spot_img
Home Blog Page 4286

ତିଲେଇବଣିରେ ଚାଲିଛି ପିସି କାରବାର, ଲୋକଙ୍କୁ ଲୁଟୁଛି ବିଜେପି: ସୁବାସ

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣିରେ ଚାଲିଛି ପିସି କାରବାର । ଲୋକଙ୍କୁ ଲୁଟୁଛି ବିଜେପି । କହୁ କହୁ ସତ କହିଦେଲେ ଗିରଫ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇଙ୍କ ବିରୋଧରେ ଲାଞ୍ଚ ନେବାର ଅଭିଯୋଗ ଆଣିଛନ୍ତି ଗିରଫ ବିଧାୟକ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଗିରଫ ବିଧାୟକ ଅଭିଯୋଗ ଆଣିଛନ୍ତି ସେ ଖୋଦ ବିଜେପି ଦଳର ।

ଗତକାଲି ବିଡିଓଙ୍କ ଉପରେ ଆକ୍ରମଣ ପରେ ବିଧାୟକଙ୍କ ଗୁଣ୍ଡାଗିରିକୁ ସମାଲୋଚନା କରିଥିଲେ ସଂପୃକ୍ତ ବ୍ଲକ ଅଧ୍ୟକ୍ଷା । ବିଧାୟକଙ୍କ ଆଜିର ଅଭିଯୋଗରୁ ସନ୍ଦେହ ହେଉଛି ଯେ ଦେବଗଡ଼ ଜିଲ୍ଲାରେ ବିଜେପି ଦଳର ଆଭ୍ୟନ୍ତରୀଣ କନ୍ଦଳର ପ୍ରତିଫଳନ ଘଟୁଛି । ଯେଉଁଥି ପାଇଁ ବିଡିଓଙ୍କ ଉପରେ ଆକ୍ରମଣ କରାଯାଇଛି ।

ଋଷ ସୈନିକଙ୍କୁ ଜେଲେନସ୍କିଙ୍କ ଚେତାବନୀ: ଜୀବନ ବଞ୍ଚାଇ ପଳାଅ

କିଭ୍: ୬୭ ଦିନରେ ପହଞ୍ଚିଛି ୟୁକ୍ରେନ ଯୁଦ୍ଧ । ଏହାର ଅନ୍ତ କେବେ ହେବ, ତାହା ଅନ୍ଧାରରେ । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଧମକକୁ ନେଇ ସବୁଠି ଚର୍ଚ୍ଚା । ଋଷିଆର ସୈନ୍ୟଙ୍କୁ ଖୋଲା ଧମ ଦେଇଛନ୍ତି ଜେଲେନସ୍କି । କହିଛନ୍ତି- ୟୁକ୍ରେନରେ ଲଢୁଥିବା ସବୁ ଋଷୀୟ ସୈନ୍ୟ ଜୀବନ ବଞ୍ଚାଇ ପାରିବେ । ୟୁକ୍ରେନରେ ମରିବା ଅପେକ୍ଷା ଋଷିଆରେ ବଞ୍ଚିବାର ଅଧିକାର ସେମାନଙ୍କର ରହିଛି । ଗତ କିଛିଦିନ ମଧ୍ୟରେ ୟୁକ୍ରେନକୁ ବିଶ୍ବର ବରିଷ୍ଠ କୂଟନୀତିଜ୍ଞଙ୍କ ଗସ୍ତ ପରେ ଋଷୀୟ ସୈନ୍ୟଙ୍କୁ ଜେଲେନସ୍କି ଜୀବନ ଆଗ, ଯୁଦ୍ଧ ପଛ ବାର୍ତ୍ତା ଦେଇଛନ୍ତି ।

ସେପଟେ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି ଋଷିଆ । ୟୁକ୍ରେନର ୧୭ଟି ସାମରିକ ସ୍ଥଳ ଉପରେ ଆକାଶମାର୍ଗରୁ ଜୋରଦାର ଆକ୍ରମଣ କରିଛି ଋଷ । ଏଥିରେ ୨୦୦ରୁ ଅଧିକ ୟୁକ୍ରେନୀୟ ସୈନ୍ୟ ନିହତ ହୋଇଛନ୍ତି । ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ହିଟ୍ କରିପାରୁଥିବା ଶକ୍ତିଶାଳୀ ରକେଟ ଆକ୍ରମଣରେ କମାଣ୍ଡ ପୋଷ୍ଟ, ଏକ ପଣ୍ୟାଗାର ଧ୍ବଂସ ହେବା ସହ ଅନେକ ସାମରିକ ଭିତ୍ତିଭୂମି ଧ୍ବଂସ ହୋଇଛି । ଏହାସହ ଓଡେଶା ବିମାନବନ୍ଦରରେ ମଧ୍ୟ ହମଲା କରିଛି ଋଷ । କିନ୍ତୁ ୟୁକ୍ରେନଠାରୁ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇଛି । ପୋର୍ଟସିଟି ମାରିୟୁପୋଲରେ ସଂଘର୍ଷ ଜାରି ରହିଥିବା ବେଳେ ଅତି ସଂକଟଜନକ ଅବସ୍ଥାରେ ଫସି ରହିଥିବା 20 ଜଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ମାରିୟୁପୋଲର ଆଜୋଭସ୍ତଲ ଷ୍ଟିଲ ପ୍ଲାଣ୍ଟରେ ରହିଥିବା ୟୁକ୍ରେନୀୟ ସୈନ୍ୟମାନେ ଋଷ ସୈନ୍ୟଙ୍କୁ କଡା ଟକ୍କର ଦେଉଛନ୍ତି । ମାରିୟୁପୋଲରେ ଫସିଥିବା ହଜାର ହଜାର ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟାରେ ନିୟୋଜିତ ହୋଇଛି ଜାତିସଂଘର ସ୍ବତନ୍ତ୍ର ଟିମ୍ । ଏଣେ ବୁଚା ସହର ନିକଟବର୍ତ୍ତୀ ଅଞ୍ଚଳରେ ହାତବନ୍ଧା ଅବସ୍ଥାରେ 3ଟି ମୃତଦେହ ଠାବ କରାଯାଇଛି ।

