spot_img
Home Blog Page 4138

ଓଡ଼ିଶାରେ ଶୀଘ୍ର ଆରମ୍ଭ ହେବ କଫି ମିଶନ

ଭୁବନେଶ୍ବର: କଫି ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ କଫି ମିଶନ । ମିଲେଟ୍‌ ମିଶନ ସହ କଫି ମିଶନ ପାଇଁ ନିଷ୍ପତ୍ତି ନେଇଛି ଉଦ୍ୟାନ କୃଷି ବିଭାଗ । ବିଭାଗ ନେଇଥିବା ରୂପାନ୍ତର ପଦକ୍ଷେପଗୁଡ଼ିକ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ ପରେ ମିଶନ ମୋଡରେ ପ୍ରକଳ୍ପ ଆରମ୍ଭ କରିବାର ଯୋଜନା ହୋଇଛି ।

ଖୁବଶୀଘ୍ର ରାଜ୍ୟରେ ବ୍ୟାପକ କଫି ଚାଷ କରାଯିବ । ଆରମ୍ଭ ହେବ କଫି ମିଶନ । ଏବେ ସମୁଦ୍ର ପତ୍ତନଠାରୁ ୩ ହଜାର ଫୁଟ ଉଚ୍ଚ କୋରାପୁଟର ଥଣ୍ଡା ଜଳବାୟୁରେ ଓଡ଼ିଶା ବ୍ରାଣ୍ଡ କଫି ଚାଷ ହେଉଛି । ସେଠାରେ ରୁବୁଷ୍ଠା କଫି ଚାଷ କରାଯାଉଛି । ରୁବୁଷ୍ଠା କଫି ଚାଷ ପାଇଁ ଜଳବାୟୁରେ ୮୦ରୁ ୯୦ ପ୍ରତିଶତ ଆର୍ଦ୍ରତା ଆବଶ୍ୟକ । ତାପମାତ୍ର ୨୦ରୁ ୩୦ ଡିଗ୍ରି ଭିତରେ ରହିବା ଦରକାର । ବର୍ଷା ୧୦୦୦ରୁ ୨୦୦୦ ମିଲିମିଟର ହେଲେ ରୁବୁଷ୍ଠା କଫି ଚାଷ ହୋଇପାରିବ । ଏହି ଜଳବାୟୁ କୋରାପୁଟରେ ରହିଛି । ୭ ବର୍ଷ ତଳେ କେବଳ ୨ହଜାର ହେକ୍ଟର ଜମିରେ କଫି ଚାଷ ହେଉଥିଲା । ଏହା ଏବେ ୫ ହଜାର ହେକ୍ଟରକୁ ବୃଦ୍ଧି ପାଇଛି । କଫି ମିଶନ ଜରିଆରେ କଫିଚାଷ ପାଇଁ ଅଧିକ ଜମି ଯୋଗାଇବା ସହ ରାଜ୍ୟ ସରକାର ପ୍ରୋତ୍ସାହନ ଦେବେ । କଫି ମିଶନ ଜରିଆରେ ଯୁବ ଉଦ୍ୟୋଗୀ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି ।

କୋରାପୁଟ କଫି ପ୍ରଚାର ପ୍ରସାର କାମ ରାଜ୍ୟ ସରକାର ୭ ବର୍ଷ ତଳୁ ଆରମ୍ଭ କରିଥିଲେ । ନାମୀଦାମୀ କମ୍ପାନୀ କୋରାପୁଟରୁ କଫି ସଂଗ୍ରହ କରିବାକୁ ଉଦ୍ୟୋଗୀଙ୍କୁ ଯୋଗାଯୋଗ କରୁଛନ୍ତି । କଫି ବୋର୍ଡର ସର୍ଭେ ଅନୁଯାୟୀ କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରେ ବି କଫି ଚାଷର ସମ୍ଭାବନା ଅଛି । ମିଶନ ଜରିଆରେ ବ୍ୟାପକ କଫି ଚାଷ ହେଲେ କନ୍ଧମାଳ ହୋଇପାରେ ପରବର୍ତ୍ତୀ କଫି ହବ୍ । ଏଥିପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ୬ଟି ବ୍ଲକରେ ୧.୦୯ ଲକ୍ଷ ହେକ୍ଟର ଜମି ଚିହ୍ନଟ କରିଛି । ୧୯୭୪ରୁ ଦାରିଙ୍ଗବାଡ଼ିର ୪୦ ହେକ୍ଟର ଓ ଜି.ଉଦୟଗିରିର ୨ ହେକ୍ଟର ଜମିରେ କଫି ଚାଷ ହେଉଛି ।

କଫିଚାଷ ଯୋଗୁଁ କୋରାପୁଟ ଜିଲ୍ଲାର ୫ ହଜାର ଆଦିବାସୀ ପରିବାରଙ୍କ ଆର୍ଥିକ ସ୍ଥିତି ସୁଧୁରୁଛି । କଫିଚାଷରେ କମ୍ ଖର୍ଚ୍ଚ ହେଉଥିବାରୁ ଲାଭର ସୁଯୋଗ ଅଧିକ ରହିଛି ।

