କମେଣ୍ଟମରାରୁ ଯୁବକଙ୍କୁ ଆକ୍ରମଣ, ମେଡିକାଲରେ ମୃତ୍ୟୁ

କୋରାପୁଟ: କମେଣ୍ଟମରାକୁ ନେଇ ମହାଭାରତ । କୋରାପୁଟରେ ୨ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଲା ପୋଲିସ । ପୋଲିସର ବୟାନ ଅନୁସାରେ ଗତ ୨୨ ତାରିଖରେ ଚୌଧୁରୀ କୁମାର ମହାନ୍ତିଙ୍କ ପୁଅ ବିବେକ ତାଙ୍କ ବାନ୍ଧବୀଙ୍କ ସହ ବାଇକରେ ଯାଉଥିବାବେଳେ ରଙ୍ଗାବାଲିରେ ୪ଜଣ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିଲେ ।

ଏହାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏହି ୪ ଅଭିଯୁକ୍ତ ଥିଲେ ବାବୁଲା ପରଜା, ଶିବ ପରଜା, ଦାଶରଥି ପରଜା ଓ ଅନ୍ୟ ଜଣେ ନାବାଳକ । ସେମାନଙ୍କ ମାଡ଼ରେ ବିବେକ ଗୁରୁତର ହୋଇଥିଲେ । ତାଙ୍କ ବାନ୍ଧବୀ ଏକ ବୋଲେରକୁ ସହାୟତା ମାଗି ବିବେକଙ୍କୁ ତୁରନ୍ତ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଇଥିଲେ । ମାତ୍ର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖପାଟଣା ନିଆଯାଇଥିଲା । ମାତ୍ର ସେଠାରେ ଗତ ୨୮ତାରିଖରେ ବିବେକଙ୍କ ମୃତ୍ୟୁ ଘଟିଥିଲା ।

୨୨ ତାରିଖରେ ହୋଇଥିବା ଗଣ୍ଡଗୋଳ ନେଇ ଟାଉନ ଥାନାରେ ବିବେକଙ୍କ ବାପା ୨୩ ତାରିଖରେ ଏକ ଏତଲା ଦାୟର କରିଥିଲେ । ଏଫଆଇଆର ଦାୟର ହେବା ପରେ ଆଇଆଇସି ୩ ଜଣଙ୍କୁ ଧରିଥିଲେ । ପରେ ପୋଲିସ ଜାଣିବାକୁ ପାଇଥିଲା ଘଟଣା ଘଟିବା ଦିନ ଅଭିଯୁକ୍ତ ବାବୁଲା ପରଜା ଦୁଇ ଅଭିଯୁକ୍ତଙ୍କ ସହ ବାଇକରେ ଚାଲିଯାଉଥିବାବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲା ।