୫୦ ବେସିସ ପଏଣ୍ଟ ବଢ଼ିଲା ରେପୋରେଟ, ଲଗାତାର ତୃତୀୟ ଥର ଲାଗି ବୃଦ୍ଧି କଲେ RBI

1 min read

ନୂଆଦିଲ୍ଲୀ: ବଢ଼ିଲା ରେପୋରେଟ । ରେପୋ ହାର ୫୦ ବେସିସ ପଏଣ୍ଟ ବଢ଼ାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କ । ଲଗାତର ତୃତୀୟ ଥର ଲାଗି ରେପୋରେଟ ବୃଦ୍ଧି କରିଛନ୍ତି RBI । ତିନି ଦିନର ସମୀକ୍ଷା ପରେ ଏହି ପଦକ୍ଷେପ ନେଇଛନ୍ତି ଆରବିଆଇ । ଫଳରେ ରେପୋ ହାର ୫.୪୦ ପ୍ରତିଶତ ହୋଇଛି । ଭାରତୀୟ ଅର୍ଥନୀତି ଅତ୍ୟଧିକ ମୁଦ୍ରାସ୍ଫୀତି ମଧ୍ୟରେ ଯାଉଥିବାବେଳେ ଆରବିଆଇ ବଢାଇଛନ୍ତି ରେପୋରେଟ । ଗତ କିଛି ମାସ ଧରି ଭାରତ ୧୩.୩ ବିଲିୟନ ଡଲାର କ୍ୟାପିଟାଲ ଆଉଟଫ୍ଲୋ ଅବସ୍ଥାରେ ଥିବାବେଳେ ମୁଦ୍ରାନୀତି ନିର୍ଦ୍ଧାରଣ କରିବା ଆରବିଆଇ ଲାଗି କଷ୍ଟସାଧ୍ୟ ହୋଇଛି ।

ସେପଟେ ଚଳିତ ଆର୍ଥକ ବର୍ଷ ଲାଗି ଜିଡିପି ଅଭିବୃଦ୍ଧି ଲକ୍ଷ୍ୟ ହାରକୁ ୭.୨ ପ୍ରତିଶତ ରଖିଛନ୍ତି RBI । ବିଶ୍ୱର ଭୂ-ରାଜନୈତିକ ଅସ୍ଥିରତା ଯୋଗୁ ଭାରତୀୟ ଅର୍ଥନୀତି ବାରମ୍ବାର ପ୍ରଭାବିତ ହୋଇଛି । ସେହିପରି ମୁଦ୍ରାସ୍ଫୀତି ହାର ଆର୍ଥିକ ବର୍ଷ ୨୦୨୩ ଲାଗି ୬.୭ ପ୍ରତିଶତ ଆକଳନ କରାଯାଇଛି । ସାଧାରଣ ମୌସୁମୀ ଓ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୫ ଡଲାରକୁ ଆକଳନ କରି ୨୦୨୩ ଲାଗି ମୁଦ୍ରାସ୍ଫୀତି ଆକଳନ କରାଯାଇଛି ।