ଗୁଜୁରାଟର ଭଦୋଦରାରୁ ହଜାର କୋଟି ମୂଲ୍ୟର ଡ୍ରଗ୍ସ ଜବତ

ଭଦୋଦରା: ଗୁଜୁରାଟରୁ ପୁଣିଥରେ ଡ୍ରଗ୍ସ ଜବତ ଘଟଣା ସାମ୍ନାକୁ ଆସିଛି । ପୂର୍ବରୁ ଗୁଜୁରାଟ ମୁନ୍ଦ୍ରା ବନ୍ଦରରୁ ବିପୁଳ ମାତ୍ରାରେ ଡ୍ରଗ୍ସ ଜବତ ଘଟଣା ସାମ୍ନାକୁ ଆସିଥିଲା । କିନ୍ତୁ ଆଜି ଭଦୋଦରାରୁ ପ୍ରତିବନ୍ଧିତ ଏମଡି ଡ୍ରଗ୍ସ ତିଆରି କରୁଥିବା ଫ୍ୟାକ୍ଟ୍ରି ଧରାପଡ଼ିଛି । ବଡୋଦରା ଜିଲ୍ଲାର ମୋକ୍ଷି ଗାଁରୁ ଏଟିଏସ୍ ଏହି ଫ୍ୟାକ୍ଟ୍ରିରୁ ୨୦୦କେଜି ଡ୍ରଗ୍ସ ଜବତ କରିଛି । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଏଟିଏସ୍ ଡିଆଜି ଦୀପେନ ଭଦ୍ରନ କହିଛନ୍ତି, ଗୁଇନ୍ଦା ସୂଚନା ମିଳିଥିଲା କି ସାୱଲି ତହସିଲ ପାଖରେ ଡ୍ରଗ୍ସର ବଡ ଷ୍ଟକ ରହିଛି । ଏଟିଏସ୍ ସୋମବାର ମୋକ୍ଷି ଗାଁର ଏହି ଫ୍ୟାକ୍ଟ୍ରିରେ ଚଢ଼ାଉ କରିଥିଲା ।  ସେଠାରୁ ଡ୍ରଗ୍ସ ମିଳିବା ସହ ଜଣାପଡ଼ିଛି ଯେ କେମିକାଲ ତିଆରି ଆଢୁଆଳରେ ଏମଡି ଡ୍ରଗ୍ସ ତିଆରି କରାଯାଉଥିଲା । ଏହି ମାମଲାରେ କିଛି ଲୋକଙ୍କୁ ଗିରଫ କରାଯାଇଛି ।

ତେବେ ପ୍ରାରମ୍ଭିକ ତଦନ୍ତରେ ଜଣାଯାଇଛି ଯେ, ଡ୍ରଗ୍ସର ସପ୍ଲାଇ ଗୋଆ ଏବଂ ମୁମ୍ବାଇକୁ କରାଯାଉଥିଲା । ଏଟିଏସ୍ କୁ ସନ୍ଦେହ ହେଉଛି ଯେ, ଦେଶର ଅନ୍ୟ ସ୍ଥାନକୁ ମଧ୍ୟ ଡ୍ରଗ୍ସ ପଠାଯାଇଛି । ରାକେଟରେ ସାମିଲ ଲୋକମାନଙ୍କୁ ଏଟିଏସ୍ ଖୋଜୁଛି । ତେବେ ପୋଲିସ ସୂତ୍ରରୁ କୁହାଯାଉଛି ଯେ, ରାକେଟର ଚେର ବହୁତ ଲମ୍ବା ରହିଛି । ଯେଉଁମାନଙ୍କୁ ଫ୍ୟାକ୍ଟ୍ରିରୁ ଗିରଫ କରାଯାଇଛି ସେମାନଙ୍କୁ ଅଧିକ ପଚରା ଉଚରା ପରେ ରାକେଟ୍ ରେ ସାମିଲ ଲୋକଙ୍କ ବିଷୟରେ ଜଣାପଡ଼ିବ ।