ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠିତ । ପୁନର୍ଗଠନ କଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ । ପ୍ୟାନେଲରେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ସାମିଲ ଅଛନ୍ତି । ସସ୍ମିତଙ୍କ ବ୍ୟତୀତ ଏହି ପ୍ୟାନେଲରେ ଅଛନ୍ତି ସାଂସଦ ଭୁବନେଶ୍ୱର କଲିତା, ଇନ୍ଦୁବାଲା ଗୋସ୍ୱାମୀ, ଡ. ଏଲ୍ ହନୁମନ୍ଥିଆ, ଟି ସିବା, ସାଂସଦ ଭି. ବିଜୟସାଇ ରେଡି ମଧ୍ୟ ସଦସ୍ୟ ରହିଛନ୍ତି । କିଛି ଜଣଙ୍କୁ ନୂଆ ଭାବେ ଯୋଡା ଯାଇଥିବା ବେଳେ ଆଉ କିଛି ପୂର୍ବ ସଦସ୍ୟଙ୍କୁ ଏହି ପ୍ୟାନେଲରେ ପୂର୍ବଭଳି ରଖାଯାଇଛି । ଆସନ୍ତାକାଲିଠାରୁ ମୌସୁମୀ ଅଧିବେସନ ଆରମ୍ଭ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାୟିଡୁ ଏହି ପ୍ୟାନେଲ ପୁନର୍ଗଠନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ପାଇଁ ମୌସୁମୀ ଅଧିବେଶନରେ ଶେଷ ଅଧ୍ୟକ୍ଷତା ହେବ । କାରଣ ଅଗଷ୍ଟ ୧୦ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି ।
ମୋ ପ୍ରାର୍ଥିତ୍ୱ ପାଇଁ ମହିଳା ଓ ଆଦିବାସୀ ଖୁସି ଅଛନ୍ତି: ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଗୋଟେ ଦିନ ପୂର୍ବରୁ ଅର୍ଥାତ ରବିବାର ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଏକ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଦେଶର ସବୁଠୁ ବଡ଼ ସାମ୍ବିଧାନିକ ପଦ ପାଇଁ ମୋର ନାମାଙ୍କନ ଦ୍ୱାରା ସାରା ଦେଶର ଆଦିବାସୀ ଏବଂ ମହିଳା ଉତ୍ସାହିତ ଓ ଖୁସି ଅଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସଂସଦ ଭବନରେ ଏନଡିଏର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ହୋଇଥିଲା । ଏହି ଅବସରରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ମଧ୍ୟ ସଂସଦ ଭବନରେ ପହଞ୍ଚିଥିଲେ । ମୁର୍ମୁ ଏନଡିଏ ସାଂସଦଙ୍କ ସହ ଆଲୋଚନା କରିଥିଲେ ଏବଂ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଚୟନ କରିଥିବାରୁ ଧନ୍ୟବାଦ ଦେଇଥିଲେ ।