କେନ୍ଦ୍ର ବିରୋଧରେ କଂଗ୍ରେସର ରଣ ହୁଙ୍କାର

ଭୁବନେଶ୍ବର: କେନ୍ଦ୍ର ବିରୋଧରେ କଂଗ୍ରେସର ରଣହୁଙ୍କାର । ଶୋଭାଯାତ୍ରା… ବିକ୍ଷୋଭ… ଧାରଣା…। ରାହୁଲଙ୍କୁ ଇଡିର ଜେରାକୁ ନେଇ ତାତିଲା କଂଗ୍ରେସ । ଦିଲ୍ଲୀରୁ ପଲ୍ଲୀ ଆନ୍ଦୋଳନ ଚେତାବନୀ । କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତି ପାଇଁ ଅସ୍ତ୍ର ହୋଇଛି ଇଡି । କେନ୍ଦ୍ର ବିରୋଧୀ ସ୍ବରକୁ ଚପାଇ ଦେବାକୁ ଇଡି ଓ ସିବିଆଇକୁ ଅସ୍ତ୍ର କରିଛି କେନ୍ଦ୍ର । ନ୍ୟାସନାଲ ହେରାଲ୍ଡ ଆର୍ଥିକ ଅନିୟମିତତା ମାମଲାକୁ ଆଳ କରି ଗାନ୍ଧୀ ପରିବାରକୁ ଅଯଥା ଟାର୍ଗେଟ କରାଯାଉଛି । ଏଭଳି ନାରା ଦେଇ ରାଜ୍ୟ କଂଗ୍ରେସ କରିଛି ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଛି ଦଳ । ଶହଶହ କଂଗ୍ରେସ କର୍ମୀ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଶୋଭାଯାତ୍ରାରେ ରାଜଭବନ ଆଗରେ କେନ୍ଦ୍ର ବିରୋଧରେ ବିକ୍ଷୋଭ ଓ ଧାରଣା ଦେଇଛନ୍ତି । ପ୍ରତିବାଦ ସଭାରେ ଜଣକ ପରେ ଜଣେ କଂଗ୍ରେସ ନେତା କେନ୍ଦ୍ର ବିରୋଧରେ ବର୍ଷିବା ସହ ଇଡିର କାର୍ଯ୍ୟଦକ୍ଷତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ଆଗକୁ କେନ୍ଦ୍ର ଇଡି ଜରିଆରେ ଗାନ୍ଧୀ ପରିବାରକୁ ହଇରାଣ କଲେ କଂଗ୍ରେସ କେନ୍ଦ୍ରୀୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ । ଏହାସହ ତୃଣମୂଳସ୍ତରରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଦଳ ।

ସେପଟେ କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି । ନ୍ୟାସନାଲ ହେରାଲ୍ଡ ଆର୍ଥିକ ଅନିୟମିତତା ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜେରା କରାଯାଇଛି । ଜେରାକୁ କାହିଁକି କଂଗ୍ରେସ ଡରୁଛି ବୋଲି ବିଜେପି ପ୍ରଶ୍ନ କରିଛି ।

ଲଗାତର ୩ ଦିନରେ ୩୦ ଘଣ୍ଟାର ଜେରା ପରେ ବି ରାହୁଲଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇନି ଇଡି । ଆଜି ଦିନକର ବ୍ରେକ୍ ପରେ ପୁଣି ଆସନ୍ତାକାଲି ଜେରା ପାଇଁ ରାହୁଲଙ୍କୁ ସମନ୍ କରାଯାଇଛି । ଏହାକୁ ନେଇ ବିଜେପି ଓ କଂଗ୍ରେସ ମୁହାମୁହିଁ ହୋଇଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରଖିଛି କଂଗ୍ରେସ । ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ପୋଲିସର ଦମନଲୀଳା ବିରୋଧରେ ବି ସ୍ବର ଉଠାଇଛି କଂଗ୍ରେସ ।

ବିହାରରେ ଲାଗିଛି ‘ଅଗ୍ନିପଥ’ ନିଆଁ

ପାଟଣା: କେନ୍ଦ୍ର ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଅଗ୍ନିପଥ ଯୋଜନା ବିରୋଧରେ ତେଜିବାରେ ଲାଗିଛି ଅସନ୍ତୋଷ । ସେନାରେ ଭର୍ତ୍ତି ପାଇଁ ଅଗ୍ନିପଥ ଯୋଜନାକୁ ବିହାର ଓ ଅନ୍ୟ କିଛି ରାଜ୍ୟରେ ଜୋରଦାର ବିରୋଧ କରାଯାଇଛି । ବିହାରରେ ବିରୋଧ ଉଗ୍ର ରୂପ ଧାରଣ କରିଛି । ରାଜ୍ୟର ଅଧା ଜିଲ୍ଲାରେ ବ୍ୟାପକ ପୋଡାଜଳା, ଭଙ୍ଗାରୁଜା ଦେଖିବାକୁ ମିଳିଛି ।  ଟ୍ରେନ ଓ ରେଳ ଷ୍ଟେସନକୁ ଟାର୍ଗେଟ କରିଛନ୍ତି ବିକ୍ଷୋଭକାରୀ ।  ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀକୁ ବି ବ୍ୟାପିଛି ଅଗ୍ନିପଥ ବିରୋଧୀ ଅସନ୍ତୋଷର ନିଆଁ । ବିକ୍ଷୋଭ ଯୋଗୁଁ ବିହାରରେ ୨୨ଟି ଟ୍ରେନର ଚଳାଚଳ ବାତିଲ କରିଦିଆଯାଇଛି ।

ବିହାରରେ ରାସ୍ତାକୁ ଓହ୍ଲାଇଛନ୍ତି ସେନାରେ ବର୍ତ୍ତି ହେବାକୁ ଆଶାୟୀ ଯୁବଗୋଷ୍ଠୀ । ବ୍ୟାପକ ପୋଡାଜଳା, ଭଙ୍ଗାରୁଜା ଓ ଟ୍ରେନ ପୋଡି । ପୋଲିସ ସହ ସଂଘର୍ଷ  ।  ଦେଖିବାକୁମ ମିଳିଛି ଅସନ୍ତୋଷର ଭୟାବହ ପରିଣାମ । ଯୋଜନା ବିରୋଧରେ ଚରମ ଅସନ୍ତୋଷ । ଆରା, ଛାପ୍ରା ଜେହାନାବାଦ, ନଓ୍ବାଡା, ସହର୍ସା ଭଳି ଜିଲ୍ଲାରେ ଉଗ୍ର ରୂପ ନେଇଛି ଅଗ୍ନିପଥ ବିରୋଧରେ ପ୍ରତିବାଦ । ଅନେକ ସ୍ଥାନରେ ପୋଲିସ ସହ ଘଟିଛି ବିକ୍ଷୋଭକାରୀଙ୍କ ରକ୍ତାକ୍ତ ସଂଘର୍ଷ । ଅଣାୟତ୍ତ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୋଲିସକୁ ଫାଙ୍କା ଗୁଳିଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଛି । ରେଳରୋକ ଯୋଗୁଁ କିଛି ଜିଲ୍ଲାରେ ବ୍ୟାହତ ହୋଇଛି ରେଳ ଚଳାଚଳ ।

