ମୌସୁମୀ ଆଣିଲା ଆଶ୍ୱସ୍ତି, ଆସନ୍ତା ସପ୍ତାହ ସୁଦ୍ଧା ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲାଣି ମୌସୁମୀ ବର୍ଷା । ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାକୁ ସଂପୂର୍ଣ୍ଣ ଛୁଇଁଛି ମୌସୁମୀ । ସେହିପରି ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାକୁ ଆଂଶିକ ଅଗ୍ରସର ହୋଇଥିବା ବେଳେ ଆସନ୍ତା ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ଓଡ଼ିଶାକୁ ଛୁଇଁବାର ସମ୍ଭାବନା ରହିଛି । ମୌସୁମୀ ପୁରା ଓଡ଼ିଶାରେ ସକ୍ରିୟ ହେବା ପାଇଁ ଏବେ ପାଗ ଅନୁକୂଳ ରହିଛି । ଓଡ଼ିଶା ସମେତ ଗୁଜରାଟ, ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର, ସମ୍ପୂର୍ଣ୍ଣ ତେଲେଙ୍ଗାନା, ବିଦର୍ଭ, ଦକ୍ଷିଣ ଛତିଶଗଡ଼ର କିଛି ଅଞ୍ଚଳ, ଆନ୍ଧ୍ରପ୍ରଦେଶ ଉପକୂଳ, ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋସାଗରକୁ ମୌସୁମୀ ଛୁଇଁଛି ।

ସେପଟେ ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେଲେ ତାହା ମୌସୁମୀକୁ ବାଟ କଢ଼ାଇ ସାରା ଓଡ଼ିଶାରେ ସକ୍ରିୟ କରାଇବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୨୨ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହା ସହ ୫ଟି ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, କେନ୍ଦୁଝର ଏବଂ ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କତା ଜାରି କରାଯାଇଛି ।