spot_img
Home Blog Page 4139

ସ୍ବଳ୍ପ ସମୟରେ ‘ସକାଳ’ ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିଛି

ବାରିପଦା: ଦୈନିକ ଖବରକାଗଜ ସକାଳ ପରିବାର ପକ୍ଷରୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଛି । ସକାଳ ଓ ନନ୍ଦିଘୋଷ ଟିଭି ପରିବାରର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସେ କହିଥିଲେ, ‘ଗଣମାଧ୍ୟମ ସମାଜକୁ ଦିଗଦର୍ଶନ ଦେଇଥାଏ। ସ୍ୱଳ୍ପ ସମୟ ମଧ୍ୟରେ ସକାଳ ଜନସାଧାରଣଙ୍କ ହୃଦୟ ଜିତି ପାରିଛି । ଆମକୁ ଆହୁରି ଅନେକ ଆଗକୁ ଯିବାକୁ ପଡ଼ିବ । ସେଥିପାଇଁ ଆମକୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ । ଏହାଦ୍ବାରା ଲୋକଙ୍କ ଅଧିକ ବିଶ୍ୱାସଭାଜନ ହୋଇପାରିବା ।’

ସକାଳର ସିଇଓ ସୁବ୍ରତ କୁମାର ଦାସ ଏବଂ ପ୍ରକାଶକ ଅମିତ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସକାଳ ସମ୍ବାଦପତ୍ର ଓ ନନ୍ଦିଘୋଷ ଟିଭିର ସାମ୍ବାଦିକମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସକାଳର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ମନୋଜ କୁମାର ପଣ୍ଡା ।

ଏହି ଅବସରରେ ମାନସ ମଙ୍ଗରାଜ ବିଭିନ୍ନ ଖବରକାଗଜ ବିତରକମାନଙ୍କ ସହ ମତ ବିନିମୟ କରିଥିଲେ । ସେ କହିଥିଲେ, ‘ବିଗତ ଦିନରେ ରାଜ୍ୟରେ କାର୍ଯ୍ୟ କରୁଥିବା ଖବରକାଗଜର ବିତରକଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ସେଥିପାଇଁ ସ୍ୱତନ୍ତ୍ର ପରିଚୟ ପତ୍ର, ଆର୍ଥିକ ସହାୟତା ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ଆହୁରି ଅନେକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ।  ସେଥିପାଇଁ ଆପଣମାନଙ୍କ ସହଯୋଗ ଆବଶ୍ୟକତା ରହିଛି ।’

ସକାଳ ସମ୍ବାଦପତ୍ରକୁ ଆହୁରି ମଜଭୂତ କରିବାକୁ ସେ ଆହ୍ବାନ ଦେବା ସହ ଏହାକୁ ଏକ ନମ୍ବରରେ ପହଞ୍ଚାଇବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ପାକିସ୍ତାନରେ ପୁଣି ବଢ଼ିଲା ତୈଳ ଦର, ପେଟ୍ରୋଲ ଲିଟର ପିଛା ୨୪ ଟଙ୍କା ବୃଦ୍ଧି

ଇସଲାମାବାଦ: ପାକିସ୍ତାନରେ ପୁଣି ବଢ଼ିଲା ତୈଳ ଦର । ପେଟ୍ରୋଲର ଦାମ୍ ୨୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ଡିଜେଲ ଦାମ୍ ମଧ୍ୟ ୧୬.୩୧ ଟଙ୍କା ବୃଦ୍ଧି ପାଇଛି । ପାକିସ୍ତାନ ସରକାର ବୁଧବାର ତୈଳଦର ବୃଦ୍ଧି ନେଇ ଘୋଷଣା କରିଥିଲେ । ବିଗତ ୨୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ତୈଳ ଦର ବୃଦ୍ଧି ପାଇଛି । ଏହି ନୂଆ ଦର ବୁଧବାର ମଧ୍ୟ ରାତ୍ରରୁ ଲାଗୁ ହୋଇଛି । ଗତ ୨୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୪ ଟଙ୍କା ବଢିଲାଣି । ଏହାକୁ ନେଇ ଅର୍ଥମନ୍ତ୍ରୀ କହିଥିଲେ ଯେ, ଅର୍ନ୍ତରାଷ୍ଟ୍ରୀୟ ବଜାରରେ ତୈଳଦର ଲିଟର ପିଛା ୧୨୦ ଡଲାର ରହିଥିଲା । ତେଣୁ ତୈଳ ଦର ବୃଦ୍ଧି ହେଉଛି ।

ତେବେ କେବଳ ପେଟ୍ରୋଲ ଓ ଡିଜେଲ ନୁହେଁ, ପାକିସ୍ତାନରେ କିରାସିନୀ ଦର ମଧ୍ୟ ବୃଦ୍ଧି ପାଇଛି । କିରାସିନୀ ଲିଟର ପିଛା ୨୯.୪୯ ଟଙ୍କା ବୃଦ୍ଧି ପାଇ ୨୧୧.୪୩ ଟଙ୍କାରେ ପହଞ୍ଚିଛି । ତେବେ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବଢିବାରୁ ଦମ୍ ବୃଦ୍ଧି ପାଉଛି ବୋଲି ପାକିସ୍ତାନ ଅର୍ଥମନ୍ତ୍ରୀ କହିଛନ୍ତି ।

ଦେଶରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୧୦ ହଜାର ଡେଇଁଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ଉପରମୁହାଁ କରୋନା ଗ୍ରାଫ୍ । ପୁଣି ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ । ଦୀର୍ଘ ଦିନ ପରେ ଦୈନକ କରୋନା ସଂକ୍ରମଣ ୧୨ ହଜାର ଟପିଛି । ୨୪ ଘଣ୍ଟାରେ ୧୨ ହଜାର ୨୧୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କ ଜୀବନ ନେଇଛି କରୋନା । ସକ୍ରିୟ ସଂକ୍ରମିତ ସଂଖ୍ୟା ୫୮ ହଜାର ୨୧୫ ଥିବା ବେଳେ ୨୪ ଘଣ୍ଟାରେ ୭ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୫ଟି ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୪ ହଜାର ୨୪, କେରଳରେ ୩ ହଜାର ୪୮୮, ଦିଲ୍ଲୀରେ ୧୩୭୫, କର୍ଣ୍ଣାଟକରେ ୬୪୮ ଓ ହରିୟାଣାରେ ୫୯୬ ମାମଲା ସାମ୍ନାକୁ ଆସିଛି ।

ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫ ରାଜ୍ୟରୁ ୮୨.୯୬ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ମହାରାଷ୍ଟ୍ରରୁ ୩୨.୯୫ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକ ପୂର୍ବରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୮୨୨ ଥିଲା । ମଙ୍ଗଳବାର ଏହି ସଂଖ୍ୟା ୩୩.୮ ପ୍ରତିଶତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା । ଗୋଟିଏ ଦିନରେ ୧୫ ଜଣଙ୍କ ଜୀବନ ଯାଇଥିଲା । ଲଗାତର ୩ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାରରୁ ଅଧିକ ଥିଲା ।

 

ଅଗ୍ନିପଥ‌କୁ ନେଇ ସାରା ଦେଶରେ ଅସନ୍ତୋଷର ନିଆଁ, ୪ ବର୍ଷ ପାଇଁ ନିଯୁକ୍ତି ନୀତି ପ୍ରତ୍ୟାହାର ଦାବି

ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ସ୍କିମକୁ ବ୍ୟାପକ ବିରୋଧ । ରାଜନୈତିକ ଦଳ ସହ ଦେଶ ଯୁବଗୋଷ୍ଠୀ ମଧ୍ୟ ଏହି ଯୋଜନା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଅଗ୍ନିପଥ ଯୋଜନାକୁ ନେଇ ବିହାରରେ ବ୍ୟାପକ ଆନ୍ଦୋଳନ ହେଉଛି । ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରୁଛନ୍ତି ଲୋକେ । ସେହିପରି ହରିୟାଣା ଗୁରୁଗ୍ରାମରେ ମଧ୍ୟ ଆନ୍ଦୋଳନ ହେଉଛି । ରାସ୍ତାରେ ଟାୟାର ଜାଳି ଅବରୋଧ କରୁଥିବା ଦେଖିବାକୁ ମିଳିଛି ।

ଭାରତୀୟ ସେନାରେ ଗତ ୩ ବର୍ଷ ମଧ୍ୟରେ ନିଯୁକ୍ତି ହୋଇନଥିବା ବେଳେ ଏବେ କେବଳ ୪ ବର୍ଷ ପାଇଁ ନିଯୁକ୍ତିକୁ ବିରୋଧ କରିଛନ୍ତି । ଏହାଦ୍ୱାରା ସେମାନେ ଭବିଷ୍ୟତରେ ଅଡ଼ୁଆରେ ପଡିବେ ବୋଲି ଯୁକ୍ତି ବାଢିଛନ୍ତି ଲୋକେ । ସେନାରୁ ୪ ବର୍ଷ ପରେ ବାହାରିବା ପରେ ଅନ୍ୟ କୌଣସି ସ୍ଥାନରେ ରୋଜଗାର ଖୋଜିବା ସମ୍ଭବ ନୁହେଁ । କେନ୍ଦ୍ରର ଏଭଳି ନୀତି ତୁରନ୍ତ ପ୍ରତ୍ୟାହାର କରାଯିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି ।

ଚାଷୀଙ୍କ ପାଇଁ ଖୁସି ଖବର, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟକୁ ଛୁଇଁଛି ମୌସୁମୀ । କୋରାପୁଟରେ ୩ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଯାଜପୁର କୋରେଇରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆସନ୍ତା ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି ।

ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ୫୦ ପ୍ରତିଶତରୁ ଅଧିକ ଅଞ୍ଚଳରେ ବର୍ଷା ହେବା ସମ୍ଭାବନା ରହିଛି । ଓଡ଼ିଶା, ଗୁଜରାଟ, ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର, ସମ୍ପୂର୍ଣ୍ଣ ତେଲେଙ୍ଗାନା, ବିଦର୍ଭ, ଦକ୍ଷିଣ ଛତିଶଗଡ଼ର କିଛି ଅଞ୍ଚଳ, ଆନ୍ଧ୍ରପ୍ରଦେଶ ଉପକୂଳ, ପୂର୍ବ କେନ୍ଦ୍ରୀୟ ଓ ଉତ୍ତର ପୂର୍ବ ବଙ୍ଗୋସାଗରକୁ ମୌସୁମୀ ଛୁଇଁଛି ।

ଭୁବନେଶ୍ୱରରୁ ଉଠିବ ଇଣ୍ଡିଆନ କାଉନସିଲ ଫର୍ କଲଚରାଲ ରିଲେସନସ କାର୍ଯ୍ୟାଳୟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଉଠିବ ICCR ବା ଇଣ୍ଡିଆନ କାଉନସିଲ ଫର୍ କଲଚୁରାଲ ରିଲେସନ କାର୍ଯ୍ୟାଳୟ । ୨୦୧୫ରୁ ଏହି କାର୍ଯ୍ୟାଳୟ ପଳାସପଲ୍ଲୀରେ ରହିଛି । ତେବେ କେନ୍ଦ୍ର ସରକାର ହଠାତ ଏହି କାର୍ଯ୍ୟାଳୟକୁ ଉଠାଇ ନେବାକୁ ନିଷ୍ପତି ନେଇଛନ୍ତି । କୋଲକତା ସ୍ଥିତ ଜୋନ୍‌ କାର୍ଯ୍ୟାଳୟରେ ମିଶିବ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଓଡିଶା ରାଜ୍ୟକୁ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ମିଳିଛି ।

ଓଡ଼ିଶାର ସାହିତ୍ୟ, ସଂସ୍କୃତି, କଳା ବେଶ ଉଚ୍ଚକୋଟିର । ଏହି କାର୍ଯ୍ୟାଳୟ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର ହେବା ଓଡ଼ିଆଙ୍କ ପାଇଁ ବଡ଼ ଅପମାନ ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏନେଇ ସେ କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଦଳମତ ନିର୍ବିଶେଷରେ ରାଜ୍ୟର ସମସ୍ତ ସାଂସଦଙ୍କ ସହିତ ଆଲୋଚନା କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ବଦଳାଇବା ପାଇଁ ଚାପ ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି ଅଶୋକ ଚନ୍ଦ୍ର ପଣ୍ଡା ।

 

ଅଗ୍ନିବୀରଙ୍କୁ କେମିତି ମିଳିବ ନିଯୁକ୍ତି ? ୪ ବର୍ଷ ପରେ ଏହି ସବୁ ରାଜ୍ୟ ଦେବେ ସୁଯୋଗ

ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ଭାରତୀୟ ସେନା। ଶତ୍ରୁଙ୍କ ଉପରେ ଅଗ୍ନି ହୋଇ ବର୍ଷିବେ ଅଗ୍ନିବୀର । ଯୁବବର୍ଗଙ୍କୁ ସେନାରେ ଯୋଡିବା ପାଇଁ ଭାରତ ସରକାର ଗ୍ରହଣ କରିଛନ୍ତି ସ୍ବତନ୍ତ୍ର ପଦକ୍ଷେପ । ସଶସ୍ତ୍ର ସେନାର ଆଧୁନିକୀକରଣ ପାଇଁ ଅଗ୍ନିପଥ ଯୋଜନା ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  । ଆଗାମୀ ୩ ମାସରେ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା । ୪ ବର୍ଷ ପର୍ଯ୍ୟନ୍ତ ମାତ୍ର ସେନାରେ ନିୟୋଜିତ ରହିବେ ଅଗ୍ନିବୀର  ।

ସେନାରେ ଭର୍ତ୍ତି ପାଇଁ ଅଗ୍ନିବୀରଙ୍କ ଶିକ୍ଷାଗତଙ୍କ ଯୋଜନା ପୂର୍ବପରି ରହିବ  । ଶାରିରୀକ ଦକ୍ଷତା ଆଧାରରେ ଦ୍ବାଦଶ ପାସ ଆଶାୟୀ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ  । ଅଗ୍ନିବୀର ହେବା ପାଇଁ ଆଶାୟୀଙ୍କ ବୟସ ସାଢେ ୧୭ ବର୍ଷ ବର୍ଷରୁ ୨୧ ବର୍ଷ ମଧ୍ୟରେ ରହିବ  ।

ଏହି ଯୋଜନା ଅନୁସାରେ ପ୍ରତିବର୍ଷ ୪୫ ହଜାର ଯୁବପୀଢୀଙ୍କୁ ସେନାରେ ସାମିଲ କରାଯିବ। ମେଡିକାଲ ଟେଷ୍ଟ ଓ ମେରିଟ ଆଧାରରେ ଚୟନ ହେବେ ଅଗ୍ନିବୀର  । ୧୦ ସପ୍ତାହରୁ ୬ ମାସ ଯାଏଁ ଦିଆଯିବ ପ୍ରଶିକ୍ଷଣ । ଏହାପରେ ସେମାନେ ମାସିକ ୩୦ ରୁ ୪୦ ହଜାର ବେତନ ପାଇବେ  । ଚାକିରୀ ସମୟରେ ସ୍ଥାୟୀ ସୈନିକଙ୍କ ଭଳି ଆୱାର୍ଡ, ମେଡାଲ ଓ ଇନସ୍ୟୁରାନ୍ସର ଅର୍ଥରାଶି ପାଇବେ ଅଗ୍ନିବୀର । ସେହିପରି ୪୮ ଲକ୍ଷ ଟଙ୍କାର ମିଳିବ ବୀମା ଅର୍ଥରାଶି  ।