ୟୁକ୍ରେନକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଅଧିକ ସାମରିକ ସହାୟତା ପାଇଁ ଘୋଷଣା କରିଥିବା ବେଳେ ଜର୍ମାନୀ ମଧ୍ୟ ଅସ୍ତ୍ରଶସ୍ତ୍ର ଦେବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଏହି ନିଷ୍ପତ୍ତି ପ୍ରତିବାଦରେ ଜର୍ମାନୀରେ ଉଠିଛି ବିରୋଧର ସ୍ବର । ଡସଲଡର୍ଫ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜର୍ମାନୀ କାହିଁକି ଏ ଅର୍ଥହୀନ ଯୁଦ୍ଧରେ ନିଜକୁ ସଂପୃକ୍ତ କରୁଛି ବୋଲି ପ୍ରଶ୍ନ କରିଛନ୍ତି ବିକ୍ଷୋଭକାରୀ ।

ବିଜେପି ବିଧାୟକ ଗିରଫ ଘଟଣା: ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ଜବାବ

ଭୁବନେଶ୍ବର: ତିଳେଇବଣି ବିଡିଓଙ୍କୁ ମରଣାନ୍ତ ଆକ୍ରମଣ ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟର ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଟ୍ବିଟ କରି ପ୍ରଣବ ଲେଖିଛନ୍ତି, ‘ଆପଣ ବୋଧହୁଏ ଅବଗତ ନାହାନ୍ତି ଯେ ଦେବଗଡ଼ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ ମାରି ଲହୁଲୁହାଣ କରିଛନ୍ତି । ନିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ନିଜ ଅଫିସକୁ ଡାକି ମରଣାନ୍ତକ ଆକ୍ରମଣ କରିଥିଲେ ।’

ସେ ଆଗକୁ ଲେଖିଛନ୍ତି, ‘କେହି ଭୁଳିଯବା ଉଚିତ ନୁହେଁ ଯେ ଓଡ଼ିଶାରେ ଆଇନର ଶାସନ ଚାଲିଛି । ବିଗତ ତିନି ବର୍ଷ ମଧ୍ୟରେ ଆଇନକୁ ହାତକୁ ନେଇଥିବା ବିଜେଡିର ୩ ଜଣ ବିଧାୟକଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇଛି । ଏବେ ସମାନ କାରଣରୁ ଦେବଗଡ଼ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା ବେଳକୁ ଆପଣ ବିରୋଧ କରୁଛନ୍ତି କାହିଁକି ?’

ଏହସହ ଧର୍ମେନ୍ଦ୍ରଙ୍କୁ ପ୍ରଣବ ପ୍ରଶ୍ନ କରିଛନ୍ତି, ‘ଆପଣଙ୍କ ଦଳର ବିଧାୟକ ବୋଲି ସେ କ’ଣ ଆଇନର ଊର୍ଦ୍ଧ୍ବରେ ? ଆପଣ ସଂସଦରେ ଆଇନ ତିଆରି କରୁଛନ୍ତି । ଆପଣ ଭଲ ଭାବେ ଜାଣିଛନ୍ତି ଯେ, ଗଣତନ୍ତ୍ରରେ ମନ୍ତ୍ରୀ, ସାଂସଦ, ବିଧାୟକ, ସାଧାରଣ ଜନତା ସମସ୍ତେ ସମାନ । ବିଜେଡି ସରକାରରେ ଆଇନ ଆଗରେ ସମସ୍ତେଙ୍କୁ ସମାନ ଆଖିରେ ଦେଖାଯାଏ, ଏକଥା ଓଡ଼ିଶାରେ ମଧ୍ୟ ସମସ୍ତେ ଭଲ ଭାବେ ଜାଣନ୍ତି ।’

ସୂଚନାଯୋଗ୍ୟ ସୁବାସଙ୍କ ଗିରଫଦାରୀକୁ ନେଇ ଧର୍ମେନ୍ଦ୍ର ପ୍ରଶ୍ନ ଉଠାଇଥିଲେ । ଟ୍ବିଟ କରି ସେ ଲେଖିଥିଲେ, ‘ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତରବରିଆ ଭାବେ ଗିରଫ କରାଯିବା ଚିନ୍ତାର ବିଷୟ । କିଛି ଅଧିକାରୀ ନିଜର କାର୍ଯ୍ୟଶୈଳିକୁ ନ ସୁଧାରି ବିରୋଧୀ ଦଳର ନେତାମାନଙ୍କ ସ୍ବରକୁ ଚାପିବା ପାଇଁ ଆଇନର ଅପବ୍ୟବହାର କରୁଛନ୍ତି । ଯାହା ଗଣତନ୍ତ୍ର ପାଇଁ ବିପଦଜନକ ।’

ଜେଲ ଗଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ

ଦେବଗଡ଼:  ଜେଲ ଗଲେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ତିଳେଇବଣି ବ୍ଲକ ବିଡିଓଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବିଧାୟକଙ୍କୁ ସିଜେଏମଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା  । ହାଜର ପରେ ତାଙ୍କୁ 7 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ଦେବଗଡ ସିଜେଏମ କୋର୍ଟ । ଏବେ ବିଧାୟକ 7 ଦିନ ଧରି ଦେବଗଡ଼ ସ୍ବତନ୍ତ୍ର ଉପକାରାଗାରରେ ରହିବେ । ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ହାଜତକୁ ପଠାଯାଇଛି ।

ସୂଚନା ଅନୁସାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଦେବଗଡ଼ ଜିଲ୍ଲା ତିଳେଇବଣି ବିଡିଓଙ୍କୁ ଆକ୍ରମଣ କରିଥିଲେ । ବିଡିଓ ଫିଲ୍ଡ ଭିଜିଟ କରିବାକୁ ଯାଇଥିବାବେଳେ ଆକ୍ରମଣ କରିଥିଲେ ବିଧାୟକ । ସେହି ସମୟରେ ବିଡିଓଙ୍କ ସହ ତହସିଲଦାର ଓ ଜିଆରଏସ୍ ଉପସ୍ଥିତ ଥିଲେ । ଭାଲିଆଗୁଡ଼ି ଗାଁରେ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ୧୦ରୁ ଅଧିକ ବିଜେପି କର୍ମୀଙ୍କ ଆକ୍ରମଣରେ ବିଡିଓ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ପ୍ରାଥମିକ ଚିକିତ୍ସା ପରେ ବିଡିଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହିତ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନ ପାଇଁ ଜିଲ୍ଲା ଓଏଏସ ସଂଘ ଚେତାବନୀ ଦେଇଥିଲା । ବିଜେପି ବିଧାୟକଙ୍କ ଏଭଳି ଗୁଣ୍ଡାଗିରିକୁ ସବୁଠି ନିନ୍ଦା କରାଯାଇଥିଲା ।

ସେପଟେ ପୋଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଧନ୍ୟବାଦ ଜଣାଇଛି ଓଏଏସ୍ ସଂଘ । କାର୍ଯ୍ୟରତ ବିଡିଓଙ୍କୁ ଜଣେ ବିଧାୟକ ଆକ୍ରମଣ କରିବା ଘଟଣାକୁ ଓଏଏସ୍ ସଂଘ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲା । ଏହାସହ ବିଧାୟକଙ୍କ ସହଯୋଗୀ ଅନ୍ୟ ଯେଉଁମାନେ ଏହି ଅପରାଧରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରିବା ପାଇଁ ବି ସଂଘ ଦାବି କରିଥିଲା । ବିଧାୟକଙ୍କ ଗିରଫଦାରୀ ଖବର ନେଇ ସଂଘ ସଭାପତି ସନ୍ତୋଷ ପ୍ରକାଶ କରିଥିବା ବେଳେ ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରୁଛୁ ବୋଲି ସଂଘ ସମ୍ପାଦକ ଜ୍ୟୋତି ପ୍ରକାଶ ମିଶ୍ର କହିଛନ୍ତି । ଅଭିଯୁକ୍ତଙ୍କୁ ଆଇନ ଅନୁସାରେ ଦଣ୍ଡ ମିଳିବା ଦରକାର ବୋଲି ସଂଘ କହିଛି । କେବଳ ଶସ୍ତା ଲୋକପ୍ରିୟତା ପାଇଁ ବିଜେପି ବିଧାୟକ ଏମିତି କରିଛନ୍ତି, ଯାହା ଗଣତନ୍ତ୍ର ପାଇଁ ହାନିକାରକ ବୋଲି ଅଫିସର ସଂଘ କହିଛି ।

ପରିକ୍ରମା ପ୍ରକଳ୍ପ ନିର୍ମାଣରେ ଶ୍ରୀମନ୍ଦିରକୁ ନାହିଁ ବିପଦ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କେମିତି ଚାଲିଛି ଐତିହ୍ୟ ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ ? ଏଏସଆଇ ଓ ପ୍ରଶାସନିକ ଟିମ୍ ଆଜି କାମ ଅନୁଧ୍ୟାନ କରିଛନ୍ତି । ଏକ ଜନସ୍ବାର୍ଥ ମାମଲାକୁ ଗ୍ରହଣ କରି ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀଙ୍କ ନେତୃତ୍ବରେ ବିଶେଷଜ୍ଞ ଟିମ ଶ୍ରୀମନ୍ଦିର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ବାର ତଥା ଏମାର ମଠ ଅଞ୍ଚଳରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯାଞ୍ଚ କରିଛନ୍ତି । ଡିଷ୍ଟୋ ମିଟର ଦ୍ବାରା ପିଲରର ଲମ୍ବ, ଓସାର, ଗଭୀରତା ଓ ମେଘନାଦ ପାଚେରୀଠାରୁ ଦୂରତା ଆଦି ମାପ କରାଯାଇଛି । ତେବେ ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯିବାକୁ ଥିବାରୁ ଏ ସମ୍ପର୍କରେ ଏଏସଆଇ ଅଧିକ ସୂଚନା ଦେଇନଥିବା ବେଳେ ଆସନ୍ତା ୭ତାରିଖ ମଧ୍ୟରେ ରିପୋର୍ଟ ଦାଖଲ କରାଯିବ ।

