spot_img
Home Blog Page 4221

ଆଇଏଏସଙ୍କ ସଫଳ କାହାଣୀ: ମାଟ୍ରିକରେ ଥାର୍ଡ ଡିଭିଜନ, UPSC ପରୀକ୍ଷାର ଟପ୍ ୧୦୦ରେ

ପାଟଣା: ଦୃଢ଼ ମନବଳ ଓ ଇଚ୍ଛାଶକ୍ତି ଆଗରେ ସବୁ ସମ୍ଭବ । ଯାହାକୁ ଯଥାର୍ଥ କରି ଦେଖାଇଛନ୍ତି ଆଇଏଏସ ଅଓ୍ବନିସ କୁମାର ଶରଣ । ମାଟ୍ରିକରେ ଥାର୍ଡ ଡିଭିଜନ ପାଇଥିବା ଅଓ୍ବନିସ ଆଜି ହୋଇ ପାରିଛନ୍ତି ଆଇଏଏସ । ଏହା କେବଳ ସମ୍ଭବ ହୋଇଛି ତାଙ୍କ ଦୃଢ଼ ମନବୋଳ ଓ ଆତ୍ମବିଶ୍ବାସ ଯୋଗୁ । ସେତିକି ନୁହେଁ, ପର୍ସେଣ୍ଟେଜ୍ ପଛରେ ଧାଉଁଥିବା ଆଜିର ଯୁବପୀଡ଼ିଙ୍କ ପାଇଁ ସେ ଏକ ଉଦାହାରଣ ସାଜିଛନ୍ତି ।

ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଇଏଏସ ଅଓ୍ବନିସଙ୍କ ସଫଳତାର କାହାଣୀ । ମାଟ୍ରିକରେ ଥାର୍ଡ ଡିଭିଜନ ପାଇ ଥିବା ଅଓ୍ବନିସ ୟୁପିଏସସିରେ ହାସଲ କରିଛନ୍ତି ସଫଳତା । ଅଓ୍ବନିସଙ୍କ ଏହି ସଫଳତା ମାର୍କ ପଛରେ ଗୋଡ଼ାଉଥିବା ପିଲାଙ୍କୁ ଆଶ୍ଚର୍ଯ୍ୟ କରିଛି । ନିଜେ ଟ୍ବିଟ କରି ଆଏଏସ୍ ଅଓ୍ବନିସ ଯେତେବେଳେ ତାଙ୍କ ମାଟ୍ରିକ ମାର୍କସିଟ ପୋଷ୍ଟ କଲେ, ତାହା ସାଙ୍ଗେ ସାଙ୍ଗେ ଭାଇରାଲ ହୋଇଯାଇଥିଲା । ମାଟ୍ରିକରେ ମାତ୍ର ୪୪ ପ୍ରତିଶତ ମାର୍କ ରଖିଥିବା ଅଓ୍ବନିସ ୨୦୦୯ ବ୍ୟାଚ୍ ୟୁପିଏସସି ପରୀକ୍ଷାରେ ଟପ୍ ୧୦୦ରେ ରହିଥିଲେ ।

ଯୁକ୍ତ ୨ରେ ଅଓ୍ବନିସଙ୍କର ୬୫ ପ୍ରତିଶତ ଓ ଯୁକ୍ତ ୩ରେ ୬୦ ପ୍ରତିଶତ ମାର୍କ ରହିଥିଲା । ପରୀକ୍ଷାରେ କମ୍ ମାର୍କ ରହୁଥିଲେ ବି ଲକ୍ଷ୍ୟ ସ୍ଥଳରୁ କେବେ ବି ହଟି ନଥିଲେ ଛତିଶଗଡ଼ କ୍ୟାଡରର ଏହି ଆଏଏସ୍ ଅଫିସର ।

ବିହାରର ଅଓ୍ବନିସଙ୍କ ଜନ୍ମ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ । ସ୍କୁଲ ବେଳୁ ସେତେ ଭଲ ଛାତ୍ର ନଥିଲେ । ହେଲେ ଏକ ସାକ୍ଷାତକାର ତାଙ୍କ ଆତ୍ମବିଶ୍ବାସ ବଢ଼ାଇ ଦେଇଥିଲା । ଏହି ସାକ୍ଷାତକାରଟି ଥିଲା ଆଇଏଏସ୍ ଲୋକେଶ କୁମାର ସିଂଙ୍କର । ଯାହା ଅଓ୍ବନିସଙ୍କ ଜୀବନର ଲକ୍ଷ୍ୟକୁ ମଜଭୁତ କରିଥିଲା । ସର୍ବଭାରତୀୟ ଲୋକସେବା ଆୟୋଗ ବା ୟୁପିଏସସି ପରୀକ୍ଷା ପାଇଁ ନିଷ୍ଠାର ସହ ଆରମ୍ଭ କରିଥିଲେ ପ୍ରସ୍ତୁତି । ୨୦୦୯ ୟୁପିଏସସି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏବେ ଛତିଶଗଡ଼ରେ କାର୍ଯ୍ୟରତ ଅଛନ୍ତି ।

ବିବାହ ବନ୍ଧନରେ ବାନ୍ଧିହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍

ଚଣ୍ଡିଗଡ଼: ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ୍ । ଡକ୍ଟର ଗୁରପ୍ରୀତ କୌରଙ୍କୁ ବିବାହ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଚଣ୍ଡିଗଡ଼ର ସେକ୍ଟର ୮ ସ୍ଥିତ ଗୁରୁଦ୍ୱାରା ସାହିବରେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ଆମ ଆଦମୀ ପାର୍ଟିର ବହୁ ବିଧାୟକ ନେତା ବିବାହ ଉତ୍ସବରେ ସାମିଲ ହୋଇଥିଲେ । ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ୱାଲ, ରାଘବ ଚଡ୍ଡା ପ୍ରମୁଖ ମାନଙ୍କ ବିବାହ ଉତ୍ସବରେ ଯୋଗଦେଇଥିଲେ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଓ ପ୍ରଥମ ପତ୍ନୀଙ୍କ ମଧ୍ୟରେ ୨୦୧୫ରେ ବିବାହ ବିଚ୍ଛେଦ ହୋଇଥିଲା । ପ୍ରଥମ ବିବାହରୁ ମାନଙ୍କ ଦୁଇ ସନ୍ତାନ ଅଛନ୍ତି । ପିଲାମାନେ ମାଆଙ୍କ ସହ ସେମାନେ ଏବେ ଆମେରିକାରେ ରହୁଛନ୍ତି । ମାନ୍ ରାଜନୀତିକୁ ଆସିଥିବାରୁ ସେ ଖୁସି ନ ଥିଲେ ବୋଲି କୁହାଯାଉଛି । ପରିବାର ଛାଡ଼ି ସେ ପଞ୍ଜାବକୁ ବାଛିଛନ୍ତି ବୋଲି ପ୍ରଥମ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପରେ ଭଗବନ୍ତ ମାନ୍ କହିଥିଲେ ।

ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍

ଲଣ୍ଡନ: ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ବ୍ରିଟେନରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଇସ୍ତଫା ଦେଲେ ବୋରିସ୍ ଜନସନ୍ । ଇସ୍ତଫା ନେଇ ବ୍ରିଟିଶ୍ ଗଣମାଧ୍ୟମରେ ଚର୍ଚ୍ଚା । ମନ୍ତ୍ରୀମଣ୍ଡଳରେ ବିଦ୍ରୋହ ପରେ ଇସ୍ତଫା ଦେଲେ ଜନସନ୍ । ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ବିରୋଧ କରି ଜଣଙ୍କ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଜନସନ୍ ଶାସନ କରିବାକୁ ଅକ୍ଷମ ବୋଲି ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ବୋରିସ୍ ଜନସନ୍ କ୍ରିସ୍ ପିଞ୍ଚରଙ୍କୁ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେବା ପରେ ମନ୍ତ୍ରୀମାନେ ବିଦ୍ରୋହ ଆରମ୍ଭ କରିଥିଲେ । ଯୌନ ନିର୍ଯାତନା ଅଭିଯୋଗ ସତ୍ତ୍ୱେ ବୋରିସ ଜନସନ୍ ଉପମୁଖ୍ୟ ସଚେତକ ଭାବେ କ୍ରିସ ପିଞ୍ଚରଙ୍କୁ ନିଯୁକ୍ତି ଦେଇଥିଲେ । ପିଞ୍ଚରଙ୍କ ନିଯୁକ୍ତିକୁ ବିରୋଧୀ ଦଳ ସମେତ ଜନସନଙ୍କ ନିଜ ଦଳର ଅନେକ ସଦସ୍ୟ ଓ ମନ୍ତ୍ରୀ ବିରୋଧ କରିଥିଲେ । ବିରୋଧ ପରେ ପିଞ୍ଚର ଇସ୍ତଫା ଦେଇଥିଲେ ମଧ୍ୟ ଘଟଣା ନେଇ ଡାଉନିଂ ଷ୍ଟ୍ରିଟ  ଆଭିମୁଖ୍ୟକୁ ସମାଲୋଚନା କରାଯାଇଥିଲା । ଯୌନ ନିର୍ଯାତନାର ଅଭିଯୋଗ ସତ୍ତ୍ୱେ ପିଞ୍ଚରଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ଜନସନ ଡେପୁଟି ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତ କଲେ, ସେ ନେଇ ପ୍ରଶ୍ନ ଉଠିଛି । ଏ ପ୍ରସଙ୍ଗରେ ଜନସନଙ୍କୁ ବିରୋଧ କରି ପ୍ରଥମେ ଅର୍ଥ ମନ୍ତ୍ରୀ ଋଷି ସୁନକ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ସାଜିଦ ଜାଭେଦ ଇସ୍ତଫା ଦେଇଥିଲେ । ଏହା ପରେ ଇସ୍ତଫାର ସୁଅ ଆରମ୍ଭ ହୋଇଛି ।

ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠୁ ଟି-୨୦ ସିରିଜ୍, ଦଳକୁ ଫେରିଛନ୍ତି ରୋହିତ ଶର୍ମା

ଲଣ୍ଡନ: ଆଜିଠାରୁ ଆରମ୍ଭ ହେଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ । ହମ୍ପସାୟାରର ଏଜେସ୍ ବାଓ୍ୱେଲରେ ଖେଳାଯିବ ଏହି ମ୍ୟାଚ । ଆଜିର ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମଣ ପରେ ପୁଣି ଥରେ ଦଳକୁ ଫେରିବେ । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଆଉ ମାତ୍ର ଦୁଇ ମାସ ବାକିଥିବା ବେଳେ ଭାରତ ପରୀକ୍ଷା ନିରୀକ୍ଷା ବନ୍ଦ କରି ଏହି ମେଗା ଇଭେଣ୍ଟ ପାଇଁ ନିଜର ଶ୍ରେଷ୍ଠ ଟିମ୍ ଚୂଡ଼ାନ୍ତ କରିବା ଲକ୍ଷ୍ୟରେ ରହିଛି । ଆଉ ଇଂଲଣ୍ଡ ବିପକ୍ଷ ସିରିଜ ଏ ଦିଗରେ ଏକ ସୁଯୋଗ ଆଣିଛି ।

ଏହାଛଡ଼ା ପଞ୍ଚମ ଟେଷ୍ଟରେ ଖେଳିଥିବା ବିରାଟ କୋହଲି, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, ଶ୍ରେୟସ ଆୟର ଓ ଋଷଭ ପନ୍ତ ଦ୍ୱିତୀୟ ମ୍ୟାଚରୁ ଉପଲବ୍ଧ ହେବେ । ଏସବୁ ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ଋତୁରାଜ ଓ ସଞ୍ଜୁ ସାମସନଙ୍କ ଭଳି ରିଜର୍ଭ ଖେଳାଳିଙ୍କ ପାଇଁ ବିଶ୍ୱକପ ସମ୍ଭାବ୍ୟ ଦଳରେ ସ୍ଥାନ ପାଇବା ଲାଗି ଦାବି ଉପସ୍ଥାପନ କରିବାକୁ ସୁଯୋଗ ହେବ । ସେପଟେ ଇୟାମ ମୋର୍ଗାନଙ୍କ ଅବସର ପରେ ଏହି ସିରିଜରୁ ଜୋସ ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡ ଟି-୨୦ ଦଳର ନୂଆ ଯୁଗ ଆରମ୍ଭ ହେବ ।

ଭିଜିଲାନ୍ସ ଜାଲରେ DIC ଅଫିସ ସୁପରଭାଇଜର, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ନାରାୟଣ

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ DIC ଅଫିସରେ କାର୍ଯ୍ୟରତ ସୁପରଭାଇଜର ନାରାୟଣ ପଟ୍ଟନାୟକ । ଖଦି ଓ ଗ୍ରାମ ଉଦ୍ୟୋଗ ବିଭାଗର ସୁପରଭାଇଜର ଭାବେ କାର୍ଯ୍ୟରତ । ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ନାରାୟଣ । ରତ୍ନାକର ସାହୁଙ୍କଠାରୁ ଅର୍ଥ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ନାରାୟଣ ପଟ୍ଟନାୟକ । ସବସିଡ୍ ଟଙ୍କା ରିଲିଜ୍ ପାଇଁ ଲାଞ୍ଚ ନେଉଥିବା ବେଳେ, ତାଙ୍କ ଗିରଫ କରାଯାଇଛି । ସମସ୍ତ ଟଙ୍କାକୁ ସିଜ୍ କରାଯାଇଥିବାବେଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ।

ଭାରତରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ, ସତର୍କ କଲା WHO

ନୂଆଦିଲ୍ଲୀ: ଭାରତରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଓମିକ୍ରନର ସବ୍ ଭାରିଆଣ୍ଟ BA.2.75କୁ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ଓମିକ୍ରନର ସବ୍ ଭାରିଆଣ୍ଟ ଠାବ ହେବାକୁ ନେଇ ଚିନ୍ତା ବ୍ୟକ୍ତ କରିଛି WHO । ଏହାସହ ବିଶେଷଜ୍ଞ ଏହା ଉପରେ ନଜର ରଖିଛନ୍ତି ବୋଲି ଏକ ପ୍ରେସମିଟରେ WHOର ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ ପୂରା ବିଶ୍ୱରେ କରୋନା ସଂକ୍ରମଣ ୩୦ ପ୍ରତିଶତ ବୃଦ୍ଧି ପାଇଛି । ୟୁରୋପରେ BA-4, ଆମେରିକାରେ BA.5 ଭାରିଆଣ୍ଟ ଯୋଗୁ ସଂକ୍ରମଣ ବଢ଼ୁଥିବା ବେଳେ ଭାରତରେ ଓମିକ୍ରନର ସବ୍ ଭାରିଆଣ୍ଟ BA.2.75 ଠାବ ହୋଇଛି ବୋଲି WHO ପକ୍ଷରୁ କୁହାଯାଇଛି । ପ୍ରଥମେ ଭାରତରେ ଚିହ୍ନଟ ହେବା ପରେ ଏହି ଭାରିଆଣ୍ଟ ଅନ୍ୟ ୧୦ ଦେଶରେ ମଧ୍ୟ ଚିହ୍ନଟ ହୋଇଛି ।

ପୁଣି ବିଜେବି କଲେଜରେ ରାଗିଂ ଅଭିଯୋଗ, ବଡ଼ଗଡ଼ ଥାନାରେ ଅଭିଯୋଗ କଲେ ସଂପୃକ୍ତ ଛାତ୍ର

ଭୁବନେଶ୍ୱର: ପୁଣି ବିଜେବି କଲେଜରୁ ଆସିଲା ରାଗିଂ ଅଭିଯୋଗ । ଏଥର ଛାତ୍ରୀ ନୁହନ୍ତି, ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଆସିଛି । କୌଣସି ସିନିୟର ଛାତ୍ର ନୁହନ୍ତି, ସହପାଠୀ ରାଗିଂ କରିଥିବା ଜଣେ ଛାତ୍ର ଅଭିଯୋଗ କରିଛନ୍ତି । ରାଗିଂର ଶିକାର ହୋଇଛନ୍ତି ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ରୁଦ୍ର ନାରାୟଣ ପାତ୍ର । ହଷ୍ଟେଲରେ ରହୁଥିବା ତାଙ୍କ ସହପାଠୀ ତାଙ୍କୁ ଗାଡ଼ି କାହିଁକି ଆଣୁଛୁ ବୋଲି କହି କଲେଜରେ ଉଠବସ କରାଇବା ସହ ମାରଧର କରୁଥିବା ରୁଦ୍ର ଅଭିଯୋଗ କରିଛନ୍ତି ।

ରୁଦ୍ର ଜଣେ ଡେସ୍କଲାର ହୋଇଥିବା ବେଳେ ଆମ୍ବେଦକର ହଷ୍ଟେଲ୍‌ରେ ରହୁଥିବା ତାଙ୍କ ସହପାଠୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଧ୍ୟାପକଙ୍କ ସାମ୍ନାରେ ରାଗିଂ କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଛାତ୍ର ରୁଦ୍ର ନାରାୟଣ ପାତ୍ର । ବଡ଼ଗଡ଼ ଥାନାରେ ଅଭିଯୋଗ କଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି । ଛାତ୍ରୀ ରୁଚିକା ମହାନ୍ତି ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା ନେଇ ଉଦବେଗ ପ୍ରକାଶ ପାଇଥିବା ବେଳେ ଜଣେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ ଜଟିଳ ସ୍ଥିତି ସୃଷ୍ଟି କରିଛି ।

୪୧ ବର୍ଷରେ ପାଦ ଦେଲେ ମହେନ୍ଦ୍ର ସିଂ ଧୋନୀ

ଲଣ୍ଡନ: ୪୧ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କୁ ଚାରିଆଡୁ ଛୁଟିଛି ଜନ୍ମଦିନର ଶୁଭେଚ୍ଛାର ସୁଅ । ତେବେ ଚଳିତ ବର୍ଷ ଇଂଲଣ୍ଡରେ ଜନ୍ମଦିନ ମନାଇଛନ୍ତି ଧୋନୀ । ପତ୍ନୀ ସାକ୍ଷୀ ଧୋନୀଙ୍କ ସହ ଟିମ୍ ଇଣ୍ଡିଆର ଷ୍ଟାର ଓ୍ୱିକେଟ କିପର ଋଷଭ ପନ୍ତ ଓ ଅନ୍ୟ ବନ୍ଧୁଗଣଙ୍କ ଉପସ୍ଥିତିରେ ମାହି କେକ୍ କାଟିଥିଲେ । ବର୍ଥଡେ ସେଲିବ୍ରେସନ ବେଳର ଭିଡିଓ ସାକ୍ଷୀ ଧୋନୀ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭାରତୀୟ କ୍ରିକେଟ ଟିମର ଜଣେ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କ ନେତୃତ୍ୱରେ ଟିମ୍ ୨୦୦୭ରେ ଟି-୨୦ ବିଶ୍ୱକପ୍, ୨୦୧୧ରେ ଦିନିକିଆ ବିଶ୍ୱକପ୍ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ଟିମ୍ ଇଣ୍ଡିଆ ।

ଧୋନୀ ୩୫୦ଟି ଅନ୍ତରାଷ୍ଟ୍ରୀୟ ଦିନିକିଆରେ ୫୦.୫୭ ଆଭରେଜରେ ୧୦ ହଜାର ୭୭୩ ରନ୍ କରିଥିଲେ । ଏଥିରେ ୧୦ଟି ଶତକ ଓ ୭୩ଟି ଅର୍ଦ୍ଧଶତକ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୮୩ । ସେ ଓ୍ୱିକେଟ କିପର୍ ଭାବେ ୪୪୪ ଜଣଙ୍କୁ ଆଉଟ୍ କରିଛନ୍ତି । ତାଙ୍କସହ ସେ ୯୦ଟି ଟେଷ୍ଟରେ ୪ ହଜାର ୮୭୬ ରନ୍ କରିଥିବା ବେଳେ ୯୮ଟି ଟି୨୦ରେ ୧୬୧୭ ରନ୍ କରିଛନ୍ତି ।

 

ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ, ସ୍ଥିତି ମୁକାବିଲା ପାଇଁ ଏକନାଥ ସିନ୍ଦେଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁମ୍ବାଇ: ମୌସୁମୀ ବର୍ଷାରେ ବେହାଲ ଅଧିକାଂଶ ରାଜ୍ୟ । ମୁଶଳଧାରାରେ ବର୍ଷା, ଲ୍ୟାଣ୍ଡସ୍ଲାଇଡ, ବନ୍ୟା ଯୋଗୁ ସ୍ଥିତି ସଙ୍ଗୀନ । ମହାରାଷ୍ଟ୍ରରେ ଅତି ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଜୁଲାଇ ୮ ତାରିଖ ଯାଏ ପୂରା ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଘର ଆଗରେ ବର୍ଷା ପାଣି ଜମି ରହିଛି । ରେଲଓ୍ୱେ ଟ୍ରାକଗୁଡ଼ିକ ବର୍ଷା ପାଣିରେ ବୁଡ଼ି ରହିଥିବାରୁ ସେଣ୍ଟ୍ରାଲ ରେଲଓ୍ବେର କେତେକ ଟ୍ରେନ ବିଳମ୍ବରେ ଚାଲୁଛି । ଅନେକ ବସର ରୁଟ ବଦଳାଇ ଦିଆଯାଇଛି ।

