ଚିକିତ୍ସା ଅବହେଳାରୁ ଦ୍ୱିତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ ପରେ ସେବାଶ୍ରମରେ ଉତ୍ତେଜନା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଖଇରବଣି ସେବାଶ୍ରମରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ପରେ ସେବାଶ୍ରମ ଆଗରେ ଠେଙ୍ଗାବାଡ଼ି ଧରି ପ୍ରତିବାଦ କରୁଛନ୍ତି ଲୋକ । କ୍ଷତିପୂରଣ ଦାବିରେ ଗ୍ରାମବାସୀ ଧାରଣା ଦେଇଛନ୍ତି । ହଷ୍ଟେଲକୁ ଘେରାଉ କରିବା ସହ ପ୍ରିନ୍ସିପାଲଙ୍କୁ ହଷ୍ଟେଲରେ ତାଲା ପକାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକ । ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ରଞ୍ଜନ କୁମାର ଦାସ । ନୀଳଗିରି ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

ସୂଚନା ଅନୁସାରେ, ଧବଶିଳା ରାବୁଣୁ ସାହିର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ୭ ବର୍ଷର ପୁଅ ତପୁ ସିଂ ଖଇରବଣି ସେବାଶ୍ରମ ହଷ୍ଟେଲରେ ରହି ପଢ଼ୁଥିଲେ । କିଛିଦିନ ଧରି ସେ ଜ୍ଵରରେ ପୀଡିତ ଥିଲେ । ତାଙ୍କୁ ହଷ୍ଟେଲରେ ଚିକିତ୍ସା କରାଯାଇନାହିଁ କି କୌଣସି ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇନଥିଲା ବୋଲି ଅଭିଯୋଗ ହୋଇଛି । ଅସୁସ୍ଥ ଅବସ୍ଥାରେ ଛାତ୍ରଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ପରିବାର ପକ୍ଷରୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ସେବାଶ୍ରମରେ ଏପରି ପରିସ୍ଥିତି ପାଇଁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକମାନେ ଦାବି କରିଛନ୍ତି ।