ଓଡ଼ିଶାରେ ଶୀଘ୍ର ଆରମ୍ଭ ହେବ କଫି ମିଶନ

ଭୁବନେଶ୍ବର: କଫି ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ କଫି ମିଶନ । ମିଲେଟ୍‌ ମିଶନ ସହ କଫି ମିଶନ ପାଇଁ ନିଷ୍ପତ୍ତି ନେଇଛି ଉଦ୍ୟାନ କୃଷି ବିଭାଗ । ବିଭାଗ ନେଇଥିବା ରୂପାନ୍ତର ପଦକ୍ଷେପଗୁଡ଼ିକ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ ପରେ ମିଶନ ମୋଡରେ ପ୍ରକଳ୍ପ ଆରମ୍ଭ କରିବାର ଯୋଜନା ହୋଇଛି ।

ଖୁବଶୀଘ୍ର ରାଜ୍ୟରେ ବ୍ୟାପକ କଫି ଚାଷ କରାଯିବ । ଆରମ୍ଭ ହେବ କଫି ମିଶନ । ଏବେ ସମୁଦ୍ର ପତ୍ତନଠାରୁ ୩ ହଜାର ଫୁଟ ଉଚ୍ଚ କୋରାପୁଟର ଥଣ୍ଡା ଜଳବାୟୁରେ ଓଡ଼ିଶା ବ୍ରାଣ୍ଡ କଫି ଚାଷ ହେଉଛି । ସେଠାରେ ରୁବୁଷ୍ଠା କଫି ଚାଷ କରାଯାଉଛି । ରୁବୁଷ୍ଠା କଫି ଚାଷ ପାଇଁ ଜଳବାୟୁରେ ୮୦ରୁ ୯୦ ପ୍ରତିଶତ ଆର୍ଦ୍ରତା ଆବଶ୍ୟକ । ତାପମାତ୍ର ୨୦ରୁ ୩୦ ଡିଗ୍ରି ଭିତରେ ରହିବା ଦରକାର । ବର୍ଷା ୧୦୦୦ରୁ ୨୦୦୦ ମିଲିମିଟର ହେଲେ ରୁବୁଷ୍ଠା କଫି ଚାଷ ହୋଇପାରିବ । ଏହି ଜଳବାୟୁ କୋରାପୁଟରେ ରହିଛି । ୭ ବର୍ଷ ତଳେ କେବଳ ୨ହଜାର ହେକ୍ଟର ଜମିରେ କଫି ଚାଷ ହେଉଥିଲା । ଏହା ଏବେ ୫ ହଜାର ହେକ୍ଟରକୁ ବୃଦ୍ଧି ପାଇଛି । କଫି ମିଶନ ଜରିଆରେ କଫିଚାଷ ପାଇଁ ଅଧିକ ଜମି ଯୋଗାଇବା ସହ ରାଜ୍ୟ ସରକାର ପ୍ରୋତ୍ସାହନ ଦେବେ । କଫି ମିଶନ ଜରିଆରେ ଯୁବ ଉଦ୍ୟୋଗୀ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି ।

କୋରାପୁଟ କଫି ପ୍ରଚାର ପ୍ରସାର କାମ ରାଜ୍ୟ ସରକାର ୭ ବର୍ଷ ତଳୁ ଆରମ୍ଭ କରିଥିଲେ । ନାମୀଦାମୀ କମ୍ପାନୀ କୋରାପୁଟରୁ କଫି ସଂଗ୍ରହ କରିବାକୁ ଉଦ୍ୟୋଗୀଙ୍କୁ ଯୋଗାଯୋଗ କରୁଛନ୍ତି । କଫି ବୋର୍ଡର ସର୍ଭେ ଅନୁଯାୟୀ କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରେ ବି କଫି ଚାଷର ସମ୍ଭାବନା ଅଛି । ମିଶନ ଜରିଆରେ ବ୍ୟାପକ କଫି ଚାଷ ହେଲେ କନ୍ଧମାଳ ହୋଇପାରେ ପରବର୍ତ୍ତୀ କଫି ହବ୍ । ଏଥିପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ୬ଟି ବ୍ଲକରେ ୧.୦୯ ଲକ୍ଷ ହେକ୍ଟର ଜମି ଚିହ୍ନଟ କରିଛି । ୧୯୭୪ରୁ ଦାରିଙ୍ଗବାଡ଼ିର ୪୦ ହେକ୍ଟର ଓ ଜି.ଉଦୟଗିରିର ୨ ହେକ୍ଟର ଜମିରେ କଫି ଚାଷ ହେଉଛି ।

କଫିଚାଷ ଯୋଗୁଁ କୋରାପୁଟ ଜିଲ୍ଲାର ୫ ହଜାର ଆଦିବାସୀ ପରିବାରଙ୍କ ଆର୍ଥିକ ସ୍ଥିତି ସୁଧୁରୁଛି । କଫିଚାଷରେ କମ୍ ଖର୍ଚ୍ଚ ହେଉଥିବାରୁ ଲାଭର ସୁଯୋଗ ଅଧିକ ରହିଛି ।