ରାଜଧାନୀରେ ନାବାଳକଙ୍କୁ ହତ୍ୟା !

ଭୁବନେଶ୍ବର: ଭୁବନେଶ୍ବର ଚନ୍ଦ୍ରଶେଖରପୁର ପଣ୍ଡା ପାର୍କରୁ ନାବାଳକର ମୃତଦେହ ଉଦ୍ଧାର । ମୃତକ ହେଲେ ଯୁଧିଷ୍ଠିର ନାୟକଙ୍କ ପୁଅ ଦୈତରାଜ ନାୟକ । ସେ ଗତ ସୋମବାରଠୁ ନିଖୋଜ ଥିଲେ । ପୁଅକୁ ହତ୍ୟା ପରେ ଅଖା ବ୍ୟାଗରେ ଭର୍ତ୍ତି କରି ପାର୍କକୁ ଲାଗିଥିବା ଜଙ୍ଗଲକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଯୁଧିଷ୍ଠିରଙ୍କ ଅଭିଯୋଗ ଅନୁସାରେ ଗତ ସୋମବାର ରାତିରେ ପୁଅର ସାଙ୍ଗ ଗେଡ଼ୁ ଘରେ ଆଣି ମୋବାଇଲ ଦେଇ ଯାଇଥିଲେ । ପରଦିନ ୧୦ଟା ପର୍ଯ୍ୟନ୍ତ ଦୈତରାଜ ଘରକୁ ନଫେରିବାରୁ ଗେଡ଼ୁଙ୍କ ଘରେ ପଚାରିଥିଲେ ଯୁଧିଷ୍ଟିର । ଗେଡୁ ସହ ସେ ପୁରୀ ଯାଇଥିବା କଥା କହିଥିଲେ ଗେଡ଼ୁର ପରିବାର । ଅପରାହ୍ନ ପର୍ଯ୍ୟନ୍ତ ପୁଅ ନଫେରିବାରୁ ପୁଣି ଗେଡ଼ୁ ଘରେ ପଚାରିବାରୁ ସେ ଘରେ ଶୋଇଥିବା କଥା କହିଥିଲେ । ଏହାପରେ ସନ୍ଧ୍ୟା ସୁଦ୍ଧା ପୁଅ ନ ଆସିବାରୁ ଥାନାରେ ଅଭିଯୋଗ କରିଥିଲେ ଯୁଧିଷ୍ଟିର । ପୁଅର ମୃତ୍ୟୁ ପଛରେ ସାଙ୍ଗ ଗେଡ଼ୁର ହାତ ରହିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଏପରିକି ଗେଡୁର ପରିବାର ବ୍ରାଉନସୁଗାର କାରବାର କରୁଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଛି ।