୩ ଦିନିଆ ବେଙ୍ଗାଲୁରୁ ଗସ୍ତରେ ବିଏମସି ଓ ନଗର ଉନ୍ନୟନ ବିଭାଗର ୧୦ ଜଣିଆ ଟିମ୍

ଭୁବନେଶ୍ୱର: ୩ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଗଲେ ବିଏମସି ଓ ନଗର ଉନ୍ନୟନ ବିଭାଗର ୧୦ ଜଣିଆ ଟିମ୍ । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ଗସ୍ତ କରିଛି ଟିମ୍ । ଏହି ୧୦ ଜଣିଆ ଟିମରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ, ଡ୍ରେନେଜ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀ ଓ ୩ ଜଣ କର୍ପୋରେଟର ସାମିଲ ଅଛନ୍ତି ।

ଏକ୍ସପୋଜର ଭିଜିଟରେ ଯାଇ ବେଙ୍ଗାଲୁରୁ ମହାନଗର ନିଗମ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବେ । ମୁଖ୍ୟତଃ ବିଭିନ୍ନ ଜଳଉତ୍ସର ସଂରକ୍ଷଣ, ବିକାଶ ଓ ସୌନ୍ଦର୍ଯ୍ୟକରଣ ସମ୍ପର୍କିତ ପ୍ରକଳ୍ପ ପରିଦର୍ଶନ କରିବ ଟିମ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମରେ ବିଭିନ୍ନ ଜଳଉତ୍ସର ବିକାଶ ପାଇଁ ଆର୍ଥିକ ଅନୁଦାନ ଦେଇଛନ୍ତି । ପ୍ରକଳ୍ପର କାର୍ଯ୍ୟକାରିତା ପୂର୍ବରୁ ଏଭଳି ଗସ୍ତ ନିଶ୍ଚିତ ଭାବେ ଉପାଦେୟ ହେବ ବୋଲି ଉଭୟ ମେୟର ଓ କମିଶନର କହିଛନ୍ତି । ଆସନ୍ତା ରବିବାର ଟିମ୍ ଫେରିବାର କାର୍ଯ୍ୟକ୍ରମ ରହିଛି ।