ମୁର୍ମୁ ବୈଠକରେ କହିଛନ୍ତି ଦେଶରେ ୭୦୦ରୁ ଅଧିକ ବର୍ଗର ପ୍ରାୟ ୧୦ କୋଟି ଆଦିବାସୀ ଅଛନ୍ତି, ଏବଂ ସମସ୍ତେ ମୋ ପାର୍ଥିତ୍ୱ ପାଇଁ ଖୁସି ଅଛନ୍ତି । ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ, କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ, ବିଜେପି ସାଂସଦ ହେମା ମାଳିନୀ ଏବଂ ଅନ୍ୟ ସାଂସଦମାନେ ଉପସ୍ଥିତ ଥିଲେ । ନିର୍ବାଚନ ପୂର୍ବରୁ ୧୮ ଜୁଲାଇରେ ହେବାକୁ ଥିବା ଭୋଟଗ୍ରହଣ ପାଇଁ ସଂସଦରେ ମକଡ୍ରିଲ କରାଯାଇଛି । ସଂସଦୀୟ ଅନୁଭବ ରଖିଥିବା ନେତା ଏବଂ ଦଳର ଆଇନ ସମ୍ବନ୍ଧୀୟ ସଦସ୍ୟମାନେ ସାଂସଦଙ୍କୁ ଭୋଟ ଦେବାର ପ୍ରକ୍ରିୟା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ ।
୧୬ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କ ବିଜୟ ନିଶ୍ଚିତ ବୋଲି ଚର୍ଚ୍ଚା ହେୁଛି । ମୁର୍ମୁଙ୍କ ପ୍ରତି ଅନେକ ଅଣ ଏନଡିଏ ଦଳର ସମର୍ଥନ ମଧ୍ୟ ଦେଖିବାକୁ ମିଳିଛି । ଜେଏମଏମ, ବିଏସପି, ବିଜେଡି ଭଳି ଦଳ ସିଧାସଳଖ ସମର୍ଥନ ଜାହିର କରିଛନ୍ତି । ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଯାଇଛି ବିଜେପି ଓ ତାର ସହଯୋଗୀ ଦଳ ପକ୍ଷରୁ । ସୂଚନାଥାଉକି, ଆଗାମୀ ରାଷ୍ଟ୍ରପତି ପାଇଁ ୧୮ ଜୁଲାଇରେ ଭୋଟିଂ ହେବ ଏବଂ ୨୧ ତାରିଖରେ ଭୋଟ ଗଣତି ଏବଂ ଫଳାଫଳ ପ୍ରକାଶ ପାଇବ । ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ନେବେ । ଗୋଟିଏ ପଟେ ଏନଡିଏ ପକ୍ଷରୁ ଓଡିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି ।
ନାଗାବଳୀ ନଦୀରେ ଫସିଥିବା ୨ପର୍ଯ୍ୟଟକ ଉଦ୍ଧାର, ଅଗ୍ନିଶମ ଯବାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ରାୟଗଡ଼ା: ଉଦ୍ଧାର ହେଲେ ନାଗାବଳୀ ନଦୀରେ ଫସିଥିବା ୨ ପର୍ଯ୍ୟଟକ । ରାୟଗଡ଼ା ସହର ଝୁଲାପୋଲ ନିକଟରେ ହଠାତ ପାଣି ଆସିଯିବାରୁ ଉଭୟ ପର୍ଯ୍ୟଟକ ଫସିରହିଥିଲେ। ହଠାତ ପାଣି ଆସିଯିବାରୁ ନଦୀ ମଝିରେ ଥିବା ଏକ ପଥର ଉପରେ ଉଭୟ ଛିଡ଼ା ହୋଇଥିଲେ । ପରେ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ଉଭୟଙ୍କୁ ପାଖକୁ ଦଉଡ଼ି, ସିଢ଼ି ଓ ଲାଇଫ ଜ୍ୟାକେଟ୍ ପକାଇଯାଇ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ସୁସୁ ହୋଇ ମାଡ଼ି ଆସୁଥିଲା ନାଗାବଳୀର ପ୍ରଖର ସ୍ରୋତ। ବେଳକୁ ବେଳ ଭୟଙ୍କର ରୂପ ନେଉଥିଲା ଫୁଲନ୍ତା ନଈ । ସେତିକି ବେଳେ ରାୟଗଡ଼ା ଜିଲ୍ଲା ପୋଡ଼ାପାଡ଼ି ଝୁଲାପୋଲ ନିକଟରେ ନଦୀ ଭିତରେ ଫସି ଥିଲେ ଦୁଇଜଣ ପର୍ଯ୍ୟଟକ । ଚାରିପାଖେ ବିପଦର ଗର୍ଜନ, ଆଉ ମଝିରେ ଜୀବନ । ତୁରନ୍ତ ପହଞ୍ଚି ଥିଲା ଅଗ୍ନିଶମ ବାହିନୀ । ଉଦ୍ଧାର ହେଲେ ନାଗାବଳୀ ନଦୀରେ ଫସିଥିବା ୨ ପର୍ଯ୍ୟଟକ ।
