୀତି ମାମଲାରେ ଏ ରାଜା ସବୁଠୁ ଦୀର୍ଘ ଦିନ ଧରି ଜେଲ୍‌ରେ ରହିଛନ୍ତି। ତାଙ୍କ ଦଳୀୟ ସହକର୍ମୀ ଏବଂ ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧୀଙ୍କ ଝିଅ କାନିମୋଝି ଏହି ମାମଲାରେ ୬ ମାସ ଜେଲ୍‌ରେ ଥିଲେ।

ସୁରେଶ କାଲମାଡ଼ି
ପୂର୍ବତନ କଂଗ୍ରେସ ନେତା ସୁରେଶ କାଲମାଡ଼ି ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କମିଟିର ଅଧ୍ୟକ୍ଷ ଥିଲେ। କିନ୍ତୁ ଏଥିରେ ଦୁର୍ନୀତି ମାଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୧୧ ଏପ୍ରିଲ ୨୫ରେ ଗିରଫ କରିଥିଲେ। ସେ ୯ ମାସ ଜେଲ୍‌ରେ ରହିବା ପରେ ଜାମିନରେ ମୁକୁଳିଥିଲେ।

 

ଗମ୍ଭୀର ହେବାରେ ଲାଗିଛି ଉତ୍ତର-ପୂର୍ବାଞ୍ଚଳରେ ବନ୍ୟା ପରିସ୍ଥିତି, ୨୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଦିସପୁର: ଗମ୍ଭୀର ହେବାରେ ଲାଗିଛି ଉତ୍ତର-ପୂର୍ବାଞ୍ଚଳରେ ବନ୍ୟା ପରିସ୍ଥିତି । ବନ୍ୟାରେ ମୃତକଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି । ଆସାମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ । ବନ୍ୟା ଓ ବାରମ୍ବାର ଭୂସ୍ଖଳନ ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି । କେବଳ ଆସାମରେ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି ଏବଂ ହଜାର ହଜାର ଲୋକ ରିଲିଫ ଶିବିରରେ ରହିଛନ୍ତି ବୋଲି କହିଛି ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ।

ଗତ ୧୪ ତାରିଖଠାରୁ ଲାଗି ରହିଥିବା ବନ୍ୟା ପରିସ୍ଥିତିରେ ପ୍ରାୟ ୭ ଲକ୍ଷ ଲୋକ ଏବେ ବି ଜଳବନ୍ଦୀ ରହିଛନ୍ତି । ମେଘାଳୟରେ ୩ ଜଣ ଓ ଅରୁଣାଚଳ ପ୍ରଦେଶରେ ୮ ଜଣ ପ୍ରାଣ ହରାଇଛନ୍ତି । ଅରୁଣାଚଳ ପ୍ରଦେଶର କୁରୁଙ୍ଗ କୁମି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଫ୍ଲାସ୍ ଫ୍ଲଡ ଯୋଗୁ ଅନେକ ସ୍ଥାନରେ ଜଳବନ୍ଦୀ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଜାମ୍ମୁ ଓ କାଶ୍ମୀର ରାମବନରେ ୩୬ ଘଣ୍ଟାର ରେସକ୍ୟୁ ଅପରେସନ ଶେଷ, ଫସିଥିବା ୧୦ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ରାମବନରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ଘଟଣା । ପ୍ରାୟ ୩୬ ଘଣ୍ଟାର ରେସକ୍ୟୁ ଅପରେସନର ଦୁଃଖଦ ଅନ୍ତ । ଉଦ୍ଧାର ହୋଇଛି ୧୦ ଶ୍ରମିକଙ୍କ ମୃତଦେହ । ଶ୍ରୀନଗର-ଜାମ୍ମୁ ରାଜପଥ ଅନ୍ତର୍ଗତ ଖୁନୀ ନାଳରେ ଏହି ଟନେଲ ନିର୍ମାଣ ଚାଲିଥିବା ବେଳେ ଅକସ୍ମାତ ଏହା ଭୁଶୁଡ଼ି ପଡ଼ିଥିଲା । ଉଦ୍ଧାର କାର୍ଯ୍ୟରେ ପୋଲିସ ଓ ଏନଡିଆରଏଫ ନିୟୋଜିତ ହୋଇଥିଲେ । ଗତ ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗର ୫ ଜଣ, ନେପାଳର ୨ ଜଣ, ଆସାମର ଜଣେ ଓ ଜାମ୍ମୁ ଓ କାଶ୍ମୀରର ୨ ଜଣ ।