ବିହାରରେ ଅଗ୍ନିପଥ ଆନ୍ଦୋଳନ ବ୍ୟାପିଥିବା ବେଳେ ରାଜସ୍ଥାନ ଓ ହରିୟାଣାରେ ମଧ୍ୟ ଯୁବଗୋଷ୍ଠୀ ରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭକାରୀଙ୍କ ସହ ପୋଲିସର ସଂଘର୍ଷ ହୋଇଛି । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ତ୍ରୁଟିପୂର୍ଣ୍ଣ ବୋଲି ବୋଲି ମତ ରଖିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।

ତେବେ ଅଗ୍ନିପଥ ଯୋଜନାକୁ କାହିଁକି ବିରୋଧ ହେଉଛି ? ସେନା ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥିବା ଯୁବକମାନେ ଗତ ଅଢେଇ ବର୍ଷ ଧରି ନିଯୁକ୍ତି ସୁଯୋଗ ନ ପାଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଯୋଜନା ଦ୍ବାରା ଦେଶ ସେବା କରିବାକୁ ଉତ୍ସାହିତ ଥିବା ଯୁବକଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ । ଆଶାୟୀମାନେ କହିଛନ୍ତି ଯେ, ଯଦି ସେନା ବାହିନୀରେ ଚୁକ୍ତି ଭିତ୍ତିକ ନିଯୁକ୍ତି ହୁଏ, ତେବେ ଦେଶର ପ୍ରତିରକ୍ଷା ସହ ସାଲିସ କଲା ଭଳି ହେବ । ଯେଉଁ ଯୁବକମାନେ ଆଗରୁ ପରୀକ୍ଷା ଦେଇଥିଲେ, ସେମାନଙ୍କୁ ଅଗ୍ନିପଥ ଯୋଜନା ଅଧୀନରେ ପୁଣି ଆବେଦନ କରିବାକୁ ପଡିବ । ଦୁଇ ବର୍ଷ ଧରି ନିଯୁକ୍ତି ପାଇଁ ଅପେକ୍ଷା କରିଥିବା ଯୁବକମାନଙ୍କୁ ଏହି ଯୋଜନା ସବୁଠାରୁ ବଡ ଝଟକା ବୋଲି କୁହାଯାଉଛି । ଏହି ନୂଆ ଯୋଜନା ଦ୍ବାରା ସେହି ଯୁବକମାନେ ମଧ୍ୟ ନିରାଶ ହେବେ, ଯେଉଁମାନେ ସେନାରେ ନିଯୁକ୍ତି ପାଇଁ ମେଡିକାଲ ଓ ଫିଜିକାଲ ଟେଷ୍ଟ କ୍ଲିୟର କରିଥିଲେ । ଅଗ୍ନିପଥ ଯୋଜନା ଅଧୀନରେ କେବଳ ଚାରିବର୍ଷ ପାଇଁ ନିଯୁକ୍ତି ମିଳିବ । ଏହାପରେ ୭୫ ପ୍ରତିଶତ ସୈନିକଙ୍କୁ ସେବା ନିବୃତ କରାଯିବ । ଏହି ଯୋଜନାରେ ପେନସନ ସୁବିଧା ମଧ୍ୟ ମିଳିବ ନାହିଁ ।

ରାଷ୍ଟ୍ରପତି ନିର୍ବାଚନ: ପାଓ୍ବାର ପ୍ଲେରେ ବିଜେଡିର ବଢୁଛି ଦବଦବା

ଭୁବନେଶ୍ବର: ଜାତୀୟ ରାଜନୀତିରେ ବଢୁଛି ବିଜେଡିର ଦବଦବା  । ବିଶେଷ କରି ଏବେ ରାଷ୍ଟ୍ରପତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଥିବାରୁ ନବୀନଙ୍କ ଆଭିମୁଖ୍ୟ ନେଇ ଚାଲିଛି ଅଙ୍କକଷା । ସ୍ଥିତି ଏପରି ହୋଇଛି ଯେ, ବିନା ବିଜେଡି ଭୋଟରେ ନା ଏନଡିଏ କିମ୍ବା ବିରୋଧୀ ମଞ୍ଚ ମହାମହିମ ନିର୍ବାଚନ ବୈତରଣୀ ପାର ହୋଇପାରିବେନି  । ସମଦୂରତା ବଜାୟ ରଖୁଥିବା ନବୀନଙ୍କ ସମର୍ଥନ କାହାକୁ ରହିବ ?  ନବୀନ ନିଷ୍ପତ୍ତି ନେବା ଆଗରୁ, ଏନଡିଏ ଓ ବିରୋଧୀ ମନେଇବାକୁ ତତ୍ପର ହୋଇଉଠିଛନ୍ତି । ଯାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ନବୀନ କିନ୍ତୁ ରାଷ୍ଟ୍ରପତି ନିର୍ବାଚନ ନେଇ ନିଜର କାର୍ଡ ଖୋଲିନାହାନ୍ତି ।