ରାୟଗଡ଼ା ସହର ଝୁଲାପୋଲ ନିକଟରେ ହଠାତ ପାଣି ଆସିଯିବାରୁ ଉଭୟ ପର୍ଯ୍ୟଟକ ଫସିରହିଥିଲେ । ହଠାତ ପାଣି ଆସିଯିବାରୁ ନଦୀ ମଝିରେ ଥିବା ଏକ ପଥର ଉପରେ ଉଭୟ ଛିଡ଼ା ହୋଇଥିଲେ। ପରେ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ଉଭୟଙ୍କୁ ପାଖକୁ ଦଉଡ଼ି ଓ ଲାଇଫ ଜ୍ୟାକେଟ୍ ପକାଇଯାଇ ସୁରକ୍ଷିତ ଉଦ୍ଧାର କରାଯାଇଛି । ଓଡ଼ିଶା ଅଗ୍ନିଶମ ବିଭାଗର ଯବାନମାନଙ୍କ ସାହସିକତା ଓ ପସିରହିଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି ।
ନବୀନଙ୍କ ସହ କଥା ହେଲେ ମୋଦୀ, ଧନଖଡ଼ଙ୍କୁ ସମର୍ଥନର ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫୋନଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଉପରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ଜଗଦୀପ ଧନଖଡ଼ ଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ । ଧନଖଡଙ୍କୁ ସମର୍ଥନ ଦେବା ନେଇ ପ୍ରତିଶୃତି ଦେଇଛନ୍ତି ନବୀନ ପଟ୍ଟନାୟକ । ପ୍ରାର୍ଥୀପତ୍ର ଦାଖଲ ବେଳେ ବିଜେଡି ସାଂସଦ ଉପସ୍ଥିତ ରହିବେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିବେ ଧନଖଡ଼ । ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ ।
ଆସନ୍ତା ଅଗଷ୍ଟ ୬ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ବିରୋଧୀଙ୍କ ପକ୍ଷରୁ କଂଗ୍ରେସର ବରିଷ୍ଠ ନେତା ମାର୍ଗରେଟ ଆଲଭା ପ୍ରାର୍ଥୀ ହୋଇଛନ୍ତି । ତେବେ ପୂର୍ବରୁ ମାଟିର ଝିଅ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ଦେବ ବୋଲି ଘୋଷଣା କରିଥିଲା । ଓଡିଶାର ସମ୍ମାନ ପାଇଁ ଦ୍ରୌପଦୀଙ୍କ ସମର୍ଥନରେ ବିଜେଡି ବିରୋଧୀଙ୍କୁ ଭେଟି ଭୋଟ ଭିକ୍ଷା ମଧ୍ୟ କରିଥିଲା । ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ବିଜେଡିର ସମସ୍ତ ବିଧାୟକ ଓ ରାଜ୍ୟସଭା ଏବଂ ଲୋକସଭା ସାଂସଦ ଭୋଟ ଦେବେ ।
ମଧ୍ୟପ୍ରଦେଶ ନଗର ନିଗମ ନିର୍ବାଚନ: ସିଙ୍ଗରୌଲିରୁ ଆପ୍ ମେୟର ପ୍ରାର୍ଥିନୀ ରାନୀ ଅଗ୍ରୱାଲ ବିଜୟୀ
ଭୋପାଳ: ଦିଲ୍ଲୀ, ପଞ୍ଜାବ ପରେ ଏବେ ମଧ୍ୟପ୍ରଦେଶରେ ମଧ୍ୟ ଆମ ଆଦମୀ ପାର୍ଟି (ଏଏପି) ଏଣ୍ଟ୍ରି ମାରିଛି । ମଧ୍ୟପ୍ରଦେଶ ନଗର ନିଗମ ନିର୍ବାଚନରେ ଆପ୍ କୁ ସଫଳତା ମିଳିଛି । ସିଙ୍ଗରୌଲି ନଗର ନିଗମରେ ଆପର ମେୟର ପ୍ରାର୍ଥୀନୀ ରାନୀ ଅଗ୍ରୱାଲ ବିଜୟୀ ହୋଇଛନ୍ତି । ଏହି ବିଜୟ ସହ ଆପ ଏବେ ମଧ୍ୟପ୍ରଦେଶକୁ ଟାର୍ଗେଟ କରିଛି । ରାନୀ ୯୩୫୨ ଭୋଟରେ ନିକଟତମ ପ୍ରତିଯୋଗୀଙ୍କଠାରୁ ଜିତିଛନ୍ତି । ତାଙ୍କୁ ୩୪୫୮୫ ଭୋଟ୍ ମିଳିଛି । ଯେତେବେଳେ କି ବିଜେପିର ପ୍ରାର୍ଥୀ ଚନ୍ଦ୍ର ପ୍ରତାପ ବିଶ୍ୱକର୍ମାଙ୍କୁ ୨୫୨୩୩ ଭୋଟ ମିଳିଛି । କଂଗ୍ରେସର ଅରବିନ୍ଦ ଚନ୍ଦେଲ ତୃତୀୟରେ ରହିଛନ୍ତି । ସିଙ୍ଗରୌଲୀ ନଗର ନିଗମ ନିର୍ବାଚନ ପ୍ରଚାରରେ ଆପ୍ ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅବରବିନ୍ଦ କେଜରିୱାଲ ସାମିଲ ହୋଇଥିଲେ । ସେ ସମୟରେ ରୋଡ ଶୋ’ରେ ଲୋକମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ସିଙ୍ଗରୌଲୀରୁ ଗତଥର ବିଜେପି ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ ।
ମଧ୍ୟପ୍ରଦେଶ ୧୧ ନଗର ନିଗମ ମଧ୍ୟରୁ ୭ ଆସନର ପଳାଫଳ ପ୍ରକାଶ ପାଇଛି । କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଗୋଟିଏ ଲେଖାଏଁ ଆସନରେ ଜିତିଥିବା ବେଳେ ବିଜେପି ୫ଟିରେ ବିଜୟୀ ହୋଇଛି । ଭୋପାଳ ଏବଂ ଇନ୍ଦୋରରେ ବିଜେପି ପ୍ରାର୍ଥୀ ବଡ଼ ବ୍ୟବଧାନ ସହ ଆଗରେ ରହିଛନ୍ତି । ଗ୍ୱାଲିୟର ଏବଂ ଜବଲପୁରରେ କଂଗ୍ରେସ ଆଗରେ ରହିଛି । କଂଗ୍ରେସ ନେତା କମଲନାଥଙ୍କ ଗଡ଼ ଛିନ୍ଦୱାଡାରେ କଂଗ୍ରେସ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଛି । ଗତଥର ବିଜେପି ଏଠି ନିର୍ବାଚନ ଜିତିଥିଲା । କଂଗ୍ରେସ ପ୍ରାର୍ଥୀ ବିକ୍ରମ ଅହାକେ ଚଳିତ ଥର ମେୟର ଭାବେ ନିର୍ବାଚିତ ହୋଇଛନ୍ତି ।
ସେହିପରି ବୁରହାନପୁର ନଗର ନିଗମରେ ଅସାଦୁଦ୍ଦୀନ ଓୱେସୀଙ୍କ ଏଆଇଏମଆଇଏମ କଂଗ୍ରେସକୁ ଅଡୁଆରେ ପକାଇଛି । କଂଗ୍ରେସର ବିଜୟ ଆଶାକୁ ଭାଙ୍ଗି ଚୁରମାର କରିଦେଇଛି ଏଆଇଏମଆଇଏମ । ଭୋଟ ବିଭାଜନ ଯୋଗୁଁ ମାତ୍ର ଅଳ୍ପ ଭୋଟରେ କଂଗ୍ରେସ ନିର୍ବାଚନ ହାରିଛି । ଏଠାରେ ବିଜେପିର ମାଧୁରୀ ପଟେଲ ୫୪୨ ଭୋଟରେ ବିଜୟୀ ହୋଇଛନ୍ତି । ମାଧୁରୀ ପଟେଲଙ୍କୁ ୫୨୮୨୩ ଭୋଟ ମିଳିଛି, ଯେତବେଳେ କି କଂଗ୍ରେସ ପ୍ରାର୍ଥୀ ଶେହନାଜ ବାନେଙ୍କୁ ୫୨୨୮୧ ଭୋଟ ମିଳିଛି । ସେହିପରି ଏଆଇଏମଆଇଏମ ପ୍ରାର୍ଥୀଙ୍କୁ ୧୦୩୨୨ ଭୋଟ ମିଳିଛି । ନୋଟା ଖାତାରେ ୬୭୭ ଖଣ୍ଡ ଭୋଟ ଯାଇଛି ।
ପ୍ରକାଶ ପାଇଲା ICSE ଦଶମ ରେଜଲ୍ଟ, ପାସ୍ ହାର ୯୯.୯୭ ପ୍ରତିଶତ
ନୂଆଦିଲ୍ଲୀ: ପ୍ରକାଶ ପାଇଲା ICSE ଦଶମ ଶ୍ରେଣୀ ଫଳ । ପାସ୍ ହାର ରହିଛି ୯୯.୯୭ ପ୍ରତିଶତ । ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅ ପାଇଛନ୍ତି ସଫଳତା । ଛାତ୍ରୀଙ୍କ ପାସ ହାର ୯୯.୯୮ ପ୍ରତିଶତ ହୋଇଥିବାବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୯.୯୭ ପ୍ରତିଶତ । ପରୀକ୍ଷା ଦେଇଥିଲେ ମୋଟ ୨ ଲକ୍ଷ ୩୧ ହଜାର ୬୩ ଛାତ୍ରଛାତ୍ରୀ । cisce.org ଓ results.cisce.org ଜରିଆରେ ଉପଲବ୍ଧ ହୋଇଛି ରେଜଲ୍ଟ । ଏହାସହ ୦୯୨୪୮୦୮୨୮୮୩ ନମ୍ବରକୁ ଏସଏମଏସ କରି ଫଳ ଜାଣିପାରିବେ ପରୀକ୍ଷାର୍ଥୀ ।
ଆଜିଠାରୁ ଆସନ୍ତା ୨୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ମାର୍କ ଯାଞ୍ଚ ଲାଗି ଆବେଦନ କରିପାରିବେ । ଏଥିଲାଗି ପେପର ପିଛା ୧ ହଜାର ଟଙ୍କା ଜମା ଦେବାକୁ ପଡ଼ିବ । ସେମିଷ୍ଟାର ୧ ଓ ସେମିଷ୍ଟାର ୨କୁ ସମାନ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ବୋର୍ଡ ସମ୍ପାଦକ ଗେରି ଆରାଥୁନ । ଯେଉଁମାନେ ପ୍ରଥମ କିମ୍ବା ଦ୍ବିତୀୟ ସେମିଷ୍ଟାର ମଧ୍ୟରୁ ଗୋଟିକରେ ପରୀକ୍ଷା ଦେଇ ନଥିବେ ସେମାନଙ୍କ ଫଳ ପ୍ରକାଶ ପାଇନାହିଁ । ଗତବର୍ଷ କୋଭିଡ ଯୋଗୁ ଆଇସିଏସଇ ଓ ଆଇଏସସି ପରୀକ୍ଷା ହୋଇପାରି ନଥିଲା । ବିକଳ୍ପ ମାର୍କିଂ ବ୍ୟବସ୍ଥା ଅନୁସାରେ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯାଇଥିଲା । ବିକଳ୍ପ ମାର୍କିଂ ବ୍ୟବସ୍ଥାରେ ୨ ଲକ୍ଷ ୭ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ଲକ୍ଷ ୬ ହଜାର ଛାତ୍ରଛାତ୍ରୀ ପାସ୍ କରିଥିଲେ । ପାସ୍ ହାର ଥିଲା ୯୯.୭୬ ପ୍ରତିଶତ ।
ପରିମଳ ତ୍ରୁଟି ପାଇଁ ରିଲାଏନ୍ସ ଫ୍ରେସକୁ ସିଲ୍ କଲା ବିଏମସି
