ମୁକ୍ତା ଯୋଜନାର କାର୍ଯ୍ୟକାରିତାରେ ତ୍ରୁଟି: ବାଜିଲା 5T ଛାଟ

ଭୁବନେଶ୍ବର: ମୁକ୍ତା ଯୋଜନାର କାର୍ଯ୍ୟକାରିତାରେ ତ୍ରୁଟି ପାଇଁ କଠୋର କାର୍ଯ୍ୟାନୁଷ୍ଠାନ । ବାଜିଲା ଫାଇଭ୍ ଟି ଛାଟ । ଦୁର୍ନୀତି ବିରୋଧରେ ସରକାରଙ୍କ ଜିରୋ ଟଲରାନ୍ସ ନୀତି ପାଳନ ଉପରେ ଗୁରୂତ୍ଵ । ନୟାଗଡ଼ ପୌରପାଳିକାର କିଛି ଅଞ୍ଚଳରେ ମୁକ୍ତା ଯୋଜନାର କାର୍ଯ୍ୟକାରିତା ସନ୍ଦେହ ଘେରକୁ ଆସିବା ପରେ ଇମ୍ପ୍ଲିମେଣ୍ଟେସନ୍ ଏକ୍ସପର୍ଟ ଗୁରୁଚରଣ ବେହେରାଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନିଆଯାଇଛି ।

୭ ନମ୍ବର ୱାର୍ଡ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରର ଛାତ ଉପରେ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାନଯାଇ ଜାଲ୍ ବିଲ୍ ପଇଠ କରି ଅର୍ଥ ହଡପ୍ କରାଯାଇଥିବା ଅଭିଯୋଗ ମିଳିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାନଯାଇ, ଫଟୋସପ୍ ଜରିଆରେ ଜାଲ୍ ବିଲ୍ ପଇଠ କରି ଅର୍ଥ ବାଟମାରଣା କରାଯାଇଥିବା ପୁଙ୍ଖାନୁପୁଙ୍ଖ ତଦନ୍ତରୁ ଜଣା ପଡିଥିଲା । ନୟାଗଡ଼ ପୌରପାଳିକା ପକ୍ଷରୁ ଗୁରୁଚରଣ ବେହେରାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଟାଉନ୍ ଥାନାରେ ଏତଲା ଦିଆଯାଇଛି ।

ସହରାଞ୍ଚଳର ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଜୀବିକା ସୁରକ୍ଷା ଯୋଗାଇ ଦେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ‘ମୁକ୍ତା’ ଯୋଜନାର ଶୁଭାରମ୍ଭ ୨୦୨୦ ମସିହାରେ କରାଯାଇଥିଲା । ଯୋଜନାର କାର୍ଯ୍ୟକାରିତାରେ ଦୁର୍ନୀତି ବିରୋଧରେ ମଧ୍ୟ ସରକାରଙ୍କ ଜିରୋ ଟଲରାନ୍ସ ନୀତି ପାଳନ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।