ଯଦି ସେବା ସମୟରେ ଅଗ୍ନିବୀର ଶହୀଦ ବା ଦିବ୍ୟାଙ୍ଗ ହୁଅନ୍ତି ୪୪ ଲକ୍ଷ ଟଙ୍କାର ମିଳିବ କ୍ଷତିପୂରଣ  ।ଆଉ ୪ ବର୍ଷ ପୂରଣ ପରେ ଭାରତୀୟ ସେନାରେ ୧୫ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ  । ୪ ବର୍ଷର ଚାକିରୀ ପରେ ସେବା ନିଧି ପ୍ୟାକେଜରେ ଅଗ୍ନିବୀରଙ୍କୁ ମିଳିବ ୧୨ ଲକ୍ଷ ଟଙ୍କା  । ଏଥିପାଇଁ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ  ।

୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସ୍ଥାୟୀ କ୍ୟାଡରରେ ଭର୍ତ୍ତିକୁ ନେଇ ବିରୋଧ ଦେଖାଦେଇଛି  । ତେବେ ୪ ବର୍ଷ ପରେ ୭୫ ପ୍ରତିଶତ ଯୁବବର୍ଗଙ୍କ ନିକଟରେ କଣ ରହିବ ବିକଳ୍ପ ?

ଅଗ୍ନିପଥ ଯୋଜନାରେ ୪ ବର୍ଷ ପୂରଣ ପରେ ଅଗ୍ନିବୀରଙ୍କୁ CAPF ଏବଂ ଆସାମ ରାଇଫଲ୍ସରେ ଭର୍ତ୍ତି ହେବାପାଇଁ ଦିଆଯିବ ପ୍ରାଥମିକତା  ।

ସେବାର ୪ ବର୍ଷ ପୂରଣ ପରେ ଉତ୍ତର ପ୍ରଦେଶ ସରକାର ଅଗ୍ନିବୀରଙ୍କୁ ପୋଲିସ ଓ ଅନ୍ୟ ସମ୍ବନ୍ଧିତ ସେବାରେ ପ୍ରାଥମିକତା ଦେବ  ।

ସେହିପରି ଅଗ୍ନିପଥ ଯୋଜନାରେ ଭର୍ତ୍ତି ଯବାନଙ୍କୁ ରାଜ୍ୟ ପୋଲିସ ବିଭାଗରେ ପ୍ରାଥମିକତା ଦେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ  ।

ଆସାମ ଆରୋଗ୍ୟ ନିଧିରେ ଅଗ୍ନିବୀରଙ୍କୁ ସୁଯୋଗ ଦେବେ ରାଜ୍ୟ ସରକାର  ।

ଭାରତୀୟ ସେନାରେ ପାଖାପାଖି ଏକ ଲକ୍ଷରୁ ଅଧିକ ପଦ ଖାଲି ରହିଛି  । କୋରୋନା କାରଣରୁ ଗତ ୨ ବର୍ଷ ସେନାରେ ଭର୍ତ୍ତି ହୋଇନାହିଁ  । କିନ୍ତୁ ଏହି ସମୟରେ ନୌସେନାରେ ୮,୩୧୯ ଓ ବାୟୁସେନାରେ ୧୩,୦୩୨ ନିଯୁକ୍ତି ପାଇଛନ୍ତି  ।

୩୦ ଘଣ୍ଟା ପରେ ବି ସନ୍ତୁଷ୍ଟ ନୁହେଁ ଇଡି, ଆସନ୍ତାକାଲି ପୁଣି ହାଜର ହେବେ ରାହୁଲ

ନୂଆଦିଲ୍ଲୀ: ପୁଣି ଜେରା ହେବେ ରାହୁଲ । ଆସନ୍ତା କାଲି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନ୍ୟାସନାଲ ହେରାଲ୍ଡ ସଂପର୍କିତ ମନି ଲଣ୍ଡ୍ରିଂ ମାମଲାରେ ରାହୁଲଙ୍କୁ ଚାଲିଛି ମାରାଥନ ଜେରା । ୩ ଦିନରେ ୩୦ ଘଣ୍ଟା ଜେରା ପରେ ବି ସନ୍ତୁଷ୍ଟ ହୋଇନି ଇଡି । ଜେରା ଅସମ୍ପୂର୍ଣ୍ଣ ଥିବାରୁ ଆସନ୍ତାକାଲି ରାହୁଲଙ୍କୁ ଜେରା କରିବାକୁ ସମନ ହୋଇଛି ।