ଭୁବନେଶ୍ୱର: ପରିମଳ ଜନିତ ତ୍ରୁଟି କାରଣରୁ ବିଏମସିର କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ବର ଗୋପବନ୍ଧୁ ଛକ ସ୍ଥିତ ରିଲାଏନ୍ସ ଫ୍ରେସକୁ ୩ ଦିନ ପାଇଁ ସିଲ କଲା ବିଏମସି । ଦୋକାନୀ ତଥା ବ୍ୟବସାୟିକ ପ୍ରତିଷ୍ଠାନମାନେ ୫ ମିଟର ପରିସୀମା ଭିତରେ ପରିମଳ ଦାୟିତ୍ୱ ବୁଝିବେ । ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ ଛକ ସ୍ଥିତ ଗ୍ରୀନ ଚିଲି ଫାଷ୍ଟ ଫୁଡ୍ ଦୋକାନକୁ ସମାନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ପରିମଳ ବ୍ୟବସ୍ଥା ଅପରିସ୍କାର କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସ୍ୱାସ୍ଥ୍ୟରକ୍ଷା ବ୍ୟବସ୍ଥାର ଉନ୍ନତ କରିବା ପରେ ଖୋଲିବା ପାଇଁ ଅନୁତି ମିଳିବା ନେଇ ବିଏମସି ଟ୍ୱିଟ କରି ସୂଚନା ଦେଇଛି ।
ମାର୍ଗରେଟ ଆଲଭା ହେବେ ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ, ଶରଦ ପୱାରଙ୍କ ଘୋଷଣା
ନୂଆଦିଲ୍ଲୀ: ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଏବେ ମିଳିତ ବିରୋଧୀ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । କଂଗ୍ରେସର ବରିଷ୍ଠ ନେତ୍ରୀ ମାର୍ଗରେଟ ଆଲଭାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିରୋଧୀ । ୮୦ ବର୍ଷୀୟା ଅଲଭାଙ୍କ ଜନ୍ମସ୍ଥାନ କର୍ଣ୍ଣାଟକର ମାଙ୍ଗାଲୋରରେ । ପୂର୍ବରୁ ଗୁଜୁରାଟ ରାଜ୍ୟପାଳ ସେ ରହିସାରିଛନ୍ତି । ଏନସିପି ନେତା ଶରଦ ପୱାରଙ୍କ ଘରେ ହୋଇଥିବା ବିରୋଧୀଙ୍କ ବୈଠକରେ ମିଳିତ ସହମତି ହୋଇଥିଲା । ଏହାପରେ ଶରଦ ବିରୋଧୀଙ୍କ ପକ୍ଷରୁ ମାର୍ଗାରେଟଙ୍କ ନାଁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଏନଡିଏ ପକ୍ଷରୁ ଗତକାଲି ଜଗଦୀପ ଧନଖଡ଼ଙ୍କ ନାଁ ଘୋଷଣା ହୋଇଥିଲା । ଜଗଦୀପ ଧନଖଡ଼ ପଶ୍ଚିମବଙ୍ଗ ରାଜ୍ୟପାଳ ଅଛନ୍ତି ।
ତେବେ ଏବେ କଂଗ୍ରେସ ନେତ୍ରୀ ମାର୍ଗରେଟ ଏବଂ ଧନଖଡଙ୍କ ମଧ୍ୟରେ ଆଗାମୀ ମାସ ୬ ତାରିଖରେ ମୁକାବିଲା ହେବ । ଆସନ୍ତା ୧୯ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସୂଚନା ଥାଉକି ଅଗଷ୍ଟ ୧୦ ତାରିଖରେ ବର୍ତ୍ତମାନର ଉପରାଷ୍ଟ୍ରପତି ଭଙ୍କୟା ନାୟଡୁଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ରାଜ୍ୟସଭା ଓ ଲୋକସଭା ସାଂସଦମାନେ ଭୋଟ ଦିଅନ୍ତି । ଏକାକି ବିଜେପି ପାଖରେ ବିଜୟ ଠାରୁ ଅଧିକ ସାଂସଦ ରହିଛନ୍ତି । ଏପରି ସ୍ଥିତିରେ ଏନଡିଏ ଏକପାଖିଆ ନିର୍ବାଚନ ଜିତିବାର ଆଶଙ୍କା କରାଯାଉଛି ।
ଦ୍ରୁତ ଗତିରେ ଧ୍ବଂସାଭିମୁଖୀ କାଲିଫର୍ଣ୍ଣିଆ ଜଙ୍ଗଲ, ବୈଜ୍ଞାନିକ ଦର୍ଶାଇଲେ କାରଣ…
