ଖରିଫ ପଞ୍ଜିକରଣ ଅବଧି ୨୨ ତାରିଖକୁ ବୃଦ୍ଧି

ଭୁବନେଶ୍ୱର: ବଢିଲା ଖରିଫ ପଞ୍ଜୀକରଣ ଅବଧି । ବିଭିନ୍ନ ପରିସ୍ଥିତିକୁ ବିଚାରକୁ ନେଇ ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧିକୁ ବୃଦ୍ଧି କରାଯାଇଛି । ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଏହାକୁ ବଢାଇ ଦିଆଯାଇଛି । ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଗତ ଜୁଲାଇ ମାସ ୧୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୧୬ ତାରିଖ ମଧ୍ୟରେ ସରିବାକୁ ଧାର୍ଯ୍ୟ ହୋଇଥିଲା ।

ବିଭିନ୍ନ ପରିସ୍ଥିତିକୁ ବିଚାରକୁ ନେଇ ବର୍ତ୍ତମାନ ରାଜ୍ୟ ସରକାର ଏହାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି । ଏଣୁ ଚାଷୀମାନେ ସେମାନଙ୍କର ନିକଟସ୍ଥ ଅନୁମୋଦିତ କୃଷିସମବାୟ ସମିତି ଯେପରିକି ପାକ୍ସ, ଲାମ୍ପ୍ସ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ପାଣି ପଚାଂୟତରେ ୨୨ ତାରିଖ ମଧ୍ୟରେ ନାମ ପଞ୍ଜୀକୃତ କରାଇବା ପାଇଁ କୁହାଯାଇଛି । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ରାଜ୍ୟର ସମସ୍ତ ସମବାୟ ନିବନ୍ଧକ ଏବଂ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।