ନିଜ ଦଳରେ ବି ଅଲୋଡା ଅପରାଜିତା

ଖୋର୍ଦ୍ଧା: ବିଜେପିରେ ଚାଲିବନି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମନମାନି । ଗର୍ବ ଓ ଅହଙ୍କାରକୁ ବରଦାସ୍ତ କରୁନାହାନ୍ତି ଦଳୀୟ କର୍ମୀ । ସଂଗଠନ ସଜାଡିବେ କ’ଣ ଦୁର୍ବଳ କରିବାକୁ ସବୁ ରଣନୀତି ଆପଣେଇଛନ୍ତି ଅପରାଜିତା । ତୃଣମୂଳ କର୍ମୀଙ୍କୁ ସାଂସଦ ଉପେକ୍ଷା କରୁଛନ୍ତି । ଦଳ ଛାଡ଼ି ନିଜ ସଂଗଠନ ସଜାଡୁଛନ୍ତି । ସାଂସଦ ଭାବେ ନିର୍ବାଚିତ ହେବା ପରଠୁ ନିଜ ଦଳର କର୍ମୀଙ୍କୁ ଉପେକ୍ଷା କରି ଚାଲିଛନ୍ତି । ଏହାର ପ୍ରତିବାଦରେ ବେଗୁନିଆ ଓ ବୋଲଗଡ଼ରେ ବିଜେପି କର୍ମକର୍ତ୍ତା ମେଳି ହୋଇ ତୀବ୍ର ସମାଲୋଚନା କରିଛନ୍ତି ।

ଅପରାଜିତାଙ୍କ ବିରୋଧରେ ଏକାଠି ହୋଇ ସଂଗଠନ ସଜାଡ଼ିବାକୁ ଅଣ୍ଟା ଭିଡ଼ିଛନ୍ତି ବିଭିନ୍ନ ପଞ୍ଚାୟତର ବିଜେପି ନେତା । ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳ ଛାଡ଼ି ନିଜ ଆସ୍ଥାନ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । ଯାହା ଦଳ ବିରୋଧୀ । ସାଂସଦଙ୍କ କାର୍ଯ୍ୟଶୈଳୀକୁ ତୃଣମୂଳସ୍ତରରୁ କର୍ମୀମାନେ ଜୋରଦାର ବିରୋଧ କଲେଣି । କେବଳ ଅପରାଜିତାଙ୍କ ଯୋଗୁଁ ସଂଗଠନ ଦୁର୍ବଳ ହେଉଛି ବୋଲି କହିଛନ୍ତି ବିଜେପି କର୍ମୀ ।

ପୂର୍ବରୁ ମଧ୍ୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି । ତଥାପି ଦଳ ପ୍ରତି ତାଙ୍କର ମନୋଭାବରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବରୁ ବୁଥ୍ ଓ ମଣ୍ଡଳସ୍ତରରେ ଅପରାଜିତାଙ୍କ ବିରୋଧରେ ଅସନ୍ତୋଷ ବଖାଣିଥିଲେ କର୍ମୀ । ସାଂସଦଙ୍କ ଦଳବିରୋଧୀ କାର୍ଯ୍ୟ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ବଙ୍କୁ ଅବଗତ କରାଯିବ ବୋଲି କର୍ମୀ କହିଛନ୍ତି ।