କାଲିଫର୍ଣ୍ଣିଆ : କାଲିଫର୍ଣ୍ଣିଆରୁ ଆସୁଥିବା ଖବର ଏବେ ବୈଜ୍ଞାନିକଙ୍କ ଚିନ୍ତା ବଢାଇ ଦେଲାଣି । ବର୍ତ୍ତମାନ ବିଭିନ୍ନ କାରଣ ଯୋଗୁଁ ଧ୍ବଂସ ଦିଗକୁ ଗତି କରୁଛି କାଲିଫର୍ଣ୍ଣିଆ ଜଙ୍ଗଲ । ଏକ ଗବେଷଣା ଅନୁଯାୟୀ, ୧୯୮୫ ମସିହା ପର ଠାରୁ ଏବେ ଯାଏଁ କାଲିଫର୍ଣ୍ଣିଆର ପ୍ରାୟ ୬.୭ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇ ସାରିଲାଣି । ପାଖାପାଖି ୪,୫୬୬ ବର୍ଗ କିଲୋମିଟର ଜଙ୍ଗଲ ଧ୍ବଂସ ହୋଇସାରିଥିବା ଅନୁମାନ କରାଯାଉଛି । । କୁହାଯାଉଛି କି ପୂର୍ବ ୩୭ ବର୍ଷ ପର୍ଯ୍ୟନ୍ତ ଧରି ଲସ୍ ଅଞ୍ଜେଲିସରେ ସାଢେ ୩ଗୁଣାରୁ ଉର୍ଦ୍ଧ୍ବ ସ୍ଥାନ ଜଳି ଧ୍ବଂଶ ହୋଇସାରିଲାଣି ।
୧୯୮୫ ଏବଂ ୨୦୨୧ ମସିହା ମଧ୍ୟରେ ବନସ୍ପତି ପରିବର୍ତ୍ତନ ସମ୍ବନ୍ଧରେ ଜାଣିବା ପାଇଁ ଏକ ରିସର୍ଚ ଟିମ୍ ତିଆରି ହୋଇଥିଲେ ସେଥିରେ USGS ଏବଂ NASAର ବୈଜ୍ଞାନିକ ମାନେ ପରିକ୍ଷଣ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ତାଙ୍କ ରିପୋର୍ଟ ଅନୁଯାୟୀ ଜଙ୍ଗଲ ନଷ୍ଟ ହେବାର ମୁଖ୍ୟ କାରଣ ହେଉଛି ଜଙ୍ଗଲରେ ଲାଗୁଥିବା ନିଆଁ, ମରୁଡ଼ି ଏବଂ କମ୍ ଜଳସ୍ତର । ଏବଂ ନଷ୍ଟ ହୋଇ ଯାଇଥିବା ଗଛ ସ୍ଥାନରେ ନୂଆ ଗଛ ରୋପଣ କାରାଯାଉଛି ହେଲେ ଏହାର ସଂଖ୍ୟା ଜଙ୍ଗଲ ବୃଦ୍ଧି ତୁଳନାରେ ବହୁତ କମ୍ । କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ଜଣେ ପ୍ରଫେସରଙ୍କ କହିବା ଅନୁଯାୟୀ, ଜଙ୍ଗଲ ଏତେ ନିଆଁ ସହିପାରୁନି, ଏବେ ଜଙ୍ଗଲରେ ଯେଉଁ ପରିବର୍ତ୍ତନ ହୋଇଛି, ତାହା ଗତ ୪ ବର୍ଷ ଧରି ଦେଖିବାକୁ ମିଳିଛି ।
California’s Forests Are In Steep Declinehttps://t.co/K9I6EKHPcI pic.twitter.com/TKvz2VPknQ
— IFLScience (@IFLScience) July 16, 2022
ଏହି ଜଙ୍ଗଲ ଏପରି ବଡ଼ ଆକାରରେ ଭରି ରହିଛି ଯଦ୍ବାରା କେବଳ କୌଣସି ଗୋଟିଏ କାରଣ ନେଇ ଜଙ୍ଗଲର ସୁରକ୍ଷା କରିହେବ ନାହିଁ । ଉଦାହରଣ ସ୍ବରୂପ ରାଜ୍ୟର ଉତ୍ତର ଭାଗରେ କମ୍ ତାପମାତ୍ରା ଏବଂ ଭୀଷଣ ବର୍ଷା ଯୋଗୁଁ ନିଆଁ ଲାଗିଥିବା ବେଳେ ଏତେ ମାତ୍ରାରେ କ୍ଷତି ହୋଇନଥିଲା । ହେଲେ ୨୦୧୮,୨୦୨୦ ଏବଂ ୨୦୨୧ ମସିହାରେ ଲାଗିଥିବା ନିଆଁ ଯୋଗୁଁ ବହୁତ ବଡ଼ ଧରଣର କ୍ଷତି ହୋଇଥିଲା ।
