spot_img
Home Blog Page 4367

ରାଜ୍ୟବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନୂଆବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ନବୀନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜିଠାରୁ ଆରମ୍ଭ ହେବ ଓଡ଼ିଆ ପଞ୍ଜିକା । ବିଦାୟ ନେବ ବସନ୍ତ ଆଉ ଆରମ୍ଭ ହେବ ଗ୍ରୀଷ୍ମ । ଘରେ ଘରେ ପଣାର ଆସର ସହିତ ସବୁଠି ଉତ୍ସାହର ମାହୋଲ । କରୋନା ପାଇଁ ଗତ ଦୁଇବର୍ଷ ଧରି ପାର୍ବଣ ଫିକା ପଡ଼ିଥିବା ବେଳେ ଏଥର କଟକଣା ନଥିବାରୁ ବେଶ୍ ଧୁମଧାମରେ ପାଳନ ହେଉଛି ପଣା ସଂକ୍ରାନ୍ତି । ପୁରପଲ୍ଲୀରେ ପଣା ସଂକ୍ରାନ୍ତିଙ୍କୁ ସଭିଏ ବେସ ଆନନ୍ଦ ଉଲ୍ଲାସର ପାଳନ କରିଥାନ୍ତି  ।

ନ୍ୟୁୟର୍କ ବ୍ରୁକଲିନ ସବୱେ ଗୁଳିକାଣ୍ଡ ଘଟଣା; ୬୨ ବର୍ଷୀୟ ଫ୍ରାଙ୍କ ଜେମସ୍ ଗିରଫ

ନ୍ୟୁୟର୍କ: ନ୍ୟୁୟର୍କ ବ୍ରୁକଲିନ ସବୱେ ଗୁଳିକାଣ୍ଡ ଘଟଣାରେ ୬୨ ବର୍ଷ ବୟସ୍କ ଅଭିଯୁକ୍ତ ଫ୍ରାଙ୍କ ଜେମସ୍ ଗିରଫ ହୋଇଛନ୍ତି । ସବୱେରେ ଆଖିବୁଜା ଗୁଳିମାଡ କରି ୧୩ରୁ ଅଧିକ ଲୋକଙ୍କୁ ଆହତ କରିଥିବା ଏହି ଅପରାଧୀକୁ ଧରିବା ଲାଗି ଜୋରଦାର ଅପରେସନ ଚାଲିଥିଲା। ସେ ଗ୍ୟାସ ମାସ୍କ ପିନ୍ଧି ଜନବହୁଳ ଷ୍ଟେସନରେ ଲୋକଙ୍କ ଉପରକୁ ୩୩ ରାଉଣ୍ଡ ଗୁଳି ମାରି ଫେରାର ହୋଇଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ନ୍ୟୁୟର୍କ ମେୟର ଏରିକ ଆଡାମସ।

ସୂଚନା ଅନୁଯାୟୀ, ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମାନହଟ୍ଟନ ଷ୍ଟ୍ରିଟରୁ ତାକୁ ଗିରଫ କରାଯାଇଥିଲା । ଏହି ଗୁଳିକାଣ୍ଡ ଘଟଣାରେ ସାମାନ୍ୟ ଆହତ ହୋଇଥିବା ଯାତ୍ରୀମାନେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି । ଫାୟାରିଂ ପରେ ଜେମସ କିଛି ଭିଡିଓ ୟୁଟ୍ୟୁବରେ ପୋଷ୍ଟ କରିଥିଲା । ଏହାବ୍ୟତୀତ ସେ ନ୍ୟୁୟର୍କ ମେୟରଙ୍କୁ ବି ସମାଲୋଚନା କରିଥିଲା।

