ନିଷ୍ପତ୍ତି ଦୁର୍ଭାଗ୍ୟଜନକ ହେଲେ ଭୁଲ ସୁଧାରିବାର ସଠିକ ସମୟ: ପୂର୍ବତନ ଅଧିନାୟକ

1 min read

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଫୁଟବଲ ଫେଡେରେସନ (ଏଆଇଏଫଏଫ)କୁ ବିଶ୍ୱର ସବୁଠୁ ବଡ଼ ଫୁଟବଲ ପରିଚାଳକ ସଂଘ ଫିଫା ବହିସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କେନ୍ଦ୍ର । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଏହି ମାମଲା ଉପରେ ଦୃଷ୍ଟି ଆକର୍ଷ କରି ଯଥାଶୀଘ୍ର ଶୁଣାଣି କରିବା ପାଇଁ ନିବେଦନ କରିଛନ୍ତି । ତୃତୀୟ ପକ୍ଷର ଦ୍ୱାରା ଅନୁଚିତ ହସ୍ତକ୍ଷେପ ଏବଂ ଅଣ୍ଡର-୧୭ ମହିଳା ବିଶ୍ୱକପ ଆୟୋଜନର ଅଧିକାର ଛଡାଇନେବା ସମ୍ବନ୍ଧରେ ସୁପ୍ରିମକୋର୍ଟ ଯାଇଛନ୍ତି । ଅକ୍ଟୋବର ୧୧ ରୁ ୩୦ ପର୍ଯ୍ୟନ୍ତ ଫିଫା ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା ।

ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠଙ୍କୁ ସଲିସିଟର ଜେନେରାଲ ତୁଷରା ମେହତା  କେନ୍ଦ୍ର ପକ୍ଷରୁ ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଶୁଣାଣି ପାଇଁ ନିବେଦନ କରିଥିଲେ । ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ତେବେ ୮୫ ବର୍ଷରେ ପ୍ରଥମ ଥର ପାଇଁ ଫିଫା ଭାରତୀୟ ଫୁଟବଲ ଫେଡେରେସନକୁ ବ୍ୟାନ କରିଛି । ଫିଫାର ଏପରି ବ୍ୟବହାରକୁ ନେଇ ସବୁଠି ଚର୍ଚ୍ଚା ହୋଇଛି। ଭାରତୀୟ ଫୁଟବଲ ଟିମର ପୂର୍ବତନ ଅଧିନାୟକ ଭାଇଚୁଙ୍ଗ ଭୁଟିଆ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ, ଫିଫା ଭାରତୀୟ ଫୁଟବଲକୁ ବ୍ୟାନ କରିଛି ଏବଂ ମୋତେ ଲାଗୁଛି ଏହି ନିଷ୍ପତ୍ତି ଅତ୍ୟନ୍ତ କଠିନ ଅଟେ ।

କିନ୍ତୁ ଏଥିସହ ମୋତେ ଲାଗୁଛି ଯେ ଏହା ଆମ ବ୍ୟବସ୍ଥାକୁ ସୁଧାରିବାର ସଠିକ ସମୟ ଅଟେ । ବର୍ତ୍ତମାନ ସମୟ ବହୁତ ମହତ୍ତ୍ୱପୂର୍ଣ୍ଣ, ଭାରତର ସବୁ ରାଜ୍ୟର ଫୁଟବଲ ସଂଘ ଓ ଅନ୍ୟ ଆଞ୍ଚଳିକ ସଂଘ ଏକାସାଙ୍ଗରେ ଆସି ବ୍ୟବସ୍ଥାରେ ଥିବା ଭୁଲକୁ ସୁଧାରନ୍ତୁ । ଭାରତୀୟ ଫୁଟବଲର ଉତ୍ତମ ଭବିଷ୍ୟତ ପାଇଁ ଏହା ସଠିକ ସମୟ ଅଟେ । ତାଙ୍କ ବ୍ୟତୀତ ଅନ୍ୟ ପୂର୍ବତନ ଫୁଟବଲରମାନେ ମଧ୍ୟ ଫିଫି ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । କିଛି ଫୁଟବଲର କହିଛନ୍ତି ଭାରତୀୟ ଫୁଟବଲ ପରିଚାଳନା ବ୍ୟାନ ପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ । ଅନ୍ୟ ଫୁଟବଲର ଫିଫାର ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି ।

