କେନ୍ଦ୍ର ବିରୋଧରେ କଂଗ୍ରେସର ରଣ ହୁଙ୍କାର

ଭୁବନେଶ୍ବର: କେନ୍ଦ୍ର ବିରୋଧରେ କଂଗ୍ରେସର ରଣହୁଙ୍କାର । ଶୋଭାଯାତ୍ରା… ବିକ୍ଷୋଭ… ଧାରଣା…। ରାହୁଲଙ୍କୁ ଇଡିର ଜେରାକୁ ନେଇ ତାତିଲା କଂଗ୍ରେସ । ଦିଲ୍ଲୀରୁ ପଲ୍ଲୀ ଆନ୍ଦୋଳନ ଚେତାବନୀ । କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତି ପାଇଁ ଅସ୍ତ୍ର ହୋଇଛି ଇଡି । କେନ୍ଦ୍ର ବିରୋଧୀ ସ୍ବରକୁ ଚପାଇ ଦେବାକୁ ଇଡି ଓ ସିବିଆଇକୁ ଅସ୍ତ୍ର କରିଛି କେନ୍ଦ୍ର । ନ୍ୟାସନାଲ ହେରାଲ୍ଡ ଆର୍ଥିକ ଅନିୟମିତତା ମାମଲାକୁ ଆଳ କରି ଗାନ୍ଧୀ ପରିବାରକୁ ଅଯଥା ଟାର୍ଗେଟ କରାଯାଉଛି । ଏଭଳି ନାରା ଦେଇ ରାଜ୍ୟ କଂଗ୍ରେସ କରିଛି ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଛି ଦଳ । ଶହଶହ କଂଗ୍ରେସ କର୍ମୀ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଶୋଭାଯାତ୍ରାରେ ରାଜଭବନ ଆଗରେ କେନ୍ଦ୍ର ବିରୋଧରେ ବିକ୍ଷୋଭ ଓ ଧାରଣା ଦେଇଛନ୍ତି । ପ୍ରତିବାଦ ସଭାରେ ଜଣକ ପରେ ଜଣେ କଂଗ୍ରେସ ନେତା କେନ୍ଦ୍ର ବିରୋଧରେ ବର୍ଷିବା ସହ ଇଡିର କାର୍ଯ୍ୟଦକ୍ଷତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ଆଗକୁ କେନ୍ଦ୍ର ଇଡି ଜରିଆରେ ଗାନ୍ଧୀ ପରିବାରକୁ ହଇରାଣ କଲେ କଂଗ୍ରେସ କେନ୍ଦ୍ରୀୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ । ଏହାସହ ତୃଣମୂଳସ୍ତରରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଦଳ ।

ସେପଟେ କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି । ନ୍ୟାସନାଲ ହେରାଲ୍ଡ ଆର୍ଥିକ ଅନିୟମିତତା ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜେରା କରାଯାଇଛି । ଜେରାକୁ କାହିଁକି କଂଗ୍ରେସ ଡରୁଛି ବୋଲି ବିଜେପି ପ୍ରଶ୍ନ କରିଛି ।

ଲଗାତର ୩ ଦିନରେ ୩୦ ଘଣ୍ଟାର ଜେରା ପରେ ବି ରାହୁଲଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇନି ଇଡି । ଆଜି ଦିନକର ବ୍ରେକ୍ ପରେ ପୁଣି ଆସନ୍ତାକାଲି ଜେରା ପାଇଁ ରାହୁଲଙ୍କୁ ସମନ୍ କରାଯାଇଛି । ଏହାକୁ ନେଇ ବିଜେପି ଓ କଂଗ୍ରେସ ମୁହାମୁହିଁ ହୋଇଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରଖିଛି କଂଗ୍ରେସ । ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ପୋଲିସର ଦମନଲୀଳା ବିରୋଧରେ ବି ସ୍ବର ଉଠାଇଛି କଂଗ୍ରେସ ।