ଦର ବୃଦ୍ଧି, ଜିଏସଟିକୁ ନେଇ କଂଗ୍ରେସର ହଲ୍ଲାବୋଲ, ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ମହଙ୍ଗାମାଡ଼, ବେରୋଜଗାରୀକୁ ବିରୋଧ କରି କଂଗ୍ରେସର ଦେଶବ୍ୟାପୀ ପ୍ରଦର୍ଶନ । କେନ୍ଦ୍ରର ନୀତିକୁ ବିରୋଧ କରି ଦେଶବ୍ୟାପୀ କଂଗ୍ରେସର ହଲ୍ଲାବୋଲ । ଆଜି ସାରା ଦେଶରେ କଂଗ୍ରେସ ବିକ୍ଷୋଭ କରୁଥିବା ବେଳେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶରେ ଏକଛତ୍ରବାଦୀ ଶାସନ ଚାଲିଥିବା ବେଳେ ଲୋକତନ୍ତ୍ରର ହତ୍ୟା କରାଯାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ପେଟ୍ରୋଲ, ଡିଜେଲ, ଗ୍ୟାସ ଦାମ୍ ଲଗାତାର ବଢ଼ୁଥିବା ବେଳେ ଭାରତରେ ବେରୋଜଗାରୀ ଭୟଙ୍କର ହୋଇଛି ।

ସଂସଦରେ ଏସବୁ ପ୍ରସଙ୍ଗ ଉଠାଉଥିବା ସାଂସଦଙ୍କ ମୁହଁ ବନ୍ଦ କରିବାକୁ ପ୍ରୟାସ କରାଯାଉଛି । ଦେଶରେ ଏକଛତ୍ରବାଦୀ ଶାସନ ବିରୋଧରେ ମୁହଁ ଖୋଲୁଥିବାରୁ ବିରୋଧୀ ନେତାଙ୍କ ପଛରେ କେନ୍ଦ୍ରୀୟ ଏଜେନ୍ସି ଲଗାଇ ଦିଆଯାଉଛି । ବିରୋଧୀଙ୍କୁ ଡରାଇବାକୁ ଇଡି, ସିବିଆଲ ଭଳି କେନ୍ଦ୍ରୀୟ ଏଜେନ୍ସି ଦୂରୁପଯୋଗ କରାଯାଉଛି ବୋଲି ରାହୁଲ କହିଛନ୍ତି । ସଂସଦରେ ଏ ନେଇ ଆଲୋଚନା କରିବାକୁ ସରକାର ଡରୁଛନ୍ତି ବୋଲି କଂଗ୍ରେସ କହିଛି । ସେପଟେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନକୁ ନେଇ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛି ବିଜେପି । ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ ଯୋଗୁ ରାଜଧାନୀରେ ୧୪୪ ଧାରା ଜାରି କରାଯାଇଛି ।