ସୂଚନାଥାଉକି ମଙ୍ଗଳବାର ସକାଳେ ଫିଫା ଏକ ପ୍ରେସ ରିଲିଜ୍ ଜାରି କରି ବ୍ୟାନ ସମ୍ପର୍କରେ ସୂଚନା ଦେଇଥିଲା । ପ୍ରେସ ରିଲିଜରେ ଲେଖାଥିଲା ଭାରତୀୟ ସଂଘରେ ତୃତୀୟ ପକ୍ଷର ଅନୁଚିତ ହସ୍ତକ୍ଷେପ କାରଣରୁ ଏହି ପଦକ୍ଷେପ ନିଆଯାଇଛି । କୌଣସି ଜାତୀୟ ଫୁଟବଲ ସଂଘରେ ତୃତୀୟ ପକ୍ଷର ହସ୍ତକ୍ଷେପ ଫିଫା ଆଇନର ଉଲ୍ଲଂଘନ ଅଟେ ।

ଫିଫା ପରିଷଦର ବ୍ୟୁରୋମାନେ ସର୍ବସମ୍ମତିକ୍ରମେ ତୃତୀୟ ପକ୍ଷର ଅନୁଚିତ ପ୍ରଭାବ କାରଣରୁ ଅଲଇଣ୍ଡିଆ ଫୁଟବଲ ଫେଡେରେସନକୁ ତତ୍କାଳ ପ୍ରଭାବରେ ନିଲମ୍ବିତ କରିବାର ନିଷ୍ପତ୍ତି ନେଇଛି । ତେବେ ଏହି କାରଣରୁ ଅଣ୍ଡର ୧୭ ମହିଳା ବିଶ୍ୱକପର ଆୟୋଜନ ଅଧିକାର ମଧ୍ୟ ଭାରତ ଠାରୁ ଛଡାଇ ନିଆଯିବର ଆଶଙ୍କା କରାଯାଉଛି । ଫିଫା ଆଗକୁ ମଧ୍ୟ କହିଛି, ଏହି ବ୍ୟାନ୍ ସେତବେଳେ ପ୍ରତ୍ୟାହାର କରାଯିବ ଯେବେ ସୁପ୍ରିମକୋର୍ଟ ଦ୍ୱାରା କମିଟି ଅଫ ଆଡମିନିଷ୍ଟେଟର୍ସକୁ ହଟାଯିବ ।

ଏଆଇଏଫଏଫ  ପ୍ରଶାସନକୁ ସମ୍ପୂର୍ଣ୍ଣ କ୍ଷମତା ଦିଆଗଲେ ହିଁ ନିଲମ୍ବନ ପ୍ରତ୍ୟାହର ହେବ । ସର୍ବଭାରତୀୟ ଫୁଟବଲ ଫେଡେରେସନର ଅଧ୍ୟକ୍ଷ ପଦରୁ ପ୍ରଫୁଲ ପଟେଲଙ୍କୁ ବହିସ୍କାର କରାଯିବା ପରେ ଫିଫା ଏହି ପଦକ୍ଷେପ ନେଇଛି । ଡିସେମ୍ବର ୨୦୨୦ରେ ଭାରତୀୟ ଫେଡେରେସନରେ ନିର୍ବାଚନ ନକରାଇବା ନେଇ ସୁପ୍ରିମକୋର୍ଟ ତାଙ୍କୁ ବହିସ୍କାର କରିଥିଲେ । ଏବଂ ଅନ୍ୟ ଏକ କମିଟି ଗଠନ କରି ଏହାର ପରିଚାଳନା ଦାୟିତ୍ୱ ଦେଇଥିଲେ । ଯାହାକୁ ଫିଫା ନିଜର ନିୟମର ଉଲ୍ଲଂଘନ ବୋଲି ମାନୁଛି ।