ଦୁଇ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ଼, ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ । ପୁଣି ଥରେ କାଶ୍ମୀରୀ ପଣ୍ଡିତଙ୍କୁ କରାଯାଇଛି ଟାର୍ଗେଟ୍‌ । ଦକ୍ଷିଣ କାଶ୍ମୀର ସୋପିଆନରେ ଆତଙ୍କବାଦୀମାନେ ଦୁଇ ଜଣ କାଶ୍ମୀରୀ ପଣ୍ଡିତ ଭାଇଙ୍କୁ ଖୋଜି ଖୋଜି ଆଖିବୁଜା ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ସୁନୀଲ କୁମାର ଭଟ୍ଟଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଭାଇ ପର୍ଟିମ୍ବର ନାଥ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୁନୀଲ ଓ ତାଙ୍କ ଭାଇ ସେଓ ବଗିଚାକୁ ଯାଉଥିବାବେଳେ ଆତଙ୍କବାଦୀ ପହଞ୍ଚି ସେମାନଙ୍କୁ ନାଁ ପଚାରିଥିଲେ । ଏହାପରେ ଆଖିବୁଜା ଗୁଳିମାଡ଼ କରିଥିଲେ । ଯେଉଁଥିରେ ସୁନୀଲଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ପର୍ଟିମ୍ବରଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ ସ୍ଥାନକୁ ସୁରକ୍ଷାକର୍ମୀଙ୍କ ତରଫରୁ ଘେରାବନ୍ଦୀ କରାଯାଇଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ଯାଞ୍ଚ ଚାଲିଛି ।