ମୁମ୍ବାଇ ସମେତ ଦିଲ୍ଲୀ, ପଞ୍ଜାବ, ହରିୟାଣାରେ ମଧ୍ୟ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ମହାରାଷ୍ଟ୍ରରେ ବର୍ଷା, ଲ୍ୟାଣ୍ଡସ୍ଲାଇଡ ଯୋଗୁ ଗତ ୭ ଦିନ ମଧ୍ୟରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଶହ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ୧୦ ଜିଲ୍ଲାରେ ୧୩ଟି NDRF ଓ ଦୁଇଟି SDRF ଟିମ୍ ମୁତୟନ ହୋଇଛନ୍ତି । ସେପଟେ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ସୁରକ୍ଷା ଦୃଷ୍ଟିରୁ ସମସ୍ତ ସ୍କୁଲ କଲେଜ ଆଜି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାଙ୍ଗାଲୁରୁରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଛି । ରେସ୍କ୍ୟୁ ଅପରେସନ ଜୋରଦାର କରିବାକୁ ଏନଡିଆରଏଫ ଓ ଏସଡିଆରଏଫ ଟିମକୁ ଆଲର୍ଟ କରାଯାଇଛି ।

ପିଟି ଉଷା, ଇଲାଇୟାରାଜାଙ୍କ ସମେତ ଏହି ଚାରି ଜଣ ଯିବେ ରାଜ୍ୟସଭା

ନୂଆଦିଲ୍ଲୀ: ରାଜ୍ୟସଭା ପାଇଁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା । ତାଙ୍କ ସହ ସଙ୍ଗୀତକାର ଇଲାଇୟାରାଜା, ଫିଲ୍ମର କାହାଣୀ ଲେଖକ ଭି. ରାଜେନ୍ଦ୍ର ପ୍ରସାଦ ଗାରୁ ଏବଂ ବୀରେନ୍ଦ୍ର ହେଗଡେଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ବୁଧବାର ଏହାର ସୂଚନା ଦେଇଛନ୍ତି। ଚାରି ଜଣଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ପିଟି ଉଷାଙ୍କ ପାଇଁ ଲେଖିଛନ୍ତି, ପିଟି ଉଷାଜୀ ପ୍ରତିଟି ଭାରତୀୟଙ୍କ ପାଇଁ ପ୍ରେରଣା । କ୍ରୀଡାରେ ତାଙ୍କ ଉପଲବ୍ଧିକୁ ଲୋକେ ବ୍ୟାପକ ଭାବେ ଜାଣିଛନ୍ତି। ଗତ ଅନେକ ବର୍ଷରେ ଉଦୀୟମାନ ଆଥଲେଟ୍‌ଙ୍କୁ ମାର୍ଗଦର୍ଶନ ଦେବାରେ ପ୍ରଶଂସନୀୟ କାମ କରିଛନ୍ତି। ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯିବା ନେଇ ଅଭିନନ୍ଦନ। ସେହିପରି ଇଲାଇୟାରାଜାଙ୍କ ସୃଜନଶୀଳ ପ୍ରତିଭା ପିଢ଼ି ପରେ ପିଢ଼ିକୁ ଆକର୍ଷିତ କରିଛି । ତାଙ୍କ କାର୍ଯ୍ୟ ଅନେକ ଭାବନାକୁ ସୁନ୍ଦର ଭାବେ ପ୍ରତିଫଳିତ କରେ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି ।

ସୂଚନା ଅନୁସାରେ ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାକୁ ୨୩୩ ଜଣ ନିର୍ବାଚିତ ହୁଅନ୍ତି ଏବଂ ଅନ୍ୟ ୧୨ ଜଣ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି । ସମ୍ବିଧାନର ନିୟମ ଅନୁସାରେ ରାଜ୍ୟସଭା ସଦସ୍ୟ ସଂଖ୍ୟା ୨୫୦ରୁ ଅଧିକ ହୋଇପାରିବ ନାହିଁ । ଯେଉଁ ୧୨ ଜଣଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି ସେମାନଙ୍କୁ ବିଜ୍ଞାନ, ସମାଜସେବା, ସାହିତ୍ୟ, କଳା ପ୍ରଭୃତି କ୍ଷେତ୍ରରୁ ମନୋନୀତ କରାଯାଏ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୂର୍ବରୁ ମନୋନୀତ କରାଯାଇସାରିଛି ।