spot_img
Home Blog Page 4188

ଏଲଓସିରେ ଗ୍ରେନେଡ ବିସ୍ଫୋରଣ, କ୍ୟାପ୍ଟେନଙ୍କ ସମେତ ୨ ସହିଦ

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ଏଲଓସିରେ ଘଟିଛି ଗ୍ରେନେଡ ବିସ୍ଫୋରଣ। ଘଟଣାରେ ଜଣେ ଆର୍ମି କ୍ୟାପ୍ଟେନ ଓ ଜୁନିୟର କମିଶନଡ୍ ହୋଇଛନ୍ତି ସହିଦ ହୋଇଛନ୍ତି। ସେହିପରି ସ୍ଥଳ ସେନାର ଆଉ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ, ଆର୍ମି ଯବାନମାନେ ଏଲଓସିରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣାବଶତଃ ଗ୍ରେନେଡ ବିସ୍ଫୋରଣ ହୋଇଥିଲା। ରବିବାର ରାତିରେ ମେନ୍ଧର ସେକ୍ଟର ଏଲଓସିରେ ବିସ୍ଫୋରଣ ହୋଇଛି। ଏହି ଘଟଣାରେ ୬ ଜଣ ସୈନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ମେନ୍ଧର ସେକ୍ଟରରୁ ଚିକିତ୍ସା ପାଇଁ ଉଦ୍ଧମପୁର ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କ୍ୟାପ୍ଟେନ ଓ ଆଉ ଜଣେ ଜେସିଓଙ୍କ ମୃତ୍ୟୁ ଘଟିଛି।

ତେବେ ବର୍ତ୍ତମାନ ଅନ୍ୟ ୪ ଜଣ ଯବାନଙ୍କର ଚିକିତ୍ସା ଚାଲିଛି। ଘଟଣା ପରେ ସୀମାରେ ସତର୍କତା ଅବଲମ୍ବନ କରାଯାଇଥିବାବେଳେ କେଉଁ ପରିସ୍ଥିତିରେ ଗ୍ରେନେଡ ବିସ୍ଫୋରଣ ହେଲା, ତା’ର ମଧ୍ୟ ତଦନ୍ତ କରାଯାଉଛି।

 

ରାଜ୍ୟରେ ଖସୁଛି କରୋନା ସଂକ୍ରମଣ; ଦିନକରେ ୮୧୬ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ। ଦିନକରେ ୨୮ଜିଲ୍ଲା ଷ୍ଟେଟପୁଲରୁ ୮୧୬ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ଯରେ ୧୮ ବର୍ଷ ମଧ୍ୟରେ ୧୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନରୁ ୪୭୭, ଲୋକଲ କେସ୍ ୩୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 

ସୂଚନା ମୁତାବକ ଖୋର୍ଦ୍ଧାରୁ ୨୧୮, ସୁନ୍ଦରଗଡ଼ରୁ ୧୪୧, କଟକରୁ ୭୮, ସମ୍ବଲପୁରରୁ ୫୭, ଷ୍ଟେଟପୁଲରୁ ୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୬୦୦ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୫୯୧୧।

ଅନ୍ୟପଟେ ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଜିଲ୍ଲାପାଳ ଓ ସିଡିଏମଓଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ ଓ ଭ୍ୟାକ୍ସିନେସନ ବଢ଼ାଇବାକୁ ଦିଆଯାଉଛି ଫୋକସ । ଆବଶ୍ୟକସ୍ଥଳେ ହସ୍ପିଟାଲରେ ବେଡ୍‌ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ପ୍ରଥମ ଓ ଦ୍ବିତୀୟ ଲହରର ଯେପରି ସଫଳ ମୁକାବିଲା କରାଯାଇଥିଲା, ଏବେ ସେହିଭଳି ପଦକ୍ଷେପ ନିଆଯାଉଛି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ତଦାରଖ କରୁଛନ୍ତି । ଓଏମସିଏଲକୁ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତେ କୋଭିଡ୍‌ ନିୟମ ମାନିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପରାମର୍ଶ ଦେଇଛନ୍ତି ।

ସକ୍ରିୟ ରହିଛି ମୌସୁମୀ ଟ୍ରପ୍ ଲାଇନ, ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଝାଡଖଣ୍ଡ ମୁହାଁ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ । ସକ୍ରିୟ ରହିଛି ମୌସୁମୀ ଟ୍ରପ୍ ଲାଇନ୍ । ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଏବଂ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୂଆପଡା, ମାଲକାନଗିରି ଏବଂ ବଲାଙ୍ଗୀରରେ ୭୦ ରୁ ୨ ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ବର୍ଷା ହେବ । ତେବେ କାଲିଠୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ସପଟେ ଚଳିତ ମୌସୁମୀ ସିଜିନରେ ଏଯାଏ ୧୯ଜିଲ୍ଲାରେ ହୋଇଛି ସ୍ବାଭାବିକ ବର୍ଷା । ୮ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । କେବଳ ସୁନ୍ଦରଗଡ ଏବଂ କେନ୍ଦ୍ରପଡାରେ ନିଅଣ୍ଟିଆ ବର୍ଷା ହୋଇଛି ।

ଆଜି ଶ୍ରାବଣ ପ୍ରଥମ ସୋମବାର, ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ରାଜ୍ୟର ସମସ୍ତ ଶୈବ ପୀଠ ଆଜି ବେଶ୍ ଚଳଚଞ୍ଚଳ। ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଗତକାଲି ବିଭିନ୍ନ ନଦୀରୁ ପାଣି ଉଠାଇ କାଉଡ଼ିଆମାନେ ଶିବ ମନ୍ଦିର ଯାତ୍ରା କରିଥିଲେ। ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ଢେଙ୍କାନାଳର କପିଳାଶ ମନ୍ଦିରରେ ପାଣି ଢାଳୁଛନ୍ତି ଭକ୍ତ।

ଦୀର୍ଘ ଦୁଇ ବର୍ଷ କରୋନା ପାଇଁ ବୋଲ ବୋମ ବନ୍ଦ ରହିଥିଲା। ଚଳିତବର୍ଷ କାଉଡ଼ିଆଙ୍କୁ ଅନମତି ମିଳିଥିବାରୁ ସମସ୍ତେ ଉତ୍ସାହର ସହ ପାଣି ଢାଳୁଛନ୍ତି। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ କାଉଡ଼ିଆଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ ଡିସିପଙ୍କ ନେତୃତ୍ୱରେ ୫ ଜଣ ଏସିପି, ୮ ଜଣ ଆଇଆଇସି, ୩୩ ଏସଆଇଙ୍କ ସହ ୬ ପ୍ଲାଟୁନ ପୋଲିସ ଫୋର୍ସ, ୫୦ ହୋମ ଗାର୍ଡ ନିୟୋଜିତ ହୋଇଛନ୍ତି ।

ଆଜିଠୁ ସଂସଦର ମୌସୁମୀ ଅଧିବେଶନ, ରାଜ୍ୟର ସ୍ବାର୍ଥ ପାଇଁ କେନ୍ଦ୍ରକୁ ଘେରିବ ବିଜେଡି

ନୂଆଦିଲ୍ଲୀ: ଆଜିଠୁ ସଂସଦର ମୌସୁମୀ ଅଧିବେଶନ । ଏଥର ବେଶ୍‌ ସରଗରମ ରହିବ ଗୃହ। ବିବାଦୀୟ ଅଗ୍ନିପଥ ଯୋଜନା, ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ । ଏପଟେ ବିରୋଧୀଙ୍କୁ ଜବାବ ଦେବାକୁ ରଣନୀତି କରିଛି ଶାସକ ଦଳ । ଅଗଷ୍ଟ ୧୨ ଯାଏ ଚାଲିବାକୁ ଥିବା ଅଧିବେଶନରେ ୨୪ଟି ବିଲ୍ ଆଣିବେ କେନ୍ଦ୍ର ସରକାର। ଗୃହରେ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବ ବିଜେଡି। ଏଥିପାଇଁ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗୃହରେ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର, କୋଇଲା ରୟାଲିଟି, ବଳକା ଉଷୁନା ଚାଉଳ ପ୍ରସଙ୍ଗ ଉଠାଇବ ବିଜେଡି। ୨୦୨୧-୨୨ ଖରିଫ ବର୍ଷର ବଳକା ୫ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଉଠାଣ, ୫୮ ପ୍ରତିଶତ ଗ୍ରେଡରୁ ନିମ୍ନ ଖଣିଜ ଓ ଧାତବ୍ୟ ଦ୍ରବ୍ୟ ଉପରୁ ରପ୍ତାନୀ ଶୁଳ୍କ ପ୍ରତ୍ୟାହାର, ଫନି ପ୍ରଭାବିତ ଲୋକଙ୍କ ପାଇଁ ସ୍ବତନ୍ତ୍ର ଭାବେ ୧ଲକ୍ଷ ୮୪ ହଜାର ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଣ ପାଇଁ କେନ୍ଦ୍ରରେ ଚାପ ସୃଷ୍ଟି କରିବେ ବିଜେଡି ସାଂସଦ।