ବିଜ୍ଞପ୍ତି ପ୍ରକାଶ ପରେ ରୋଚକ ହେଉଛି ରାଷ୍ଟ୍ରପତି ନିର୍ବାଚନ  । ଦିଲ୍ଲୀରୁ ଓଡ଼ିଶା, ଉଷ୍ମ ହେଉଛି ରାଜନୀତି । କେଉଁ ଦଳର ଆଭିମୁଖ୍ୟ କ’ଣ ?  କିଏ କାହାକୁ କରିବ ସମର୍ଥନ ?  କିଏ କାହାଠାରୁ ଦୂରେଇ ଯିବ ?  ତାକୁ ନେଇ ଚାଲିଛି କସରତ ଓ ଅଙ୍କକଷା । ଗେମ ଚେଞ୍ଜର ଭୂମିକାରେ ବିଜୁ ଜନତା ଦଳ । ରାଷ୍ଟ୍ରପତି ନିର୍ବାଚନରେ ଦେଶର ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ଉଭା ହୋଇଥିବା ବିଜୁ ଜନତା ଦଳ ଉପରେ ଏବେ ସବୁ ରାଜନୈତିକ ଓ ସମୀକ୍ଷକଙ୍କ ନଜର । ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ଜାତୀୟ ରାଜନୀତିରେ ସ୍ବତନ୍ତ୍ର ସ୍ଥାନ ନେଇଥିବା ବିଜେଡିର ସହଯୋଗ ଏବେ ସଭିଁଙ୍କୁ ଲୋଡ଼ା । ଯେଉଁଥି ପାଇଁ କେନ୍ଦ୍ରରେ ଥିବା ଏନଡିଏ ସରକାର ଓ ମିଳିତ ବିରୋଧୀ ମଞ୍ଚ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଲୋଡ଼ିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଗେମ ଚେଞ୍ଜର ଭୂମିକାରେ ଥିବେ ବିଜେଡି କାହାକୁ ସମର୍ଥନ କରିବ ତାହା ଉପରେ ଦେଶବାସୀଙ୍କ ନଜର । ରାଜ୍ୟସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଠିକ ସମୟରେ ସଠିକ ନିଷ୍ପତ୍ତି ନେଇଥାନ୍ତି ବୋଲି କହିଛି ବିଜେଡି । ରାଜନୈତିକ ସମୀକ୍ଷକମାନେ ବିଜେଡି ଭୂମିକା ରାଷ୍ଟ୍ରପତି ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କହିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ ।

ସେପଟେ ରାଷ୍ଟ୍ରପତି ନିର୍ବାଚନକୁ ସହମତିରେ କରିବା ପାଇଁ କେନ୍ଦ୍ରର ବିଜେପି ସରକାର ଅଣ୍ଟା ଭିଡିଛନ୍ତି । ଏଥିଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଭିନ୍ନ ଆଞ୍ଚଳିକ ଦଳକୁ ସୁପ୍ରିମୋଙ୍କ ସହ ଆଲୋଚନା କରିଛନ୍ତି । କଂଗ୍ରେସ କିନ୍ତୁ ରାଷ୍ଟ୍ରପତି ନିର୍ବାଚନ ନେଇ ଭିନ୍ନ ଯୁକ୍ତି ବାଢିଛି । ବିଜେଡି ରାଷ୍ଟ୍ରପତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛି । କେନ୍ଦ୍ରରେ ଉଭୟ ଶାସକ ଓ ବିରୋଧୀ ଦଳମାନଙ୍କ ପାଖରେ ଆବଶ୍ୟକ ଭୋଟ ମୂଲ୍ୟ ନାହିଁ । ତେଣୁ ସ୍ବାଭାବିକ ଭାବେ ଶାସକ ଦଳ ଓ ବିରୋଧୀ ବିଜେଡିର ସମର୍ଥନ ଲୋଡ଼ିଛନ୍ତି ବୋଲି ବିଜେଡି କହିଛି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ଜାରି ରହିବ । ୩୦ ତାରିଖ ଦିନ ଯାଞ୍ଚ ଓ ଜୁଲାଇ ୨ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ରହିଛି ତାରିଖ । ଏଯାଏଁ କିନ୍ତୁ ଏନଡିଏ କିମ୍ବା ମିଳିତ ବିରୋଧୀ ମଞ୍ଚ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନାହିଁ ।

ସେନା ଭର୍ତ୍ତିରେ ୟୁପି ଓ ବିହାର ଆଗରେ, ଓଡ଼ିଶା ନମ୍ବର କେତେ ?

ଭୁବନେଶ୍ବର: କେନ୍ଦ୍ର ସରକାର ସେନା ଭର୍ତ୍ତି ପାଇଁ ଅଗ୍ନିପଥ ଯୋଜନା ଆଣିଛନ୍ତି । ଯାହାକୁ ନେଇ ଦେଶରେ ବିବାଦ ବଢ଼ିବାରେ ଲାଗିଛି ।  ଉତ୍ତର ପ୍ରଦେଶ, ବିହାରଠାରୁ ଆରମ୍ଭ କରି ହରିୟାଣା, ରାଜସ୍ଥାନର କିଛି ଅଞ୍ଚଳରେ ଯୁବବର୍ଗ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ବିଶେଷ କରି ସେନାରେ ସାମିଲ ହେବାକୁ ପ୍ରସ୍ତୁତି ଚଲାଇଥିବା ଯୁବକମାନେ ଏଥିରେ ସାମିଲ ହୋଇଛନ୍ତି । ତେବେ ସାରା ବିଶ୍ବରେ ଭାରତର ‘ଅଗ୍ନିପଥ ଯୋଜନା’ ଚର୍ଚ୍ଚାରେ ଥିବା ବେଳେ ଭାରତୀୟ ସେନାରେ କେତେ ଯବାନ ଅଛନ୍ତି, ଭାରତ ସେନା ସଂଖ୍ୟାରେ ବିଶ୍ବର କେଉଁ ସ୍ଥାନରେ ରହିଛି ଆସନ୍ତୁ ଜାଣିବା ।