କାଲିଫର୍ଣ୍ଣିଆର ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲ ହିଁ ମୁଖ୍ୟତଃ ଦାୟୀ । ଏଥିପାଇଁ ଜଙ୍ଗଲ ହ୍ରାସ ଯୋଗୁଁ କାର୍ବନ ଡାଇଅକସାଇଡ଼ ବା ଅଙ୍ଗାରକାମ୍ଳକୁ ଅବଶୋଷଣ କରିବା ପାଇଁ ଗଛ ମାନଙ୍କ କ୍ଷମତା ମଧ୍ୟ କମିଗଲାଣି ଏହା ଏଠାକାର ପରିବେଶ ପାଇଁ ଭଲ ସଙ୍କେତ ନୁହେଁ । ବୈଜ୍ଞାନିକ ମାନଙ୍କ ମତରେ ଯଦି ଏପରି ପରିସ୍ଥିତି ବହୁତ ଦିନ ଯାଏଁ ଲାଗି ପାରେ ।
ଝାଡଖଣ୍ଡ: ଡଙ୍ଗା ଓଲଟି ଗୋଟିଏ ପରିବାରର ୮ ମୃତ
ରାଞ୍ଚି: ଝାଡଖଣ୍ଡର କୋଡରମା ଜିଲ୍ଲାରେ ଅଘଟଣ । ଡଙ୍ଗା ଓଲଟି ପଡ଼ିବା କାରଣରୁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପରିବାରର ୯ଜଣ ସଦସ୍ୟ ବୁଲିବା ପାଇଁ ଆସିଥିଲେ । ହେଲେ ଡଙ୍ଗା ଓଲଟି ପଡିବା କାରଣରୁ ୮ଜଣଙ୍କ ମୃତ୍ୟୁ ହୋଇଯାଇଛି । ପଞ୍ଚଖେରୋ ଡ୍ୟାମ ବୁଲିବାକୁ ଆସିଥିଲେ । ହେଲେ ଜଳ ସମାଧିର ଶିକାର ହୋଇଛନ୍ତି । କୁହାଯାଉଛି ଏମାନେ ଡଙ୍ଗାରେ ଯାଉଥିବା ସମୟରେ ତୀବ୍ର ପବନ ବହିଥିଲା ଏବଂ ଡ୍ୟାମ ପାଣି ଅସ୍ଥିରତା କାରଣରୁ ଡଙ୍ଗା ଓଲଟି ପଡ଼ିଥିଲା ଏବଂ ଏହି ବଡ଼ ଦୁର୍ଘଟଣା ଘଟିଛି ।
ପରିବାରର କେବଳ ଜଣେ ସଦସ୍ୟ ପହଁରି କୂଳକୁ ଆସିବାରେ ସମର୍ଥ ହୋଇଥିଲେ । ଏହାପରେ ଲୋକମାନଙ୍କୁ ଜଣାଇଥିଲେ । ମରକଚ୍ଚୋ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବଗୁଡିକୁ ଡ୍ୟାମରୁ ଉଦ୍ଧାର କରିଛି । ସୂଚନାନୁଯାୟୀ, ଗିରିଡିହ ଜିଲ୍ଲାର ରାଜଧନୱାର ଥାନା ଅଞ୍ଚଳର ଖେତୋଂ ଗାଁର ଏକ ପରିବାର ପଞ୍ଚଖେରୋ ଡ୍ୟାମ ବୁଲିବା ପାଇଁ ଆସିଥିଲା । ଘରୁ ୯ ଜଣ ସଦସ୍ୟ ବୁଲିବା ପାଇଁ ଆସିଥିଲେ । ସମସ୍ତେ ଏକ ଡଙ୍ଗାରେ ବସିଯାଉଥିଲେ । ହେଲେ ପ୍ରବଳ ବର୍ଷା ଓ ପବନ କାରଣରୁ ଡଙ୍ଗାଟି ଓଲଟି ପଡ଼ିଥିଲା । ଡଙ୍ଗାର ନାବିକ ଏଥିରୁ ପହଁରି ବାହାରକୁ ଆସି ଫେରାର ହୋଇଯାଇଛନ୍ତି ।
ପରିବାରର ଜଣେ ସଦସ୍ୟ ପ୍ରଦୀପ କୁମାର ପହଁରି ବାହାରକୁ ଆସିଥିଲେ ଏବଂ ସେ ଲୋକମାନଙ୍କୁ ଏହି ଘଟଣାର ସୂଚନା ଦେଇଥିଲେ । ଏହି ଘଟଣାରେ ପ୍ରଦୀପ ସିଂହଙ୍କ ୧୭ ବର୍ଷୀୟ ପୁତ୍ର ଶିବମ ସିଂହ ଏବଂ ୧୪ ବର୍ଷୀୟା ପଲକ କୁମାରୀ, ୪୦ ବର୍ଷୀୟ ସୀତାରାମ ଯାଦବ ଏବଂ ତାଙ୍କର ତିନି ସନ୍ତାନ ୧୬ ବର୍ଷୀୟା ଶେଜଲ କୁମାରୀ, ୮ ବର୍ଷୀୟ ହର୍ଷଲ କୁମାର, ୫ବର୍ଷୀୟ ବଉଭା, ୧୬ ବର୍ଷୀୟ ରାହୁଲ କୁମାର, ୧୪ ବର୍ଷୀୟ ଅମିତ କୁମାରଙ୍କ ମୃତ୍ୟୁ ହୋଇଯାଇଛି ।

