ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା: ମିଳିନି ରାଗିଂ ସୁରାକ, ତଦନ୍ତ ଜାରି

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ତଦନ୍ତ ବେଳେ ପୋଲିସକୁ ରାଗିଂ ନେଇ ମିଳିନି କୌଣସି ସୁରାକ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଘଟଣାର ସମ୍ବେଦନଶୀଳତାକୁ ନେଇ ତୁରନ୍ତ ତଦନ୍ତ କରାଯାଇଥିଲା । ୧୯୮ଜଣ ପୋଲିସ ସ୍କାନରରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ଛାତ୍ରୀ, ସାଙ୍ଗ ଓ ସଂପର୍କୀୟଙ୍କୁ ପଚରାଉଚରା କରାଯାଇଛି ।

ହଷ୍ଟେଲ ଓ କଲେଜ ଷ୍ଟାଫଙ୍କୁ ମଧ୍ୟ ପଚରାଉଚରା ହୋଇଛି । ରୁଚିକାଙ୍କ ରୁମରୁ ତାଙ୍କ ମୋବାଇଲ ମିଳିଥିଲା । ଫୋନରୁ ଡାଟା ଜାଣିବାକୁ ସିଙ୍ଗାପୁର ପଠାଯିବ । ରାଗିଂ କରିଥିବା କୌଣସି ଛାତ୍ରୀ ସ୍ବୀକାର କରିନାହାନ୍ତି । ତଦନ୍ତ ବେଳେ ରାଗିଂ ନେଇ କୌଣସି ପ୍ରମାଣ ମିଳିନି । ଛାତ୍ରୀଙ୍କ ଉପରେ ଯେପରି ଚାପ ନପଡ଼େ ତାଉପରେ ଗୁରୁତ୍ୱ ଦିଆଯାଇଛି । ନିର୍ଭୟରେ ତଥ୍ୟ ଯୋଗାଇବାକୁ ଛାତ୍ରୀଙ୍କୁ କୁହାଯାଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ନମ୍ବର ମଧ୍ୟ ପୋଲିସ ପକ୍ଷରୁ ଜାରି କରାଯାଇଛି  । ସାଇବର ଓ ଏକ୍ସପର୍ଟଙ୍କ ସହଯୋଗ ନିଯାଇଛି  । ତଦନ୍ତ ଜାରି ରହିଛି ଖୁବଶୀଘ୍ର କିଛି ତଥ୍ୟ ମିଳିବା ଆଶା କରାଯାଉଛି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ ।

ସୂଚନାଥାଉକି ନିକଟରେ ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା କରିଥିଲେ  । ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଛାଡି ଯାଇଥିଲେ  । ଯେଉଁଥିରେ ରାଗିଂ କଥା ଉଲ୍ଲେଖ କରାଯାଇଥିଲା  । ୩ ଜଣ ତାଙ୍କ ଉପରେ ଅତ୍ୟାଚାର କରିଥିବା କଥା ନୋଟରେ ଉଲ୍ଲେଖ କରିଥିଲେ  । ହେଲେ ସେ ତିନିଜଣ ଛାତ୍ରୀଙ୍କ ନାଁ ଉଲ୍ଲେଖ କରିନଥିଲେ  । ଏବେ ପୋଲିସ ସେହି ସିନିୟରଙ୍କୁ ଖୋଜୁଛି  ।