ବାରମ୍ବାର ଭୂସ୍ଖଳନ ହେବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ରାଜ୍ୟପାଳ ମନୋଜ ସିହ୍ନାଙ୍କ ନିର୍ଦ୍ଦେଶ କ୍ରମେ ନିର୍ମାଣକାରୀ କମ୍ପାନି ପକ୍ଷରୁ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଁଏ ଟଙ୍କା ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହାସହ ରିଲିଫ ଫଣ୍ଡରୁ ପ୍ରତି ମୃତକଙ୍କ ପରିବାରକୁ ୧ ଲକ୍ଷ ଲେଖାଁଏ ଟଙ୍କା ସହାୟତା ଦିଆଯିବ ବୋଲି ରାଜ୍ୟପାଳ ଘୋଷଣା କରିଛନ୍ତି । ରାମବନ ପୋଲିସ ଏସପି ମୋହିତ ଶର୍ମା କହିଛନ୍ତି, ଏହି ଘଟଣାରେ କମ୍ପାନିର ଅବହେଳା ନେଇ ଏକ ମାମଲା ରୁଜୁ ହୋଇଛି । ରାମବନ ଜିଲ୍ଲାପାଳ ମସରତ ଉଲ ଇସଲାମ କହିଛନ୍ତି, ମୃତଦେହଗୁଡ଼ିକୁ ଚିହ୍ନଟ କରାଯାଇଛି ଏବଂ ସେଗୁଡ଼ିକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ।

ଇସ୍ରାଏଲ ଓ ସୁଇଜରଲ୍ୟାଣ୍ଡକୁ ଡେଇଁଲା ମଙ୍କିପକ୍ସ ଭାଇରସ, ୧୪ରେ ପହଞ୍ଚିଲା ସଂକ୍ରମିତ ଦେଶ ସଂଖ୍ୟା

ନୂଆଦିଲ୍ଲୀ: ଆଉ ୨ ଦେଶକୁ ଡେଇଁଲା ମଙ୍କିପକ୍ସ ଭାଇରସ । ଇସ୍ରାଏଲ ତେଲ୍ ଆଭିବ୍ ଅନ୍ତର୍ଗତ ଇଚିଲୋଭରେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ସେଠାରେ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେ କିଛି ଦିନ ତଳେ ପଶ୍ଚିମ ୟୁରୋପରୁ ଫେରିଥିଲେ । ସେହିପରି ସୁଇଜରଲ୍ୟାଣ୍ଡ ବର୍ନରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଦେଶକୁ ମିଶାଇ ମଙ୍କିପକ୍ସ କାୟା ୧୪ଟି ରାଷ୍ଟ୍ରକୁ ବ୍ୟାପିଥିବା ସୂଚନା ମିଳିଛି । ପୂର୍ବରୁ ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ନେଦରଲ୍ୟାଣ୍ଡସ, ପର୍ତ୍ତୃଗାଲ, ସ୍ପେନ, ସ୍ୱିଡେନ, ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆରେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସେପଟେ ମଙ୍କିପକ୍ସର ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱତନ୍ତ୍ର କମିଟିର ଅନୁସନ୍ଧାନ ଜାରି ରହିଛି । ଗତକାଲି ଅନୁଷ୍ଠିତ ବୈଠକରେ ଏହି ସଂକ୍ରମଣର ତରିକା, ନିରାକରଣ ଆଦି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି । ସଂକ୍ରମିତ ଚିହ୍ନଟ ହୋଇଥିବା ଦେଶର ପ୍ରଶାସନ ସହ ସଂଗଠନର ବିଶେଷଜ୍ଞମାନେ ଯୋଗସୂତ୍ରରେ ରହିଛନ୍ତି ଏବଂ ବିଭିନ୍ନ ପରାମର୍ଶ ଦିଆଯାଉଥିବା କୁହାଯାଇଛି । ରୋଗ ସମ୍ପର୍କରେ ଅଧିକ ଗବେଷଣା ଓ ନିରାକରଣ ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସଂଗଠନ ।