ବିହାରରେ ଲାଗିଛି ‘ଅଗ୍ନିପଥ’ ନିଆଁ

ପାଟଣା: କେନ୍ଦ୍ର ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଅଗ୍ନିପଥ ଯୋଜନା ବିରୋଧରେ ତେଜିବାରେ ଲାଗିଛି ଅସନ୍ତୋଷ । ସେନାରେ ଭର୍ତ୍ତି ପାଇଁ ଅଗ୍ନିପଥ ଯୋଜନାକୁ ବିହାର ଓ ଅନ୍ୟ କିଛି ରାଜ୍ୟରେ ଜୋରଦାର ବିରୋଧ କରାଯାଇଛି । ବିହାରରେ ବିରୋଧ ଉଗ୍ର ରୂପ ଧାରଣ କରିଛି । ରାଜ୍ୟର ଅଧା ଜିଲ୍ଲାରେ ବ୍ୟାପକ ପୋଡାଜଳା, ଭଙ୍ଗାରୁଜା ଦେଖିବାକୁ ମିଳିଛି ।  ଟ୍ରେନ ଓ ରେଳ ଷ୍ଟେସନକୁ ଟାର୍ଗେଟ କରିଛନ୍ତି ବିକ୍ଷୋଭକାରୀ ।  ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀକୁ ବି ବ୍ୟାପିଛି ଅଗ୍ନିପଥ ବିରୋଧୀ ଅସନ୍ତୋଷର ନିଆଁ । ବିକ୍ଷୋଭ ଯୋଗୁଁ ବିହାରରେ ୨୨ଟି ଟ୍ରେନର ଚଳାଚଳ ବାତିଲ କରିଦିଆଯାଇଛି ।

ବିହାରରେ ରାସ୍ତାକୁ ଓହ୍ଲାଇଛନ୍ତି ସେନାରେ ବର୍ତ୍ତି ହେବାକୁ ଆଶାୟୀ ଯୁବଗୋଷ୍ଠୀ । ବ୍ୟାପକ ପୋଡାଜଳା, ଭଙ୍ଗାରୁଜା ଓ ଟ୍ରେନ ପୋଡି । ପୋଲିସ ସହ ସଂଘର୍ଷ  ।  ଦେଖିବାକୁମ ମିଳିଛି ଅସନ୍ତୋଷର ଭୟାବହ ପରିଣାମ । ଯୋଜନା ବିରୋଧରେ ଚରମ ଅସନ୍ତୋଷ । ଆରା, ଛାପ୍ରା ଜେହାନାବାଦ, ନଓ୍ବାଡା, ସହର୍ସା ଭଳି ଜିଲ୍ଲାରେ ଉଗ୍ର ରୂପ ନେଇଛି ଅଗ୍ନିପଥ ବିରୋଧରେ ପ୍ରତିବାଦ । ଅନେକ ସ୍ଥାନରେ ପୋଲିସ ସହ ଘଟିଛି ବିକ୍ଷୋଭକାରୀଙ୍କ ରକ୍ତାକ୍ତ ସଂଘର୍ଷ । ଅଣାୟତ୍ତ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୋଲିସକୁ ଫାଙ୍କା ଗୁଳିଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଛି । ରେଳରୋକ ଯୋଗୁଁ କିଛି ଜିଲ୍ଲାରେ ବ୍ୟାହତ ହୋଇଛି ରେଳ ଚଳାଚଳ ।

ବିହାରରେ ଅଗ୍ନିପଥ ଆନ୍ଦୋଳନ ବ୍ୟାପିଥିବା ବେଳେ ରାଜସ୍ଥାନ ଓ ହରିୟାଣାରେ ମଧ୍ୟ ଯୁବଗୋଷ୍ଠୀ ରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭକାରୀଙ୍କ ସହ ପୋଲିସର ସଂଘର୍ଷ ହୋଇଛି । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ତ୍ରୁଟିପୂର୍ଣ୍ଣ ବୋଲି ବୋଲି ମତ ରଖିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।

ତେବେ ଅଗ୍ନିପଥ ଯୋଜନାକୁ କାହିଁକି ବିରୋଧ ହେଉଛି ? ସେନା ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥିବା ଯୁବକମାନେ ଗତ ଅଢେଇ ବର୍ଷ ଧରି ନିଯୁକ୍ତି ସୁଯୋଗ ନ ପାଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଯୋଜନା ଦ୍ବାରା ଦେଶ ସେବା କରିବାକୁ ଉତ୍ସାହିତ ଥିବା ଯୁବକଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ । ଆଶାୟୀମାନେ କହିଛନ୍ତି ଯେ, ଯଦି ସେନା ବାହିନୀରେ ଚୁକ୍ତି ଭିତ୍ତିକ ନିଯୁକ୍ତି ହୁଏ, ତେବେ ଦେଶର ପ୍ରତିରକ୍ଷା ସହ ସାଲିସ କଲା ଭଳି ହେବ । ଯେଉଁ ଯୁବକମାନେ ଆଗରୁ ପରୀକ୍ଷା ଦେଇଥିଲେ, ସେମାନଙ୍କୁ ଅଗ୍ନିପଥ ଯୋଜନା ଅଧୀନରେ ପୁଣି ଆବେଦନ କରିବାକୁ ପଡିବ । ଦୁଇ ବର୍ଷ ଧରି ନିଯୁକ୍ତି ପାଇଁ ଅପେକ୍ଷା କରିଥିବା ଯୁବକମାନଙ୍କୁ ଏହି ଯୋଜନା ସବୁଠାରୁ ବଡ ଝଟକା ବୋଲି କୁହାଯାଉଛି । ଏହି ନୂଆ ଯୋଜନା ଦ୍ବାରା ସେହି ଯୁବକମାନେ ମଧ୍ୟ ନିରାଶ ହେବେ, ଯେଉଁମାନେ ସେନାରେ ନିଯୁକ୍ତି ପାଇଁ ମେଡିକାଲ ଓ ଫିଜିକାଲ ଟେଷ୍ଟ କ୍ଲିୟର କରିଥିଲେ । ଅଗ୍ନିପଥ ଯୋଜନା ଅଧୀନରେ କେବଳ ଚାରିବର୍ଷ ପାଇଁ ନିଯୁକ୍ତି ମିଳିବ । ଏହାପରେ ୭୫ ପ୍ରତିଶତ ସୈନିକଙ୍କୁ ସେବା ନିବୃତ କରାଯିବ । ଏହି ଯୋଜନାରେ ପେନସନ ସୁବିଧା ମଧ୍ୟ ମିଳିବ ନାହିଁ ।