ରାଜ୍ୟରେ ଯୁବପୀଢ଼ିଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା

ଭୁବନେଶ୍ବର: ବିଶ୍ବର ସମୁଦାୟ ଆତ୍ମହତ୍ୟା ମଧ୍ୟରୁ ୩୩ ପ୍ରତିଶତ କେବଳ ଭାରତରେ ଘଟୁଛି । ଆଉ ଚିନ୍ତାର ବିଷୟ ହେଲା ଜାତୀୟ ଆତ୍ମହତ୍ୟା ହାରଠାରୁ ଆଗରେ ରହିଛି ଓଡିଶା । ଫ୍ୟାମିଲି ଟ୍ରାଜେଡି ଯୋଗୁଁ ଯାଇଛି ସର୍ବାଧିକ ଜୀବନ । ସକାଳୁ ଉଠୁ ଉଠୁ ଖବରର ଶିରୋନାମା ପାଲଟୁଛି ନିତିଦିନର ଆତ୍ମହତ୍ୟା ଘଟଣା ।

ସାରା ବିଶ୍ୱର ସମୁଦାୟ ଆତ୍ମହତ୍ୟାର ଏକ ତୃତୀୟାଂଶ କେବଳ ଭାରତରେ ଘଟୁଛି । ଆତ୍ମହତ୍ୟାର ଜାତୀୟ ହାର ୧୨ ପ୍ରତିଶତ ଥିବା ବେଳେ ଆମ ରାଜ୍ୟରେ ୨ ବର୍ଷରେ ଯାଇଛି ୧୧ ହଜାର ୧୯୭ ଜୀବନ । ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ମୃତ୍ୟୁର ରାସ୍ତା ବାଛୁଛନ୍ତି । ଆତ୍ମହତ୍ୟା ପଛର କାରଣ, ନିରାକରଣ, ତଦନ୍ତର ଦିଗ ଓ ଗଣମାଧ୍ୟମର କାର୍ଯ୍ୟ ସମ୍ପର୍କରେ, ପୋଲିସ ସେବା ଭବନରେ ଆୟୋଜିତ ହୋଇଛି ସୁଇସାଇଡ଼ ଆଣ୍ଡ ଲ’ ଏନଫୋର୍ସମେଣ୍ଟ ସେମିନାର । ଡିଜିପି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପୋଲିସ ଅଧିକାରୀଙ୍କୁ ପଢ଼ାଯାଇଛି ସୁଇସାଇଡାଲ ଇନଭେଷ୍ଟିଗେସନର ପାଠ ।

ସଂଭ୍ରାନ୍ତ ହୁଅନ୍ତୁ ବା ଅଭିନେତା, ଅଥବା ସାଧାରଣ ଲୋକ, ପାରିବାରିକ କଳହ, ପ୍ରେମ ପ୍ରତାରଣା ପାଇଁ ଚାଲିଯାଉଛି ମୂଲ୍ୟବାନ ଜୀବନ । ୨୦୨୧ ଏନସିଆରବି ରିପୋର୍ଟ ମୁତାବକ ମହାରାଷ୍ଟ୍ରରେ ସର୍ବାଧିକ ୨୨ ହଜାର ୨୦୭ ଲୋକ ଆତ୍ମହତ୍ୟା କରିଛନ୍ତି । ଏହାର ପଛକୁ ରହିଛି ତାମିଲନାଡୁ, କର୍ଣ୍ଣାଟକ ଓ ତେଲେଙ୍ଗାନା । ପ୍ରେମ ପାଇଁ ଓଡ଼ିଶାରେ ଗତବର୍ଷ ଯାଇଛି ୧୩୨ ଜୀବନ । କେବଳ ରାଜଧାନୀ ଭୁବନେଶ୍ବରରେ ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ୨୨୬ ଜଣ ଆତ୍ମହତ୍ୟା କରିଛନ୍ତି । ଏଭଳି ପରିସ୍ଥିତିରେ ଆତ୍ମହତ୍ୟା ପ୍ରବଣତା ପଛରେ ଥିବା କାରଣ ବୁଝାଇଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡଃ ସୌମିତ୍ର ପଠାରେ ।

କରୋନା କାଳରେ ବୃତ୍ତିଗତ ସମସ୍ୟା ସାଙ୍ଗକୁ ସଂକ୍ରମଣର ଭୟ ଯୋଗୁଁ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଉଥିଲା । ଏବେ କୋଭିଡରେ ବ୍ରେକ୍ ଲାଗିଥିଲେ ସୁଦ୍ଧା ଆତ୍ମହତ୍ୟା ସଂଖ୍ୟା ଆହୁରି ବଢିବା ଚିନ୍ତାର କାରଣ ପାଲଟିଛି ।