ବନ୍ୟଜନ୍ତୁ ସୁରକ୍ଷାରେ ଉଦାହରଣ ସୃଷ୍ଟି କଲେ ଓଡ଼ିଶା ସରକାର

ଭୁବନେଶ୍ବର:  ହାତୀ ହେଉ କି ବାଘ । ଏଣିକି ସହଜରେ ମିଳିପାରିବ ଜୀବନ୍ତ ଓ ମୃତ ବନ୍ୟଜନ୍ତୁଙ୍କ ରେକର୍ଡ । ଦେଶରେ ପ୍ରଥମ କରି ଓଡ଼ିଶା ସରକାର ରାଜ୍ୟରେ ପ୍ରତିଷ୍ଠା କରିଛନ୍ତି ଅତ୍ୟାଧୁନିକ ଡିଏନ୍ଏ ପ୍ରୋଫାଇଲିଂ ଲାବରେଟୋରୀ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ବନ୍ୟଜନ୍ତୁ ଚିକିତ୍ସା କେନ୍ଦ୍ରରେ ଲାବରେଟୋରୀ ପ୍ରତିଷ୍ଠା ହୋଇଛି । ଏ ପର୍ଯ୍ୟନ୍ତ ୩୪ଟି ହାତୀ ଓ ଗୋଟିଏ ବାଘର ପ୍ରୋଫାଇଲିଂ କରିବାରେ ସଫଳତା ପାଇଛନ୍ତି ବୈଜ୍ଞାନିକ ।

ବନ୍ୟଜନ୍ତୁ ସୁରକ୍ଷାରେ ଦେଶରେ ଉଦାହରଣ ସୃଷ୍ଟି କଲେ ଓଡ଼ିଶା ସରକାର । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠା ହୋଇଛି ଅତ୍ୟାଧୁନିକ ଡିଏନ୍ଏ ପ୍ରୋଫାଇଲିଂ ଲାବରେଟୋରୀ । ସାରା ଦେଶରେ ଏହା ପ୍ରଥମ । ବନ୍ୟଜନ୍ତୁଙ୍କ ସ୍ବାସ୍ଥ୍ୟସେବା ପାଇଁ ବାୟୋସାମ୍ପଲ ପରୀକ୍ଷା, ମାଇକ୍ରୋବାୟାଲ୍ କଲଚର୍, ମେଡିକାଲ ଇମେଜିଂ, ରୋଗ ସର୍ଭେଲାନ୍ସ୍, ସିକ୍ୟୁଏନ୍ସିଂ ସମେତ ଫରେନ୍ସିକ୍ ପରୀକ୍ଷଣ କରିବା ପାଇଁ ବ୍ୟବସ୍ଥା ରହିଛି । ବନ୍ୟଜନ୍ତୁଙ୍କ ରକ୍ତ, ଚମଡା, ଟିସ୍ୟୁ, ମାଂସ ଓ ହାଡ଼ରୁ ଡିଏନଏ ପ୍ରୋଫାଇଲିଂ କରି ଉପଯୁକ୍ତ ଚିକିତ୍ସା କରାଯାଇ ପାରିବ। ଏହାସହ ହାତୀ ଓ ବାଘ ଗଣନା ବି ସଠିକ୍ ହୋଇପାରିବ । ବନ୍ୟଜନ୍ତୁ କେବେ ପ୍ରାଣ ହରାଇଛି ତାର ଅବଶେଷର ପ୍ରୋଫାଇଲିଂ ଦ୍ବାରା ଆପାତତଃ ମାସ ଓ ଦିନ ଜାଣି ହେବ।

ଓଡ଼ିଶା ସରକାରଙ୍କ ଏପରି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ବନ୍ୟଜନ୍ତୁଙ୍କ ସଂରକ୍ଷଣ କରିବାରେ ଏହା ସହାୟକ ହେବ । ଏପରିକି ବିଲୁପ୍ତ ପ୍ରାୟ ପ୍ରାଣୀଙ୍କୁ ସଂରକ୍ଷଣ କରିବାରେ ବି ସହାୟକ ହେବ । ହାତୀ ମୃତ୍ୟୁ ନେଇ ଅଧିକାଂଶ ସମୟରେ ବିବାଦ ହେଉଛି । ଲାବରେଟୋରୀରେ ଫରେନ୍ସିକ୍ ବ୍ୟବସ୍ଥା ଥିବାରୁ ସଠିକ୍ ଭାବେ ଦିନ ଓ ସମୟ ଜାଣି ନହେଲେ ବି ପାଖାପାଖି ମୃତ୍ୟୁ ସମୟ ଜାଣିହେବ।

ବନ୍ୟଜନ୍ତୁଙ୍କ ଡିଏନ୍ଏ ପ୍ରୋଫାଇଲିଂ ପାଇଁ ନମୁନା ସଂଗ୍ରହ ନେଇ ବିଭିନ୍ନ ବନଖଣ୍ଡର ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।