ଗତ ଏପ୍ରିଲ୍ ୧୨ ତାରିଖରେ ଆମେରିକାର ନ୍ୟୁୟର୍କର ବ୍ରୁକଲିନରେ ଥିବା ଏକ ମେଟ୍ରୋ ଷ୍ଟେସନରେ ଗୁଳିମାଡ଼ ହୋଇଥିଲା। ଷ୍ଟେସନ ମଧ୍ୟରେ ଆଖିବୁଜା ଗୁଳିମାଡ଼ରେ ୫ ଜଣଙ୍କ ଜୀବନ ଯାଇଥିବାବେଳେ ୧୩ ଜଣ ଆହତ ହୋଇଥିଲେ । ଏହା ବ୍ୟତୀତ ଘଟଣାସ୍ଥଳରୁ କେତେକ ଅଫୁଟା ବିସ୍ଫୋରକ ଜବତ ହୋଇଥିବା ନ୍ୟୁୟର୍କ ପୋଲିସ ସୂଚନା ଦେଇଥିଲେ । ପରେ ଘଟଣାସ୍ଥଳରେ ଆହତ ବ୍ୟକ୍ତିମାନେ ଏଣେତେଣେ ପଡ଼ିଥିବା ସମ୍ପର୍କୀତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ନ୍ୟୁୟର୍କ ସିଟିରେ ଗୁଳିକାଣ୍ଡ ଏକ ସାଧାରଣ ଘଟଣା। ଚଳିତ ବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ୨୯୬ଟି ଗୁଳିକାଣ୍ଡ ଘଟିଥିବା ସୂଚନା।

ଅଧିକ ପଢନ୍ତୁ- ଆମେରିକା ରେଳ ଷ୍ଟେସନରେ ଲଗାତାର ଗୁଳିମାଡ଼, ୫ ମୃତ

ଟ୍ରେନ କଡ଼ରେ ପଡିଛି ଦୁଇ ମୃତ ଦେହ, ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ

ସମ୍ବଲପୁର: ବୁର୍ଲା ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ଯା ସନ୍ଦେହ । ବୁର୍ଲା କଟାପାଲି ନିକଟସ୍ଥ ରେଲଓ୍ବେ ଓଭରବ୍ରିଜ ତଳେ ପଡିଛି ମୃତଦେହ । ଟ୍ରେନ ଲାଇନରେ କଟି ପ୍ରେମୀ ଯୁଗଳଙ୍କ ମୃତ୍ଯୁ ହୋଇଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ମୃତଦେହ ନିକଟରେ ଗୋଟିଏ ହେଲମେଟ ଓ ବାଇକ୍ ରଖାଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସିନେମା ହଲରେ KGF-2, ୧୦ ହଜାର ସ୍କ୍ରିନରେ ରିଲିଜ୍

ଭୁବନେଶ୍ୱର: ସବୁଠି କେଜିଏଫ୍ କ୍ରେଜ୍ । ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍ ଚାପ୍ଟର ୨’ । ବିଶ୍ବର ୧୦ ହଜାର ସ୍କ୍ରିନରେ ରିଲିଜ ହୋଇଛି ଫିଲ୍ମ । ୫ଟି ଭାଷା ହିନ୍ଦି, କନ୍ନଡ, ତାମିଲ୍, ତେଲୁଗୁ ଓ ମାଲାୟାଲମ୍ ଭାଷାରେ ରିଲିଜ୍ ହୋଇଛି ଫିଲ୍ମ । ଫିଲ୍ମ ଦେଖିବାକୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଭରପୁର ଉତ୍ସାହ । ରିଲିଜ ପୂର୍ବରୁ ହିଁ ଆଡଭାନ୍ସ ବୁକିଂରେ ନୂଆ ରେକର୍ଡ କରିସାରିଛି କେଜିଏଫ୍ ୨’ ।

ଆଡଭାନସ ବୁକିଂରେ କୋଟି କୋଟି ଟଙ୍କା ଆୟ ହୋଇଛି । ଫିଲ୍ମର ହିନ୍ଦୀ ସଂସ୍କରଣ ପାଇଁ ୧୧ କୋଟିରୁ ଅଧିକ ଟଙ୍କାର ଆଡଭାନ୍ସ ଟିକେଟ୍ ବୁକିଂ ହୋଇଛି । କେବଳ ଉତ୍ତର ଭାରତରେ ଆଡଭାନ୍ସ ବୁକିଂରେ ୨୦ କୋଟି ଆୟ କରିଛି କେଜିଏଫ ୨ । ‘କେଜିଏଫ୍ ୨’ରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି ସଞ୍ଜୟ ଦତ୍ତ । ସେହିଭଳି ରବିନା ଟଣ୍ଡନ ପ୍ରଧାନମନ୍ତ୍ରୀ ଭାବେ ନଜର ଆସିଛନ୍ତି । ପ୍ରଥମ ଦିନରୁ ହିଁ ଫିଲ୍ମଙ୍କୁ ସଫଳତା ମିଳିବ ବୋଲି ଆଶା ରହିଛି ।

ଦଣ୍ଡଯାତ୍ରାରେ ଗଣ୍ଡଗୋଳ: ଜଣେ ମୃତ, ୧୦ ଆହତ

ନୟାଗଡ଼: ଦଣ୍ଡଯାତ୍ରା ଶୋଭାଯାତ୍ରା ବେଳେ ଗଣ୍ଡଗୋଳ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୦ରୁ ଅଧିକ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୁର୍ଗା ପ୍ରସାଦ, ଦେଉଳ ପଲ୍ଲୀ ଓ ସିନ୍ଦୁରିଆ ଗାଁର ଦଣ୍ଡ ଠାକୁର ବିରାଟ ଶୋଭାଯାତ୍ରାରେ ନୟାଗଡ଼ ସହର ପରିକ୍ରମା କରି ସିନ୍ଦୁରିଆ ଶିବ ମନ୍ଦିର ଠାରେ ପହଞ୍ଚିବା ବେଳେ କୌଣସି କାରଣରୁ ବଚସା ହୋଇଥିଲା ।

ବଚସାକୁ କେନ୍ଦ୍ର କରି ଦେଉଳ ପଲ୍ଲୀ ଓ ଦୁର୍ଗା ପ୍ରସାଦ ଗାଁର ଲୋକଙ୍କ ମଧ୍ୟରେ ମାରପିଟ ଓ ଟେକା ପଥର ମାଡ ହୋଇଥିଲା । ଫଳରେ 10 ରୁ ଅଧିକ ଆହତ ହେବା ସହିତ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦୁର୍ଗା ପ୍ରସାଦ ଗାଁର ନବୀନ ପରିଡା । ଖବର ପାଇ ନୟାଗଡ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି  ।

ଘରେ ତାଲା ପକାଇ ବାହାରପଟୁ ନିଆଁ ଲଗାଇଦେଲେ

ଭଦ୍ରକ: ବିଲମ୍ବିତ ରାତିରେ ଘରେ ଲଗାଇଦେଲେ ନିଆଁ  । ଘରେ ତାଲା ପକାଇ ବାହାରପଟୁ ନିଆଁ ଲଗାଇଦେଇଛନ୍ତି । ଘରେ ନିଆଁ ଲଗାଇଦେଲେ ଦୃବୁର୍ତ୍ତ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ  । ଘରେ ତାଲା ପକାଇ ନିଆଁ ଲଗାଇଦେଲେ ଦୃବୁର୍ତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳରେ  । ଅଗ୍ନିକାଣ୍ଡରେ 5 ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ । ପୂର୍ବ ଶତ୍ରୁତାରୁ ଆକ୍ରୋଶମୂଳକ ଭାବେ ଦୃବୁର୍ତ୍ତ ମାନେ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଭଦ୍ରକ ସହରାଞ୍ଚଳ ଗବସାହି ଅଞ୍ଚଳର ସୁଦର୍ଶନ ଦାସ ନିଜ 6 ଜଣ ପରିବାର ସହ ଘରେ ଶୋଇଥିଲେ । ହଠାତ୍ ଘର ସବୁ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ସୁଦର୍ଶନ ଙ୍କ ପରିବାର ଲୋକ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଜୀବନ ବିକଳରେ ବାହାରକୁ ଦୌଡ଼ିବାକୁ ଲାଗିଥିଲେ । ଘର କବାଟ ବାହାର ପଟରୁ ତାଲା ଦିଆଯାଇଥିବାରୁ, ଆଉ ବାହାରି ନପାରି ପଛପଟ ହୋଇ ଝରକା ଭାଙ୍ଗି ପରିବାରଲୋକ ବାହାରକୁ ସୁରକ୍ଷିତ ଅବସ୍ଥାରେ ବାହାରିଥିଲେ ।

ଜୀବନ ସିନା ବଞ୍ଚିଗଲା, ଜୀବନ ଯାକର ପୁଞ୍ଜି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଆଉ ଆସବାବପତ୍ର ଜଳି ପୋଡି ଛାରଖାର ହୋଇଯାଇଛି । ପୂର୍ବଶତ୍ରୁତା ରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସୁଦର୍ଶନଙ୍କ ପରିବାର ଲୋକ । ଏନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନୟାଗଡ଼ରେ ଭି.କେ ପାଣ୍ଡିଆନ, ନୀଳମାଧବଙ୍କୁ କଲେ ଦର୍ଶନ

ନୟାଗଡ଼: 5T ସଚିବ ଭି.କେ ପାଣ୍ଡିଆନ ନୟାଗଡ଼ ଗସ୍ତ କରିଛନ୍ତି  । ନୟାଗଡ଼ର ପ୍ରସିଦ୍ଧ ନୀଳମାଧବ ମନ୍ଦିରରେ ନୀଳମାଧବଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ କଣ୍ଟିଲୋ ନୀଳମାଧବ ପୀଠର କିଭଳି ଉନ୍ନତିକରଣ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ଭି. କେ ପାଣ୍ଡିୟାନ  । ଗସ୍ତ ସମୟରେ ନୟାଗଡ଼ ଜିଲ୍ଲାପାଳ ପୁମା ଟୁଡୁ ଏବଂ ଖଣ୍ଡପଡା ବିଡ଼ିଓ, ତହସିଲଦାର ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ମନ୍ଦିରରେ ପୂଜକ ମାନେ 5T ସଚିବଙ୍କୁ ସମୱାଗତ କରିବା ସହ ମନ୍ଦିର ଭିତରେ ଦର୍ଶନ କରାଇଥିଲେ  । ଭି.କେ ପାଣ୍ଡିଆନଙ୍କ ଗସ୍ତ ମନ୍ଦିରର ଉନ୍ନତି କରଣ ଦିଗରେ ଅନେକ ଗୁରୁତ୍ୱ ରଖୁଛି  । ଏଥି ସହିତ ଜିଲ୍ଲାର ବିଭିନ୍ନ୍ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ  । ଅନେକ ନିର୍ମାଣଧିନ କାର୍ଯ୍ୟକୁ ତ୍ୱରାନିତ କରିବାକୁ ମଧ୍ୟ ସରକାରୀ ଅଧିକାରୀଙ୍କୁ କହିଥିଲେ 5T ସଚିବ  ।

ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ, ଆଜିଠାରୁ ଆରମ୍ଭ ଓଡ଼ିଆ ପଞ୍ଜିକା

ନନ୍ଦିଘୋଷ ବ୍ୟୁରୋ: ଆଜି  ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ ମଧ୍ୟ । ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଆ ପଞ୍ଜିକା । ବିଦାୟ ନେବ ବସନ୍ତ ଆଉ ଆରମ୍ଭ ହେବ ଗ୍ରୀଷ୍ମ । ଘରେ ଘରେ ପଣାର ଆସର ସହିତ ସବୁଠି ଉତ୍ସାହର ମାହୋଲ । ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞା ମାଳ ଦିଆଯିବ । ବିମାନରେ ହନୁମାନ ବିଜେ ହୋଇ ପୂର୍ବ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବ । ପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ ମହାବୀରଙ୍କ ନିକଟରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି ।

ଏହି ଦିନ ସାହି ପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ । ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ । ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ । ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି ।

 ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି । ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ।

ସୂର୍ଯ୍ୟ ଦେବତାଙ୍କ ଚଳନ, ଏହି ୪ଟି ରାଶିର ବ୍ୟକ୍ତିଙ୍କର ହେବ ଧନଲାଭ

ମେଷ : ଆଜିର ଦିନଟି ଭଲରେ କଟିବ । ଘରୁ କିମ୍ୱା ବାହାରୁ ଉଭୟ ପକ୍ଷରୁ ଶୁଭ ଖବର ମିଳିପାରେ । ଜୀବନସାଥୀଙ୍କ ସହ କୌଣସି ବିବାଦ ଉପୁଜିଲେ ଶାନ୍ତ ରୁହନ୍ତୁ ଏବଂ ସାମାଧାନର ଉପାୟ ବାହାର କରନ୍ତୁ । ନୂତନ ବ୍ୟବସାୟ ଶୁଭାରମ୍ଭର ସଠିକ୍ ସମୟ । ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ । ମନ୍ଦିରରେ ଗରିବଙ୍କୁ ଦାନ କରନ୍ତୁ । ବନ୍ଧୁ ପରିଜନ କିମ୍ୱା ପରିବାର ସହ କୌଣସି ଧାର୍ମିକ ଯାତ୍ରାର ଆୟୋଜନ କରିପାରନ୍ତି ।

ବୃଷ : ଆଜିର ଦିନଟି ସୁଖମୟ ହେବ । ସମ୍ପତ୍ତି ପ୍ରାପ୍ତିର ସୁବର୍ଣ୍ଣ ସୁଯୋଗ । ମାନସମ୍ମାନର ଅଧିକାରୀ ହୋଇପାରନ୍ତି । ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ସଫଳତା ପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ । ବିଦେଶରେ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିଲେ ଏହା ସମ୍ପୂର୍ଣ୍ଣ ସଠିକ୍ ସମୟ । ପୂର୍ବରୁ କରିଥିବା ଋଣ ପରିଶୋଧ କରିପାରନ୍ତି ଏଥିପାଇଁ ମାନସିକ ଚିନ୍ତାରେ ରହିବେ ।

ମିଥୁନ : କୌଣସି ବିଶେଷ କାର୍ଯ୍ୟ ପୂରଣ କରିବାକୁ ପରିଶ୍ରମ କରିବାକୁ ପଡ଼ିପାରେ । ଘରକୁ ଅତିଥି ଆସିପାରନ୍ତି । ଏଥିପାଇଁ ଖର୍ଚ୍ଚ ବଢ଼ିପାରେ । ଭାଇ କିମ୍ୱା ସନ୍ତାନସନ୍ତତିଙ୍କ ବିବାହରେ କୌଣସି ସମସ୍ୟା ଦେଖାଦେଇପାରେ । ମୁଣ୍ଡବ୍ୟଥା, ଜ୍ଜ୍ୱର, କ୍ଲାନ୍ତ ଅନୁଭବ କରବେ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

କର୍କଟ : ଆଜିର ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟକ ରହିବ । ଅଧିକ ଖର୍ଚ୍ଚ ହୋଇପାରେ । ସଞ୍ଚିତ ଧନ ଶେଷ ହୋଇପାରେ । ଖର୍ଚ୍ଚରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ପକ୍ଷରୁ ଶୁଭ ଖବର ମିଳିପାରେ । ସନ୍ଧ୍ୟା ସମୟରେ କୌଣସି ସଭାସ୍ଥଳୀ କିମ୍ୱା ମାଙ୍ଗଳିକ କାର୍ଯ୍ୟରେ ଯାଇପାରନ୍ତି । ପିତାମାତାଙ୍କ ଆଶିର୍ବାଦ ନେଇ ଯେ କୌଣସି କାର୍ଯ୍ୟର ଆରମ୍ଭ କରନ୍ତୁ ନିଶ୍ଚିତ ସଫଳତା ମିଳିବ ।

ସିଂହ : ସ୍ୱାସ୍ଥ୍ୟ ବିଗିଡ଼ିପାରେ । ଏଥିପାଇଁ ଚିନ୍ତିତ ରହିପାରନ୍ତି । ପରିବାରର କୌଣସି ସଦସ୍ୟଙ୍କ ବିବାହ ଠିକ୍ କରିବାକୁ ଯାଉଥିଲେ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ବ୍ୟବସାୟରେ ଅଟକିଯାଇଥିବା କାର୍ଯ୍ୟ ଆଗକୁ ବଢ଼ିବ । ଅବିବାହିତ ବ୍ୟକ୍ତିଙ୍କୁ ବିବାହ ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ ।

କନ୍ୟା : ଆଜିର ଦିନରେ ଚିନ୍ତିତ ରହିପାରନ୍ତି । ଉଚ୍ଚପଦାଧିକାରୀଙ୍କ ସହ ବିବାଦ ବଢ଼ାନ୍ତୁ ନାହିଁ । ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆର୍ଥିକ ସ୍ଥିତି ଦୃଢ଼ ହେବ । ସନ୍ତାନସନ୍ତତିଙ୍କ ଭବିଷ୍ୟତ ପାଇଁ ଧନ ସଞ୍ଚୟ କରିବେ ।

ତୁଳା : ଆଜିର ଦିନ ଆପଣଙ୍କ ପାଇଁ ସୁଖସମୃଦ୍ଧି ଆଣିପାରେ । ଧନ ବ୍ୟୟ ହୋଇପାରେ । ଶ୍ୱଶୁର ଘରର କୌଣସି ବ୍ୟକ୍ତିଙ୍କୁ ଧାର ଦେଲେ ସମ୍ପର୍କରେ ବାଧା ଆସିପାରେ । ଅବିବାହିତ ବ୍ୟକ୍ତିଙ୍କ ଜୀବନରେ ନୂଆ ଅତିଥିଙ୍କ ଆଗମନ ହୋଇପାରେ । ଗୁରୁଜନଙ୍କ ସହଯୋଗରେ ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳତା ଆଣିପାରନ୍ତି । ପିତା ରୋଗଗ୍ରସ୍ତ ଥିଲେ ସ୍ୱାସ୍ଥ୍ୟ ଆହୁରି ବିଗିଡ଼ିପାରେ ।

ବିଛା : ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣ ରହିବ । ବ୍ୟବସାୟରେ ଉନ୍ନତି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ବନ୍ଧୁମାନଙ୍କ ସହ ଆନନ୍ଦ ଉଠାଇପାରନ୍ତି । ପ୍ରେମ ବନ୍ଧନରେ ଥିବା ବ୍ୟକ୍ତି ଜୀବନସାଥୀଙ୍କ ବୋଲ ମାନିବେ । ଏଥିପାଇଁ କୌଣସି ଭୁଲ୍ କାର୍ଯ୍ୟ ମଧ୍ୟ କରିପାରନ୍ତି । ସମ୍ପର୍କୀୟଙ୍କଠାରୁ ସାହାଯ୍ୟ ନ ମିଳିବାରୁ ଚିନ୍ତାରେ ରହିପାରନ୍ତି ।

ଧନୁ : ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଅକସ୍ମାତ୍ ଧନ ଲାଭ ହୋଇପାରେ । ବିଦ୍ୟାର୍ଥୀଙ୍କୁ କିଛି ନୂଆ ଶିଖିବାର ସୁଯୋଗ ମିଳିପାରେ । ଚାକିରି ପାଇଁ ଚିନ୍ତିତ ଥିବା ବ୍ୟକ୍ତିଙ୍କଠାରେ ସମସ୍ୟା ଦେଖାଦେଇପାରେ । ସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ । ମା’ଙ୍କ କଥା ରଖନ୍ତୁ ନଚେତ୍, ମନୋମାଳିନ୍ୟ ଦେଖାଦେଇପାରେ ।