ବିଶ୍ବର ଦ୍ବିତୀୟ ସର୍ବାଧିକ ସେନା ହେଉଛି ଭାରତର । ଚୀନ ନମ୍ବର ଏକରେ ଥିବା ବେଳେ ଭାରତ ୧୪ ଲକ୍ଷରୁ ଅଧିକ ଯବାନଙ୍କ ସହ ଦ୍ବିତୀୟ ସ୍ଥାନରେ ରହିଛି । ଏହା ସ୍ଥଳ, ଜଳ ଓ ଆକାଶ ପଥର ଯବାନଙ୍କ ସଂଖ୍ୟା । ଏହାବାଦ ରିଜର୍ଭ ଫୋର୍ସକୁ ହିସାବକୁ ନେଲେ ଭାରତୀୟ ସେନାର କାୟା ୨୧ ଲକ୍ଷରୁ ଅଧିକ ହେବ । ଏତେ ବଡ଼ ସେନାରେ କେଉଁ ରାଜ୍ୟରୁ କେତେ ଯବାନ ସାମିଲ ହୋଇଛନ୍ତି ଜାଣିଛନ୍ତି କି ? ଉତ୍ତର ପ୍ରଦେଶ ଓ ବିହାରରୁ ଅଧିକ ଯୁବକ ସାମିଲ ହେଉଥିବା ସମସ୍ତେ ଜାଣିଛନ୍ତି । ଓଡ଼ିଶାରୁ କେତେ ପିଲା ଭାରତୀୟ ସେନାରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ଜାଣିଛନ୍ତି କି ? ଆଉ କେଉଁ ରାଜ୍ୟରୁ କେତେ ପିଲା ସେନାରେ କାମ କରୁଛନ୍ତି, ଆସନ୍ତୁ ଜାଣିବା ଏହି ସ୍ପେଶାଲ ରିପୋର୍ଟରେ ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଉତ୍ତର ପ୍ରଦେଶରୁ ସର୍ବାଧିକ ୨ ଲକ୍ଷ ୧୮ ହଜାର ୫୧୨ ଯୁବକ ସେନାରେ କାର୍ଯ୍ୟରତ ଅଛନ୍ତି । ଏହା ପଛକୁ ବିହାର ରହିଛି । ବିହାରରୁ ୧ ଲକ୍ଷ ୪ ହଜାର ୫୩୯ ଜଣ ଯୁବକ ସେନାରେ କାମ କରୁଛନ୍ତି । ଏହାପରେ ତୃତୀୟ ସ୍ଥାନରେ ରହିଛି ରାଜସ୍ଥାନ । ଏହି ରାଜ୍ୟରୁ ୧ ଲକ୍ଷ ୩ ହଜାର ୨୬୫ ପିଲା ସେନାରେ କାର୍ଯ୍ୟରତ ଅଛନ୍ତି ।

ଓଡ଼ିଶାରୁ କେତେ ?

ଯଦି ଓଡ଼ିଶା କଥା କହିବା, ସେନାରେ ଯେଉଁ ପରିମାଣରେ ଯୁବକ ଆମ ରାଜ୍ୟରୁ ସାମିଲ ହେବା କଥା ତାହା ହୋଇନାହିଁ । ଓଡ଼ିଶାଠାରୁ ଛୋଟ ରାଜ୍ୟରୁ ଅଧିକ ଯୁବକ ସେନାରେ ସାମିଲ ହୋଇଛନ୍ତି । ଆମ ରାଜ୍ୟରୁ ମାତ୍ର ୩୧ ହଜାର ୬ ଶହ ଏକ ଯୁବକ ସେନାରେ କାର୍ଯ୍ୟରତ ଅଛନ୍ତି । ଏମାନଙ୍କ ମଧ୍ୟରୁ ବାୟୁସେନାରେ ୪ ହଜାର ୪୬୧ ଓ ନୌସେନାରେ ୩ ହଜାର ୨୪୧ ଜଣ କାମ କରୁଛନ୍ତି । ସେହିଭଳି ସ୍ଥଳସେନାରେ ୨୩ ହଜାର ୮୯୯ ଜଣ କାର୍ଯ୍ୟରତ ଅଛନ୍ତି । ରାଜ୍ୟ ତାଲିକା ହିସାବରେ ଓଡ଼ିଶା ସେନା ଭର୍ତ୍ତିରେ ୧୬ତମ ସ୍ଥାନରେ ରହିଛି ।

କେଉଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ସେନାରେ କେତେ ଯବାନ ?

ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୯୩ ହଜାର ୯୩୮, ପଞ୍ଜାବରୁ ୯୩ ହଜାର ୪୩୮, ହରିୟାଣାରୁ ୮୯ ହଜାର ୨୩୬, ଉତ୍ତରାଖଣ୍ଡରୁ ୬୮ ହଜାର ୯୯୭, ପଶ୍ଚିମବଙ୍ଗରୁ ୬୩ ହଜାର ୮୯୧, ତାମଲନାଡୁରୁ ୫୬ ହଜାର ୧୬୦, ମଧ୍ୟ ପ୍ରଦେଶରୁ ୫୫ ହଜାର ୨୨୯, ଆନ୍ଧ୍ର ପ୍ରଦେଶରୁ ୫୩ ହଜାର ୫୨, ହିମାଚଳ ପ୍ରଦେଶରୁ ୫୧ ହଜାର ୪୬୮, ଜମ୍ମୁ-କାଶ୍ମୀର ଓ ଲଦାଖରୁ ୫୦ ହଜାର ୭୬୫ ଯବାନ ଭାରତୀୟ ସେନାର ତିନି ବାହିନୀରେ କାର୍ଯ୍ୟରତ ଅଛନ୍ତି ।

