ଶୁଦ୍ଧିକ୍ରିୟା ସରିଥିଲା, ମାସିକ ଶ୍ରାଦ୍ଧ ବି ହେଉଥିଲା…

ନିଆଳି: ଶୁଦ୍ଧିକ୍ରିୟା ସରିଛି, ମାସିକ ଶ୍ରାଦ୍ଧ ମଧ୍ୟ ଦିଆ ହେଉଛି । ହିନ୍ଦୁ ଶାସ୍ତ୍ର ଅନୁସାରେ ସେ ମୃତ । ହେଲେ ଏବେ ସେ ଘରକୁ ଫେରୁଛନ୍ତି । ଯେଉଁଥି ପାଇଁ ଗାଁରେ ଏବେ ଆନନ୍ଦର ମାହୋଲ । ଏପରି ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଉରାଳି ପଞ୍ଚାୟତ ସଇଁଦା ଗ୍ରାମରେ । ଏହି ଗ୍ରାମର ସ୍ୱପ୍ନେଶ୍ୱର ଦାଶ ଦୀର୍ଘ ୨୭ ବର୍ଷ ହେଲା ନିଖୋଜ ହୋଇଯାଇଥିଲେ ।

ବହୁ ଖୋଜାଖୋଜି କଲା ପରେ ମଧ୍ୟ ପରିବାର ସଦସ୍ୟ ସ୍ୱପ୍ନେଶ୍ୱରଙ୍କର କୌଣସି ସନ୍ଧାନ ପାଇନଥିଲେ । ତେଣୁ ନିଖୋଜର ୨୪ ବର୍ଷ ପରେ ପରିବାର ଶୁଦ୍ଧି ହୋଇ ବାର୍ଷିକ ଶ୍ରାଦ୍ଧ ଦେବା ଆରମ୍ଭ କରିଥିଲେ । ହେଲେ ଏବେ ସ୍ୱପ୍ନେଶ୍ୱରଙ୍କର ସନ୍ଧାନ ମିଳିଛି । ଉତ୍ତର ପ୍ରଦେଶର ଭରତପୁର ଜିଲ୍ଲାର ଅପନା ଘର ନାମକ ଏକ ଅନୁଷ୍ଠାନରେ ସ୍ୱପ୍ନଶ୍ୱର ଥିବା ଖବର ମିଳିବା ପରେ ତାଙ୍କ ପୁଅ ସଞ୍ଜୟ ଦାଶ ଓ ଜଣେ ସମାଜସେବୀ ଜ୍ୟେତିର୍ମୟ ବେଉରା ଏବେ ସେଠାରେ ପହଞ୍ଚି ସ୍ୱପ୍ନେଶ୍ୱରଙ୍କୁ ଘରକୁ ଆଣୁଛନ୍ତି । ଯେଉଁଥି ପାଇଁ ସଇଁଦା ଗାଁରେ ଏବେ ଆନନ୍ଦ ଖେଳି ଯାଇଛି । ସମସ୍ତେ ଅପେକ୍ଷା କରିଛନ୍ତି ସ୍ୱପ୍ନେଶ୍ୱରଙ୍କୁ ସ୍ୱାଗତ କରିବା ପାଇଁ ।