ପରିକ୍ରମା ମାର୍ଗର ନିର୍ମାଣ ପାଇଁ ଏନଏମଏ ଅନୁମତି ଦେଇଥିବା ବେଳେ ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ଶୌଚାଳୟ, କ୍ଲକରୁମ, ଆଶ୍ରୟସ୍ଥଳୀ, ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା କରାଯାଉଛି । ଏହି ନିର୍ମାଣ ଶ୍ରୀମନ୍ଦିର ଉପରେ କୌଣସି ବିପଦ ବା ପ୍ରଭାବ ପକାଇବ ନାହିଁ ବୋଲି ପୂର୍ତ୍ତ ବିଭାଗର ପୂର୍ବତନ ବରିଷ୍ଠ ଯନ୍ତ୍ରୀ ମତ ଦେଇଛନ୍ତି । ଶ୍ରୀମନ୍ଦିରର ଢାଞ୍ଚା ଓ ଗଠନ ପ୍ରଣାଳୀର ସ୍ବତନ୍ତ୍ରତା ରହିଛି । ତେଣୁ ନିର୍ମାଣ କାର୍ଯ୍ୟ ଦ୍ବାରା କୌଣସି ବିପଦ ନାହିଁ ବୋଲି ବରିଷ୍ଠ ବିଶେଷଜ୍ଞ କହିଛନ୍ତି ।

ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ସହିତ ହିନ୍ଦୁମାନଙ୍କର ଭାବାବେଗ ଜଡ଼ିତ ଓ ଏହା ହିନ୍ଦୁଙ୍କ ଅସ୍ମିତାର ଶ୍ରେଷ୍ଠ ପ୍ରତୀକ । ତେଣୁ ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ ନିର୍ମାଣ ନେଇ ହାଇକୋର୍ଟଙ୍କ ରାୟ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ସବୁ ମହଲରେ ଆଶା କରାଯାଉଛି ।

ହିଂସାକାରୀଙ୍କୁ ସୁରକ୍ଷା ଦେବା ବିଜେପିର ପୁରୁଣା ଅଭ୍ୟାସ: ବିଜେଡି

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ନିଜ ଦଳର ଜନପ୍ରତିନିଧିଙ୍କୁ ସୁରକ୍ଷା ଦେବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହେଲାଣି । କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ଲୋକସଭା ସାଂସଦ ବିଶେଶ୍ବର ଟୁଡୁ ଜିଲ୍ଲା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଗତକାଲି ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଦେବଗଡ ଜିଲ୍ଲା ତିଲେଇବଣି ବିଡିଓଙ୍କୁ ଆକ୍ରମଣ କରିଥିବା ଘଟଣାରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଲେଲିନ କହିଛନ୍ତି, ‘ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଓ ଭୟଭୀତ କରିବା ଓଡିଶାର ବିଜେପି ଜନପ୍ରତିନିଧୀଙ୍କ ଅଭ୍ୟାସରେ ପରିଣତ ହୋଇଛି । ଏଭଳି ହିଂସାକୁ ନିନ୍ଦା କରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେବା ଓଡିଶା ବିଜେପିର ଏକ ଅଭ୍ୟାସରେ ପରିଣତ ହୋଇଛି । ଯେତେବେଳେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଲୋକସଭା ସାଂସଦ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ, ଆମେ ଆଶା କରିଥିଲୁ ଓଡିଶା ବିଜେପି ଏହାକୁ ନିନ୍ଦା କରିବ । କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ ଲୋକସଭା ସାଂସଦଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଜନସାଧାରଣଙ୍କ ଦୃଷ୍ଟି ଅନ୍ୟଆଡେ ନେବାକୁ ଚେଷ୍ଟା କରିଥିଲେ । ଆଜି ମଧ୍ୟ ଯେତେବେଳେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ରାଜ୍ୟ ବିଜେପି ତାଙ୍କ ହିଂସାତ୍ମକ ଆଚରଣକୁ ନିନ୍ଦା କରିବା ପରିବର୍ତ୍ତେ ତାଙ୍କୁ ଏବଂ ତାଙ୍କ କାର୍ଯ୍ୟକୁ ସୁରକ୍ଷା ଦେଉଛି ।’

ସେ ଆଗକୁ ଆହୁରି କହିଛନ୍ତି, ‘ବିଜୁ ଜନତା ଦଳ ସର୍ବଦା ଆଇନ୍‌ର ଶାସନ ସହିତ ଅଛି ଏବଂ ଆଇନକୁ ତା’ ବାଟରେ ଯିବାକୁ ଦେଇଥାଏ । ଅତୀତରେ ଦଳମତ ନିର୍ବିଶେଷରେ ଆଇନ୍ ଅନୁଯାୟୀ ଜନସାଧାରଣଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଆଜି ମଧ୍ୟ ତାହା ହେଉଛି । କିନ୍ତୁ ଦୁର୍ଭାଗ୍ୟବଶତଃ ଓଡିଶା ବିଜେପି ଦୋଷୀଙ୍କୁ ରକ୍ଷା କରିବାକୁ ଚାହୁଁଛି ଏବଂ ଜନସାଧାରଣଙ୍କ ଦୃଷ୍ଟି ଅନ୍ୟ ଆଡେ ନେବାକୁ ଚେଷ୍ଟା କରୁଛି । ଏହି କାରଣରୁ ଓଡ଼ିଶାର ଲୋକେ ବିଜେପିକୁ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରୁଛନ୍ତି । ଆମେ ଆଶା କରୁଛୁ ଓଡିଶା ବିଜେପି ମିଥ୍ୟା ପ୍ରଚାରରୁ ଦୂରେଇ ରହିବ ଓ ହିଂସାତ୍ମକ କାର୍ଯ୍ୟକୁ ନେଇ ରାଜନୀତି କରିବ ନାହିଁ ଏବଂ ସେମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଆଇନ୍‌କୁ ସ୍ବାଗତ କରିବ ।’

ରାଷ୍ଟ୍ରପତି ନିର୍ବାଚନରେ ଗେମ୍ ଚେଞ୍ଜର ହେବେ ନବୀନ

ଭୁବନେଶ୍ବର: ଅଢେଇ ମାସ ପରେ ରାଷ୍ଟ୍ରପତି ନିର୍ବାଚନ । ଏନଡିଏ ଓ ଉପା ପ୍ରାର୍ଥୀ ଖୋଜା ଆରମ୍ଭ କରିଥିବା ବେଳେ ଦିଲ୍ଲୀ ଦରବାରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟାନ ଜାତୀୟ ରାଜନୀତିକୁ ରୋଚକ ମୋଡ଼ରେ ପକାଇଛି । ପ୍ରାର୍ଥୀ ଅନୁସାରେ ସମର୍ଥନ କରାଯିବା ନେଇ ଜାତୀୟ ଗଣମାଧ୍ୟମକୁ ନବୀନ କହିବା ପରେ ଆରମ୍ଭ ହୋଇଛି ରାଷ୍ଟ୍ରପତି ଭୋଟିଂର ଗଣିତ ।

ରାଷ୍ଟ୍ରପତି ପ୍ରାର୍ଥୀ ଦେଖି ସମର୍ଥନ ନିଷ୍ପତ୍ତି । କାହା କଥାରେ ନୁହେଁ, ବିଜେଡିର ରହିଛି ସ୍ବାଧୀନତା । ଜାରି ରହିବ ସମଦୂରତା ଥିଓରି । ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ନେଇ ଏକ ଜାତୀୟ ଗଣମାଧ୍ୟମକୁ ବୟାନ ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ଗୁରୁତ୍ବ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଅଧିକ ରହିଛି । ନା ଉପା ନା ଏନଡିଏ, କେହି ବି ନିଜ ଶକ୍ତିରେ ରାଷ୍ଟ୍ରପତି ନିର୍ବାଚିତ କରିପାରିବେ ନାହିଁ । ଲୋକସଭା ଓ ରାଜ୍ୟସଭାକୁ ମିଶାଇ ବିଜେଡି ପାଖରେ ଅଛନ୍ତି ୨୧ ଜଣ ସାଂସଦ । ଯାହା ଦଳର ଭୋଟିଂର ପ୍ୟାଟର୍ଣ୍ଣକୁ ୩.୨୨ ପ୍ରତିଶତ ରଖିଛି । ସେହିପରି ବିଜେଡି ପାଖରେ ୧୧୩ ଜଣ ବିଧାୟକ ଅଛନ୍ତି । ଦଳର ଏପରି ଅହେତୁକ ସଂଖ୍ୟା ଯୋଗୁଁ ଉଭୟ ଦଳର ପ୍ରାର୍ଥୀକୁ ଆବଶ୍ୟକ ପଡ଼ିବ ବିଜେଡିର ସମର୍ଥନ ।

ରାଷ୍ଟ୍ରପତି ନିର୍ବାଚନରେ ୧୦ ଲକ୍ଷ ୯୮ ହଜାର ୯୦୩ ଭୋଟ ସଂଖ୍ୟା ରହିଛି । ତେବେ ଜମ୍ମୁ କାଶ୍ମୀରରେ ଭୋଟିଂ ହୋଇ ନଥିବାରୁ, ୬ ହଜାର ୨୬୪ ଭୋଟ ବାଦ ପଡ଼ିବ । ଏଥିପାଇଁ ୫ ଲକ୍ଷ ୪୬ ହଜାର ୩୨୦ ଭୋଟ ହିଁ ମ୍ୟାଜିକ ଫିଗର । ବର୍ତ୍ତମାନ ବିଜେପି ଶାସିତ ରାଜ୍ୟ, ବିଜେପି ସାଂସଦ ଓ ସହଯୋଗୀ ଦଳଙ୍କ ଭୋଟ ସମୁଦାୟ ୫ ଲକ୍ଷ ୩୭ ହଜାର ୧୨୬ ରହିଛି । ଅବଶିଷ୍ଟ ୯ ହଜାର ୧୯୪ ଭୋଟ ପାଇଁ ବିଜେଡି ଓ ଓ୍ବାଇଏସଆର କଂଗ୍ରେସର ସମର୍ଥନ ଦରକାର । ତେବେ ସମଦୂରତା କଥାକୁ ପୁଣି ଦୋହରାଇଥିବା ନବୀନ, ଉଭୟ ଉପା ଓ ଏନଡିଏ ପାଇଁ ଚ୍ୟାଲେଞ୍ଜ ଛାଡ଼ିଛନ୍ତି ।

ବିଜେପି ଗତ ଥର ଭଳି ମେଣ୍ଟରେ ଥିବା ଦଳ ସହ ବିଜେଡିକୁ ସହଯୋଗ ମାଗିବ ବୋଲି ଦଳର ରାଜ୍ୟସ୍ତରୀୟ ନେତା ମତ ଦେଇଛନ୍ତି । ନବୀନ ବିଜେଡିର ପ୍ରାର୍ଥୀ ଚୟନ ସ୍ବାଧୀନତା କଥା ଉଠାଇବାରୁ କଂଗ୍ରେସ ରଣନୀତି ପରିବର୍ତ୍ତନ କରିବା ମୁଡରେ ରହିଛି । ତେବେ ନବୀନଙ୍କର ରାଷ୍ଟ୍ରପତି ପ୍ରାର୍ଥୀ ଚୟନର ମାପଦଣ୍ଡ ରାଜ୍ୟ ହିତରେ ଥିବାରୁ, ରାଜନୈତିକ ସମୀକ୍ଷକ ସ୍ବାଗତ କରିଛନ୍ତି । କାରଣ ରାଜ୍ୟର ମୁଖିଆ ଦେଶ ପାଇଁ ଉଚିତ୍ ପ୍ରାର୍ଥୀକୁ ସମର୍ଥନ ଦେବେ ।

ରାଷ୍ଟ୍ରପତି ନିର୍ବାଚନରେ ସବୁବେଳେ ବିଜେଡି ଗଣିତକୁ ଜାତୀୟ ରାଜନୀତି ଅପେକ୍ଷା କରିଥାଏ । ୨୦୧୧ରେ ସମସ୍ତଙ୍କ ଚକିତ କଲା ଭଳି ଆଞ୍ଚଳିକ ଦଳ ବିଜେଡି, ପୂର୍ବତନ ମେଘାଳୟ ମୁଖ୍ୟମନ୍ତ୍ରୀ ପିଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି ଘୋଷଣା କରିଥିଲା । ଅନ୍ୟପଟେ ସବୁ ସମୟରେ ବିଜେଡି ଏନଡିଏ ପ୍ରାର୍ଥୀକୁ ସମର୍ଥନ ଦେଇ ନଥାଏ ବୋଲି ନବୀନ କହିବା ପରେ, ବିଜେଡିର ଗୋଟି ଚାଳନା ଉପରେ ସାରା ଦେଶ ନଜର ରଖିଛି ।

ବନ୍ଧା ହେଲେ ବିଜେପି ବିଧାୟକ: ଗୁଣ୍ଡାରାଜକୁ ସବୁ ମହଲରେ ସମାଲୋଚନା

ଭୁବନେଶ୍ବର: ବିଡିଓଙ୍କୁ ମାଡ ମାରିବା ବିଜେପିର ଦେବଗଡ଼ ବିଧାକୟ ସୁବାସ ପାଣିଗ୍ରାହୀଙ୍କୁ ପଡିଲା ମହଙ୍ଗା । ସହଯୋଗୀଙ୍କ ସହ ବିଧାୟକଙ୍କୁ ବାନ୍ଧିଲା ପୋଲିସ । ଭୁବନେଶ୍ବରରୁ ଉଠାଇ ନେଲା ପୋଲିସର ସ୍ବତନ୍ତ୍ର ଟିମ୍ । ଜଣଙ୍କ ପରେ ଜଣେ ବିଜେପି ଲୋକ ପ୍ରତିନିଧିଙ୍କ ବିଶୃଙ୍ଖଳିତ ଆଚରଣକୁ ରାଜନୈତିକ ମହଲରେ କରାଯାଉଛି ତୀବ୍ର ନିନ୍ଦା । ଏପଟେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଫିସର ସଂଘ ଜଣାଇଲା ଧନ୍ୟବାଦ ।

ପୁଣି ହରଡ଼ଘଣାରେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ସୁବାସଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ବର ସରକାରୀ କ୍ବାର୍ଟର୍ସରୁ ବିଧାୟକଙ୍କୁ ଉଠାଇ ନେଇଛି ଦେବଗଡ଼ ପୋଲିସ । ବିଡିଓଙ୍କ‌ ଅଭିଯୋଗ ଆଧାରରେ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ । ଆଇନ ତିଆରି ଓ ରକ୍ଷା କରିବା ଦାୟିତ୍ବରେ ଥିବା ଜଣେ ବିଧାୟକ ଆଇନକୁ ହାତକୁ ନେଇ ପୋଲିସ ଦ୍ବାରା ବନ୍ଧା ହେବା ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂର୍ବରୁ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଦୁଇ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରି ମାମଲାରେ ଫସି ଜାମିନରେ ଅଛନ୍ତି । ଏବେ ବିଜେପି ବିଧାୟକଙ୍କ ଦାଦାଗିରିକୁ କଡ଼ା ସମାଲୋଚନା କରିଛି ବିଜେଡି । ମରଦପଣିଆ ଦେଖାଇବାକୁ ଜଣେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିବା ଗଣତାନ୍ତ୍ରିକ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

କଂଗ୍ରେସ ମଧ୍ୟ ପୋଲିସର ପଦକ୍ଷେପକୁ ସ୍ବାଗତ କରିଛି । ଆଇନ ଆଖିରେ ସମେସ୍ତ ସମାନ । ପୂର୍ବରୁ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ଦବଙ୍ଗଗିରି ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି । ବିଧାୟକ ହୋଇ ଯଦି ଏପରି ଅଧିକାରୀଙ୍କୁ ଆକ୍ରମଣ କରିବେ, ଆଇନକୁ ହାତକୁ ନେବେ, ଅନ୍ୟମାନଙ୍କୁ ବାଡ଼ାପିଟା ପାଇଁ ଉସୁକାଇେବ, ତା’ହେଲେ କାର୍ଯ୍ୟାନୁଷ୍ଠାନ ଜରୁରୀ । କଂଗ୍ରେସ ଏପରି ଦାଦାଗିରି କରୁଥିବା ବିଧାୟକଙ୍କୁ ସାବାଡ କରିବା ପାଇଁ ଦୃଢ ପଦକ୍ଷେପ ଦାବି କରିଥିବା ବେଳେ ବିଜେପି ନିଜ ବିଧାୟକଙ୍କ ସପକ୍ଷରେ ଯୁକ୍ତି ବାଢିଛି ।

ପୂର୍ବରୁ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି । ଗତ ମାର୍ଚ୍ଚ ମାସରେ ଧାନକିଣା ସମସ୍ୟା ଅଭିଯୋଗ ଆଣି ବିଧାନସଭା ଅଧବେଶନ ସମୟରେ ସାନିଟାଇଜର ପିଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଉଦ୍ୟମ କରି ଚାରିଆଡ଼ୁ ସମାଲୋଚନାର ଶିକାର ହୋଇଥିଲେ ସୁବାସ ପାଣିଗ୍ରାହୀ । ପୌର ନିର୍ବାଚନ ସମୟରେ ଟଙ୍କା ବାଣ୍ଟୁଥିବା ଜଣେ ବ୍ୟକ୍ତିଙ୍କୁ ମୁକାଳିବା ପାଇଁ ବିଧାୟକ ଥାନାରେ ପହଞ୍ଚିଥିଲେ । ସେ ଦୃଶ୍ୟ ବି ଖୁବ ଭାଇରାଲ ହୋଇଥିଲା ।

ସେପଟେ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଆସନ୍ତା କାଲି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦେଇଛି ବିଜେପି । ବିଜେପି ରାଜ୍ୟ ମୁଖପାତ୍ର ଧିରେନ ସେନାପତି ଦେଲେ ଦେବଗଡ଼ ବନ୍ଦ ଡାକରାର ସୂଚନା ।

ରହସ୍ୟମୟ ମଠ, ଘଣ୍ଟା ବାଜିଲେ ଆସନ୍ତି ବିଲେଇ

କେନ୍ଦ୍ରାପଡ଼ା: ରହସ୍ୟମୟ ମଠରେ ଆଶ୍ଚର୍ଯ୍ୟ କଲାଭଳି ଦୃଶ୍ୟ । ଭକ୍ତଙ୍କ ବଦଳରେ ବିଲେଇଙ୍କ ସମାଗମ । ଘଣ୍ଟା ବାଜିବା କ୍ଷଣି ଶ୍ରଦ୍ଧାଳୁ ନୁହେଁ ଏକତ୍ରିତ ହୋଇଥାନ୍ତି ବିଲେଇ ।ଠାକୁରଙ୍କ ପାଖରେ ପ୍ରସାଦ ଲାଗି ହେବା ପରେ ବିଲେଇଙ୍କୁ ପ୍ରସାଦ ଦିଆଯାଇଥାଏ । ଏଭଳି ଏକ ମନ୍ଦିର ରହିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ନିକିରେଇ ମଦନ ମୋହନ ମଠରେ ଭୋଗ ଲାଗିବା ପରେ ବିଲେଇ ପ୍ରଥମେ ପ୍ରସାଦ ଖାଇଥାନ୍ତି । ବିଲେଇଙ୍କୁ ଅନ୍ୟମାନେ ଅଶୁଭ ସଙ୍କେତ ଭାବେ ମାନୁଥିବା ବେଳେ ମଠର ମହନ୍ତ ଏମାନଙ୍କୁ ଶୁଭ ବୋଲି କହି ସେବା କରିଥାନ୍ତି ।