ମକର : ଆଜି ଦିନଟି ଆପଣ ବ୍ୟସ୍ତତା ଭିତରେ ରହିବେ । ବ୍ୟବସାୟରେ ଧ୍ୟାନ ଦେଲେ, ଉନ୍ନତି କରିବେ । ସରକାରୀ ଚାକିରି କରିଥିବା ମହିଳାଙ୍କ ସହ ମଧୁରତାର ସହ କଥା ହୁଅନ୍ତୁ । ଶ୍ୱଶୁର ଘର ପକ୍ଷରୁ ଧନଲାଭର ଯୋଗ ରହିଛି । ବ୍ୟବସାୟରେ ଧନ ନିବେଶ କଲେ ଲାଭ ହୋଇପାରେ ।

କୁମ୍ଭ : ଯଶ-କୀର୍ତ୍ତୀରେ ବୃଦ୍ଧି ହୋଇପାରେ । ଶତ୍ରୁଙ୍କ ପ୍ରତି ସାବଧାନ ରୁହନ୍ତୁ, ଆପଣଙ୍କ ଉନ୍ନତିରେ ବାଧା ଆଣିପାରନ୍ତି । ଏଥିପାଇଁ ଆପଣ କ୍ଷତି ସହିପାରନ୍ତି । ଭାଗ୍ୟ ଉପରେ ନିର୍ଭର କରି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ସମସ୍ୟାରେ ପଡ଼ିପାରନ୍ତି । ସନ୍ତାନସନ୍ତତିଙ୍କୁ ଚାକିରି ମିଳିପାରେ ।

ମୀନ : ମନୋକାମନା ପୂର୍ଣ୍ଣ ହେବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରିପାରିବେ । ବ୍ୟବସାୟ ସମ୍ୱନ୍ଧୀୟ ଯାତ୍ରା କରିବାକୁ ପଡ଼ିପାରେ ।

MKCG ମେଡିକାଲ ପାଖରୁ ପୋଲିସ ASIଙ୍କ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ ନିକଟ ହନୁମାନ ମନ୍ଦିର ନିକଟରୁ ପୋଲିସ ଏଏସଆଇଙ୍କ ମୃତ ଦେହ ଉଦ୍ଧାର । ମୃତକ ହେଲେ କେ.ନୂଆଗାଁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ସୀମାଞ୍ଚଳ ପଣ୍ଡା । ସେ ବ୍ରହ୍ମପୁର ଅନନ୍ତ ନଗରରେ ରହିଆସୁଥିଲେ । ବ୍ରହ୍ମପୁର ଏସ୍‌ପି କାର୍ଯ୍ୟାଳୟରେ ୱାରଲେସ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିଲେ ସୀମାଞ୍ଚଳ ପଣ୍ଡା । ଆଜି ଅପରାହ୍ନରେ ତାଙ୍କ ମୃତ ଦେହ ଏମକେସିଜି ମେଡିକାଲ ମୁଖ୍ୟ ଫାଟକ ସ୍ଥିତ ହନୁମାନ ମନ୍ଦିର ନିକଟରେ ଦେଖିବାକୁ ମିଳିଥିଲା ।

ଖବର ପାଇ ଘଟଣା ସ୍ଥଳେ ହସ୍ପିଟାଲ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ କରିଥିଲେ । ତାଙ୍କ ପକେଟ୍‌ରୁ ଏକ ଫୋନ୍ ନମ୍ବର ଲେଖାଥିବା ଗୋଟିଏ କାଗଜ ଉଦ୍ଧାର କରାଯାଇଛି । ପରିବାର ଲୋକ ମେଡିକାଲ ଫାଣ୍ଡିରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି । ସୀମାଞ୍ଚଳଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି କିଛି ସ୍ପଷ୍ଟ ହୋଇନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।