ଅନ୍ୟପଟେ ଜେରା ବିରୋଧରେ ଜୋରଦାର ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଛି କଂଗ୍ରେସ । ପୋଲିସ ବିଜେପିର ପ୍ରାଇଭେଟ ମିଲିସିଆ ଭାବେ କାମ କରୁଛି ବୋଲି ଦଳ ଅଭିଯୋଗ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ରାହୁଲ ଗାନ୍ଧିଙ୍କୁ ଜେରା କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ ରାଜନୀତିର ପରିଚୟ ବୋଲି କଂଗ୍ରେସ କହିଛି । ଦରବୃଦ୍ଧି ଭଳି ବିଭିନ୍ନ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି ଦଳ କହିଛି । ଏହି ମନି ଲଣ୍ଡ୍ରିଂ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ମଧ୍ୟ ସମନ କରିଛି ଇଡି । ସେ ଏହି ମାସ ୨୩ ତାରିଖରେ ହାଜର ହେବେ ।

 

ୟୁପିରେ ବୁଲଡୋଜରରେ ଘର ଭାଙ୍ଗିବା ଘଟଣା, ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମନଇଚ୍ଛା କାହାରି ଘର ବୁଲଡୋଜର ଦ୍ୱାରା ଭଙ୍ଗା ଯାଇପାରିବନି । ସୁପ୍ରିମକୋର୍ଟରେ ଏନେଇ ଏକ ମାମଲାର ଆଜି ଶୁଣାଣି ହେବ । ଏଭଳି ବେଆଇନ କାମ କରୁଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟରେ ଆବଦେନ କରାଯାଇଛି । ଜାମିଆତ ଉଲମା ଇ ହିନ୍ଦ ଦ୍ୱାରା ଏହି ଆବେଦନ କରାଯାଇଛି । ଗତ ରବିବାର କିଛି ଅଳ୍ପ ସଂଖ୍ୟକ ସମ୍ପ୍ରଦାୟ ଲୋକଙ୍କ ଘରକୁ ବୁଲଡୋଜ ଦ୍ୱାରା ଭାଙ୍ଗି ଦିଆଯାଇଥିଲା । ଏଥିପାଇଁ ତା ପୂର୍ବଦିନ ବିଳମ୍ବିତ ରାତିରେ ନୋଟିସ ପଠାଯାଇଥିଲା । ଘର ଗୁଡ଼ିକ ବେଆଇନ ଭାବେ ନିର୍ମାଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏଥିସହ କାନପୁର ହିଂସାରେ ସମ୍ପୃକ୍ତି ଥିବା କଥା କହି ପ୍ରଶାସନ ପକ୍ଷରୁ ଏଭଳି ବେଆଇନ କାମ କରାଯାଇଥିବା ଆବେଦନ ହୋଇଛି । ଏହି ମାମଲାର ଆଜି ଶୁଣାଣି ହେବ । ବୁଲଡୋଜର ମାଧ୍ୟମରେ ଏଭଳି ହିଂସାକୁ ରୋକ ଲଗାଇବା ପାଇଁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

ଆଜିଠୁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ମୟୂରଭଞ୍ଜ: ଆଜିଠୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । ବର୍ଷା ଦିନ ଆରମ୍ଭ ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଆଜିଠୁ ୪ ମାସ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଆସିଲେ ଶିମିଳିପାଳ ଅଭୟାରଣ୍ୟ ଭିତର ମାଟିରାସ୍ତା ଓ ପୋଲ ବିପଦପୂର୍ଣ୍ଣ ହୋଇଯାଏ । ଏଣୁ ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ । ବର୍ଷା କମିବା ପରେ ଆଭ୍ୟନ୍ତରୀଣ ରାସ୍ତା ଓ ପୋଲର ମରାମତି କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍‌ ।