କୋର୍ଟରେ ପହଞ୍ଚିଲା ମସ୍କ ଓ ଟ୍ବିଟର ଲଢେଇ, ୧୭ରୁ ଶୁଣାଣି

ୱାଶିଂଟନ: ଏଲନ ମସ୍କ ଓ ଟ୍ବିଟର ଲଢେଇ ଏବେ କୋର୍ଟରେ ପହଞ୍ଚିଛି  । ପାଖାପାଖି ୪୪ ବିଲିଅନ ଡଲାର ଚୁକ୍ତି ରଦ୍ଦ ପରେ ଟେସଲା ସିଇଓ ଏଲନ ମସ୍କ କୋର୍ଟରେ ପହଞ୍ଚିଛନ୍ତି  । ମସ୍କଙ୍କ ଟିମ ୧୬୪ ପୃଷ୍ଠା ସମ୍ବଳିତ ହଲଫନାମା କୋର୍ଟରେ ଦାଏର କରିଛନ୍ତି  । ଯେଉଁଥିରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ବିଟର ଆଣିଥିବା ଅଭିଯୋଗର ଉତ୍ତର ବି ସାମିଲ ରହିଛି  । ଆସନ୍ତା ଅକ୍ଟୋବର ୧୭ରୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ମାମଲାର ଶୁଣାଣି ହେବ  ।

ଗତ ଶୁକ୍ରବାର ଦିନ ଏଲନ ମସ୍କ ଟ୍ବିଟର ଦ୍ବାରା ପଠାଯାଇଥିବା ଅଭିଯୋଗର ଉତ୍ତର ପଠାଇଥିଲେ  । ଖୁବଶୀଘ୍ର ଅଦାଲତର ନିୟମାନୁସାରେ ସଂଶୋଧିତ ସଂସ୍କରଣ ସାର୍ବଜନିକ କରାଯିବ   ।

 

ଏଲନ ମସ୍କଙ୍କ ସହିତ ଟ୍ବିଟରର ଚୁକ୍ତି ରଦ୍ଦ ହେବ କି ନାହିଁ ଆସନ୍ତା ଶୁଣାଣିରେ ଏହା ନିର୍ଦ୍ଧାରିତ ହେବ  । ମସ୍କ ୪୪ ଆରବ ଆମେରିକୀୟ ଡଲାରରେ ଅଂଶଧନ କିଣିବା ପାଇଁ ଟ୍ବିଟର ତାଙ୍କ ଉପରେ ଚାପ ପକାଉଛି । କମ୍ପାନୀ ଚାହୁଁଛି ଏହି ଚୁକ୍ତି ଖୁବଶୀଘ୍ର ହେଉ  । କାରଣ ଏଥିପାଇଁ ଟ୍ବିଟରର ବ୍ୟବସାୟରେ କ୍ଷତି ସହିବାକୁ ପଡୁଛି।

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ମସ୍କ ଟ୍ବିଟର ପ୍ରତି ସେୟାରକୁ ୫୪.୨୦ ଆମେରିକୀୟ ଡଲାରରେ କିଣିବା ପାଇଁ ପ୍ରତିଶୃତି ଦେଇଥିଲେ  । କିନ୍ତୁ ଏବେ ସେ ଚୁକ୍ତି ରଦ୍ଦ କରିବା ପାଇଁ ଘୋଷଣା କରିଛନ୍ତି  । ଟ୍ବିଟର ଭୁଲ କାଗଜପତ୍ର ଦେଇଥିବା ଅଭିଯୋଗ କରିଥିଲେ  ମସ୍କ  । ଫଳରେ ୪୪ ଆରବ ଡଲାରରେ ଟ୍ବିଟର ଅଂଶଧନ ନ କିଣିବା ପାଇଁ ସେ ଘୋଷଣା କରିଥିଲେ । ମସ୍କ କହିଥିଲେ ଯେ ଟ୍ବିଟର ନିଜ ଦାୟିତ୍ବର ଉଲ୍ଲଙ୍ଘନ କରିଛି  । ଏହା ସହ ସ୍ପାମ ଖାତାଙ୍କ ସଂଖ୍ୟା କହିପାରିନାହିଁ ଟ୍ବିଟର  ।