ରାଜ ରାଜୁଡ଼ା ଅମଳରୁ ନିକିରେଇରେ ମଦନ ମୋହନ ରହିଛନ୍ତି । ରାଜା ଭ୍ରମଣ କରିବାକୁ ଆସି ଏତେ ସଂଖ୍ୟାରେ ବିଲେଇଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମହନ୍ତଙ୍କ ପଛରେ ଶହ ଶହ ବିଲେଇ ଦେଖି ଖାଇବା ପାଇଁ ୫ ଏକର ସମ୍ପତ୍ତି ଦାନ କରିଥିଲେ । ସେହିଦିନ ଠାରୁ ଏଠାରେ ବିଲେଇଙ୍କୁ ପ୍ରସାଦ ଦିଆଯାଉଛି ।

ଅଲିଭ ରିଡଲେ କଇଁଛଙ୍କ ନୂଆ ଅନ୍ତୁଡ଼ିଶାଳ ଅସ୍ତରଙ୍ଗ ଉପକୂଳ

ପୁରୀ: ଗହିରମଥା ଭଳି ଅଲିଭ ରିଡଲେ କଇଁଛଙ୍କ ଏବେ ଅନ୍ତୁଡ଼ିଶାଳ ପାଲଟିଛି ପୁରୀର ଅସ୍ତରଙ୍ଗ ଉପକୂଳ । ଅନୁକୂଳ ଜଳବାୟୁ ପାଇଁ ହଜାର ହଜାର କଇଁଛି ଦେବୀ ନଦୀ ମୁହାଣ ମୁହାଁ । ଅଣ୍ଡାଦାନ ସରି ଏବେ କଇଁଛ ଶବକଙ୍କ ଜନ୍ମ ସମୟ । ଚଳିତବର୍ଷ ରେକର୍ଡ ସଂଖ୍ୟାରେ ଅଣ୍ଡା ଦେଇଥିବା ବେଳେ ଏଯାଏଁ ହାଚେରୀରୁ ୨୧ ହଜାର କଇଁଛ ଶାବକ ସମୁଦ୍ର ମଧ୍ୟକୁ ଗଲେଣି ।

ଏବେ ପ୍ରାକୃତିକ ବାସସ୍ଥଳୀ ମୁହାଁ ଅଲିଭ ରିଡେଲ ଶାବକ । ଅଣ୍ଡାରୁ ନୂଆ ଜୀବନ ପାଇବା ପରେ ନୀଳ ସମୁଦ୍ରରେ ନିଜକୁ ହଜାଇ ହେଉଛନ୍ତି । ସେତେ ଯେପରି ସାଗରର ଅଥଳ ଜଳାରାଶି ଏମାନଙ୍କୁ ଆଲିଙ୍ଗନ କରିବାକୁ ଚାହିଁ ବସିଛି । ହଜାର ହଜାର ସଂଖ୍ୟାରେ ଅଲିଭ ରିଡେଲ କଇଁଛ ଛୁଆ ସମୁଦ୍ରକୁ ଫେରିଯାଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ଦେବୀ ନଦୀ ମୁହାଣଠାରୁ ରାମଚଣ୍ଡୀ ମୁହାଁଣରେ । ଚଳିତବର୍ଷ ଅଲିଭ ରିଡେଲଙ୍କ ଅଣ୍ଡାଦାନ ବଢିଥିବା ପରିବେଶ ପ୍ରେମୀ କହିଛନ୍ତି ।

ଅନୁକୂଳ ଜଳବାୟୁ ପାଇଁ ଗତ କିଛିବର୍ଷ ହେଲା ଦେବୀ ନଦୀ ମୁହାଁଣ କଇଁଛଙ୍କ ଅନ୍ତୁଡ଼ିଶାଳ ପାଲଟିଛି । କଇଁଛଙ୍କ ଆଗମନ ବଢୁଥିବାରୁ କୋଣାର୍କ ଉପକୂଳରେ ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ସାମୁଦ୍ରିକ କଟକଣା ଜାରି କରାଯାଇଛି । ଅଲିଭ ରିଡଲେ କଇଁଛ ଅଣ୍ଡା ସୁରକ୍ଷିତ ଫୁଟାଇବାକୁ ୮ଟି ହାଚେରୀ ନିର୍ମାଣ କରାଯାଇଛି । ୬୨୦ଟି ବସାରୁ ୭୦ ହଜାର ଅଣ୍ଡା ସଂଗ୍ରହ କରାଯାଇଥିବା ବେଳେ ୨୧ ହାଜର କଇଁଛ ଶାବକଙ୍କୁ ସମୁଦ୍ରକୁ ଛଡ଼ାଗଲାଣି ।

ଚଳିତବର୍ଷ ଅସ୍ତରଙ୍ଗ ଉପକୂଳରେ ରେକର୍ଡ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିଛନ୍ତି । ପ୍ରାକୃତିକ ଓ କୃତ୍ରିମ ଉପାୟରେ ଛୁଆ ଫୁଟାଇବା ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୪୫ ଦିନ ପରେ ସୁରକ୍ଷିତ ଭାବେ ଛୁଆ ସମୁଦ୍ରକୁ ଯାଇଛନ୍ତି ।