ସେହିପରି ଆବାସ ପ୍ଲସରେ ସାମିଲ ହୋଇଥିବା ୫ଲକ୍ଷ ୯ ହଜାର ହିତାଧିକାରୀଙ୍କୁ ସାମିଲ କରିବା ନେଇ ମଧ୍ୟ ଦାବି କରାଯିବ । ଏଥିସହ ଆୟକର ପରିସରରୁ DMF ଟ୍ରଷ୍ଟକୁ ବାଦ ଦେବା, ସ୍ବାମୀନାଥନ କମିଟି ଅନୁସାରେ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବା, ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ସମ୍ବିଧାନରେ ସଂଶୋଧନ, ରାଜ୍ୟର ବିଧାନ ପରିଷଦ ଗଠନକୁ ସ୍ବୀକୃତି ସହ ସମ୍ବିଧାନର ଅଷ୍ଟମ ପରିଛେଦ ହୋ ଭାଷାକୁ ସାମିଲ କରିବା ପାଇଁ କେନ୍ଦ୍ର ମନ୍ତ୍ରୀମାନଙ୍କ ପାଖରେ ଓଡିଶା ସାଂସଦମାନେ ଚାପ ସୃଷ୍ଟି କରିବେ । ଏହା ବ୍ୟତୀତ ରେଳବାଇ, ବ୍ୟାଙ୍କିଂ, ଟେଲି ଯୋଗଯୋଗ କ୍ଷେତ୍ରରେ ଓ଼ଡିଶା ଅବହେଳିତ ଥିବାରୁ ଏକ୍ଷେତ୍ରରେ ସାଂସଦମାନେ କେନ୍ଦ୍ରରେ ଦାବି ହାସଲ କରିବେ ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶା ପ୍ରସ୍ତୁତ, ସକାଳ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟିଂ

ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ନିର୍ବାଚନ। ଏଥପାଇଁ ଓଡ଼ିଶା ବିଧାନସଭାରେ ସରିଛି ସମସ୍ତ ପ୍ରସ୍ତୁତି । ଆଜି ସକାଳ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ୧୪୭ ବିଧାୟକ ନିଜର ମତ ସାବ୍ୟସ୍ତ କରିବେ । ଏହାସହ ସାଂସଦମାନେ ଚାହିଁଲେ ବିଧାନସାଭାରେ ନିଜର ମତ ସାବ୍ୟସ୍ତ କରିପାରିବେ । ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ସହ ଅନ୍ୟ ଅଧିକାରୀମାନେ ନିଯୁକ୍ତ ହୋଇଛନ୍ତି।

ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ପୂରା ସମର୍ଥନ କରିଛି। ଆଜି ଦଳର ସମସ୍ତ ବିଧାୟକ ଓ ସାଂସଦମାନେ ଦ୍ରୌପଦୀଙ୍କୁ ଭୋଟ ଦେବେ। ଦଳମତ ନିର୍ବିଶେଷରେ ୧୪୭ ଜଣ ବିଧାୟକଙ୍କ ଭୋଟ ଦ୍ରୌପଦୀଙ୍କ ସପକ୍ଷରେ କେମିତି ଯିବ, ସେ ନେଇ ବିଜେଡି କରୁଛି ପ୍ରୟାସ। ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲକୁ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଦଳର ସମର୍ଥନ ଯୋଗାଡ଼ କରିଛନ୍ତି । ମତଦାନ ବେଳେ ଗୋଟିଏ ବି ଭୋଟ ଯେମିତି ନାକଚ ନହେବ ତାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ରାଷ୍ଟ୍ରପତି ନିର୍ବାଚନ: କାହାକୁ ମିଳିବ ଦେଶର ସର୍ବୋଚ୍ଚ ପଦବୀ ?

ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପତି ନିର୍ବାଚନ। ନିର୍ବାଚନ ପ୍ରକ୍ରିୟାରେ ୭୭୬ ସାଂସଦ ଓ ୪ହଜାରରୁ ଅଧିକ ବିଧାୟକ ଭାଗ ନେବେ। ଉଭୟ ସାଂସଦ ଓ ବିଧାୟକଙ୍କ ଲାଗି ସଂସଦ ଓ ବିଧାନସଭାରେ ବ୍ୟବସ୍ଥା କରାଯାଛି । ଭୋଟ ନାକଚ ନ ହେବା ଲାଗି ସମସ୍ତଙ୍କୁ ତାଲିମ ଦିଆଯାଇଛି। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବନାମ ମିଳିତ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ।

ତେବେ ସଂଖ୍ୟା ଗଣିତ କହୁଛି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବହୁ ଭୋଟରେ ବିଜୟୀ ହେବେ । ଦ୍ରୌପଦୀଙ୍କୁ ବିଜେପି, ବିଜେଡି, ଓ୍ବାଇଏସଆରସିପି, ଟିଡିପି, ଜେଡିଏସ, ଜେଡିୟୁ, ବିଏସପି, ଶିରୋମଣି ଅକାଳୀ ଦଳ, ଶିବସେନା, ଜେଏମଏମ, ଏଆଇଏଡିଏମକେ, ଏଲଜେପି ସମେତ ପ୍ରାୟ ୩୦ ଦଳର ସମର୍ଥନ ମିଳୁଛି।

ସେହିଭଳି ବିରୋଧୀ ଦଳ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ କଂଗ୍ରେସ, ଏସପି, ଆପ୍, ଟିଏମସି, ସିପିଆଇ, ସିପିଏମ, ଏନସିପି, ଏନସି, ଆରଜେଡି, ଆରଏଲଡି, ଟିଆରଏସ, ଡିଏମକେ ଆଦି ପ୍ରାୟ ୨୦ ଦଳ ସମର୍ଥନ କରୁଛନ୍ତି । ଆଦର୍ଶଗତ ଦୃଷ୍ଟିରୁ ଭୋଟ ଦେବା ଲାଗି ବିଭିନ୍ନ ଦଳକୁ ଅନୁରୋଧ କରିଛନ୍ତି ସିହ୍ନା । ଦେଶର ସମସ୍ତ ସାଂସଦ ଓ ବିଧାୟକଙ୍କ ମୋଟ ଭୋଟ ମୂଲ୍ୟ ୧୦ ଲକ୍ଷ ୮୬ ହଜାର ୪୩୧ ହୋଇଥିବାବେଳେ ବିଜୟ ଲାଗି ଆବଶ୍ୟକ ୫ ଲକ୍ଷ ୪୩ ହଜାର ୨୧୫ ଭୋଟ ।

ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ: ଭାରତର ଦମଦାର ବିଜୟ, ୨-୧ରେ ସିରିଜ ଜିତିଲା

ମଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଋଷଭଙ୍କ ଅପରାଜିତ ଶତକୀୟ ଇନିଂସ ଏବଂ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପରଫର୍ମାନ୍ସ ଭାରତକୁ ବୃହତ ବିଜୟ ଦେଇଛି । ଏଥିସହ ଭାରତ ୨-୧ରେ ସିରିଜ ଜିତିଯାଇଛି । ୮ବର୍ଷ ପରେ ଇଂଲଣ୍ଡରେ ଭାରତ ଦିନିକିଆ ସିରିଜ ଜିତିବାର ସଫଳତା ଅର୍ଜନ କରିଛି । ୫ୱିକେଟରେ ଭାରତ ଇଂଲଣ୍ଡକୁ ହରାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ସିରିଜ୍ ବିବେଚିତ କରାଯାଇଥିବା ବେଳେ ଋଷଭ ପନ୍ତଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷଣା କରାଯାଇଛି ।

ଆଜିର ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ଯାଟିଂ କରି ୪୫.୫ ଓଭରରେ ଇଂଲଣ୍ଡ ନିଜର ସମସ୍ତ ୱିକେଟ୍ ହରାଇ ୨୫୯ ରନ୍ ସଂଗ୍ରହ କରିଥିଲା । ବଟଲର ସର୍ବାଧିକ ୬୦ ରନ୍ ସଂଗ୍ରହ କରିଥିଲେ । ଜେସନ ରୟ ୪୧ ଏବଂ ମୋଇନ ଅଲୀ ୩୪ ରନ୍ କରିଥିଲେ  । ଭାରତୀୟ ବୋଲଙ୍କ ଆଗରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ତିଷ୍ଟି ପାରିନଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବୋଲିଂ କରି ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଯୁଜବେନ୍ଦ୍ର ଚହଲ ୩ଟି ଏବଂ ମହମ୍ମଦ ସିରାଜ ୨ଟି ୱିକେଟ୍ ହାସଲ କରିଥିଲେ ।