ସେହିପରି କେରଳରୁ ୪୮ ହଜାର ୭୭୩, କର୍ଣ୍ଣାଟକରୁ ୩୬ ହଜାର ୯୧, ଗୁଜରାଟରୁ ୨୪ ହଜାର ୩ ଶହ, ଆସାମରୁ ୨୨ ହଜାର ୨୮୮, ଝାଡ଼ଖଣ୍ଡରୁ ୨୧ ହଜାର ୫୭୧, ତେଲେଙ୍ଗାନାରୁ ୧୨ ହଜାର ୫୮୯, ଛତିଶଗଡ଼ରୁ ୧୦ ହଜାର ୮୧୪ ଓ ମଣିପୁରରୁ ୬ ହଜାର ୨୮୫ ଜଣ କାର୍ଯ୍ୟରତ ଅଛନ୍ତି ।

ଦିଲ୍ଲୀରୁ ୪ ହଜାର ୪୯୩ ଜଣ ଭାରତୀୟ ସେନାରେ କାମ କରୁଥିବା ବେଳେ ମେଘାଳୟରୁ ୩ ହଜାର ୮୨୯, ଅରୁଣାଚଳ ପ୍ରଦେଶରୁ ୩ ହଜାର ୧୪୪, ମିଜୋରାମରୁ ୨ ହଜାର ୯୭୭, ତ୍ରିପୁରାରୁ ୨ ହଜାର ୮୨, ସିକିମରୁ ୨ ହଜାର ୬୭, ନାଗାଲାଣ୍ଡରୁ ଏକ ହଜାର ୮୦୮, ଦାଦରା ନଗର ଓ ଡାମନ ଡିଉରୁ ୧୨ ଶହ ୫୯, ଆଣ୍ଡାମାନ ନିକୋବରରୁ ହଜାରେ ୩୫, ଗୋଆରୁ ୪ ଶହ ୧୩, ଚଣ୍ଡିଗଡ଼ରୁ ୪ ଶହ ୫, ପୁଡୁଚେରୀରୁ ୩ ଶହ ୪୩ ଓ ଲକ୍ଷାଦୀପରୁ ୨ ଶହ ୮୮ ଜଣ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି ।

ଉପରୋକ୍ତ ତାଲିକା କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟକୁ ଆଧାର କରି ଉଲ୍ଲେଖ କରାଯାଇଛି ।

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର: ରାଜ୍ୟରେ ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ କରାଯାଇଛି ।  କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କୁ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ କରାଯାଇଛି ।

ରାଜ୍ୟ ପ୍ରକଳ୍ପ ସଂଯୋଜକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଯୋଜକ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ବାଲେଶ୍ବର ଜିଲ୍ଲପାଳ କେ. ସୁଦର୍ଶନ ଚକ୍ରବର୍ତ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସିଏମସି କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଏହାସହ ସେ ସିଡିଏର ଉପାଧ୍ୟକ୍ଷ ଦାୟିତ୍ବ ତୁଲାଇବେ । ସେହିପରି ଗଞ୍ଜାମ ଜିଲ୍ଲାପାଳ କୋଲାଙ୍ଗେ ବିଜୟ ଅମୃତା ବିଏମସି କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଏହାସହ ସେ କ୍ରୁଟର ଏମଡି ଓ ବିଏସସିଏଲର ସିଇଓ ଦାୟିତ୍ବ ତୁଲାଇବେ ।

ଆଇଏଏସ ମଧୁସ୍ମିତା ସାହୁ ଜଳ ସମ୍ପଦ ବିଭାଗ ଯୁଗ୍ମ ସଚିବରୁ ରାଜସ୍ବ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ସାଦ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି । ନୂଆପଡ଼ା ଜିଲ୍ଲାପାଳ ସ୍ବାଧା ଦେବ ସିଂଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ ମିଳିଛି ।

ସିଏମସି କମିଶନର ଅନନ୍ୟା ଦାସଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଗଞ୍ଜାମ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦାର ଭଦ୍ରକ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି । ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି ।

ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦତାତ୍ରୟ ଭାଉସାଏବ ସିନ୍ଦେଙ୍କୁ ବାଲେଶ୍ବର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ କଳାହାଣ୍ଡି ଡିଆରଡିଏ ପିଡି ସୋମେଶ କୁମାର ଉପାଦ୍ଧାୟଙ୍କୁ ଦେବଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଛି । ମୟୂରଭଞ୍ଜ ଡିଆରଡିଏ ପିଡି ପି. ଅନଭେଶ ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ ଦାୟିତ୍ବ ତୁଲାଇବେ । ବାଲେଶ୍ବର ଉପଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ବରଙ୍କୁ କନ୍ଧମାଳ ଜିଲ୍ଲାପାଳ ଦାୟିତ୍ବ ମିଳିଛି । କୋରାପୁଟ ଡିଆରଡିଏ ପିଡି ହେମକାନ୍ତ ସଏଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।

ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଭାସନ ଭି.ଙ୍କୁ ଗଞ୍ଜାମ ଡିଆରଡିଏ ପିଡି, ସମ୍ବଲପୁର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ଗୁଣପୁର ଉପଜିଲ୍ଲାପାଳ ଜେ. ସୋନାଲଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ସରକାର ଦାୟିତ୍ବ ଦେଇଥିବା ବେଳେ ନବରଙ୍ଗପୁର ଉପ ଜିଲ୍ଲାପାଳ ଅଗ୍ରଓ୍ବାଲ ଅକ୍ଷୟ ସୁନୀଲଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅଣ୍ଡର ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି ।

ନିରତାର ହସ୍ପିଟାଲର ହେବ ସୌନ୍ଦର୍ଯ୍ୟକରଣ

ନିଆଳି: କଟକ ଓଲଟପୁର ସ୍ଥିତ ନିରତାର ହସ୍ପିଟାଲର ହେବ ସୌନ୍ଦର୍ଯ୍ୟକରଣ । ମୁଖ୍ୟରାସ୍ତାରୁ ନିରତାରକୁ ସଂଯୋଗ କରୁଥିବା ରାସ୍ତା ଦୁଇ ଥାକିଆ କରାଯିବ ।  ପ୍ରକଳ୍ପ କାର୍ଯ୍ୟକାରୀ ପୂର୍ବରୁ ଅଞ୍ଚଳ ବୁଲି ସ୍ଥିତି ପରଖିଲେ 5T  ସଚିବ ଭିକେ ପାଣ୍ଡିଆନ୍ ଏବଂ ଉନ୍ନୟନ କମିଶନର ପ୍ରଦୀପ ଜେନା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ହସ୍ପିଟାଲକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ।

ରୋଗୀଙ୍କ ସୁବିଧା ପାଇଁ ନିଆଳି ଅଡଶପୁର ରାସ୍ତାର ବୋଇରାଇ ଛକରୁ ନିରତାର ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥାକିଆ କରାଯିବ ।  ହସ୍ପିଟାଲ ପାଖ ଜମି ଅଧିଗ୍ରହଣ କରାଯାଇ ତାହାର ବିକାଶ କରାଯିବ । ଏହାସହ ହଷ୍ଟେଲକୁ ଉନ୍ନତମାନର କରାଯିବ ।

ଏହି ଅବସରରେ ଉଭୟ ସ୍ଥାନୀୟ ଲୋକ ଓ ରୋଗୀଙ୍କ ସହ  ଆଲୋଚନା କରିଥିଲେ 5T  ସଚିବ ଏବଂ ଉନ୍ନୟନ କମିଶନର । ଏହାସହ ବିଭିନ୍ନ ଓ୍ବାର୍ଡ ବୁଲି ରୋଗୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସେମାନଙ୍କ ସହିତ  ପୂର୍ତ୍ତ ବିଭାଗ ସଚିବ  ବୀର ବିକ୍ରମ ଯାଦବ, କଟକ  ଜିଲ୍ଲାପାଳ ଭବାନୀ ଚଇନୀ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ  ଥିଲେ ।

ଜମି ପାଇଁ ଭାଇକୁ ଗୁଳି ମାରିଲା ଭାଇ

ଖଲ୍ଲିକୋଟ: ପାରିବାରିକ କଳହ ଓ ଜମି ବିବାଦରୁ ଫୁଟିଲା ଗୁଳି । ଭାଇକୁ ୪ ରାଉଣ୍ଡ ଗୁଳି ମାରିଲା ଭାଇ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ । ଗୁଳି ମାଡ଼ରେ ବୀରେନ ଦଳେଇ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ବୀରେନ ଓ ତାଙ୍କ ଦାଦା ଘର ମଧ୍ୟରେ ପୂର୍ବରୁ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା । ଏନେଇ ମାମଲା ମଧ୍ୟ ଖଲ୍ଲିକୋଟ ଥାନାରେ ହୋଇଥିଲା ।  ଯାହାକୁ ନେଇ ଆଜି ଘଟଣା ଉଗ୍ର ରୂପ ନେଇଥିଲା । ପ୍ରଥମେ ବୀରେନ ଓ ତାଙ୍କ ଦାଦା ପୁଅ ଭାଇ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦାଦା ପୁଅ ଭାଇ ବୀରେନଙ୍କ ଉପରୁକୁ ୪ ରାଉଣ୍ଡ ଗୁଳି ଚଲାଇଥିଲେ । ପ୍ରଥମେ ଖଲ୍ଲିକୋଟ ମେଡିକାଲକୁ ନିଆଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏମକେସିଜି ମେଡିକାର ସ୍ଥାନାନ୍ତର କରାଯାଇଛି ।

ଗୁଳି ମାରିବା ପରେ ବୀରେନଙ୍କ ଭାଇ ଫେରାର ହୋଇଯାଇଛନ୍ତି । ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଭାଇଙ୍କୁ ଖୋଜୁଛି । ଅଭିଯୁକ୍ତ ଭାଇଙ୍କ ମାଆବାପା ଓ ଅନ୍ୟ ସଦସ୍ୟଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଲାଇଛି ।

ରାହୁଲଙ୍କୁ ନୂଆ ଜୀବନ ଦେଇଥିବା ଉଦ୍ଧାରକାରୀ ଦଳ ସମ୍ବର୍ଦ୍ଧିତ

ଚମ୍ପା: ଦେଶର ସବୁଠାରୁ ବଡ ରେସ୍କ୍ୟୁ ଅପରେସନର ହିରୋଙ୍କୁ ସମ୍ମାନ । ୬୫ ଫୁଟ୍ ଗଭୀର ବୋରଓ୍ବେଲରୁ ରାହୁଲକୁ ସୁରକ୍ଷିତ ଉଦ୍ଧାର କରିଥିବା ଉଦ୍ଧାରକାରୀ ଟିମଙ୍କୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସମ୍ପର୍ଦ୍ଧିତ କରିଛନ୍ତି । ଦୀର୍ଘ ୫ ଦିନ ଅକ୍ଲାନ୍ତ ପରିଶ୍ରମ କରି ରାହୁଲକୁ ଜୀବିତ ଓ ସୁରକ୍ଷିତ ଉଦ୍ଧାର କରି ସାରା ଦେଶର ହିରୋ ପାଲଟିଥିବା ଉଦ୍ଧାରକାରୀ ଟିମ୍ ସେ ସମୟର ରୁମ ଟାଙ୍କୁରା ଅନୁଭୁତି ବଖାଣିଛନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ୬୫ ଫୁଟର ବୋରଓ୍ବେଲ ଭିତରେ ରାହୁଲ ଏକା ନଥିଲା । ସାଥୀରେ ଏକ ବେଙ୍ଗ ଓ ବିଷାକ୍ତ ବୋଡ଼ା ସାପ ମଧ୍ୟ ଥିଲା । ସମାନ୍ୟ ଅସାବଧାନତା ରାହୁଲର ଜୀବନ ନେଇ ପାରିଥାନ୍ତା । ଏମିତି ସ୍ଥିତିରେ ରହୁଲଙ୍କୁ ଉଦ୍ଧାର କରିଥିବା ଟିମ୍ ନିଶ୍ଚିତ ରୂପେ ପୁରସ୍କୃତ ହେବାର ପାତ୍ର ।

ରାୟପୁରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମକୁ ମୁଖ୍ୟମନ୍ତ୍ରୀ ବଘେଲ ସମ୍ବର୍ଦ୍ଧିତ କରିବା ସହ ରାହୁଲ ରେସ୍କ୍ୟୁ ଉପରେ ଡକ୍ୟୁମେଣ୍ଟାରୀ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଏନଡିଆରଏଫ ଟିମ୍‌କୁ ଆଉ ଥରେ ସମ୍ମାନିତ କରାଯିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ଶୁକ୍ରାବର ରାହୁଲ ଖେଳୁଥିବା ବେଳେ ବୋରଓ୍ବେଲରେ ପଡି ଯାଇଥିଲା । ପ୍ରାୟ ୬୫ ଫୁଟ୍ ଗଭୀରରେ ରାହୁଲ ପଡିଥିବା ବେଳେ ତାକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏଥିରେ ଏନଡିଆରଏଫ, ପିଡିଆରଏଫ, ପୋଲିସ ସହ ଭାରତୀୟ ସେନା ମୁତୟନ ହୋଇଥିଲେ । ୬୫ ଫୁଟ ଭଗୀରର ଟନେଲ ଖୋଳାଯାଇଥିଲା । ଏହାପରେ ଏକ ବିରାଟ ପଥରକୁ କାଟି ରାହୁଲଠାରୁ ୪ ଫୁଟ ଦୂରରେ ପହଞ୍ଚି ଥିଲେ ଉଦ୍ଧାରକାରୀ ଟିମ୍ । ଏହାପରେ ମେସିନ ବଦଳରେ ହାତରେ ପଥର କଟା ଆରମ୍ଭ ହୋଇଥିଲା । ଯାହାକୁ ପାର ହୋଇ ରାହୁଲ ପାଖରେ ପହଞ୍ଚିବାକୁ ଦୁଇଦିନ ଲାଗିଥିଲା । ଶେଷରେ ଉଦ୍ଧାରକାରୀ ଟିମ୍ ରାହୁଲକୁ ସୁରକ୍ଷିତ ବାହାରକୁ ଆଣିବାକୁ ସକ୍ଷମ ହୋଇଥିଲେ । ପରେ ରହୁଲକୁ ବିଳାସପୁର ଆପୋଲ ହସ୍ପିଟାଲକୁ ନିଆଯାଇଥିଲା ।

ଉଦ୍ଧାର ସମୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକ ରାହୁଲ ଉଦ୍ଧାରର ସେହି ସମୟକୁ ଅପେକ୍ଷା କରି ରହିଥିଲେ । ରାହୁଲ ଉଦ୍ଧାର ପରେ ତାକୁ ମେଡିକାଲ ନେବାକୁ ଗ୍ରୀନ କରିଡର କରାଯାଇଥିଲା । ଆପୋଲ ନେବା ବାଟରେ ପଡୁଥିବା ସମସ୍ତ ମେଡିକାଲରୁ ହାଇ ଆଲର୍ଟରେ ରଖଯାଇଥିଲା । ରାହୁଲ ଉଦ୍ଧାର ହେବା ପରେ ଛତିଶଗଡରେ ସତେ ଯେମିତି ଦୀପାବଳି ପାଳନ ହୋଇଥିଲା । ଲୋକେ ବାଣ ଫୁଟାଇ ରାହୁଲ ଫେରିବାକୁ ଉତ୍ସବ ପରି ମନାଇଥିଲେ ।

ବାଲୁକା କଳା ମାଧ୍ୟମରେ ରଜ ଶୁଭେଚ୍ଛା

ବଲାଙ୍ଗୀର: ଆଜି ଶେଷ ରଜ । ଗାଁରୁ ସହର ସବୁଠି ଉତ୍ସବର ମାହୋଲ । ଓଡ଼ିଶାର ଗଣପର୍ବକୁ ଦୁଇ ବର୍ଷ ପରେ ବେଶ ଧୂମଧାମରେ ପାଳନ କରାଯାଉଛି । କଳାକାରମାନେ ମଧ୍ୟ ଏଥିରୁ ବାଦ ପରିନାହାନ୍ତି । ନିଜ କଳାକୃତି ମାଧ୍ୟମରେ ରାଜ୍ୟବାସୀଙ୍କୁ ଜଣାଉଛନ୍ତି ରଜ ଅଭିନନ୍ଦନ । ଏହିପରି ବାଲୁକା କଳା ମଧ୍ୟମରେ ରାଜ୍ୟବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଛନ୍ତି ବଲାଙ୍ଗୀରର ଯୁବ ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ ।

ଓମ୍ ପ୍ରକାଶ ପେଶାରେ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ ନିଶା ବାଲୁକା କଳା । ସେ ତାଙ୍କ ନିଖୁଣ କାରିଗରୀ ମାଧ୍ୟମରେ ଜନସାଧାରଣଙ୍କୁ ରଜ ପର୍ବର ମହାତ୍ମ୍ୟ ଜଣାଇଛନ୍ତି । ବର୍ତ୍ତମାନ ସମୟରେ କୌଣସି ପର୍ବ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପାଳନ ନ ହୋଇ ସମଗ୍ର ବିଶ୍ବର କୋଣ ଅନୁକୋଣରେ ପାଳନ କରାଯାଉଛି । ତେଣୁ ବାଲୁକା ଶିଳ୍ପୀ ଓମପ୍ରକାଶ ତାଙ୍କ କଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛାର ବାର୍ତ୍ତା ଜଣାଇଛନ୍ତି ।