୨୬୦ ରନର ଟାର୍ଗେଟ ଭାରତକୁ ମିଳିଥିଲା । ୫ୱିକେଟ ହରାଇ ଏହି ଟାର୍ଗେଟ ଭାରତ ୪୨.୧ ଓଭରରେ  ହାସଲ କରିନେଇଛି । ଗତ ମ୍ୟାଚ ଭଳି ଚଳିତ ମ୍ୟାଚରେ ଭାରତୀୟ ଦଳର ଟପ ଅର୍ଡର ଫ୍ଲପ ରହିଥିଲା । ସର୍ବ ପ୍ରଥମେ ଶିଖର ଧୱନ ମାତ୍ର ୧ ରନ୍ କରି ପାଭେଲିଅନ ଫେରିଥିଲେ । ଏହାପରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ୧୭ ରନ୍ କରିଆଉଟ୍ ହୋଇଯାଇଥିଲେ । ଆଜିର ମ୍ୟାଚରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ଭରସା ଏବଂ ବିଶ୍ୱାସ ଥିଲା  । ହେଲେ ପୂର୍ବ ମ୍ୟାଚ ଭଳି ଏହି ମ୍ୟାଚରେ ମଧ୍ୟ ବିରାଟ ଭଲ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି । ୨୨ ବଲ ଖେଳି ମାତ୍ର ୧୭ ରନ୍ କରି ଆଉଟ ହୋଇଯାଇଥିଲେ  । କୋହଲିଙ୍କ ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୧୬ରନ୍ କରି ଆଉଟ୍ ହୋଇଥିଲେ ।

୭୨ ରନରେ ଭାରତ ତାର ୪ଟି ୱିକେଟ୍ ହରାଇଥିଲେ । ଏହା ପରେ ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳୀୟ ସ୍ଥିତିକୁ ସମ୍ଭାଳି ଥିଲେ । ଏକ ଭଲ ପାର୍ଟନରସିପ୍ କରିବାରେ ସଫଳ ହୋଇଥିଲେ । ଉଭୟ ୧୩୩ ରନର ପାର୍ଟନରସିପ୍ କରିଥିଲେ । ଭାରତର ବିଜୟ ଆଶାକୁ ଉଜ୍ଜୀବିତ ରଖିଥିଲେ । ହାର୍ଦ୍ଦିକ ୫୫ ବଲରେ ୭୧ ରନ୍ କରି ଆଉଟ ହୋଇଯାଇଥିଲେ । ଋଷଭ କିନ୍ତୁ ବିଜୟ ପର୍ଯନ୍ତ କ୍ରୀଜରେ ରହିଥିଲେ । ୧୧୩ ବଲ୍ ଖେଳି ୧୨୫ ରନ୍ ସଂଗ୍ରହ କରି ଦଳକୁ ବିଜୟ ଦେଇଛନ୍ତି । ଶେଷ ବେଳକୁ ତାଙ୍କ ସହ ରବୀନ୍ଦ୍ର ଜାଡେଜା(୭ରନ୍) କ୍ରୀଜରେ ରହିଥିଲେ । ଇଂଲଣ୍ଡ ପକ୍ଷରୁ ରିସୀ ଟପ୍ଲେ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠିତ, ବିଜେଡ଼ି ସାଂସଦ ସସ୍ମିତ ପାତ୍ର ସାମିଲ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠିତ । ପୁନର୍ଗଠନ କଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ । ପ୍ୟାନେଲରେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ସାମିଲ ଅଛନ୍ତି । ସସ୍ମିତଙ୍କ ବ୍ୟତୀତ ଏହି ପ୍ୟାନେଲରେ ଅଛନ୍ତି ସାଂସଦ ଭୁବନେଶ୍ୱର କଲିତା, ଇନ୍ଦୁବାଲା ଗୋସ୍ୱାମୀ, ଡ. ଏଲ୍ ହନୁମନ୍ଥିଆ, ଟି ସିବା, ସାଂସଦ ଭି. ବିଜୟସାଇ ରେଡି ମଧ୍ୟ ସଦସ୍ୟ ରହିଛନ୍ତି । କିଛି ଜଣଙ୍କୁ ନୂଆ ଭାବେ ଯୋଡା ଯାଇଥିବା ବେଳେ ଆଉ କିଛି ପୂର୍ବ ସଦସ୍ୟଙ୍କୁ ଏହି ପ୍ୟାନେଲରେ ପୂର୍ବଭଳି ରଖାଯାଇଛି । ଆସନ୍ତାକାଲିଠାରୁ ମୌସୁମୀ ଅଧିବେସନ ଆରମ୍ଭ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାୟିଡୁ ଏହି ପ୍ୟାନେଲ ପୁନର୍ଗଠନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ପାଇଁ ମୌସୁମୀ ଅଧିବେଶନରେ ଶେଷ ଅଧ୍ୟକ୍ଷତା ହେବ । କାରଣ ଅଗଷ୍ଟ ୧୦ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

ମୋ ପ୍ରାର୍ଥିତ୍ୱ ପାଇଁ ମହିଳା ଓ ଆଦିବାସୀ ଖୁସି ଅଛନ୍ତି: ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଗୋଟେ ଦିନ ପୂର୍ବରୁ ଅର୍ଥାତ ରବିବାର ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଏକ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଦେଶର ସବୁଠୁ ବଡ଼ ସାମ୍ବିଧାନିକ ପଦ ପାଇଁ ମୋର ନାମାଙ୍କନ ଦ୍ୱାରା ସାରା ଦେଶର ଆଦିବାସୀ ଏବଂ ମହିଳା ଉତ୍ସାହିତ ଓ ଖୁସି ଅଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସଂସଦ ଭବନରେ ଏନଡିଏର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ହୋଇଥିଲା । ଏହି ଅବସରରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ମଧ୍ୟ ସଂସଦ ଭବନରେ ପହଞ୍ଚିଥିଲେ । ମୁର୍ମୁ ଏନଡିଏ ସାଂସଦଙ୍କ ସହ ଆଲୋଚନା କରିଥିଲେ ଏବଂ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଚୟନ କରିଥିବାରୁ ଧନ୍ୟବାଦ ଦେଇଥିଲେ ।

ମୁର୍ମୁ ବୈଠକରେ କହିଛନ୍ତି ଦେଶରେ ୭୦୦ରୁ ଅଧିକ ବର୍ଗର ପ୍ରାୟ ୧୦ କୋଟି ଆଦିବାସୀ ଅଛନ୍ତି, ଏବଂ ସମସ୍ତେ ମୋ ପାର୍ଥିତ୍ୱ ପାଇଁ ଖୁସି ଅଛନ୍ତି । ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ, କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ, ବିଜେପି ସାଂସଦ ହେମା ମାଳିନୀ ଏବଂ ଅନ୍ୟ ସାଂସଦମାନେ ଉପସ୍ଥିତ ଥିଲେ । ନିର୍ବାଚନ ପୂର୍ବରୁ ୧୮ ଜୁଲାଇରେ ହେବାକୁ ଥିବା ଭୋଟଗ୍ରହଣ ପାଇଁ ସଂସଦରେ ମକଡ୍ରିଲ କରାଯାଇଛି । ସଂସଦୀୟ ଅନୁଭବ ରଖିଥିବା ନେତା ଏବଂ ଦଳର ଆଇନ ସମ୍ବନ୍ଧୀୟ ସଦସ୍ୟମାନେ ସାଂସଦଙ୍କୁ ଭୋଟ ଦେବାର ପ୍ରକ୍ରିୟା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ ।

୧୬ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କ ବିଜୟ ନିଶ୍ଚିତ ବୋଲି ଚର୍ଚ୍ଚା ହେୁଛି । ମୁର୍ମୁଙ୍କ ପ୍ରତି ଅନେକ ଅଣ ଏନଡିଏ ଦଳର ସମର୍ଥନ ମଧ୍ୟ ଦେଖିବାକୁ ମିଳିଛି । ଜେଏମଏମ, ବିଏସପି, ବିଜେଡି ଭଳି ଦଳ ସିଧାସଳଖ ସମର୍ଥନ ଜାହିର କରିଛନ୍ତି । ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଯାଇଛି ବିଜେପି ଓ ତାର ସହଯୋଗୀ ଦଳ ପକ୍ଷରୁ । ସୂଚନାଥାଉକି, ଆଗାମୀ ରାଷ୍ଟ୍ରପତି ପାଇଁ ୧୮ ଜୁଲାଇରେ ଭୋଟିଂ ହେବ ଏବଂ ୨୧ ତାରିଖରେ ଭୋଟ ଗଣତି ଏବଂ ଫଳାଫଳ ପ୍ରକାଶ ପାଇବ । ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ନେବେ । ଗୋଟିଏ ପଟେ ଏନଡିଏ ପକ୍ଷରୁ ଓଡିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି ।