spot_img
Home Blog Page 4113

ଉପର ମୁଣ୍ଡରେ ପ୍ରବଳ ବର୍ଷା, ମହାନଦୀ ବୈତରଣୀ ଓ ଜଳକାରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଛତିଶଗଡ଼ରେ ବର୍ଷା ଲାଗି ରହିଲେ ଏବଂ ଓଡ଼ିଶାରେ ବର୍ଷା ଜାରି ରହିଲେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି । ଆସନ୍ତାକାଲି ସକାଳ 8ଟା ବେଳେ କଟକ ମୁଣ୍ଡଳୀ ଦେଇ ୬ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ । ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି । ତେଣୁ ସ୍ଥିତି ଦେଖି ହୀରାକୁଦ ଗେଟ ଖୋଲାଯାଉଛି । ଏବେ ହୀରାକୁଦର ୨୮ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଥିବା ବେଳେ, ଆଗକୁ ଅଧିକ ଗେଟ୍ ଖୋଲାଯାଇପାରେ ।

ସେହିପରି ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି । ସମସ୍ତଙ୍କ ଛୁଟି ବାତିଲ କରାଯାଇ ଆଲର୍ଟ ମୋଡରେ ରଖାଯାଇଛି । ଦୁର୍ବଳ ନଦୀବନ୍ଧ ଉପରେ କଡ଼ାକଡ଼ି ଭାବେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ବନ୍ୟାକୁ ନଜରରେ ରଖି ୮ ଜିଲ୍ଲା ପାଇଁ ୬ ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି । ପୁରୀ ପାଇଁ ଇଞ୍ଜିନିୟର ଚିନ୍ମୟ ରଞ୍ଜନ ରାଉତ, ଜଗତସିଂହପୁର ଦାୟିତ୍ବରେ ଇଞ୍ଜିନିୟର ବିଜୟ କୁମାର ସାମଲ, କଟକ ଦାୟିତ୍ବରେ ଇଞ୍ଜିନିୟର ବଳେଶ୍ବର ନାଥ ସାହୁ ଅଛନ୍ତି ।

ଅନ୍ୟପଟେ କେନ୍ଦ୍ରାପଡ଼ା ଦାୟିତ୍ବରେ ଇଞ୍ଜିନିୟର ପୂର୍ଣ୍ଣଚନ୍ଦ୍ର ରଥ, ଯାଜପୁର ଓ ଭଦ୍ରକ ଦାୟିତ୍ବରେ ଇଞ୍ଜିନିୟର ଧନେଶ୍ବର ସାମଲ, ଖୋର୍ଦ୍ଦା ଓ ନୟାଗଡ଼ ଦାୟିତ୍ବରେ ବିଘ୍ନରାଜ ପୁରୋହିତ ରହିଛନ୍ତି । 8 ଜିଲ୍ଲାକୁ ଯାଇ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସଂପୃକ୍ତି ଜିଲ୍ଲାକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଘନିଭୂତ ହେଉଛି ସୃଷ୍ଟ ଲଘୁଚାପ, ୭ ଜିଲ୍ଲାକୁ ରେଡ ଆଲର୍ଟ

ଭୁବନେଶ୍ୱର: ଘନିଭୂତ ହେଉଛି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇ ଛତିଶଗଡ଼ ମୁହାଁ ହେବ ଲଘୁଚାପ । ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ଉପକୂଳ ଓଡିଶାର ୭ ଜିଲ୍ଲାକୁ ରେଡ ଆଲର୍ଟ ଦିଆଯାଇଛି । ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ କୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ବରଗଡ଼ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିଭଳି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାକୁ ୟେଲୋ ଅଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତା କାଲି ପାଇଁ ୧୦ ଜିଲ୍ଲାକୁ ରେଡ, ୧୧ ଜିଲ୍ଲାକୁ ଅରେଞ୍ଜ ଏବଂ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଉପକୂଳ ରେ ପ୍ରବଳ ବର୍ଷା ସହ ଝଡ ପବନ ସମ୍ଭାବନା ରହିଛି ।

ଘଣ୍ଟା ପ୍ରତି ୪୫ ରୁ ୫୫ ଏବଂ ଝଟକା ପବନ ୬୫ କିଲୋମିଟର ପର୍ଯ୍ୟନ୍ତ ବହିବ ।ସମୁଦ୍ରର ଅଶାନ୍ତ ରହିବା ସହ ୪ ରୁ ୬ ମିଟର ଉଚ୍ଚ ଜୁଆର ଆସିବ । ୧୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ବାରଣ କରାଯାଇଛି । ଉପର ମହାନଦୀ, ତଳ ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ।

ଜାତିସଙ୍ଘ ପକ୍ଷରୁ ୬ ଜଣିଆ ଯୁବ ଅଧିବକ୍ତାଙ୍କ ମଧ୍ୟରେ ଓଡିଆ ଯୁବକ ସୌମ୍ୟରଞ୍ଜନ

 

ଭୁବନେଶ୍ବର: ଜାତିୟ ଯୁବ ଦିବସ ଅବସରରେ ଜାତିସଙ୍ଘ ଭାରତ ପକ୍ଷରୁ ରାଜଧାନୀ ନୂଆ ଦିଲ୍ଲୀରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଭାରତର ୬ ଜଣ ଯୁବ ଅଧିବକ୍ତାଙ୍କୁ ଜାତିସଂଘ ପକ୍ଷରୁ ସ୍ବୀକୃତି ଦିଆ ଯାଇଛି । ଏହି ୬ ଜଣ ଯୁବ ଅଧିବକ୍ତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଶାର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗାଆଁର ସୌମ୍ୟ ରଞ୍ଜନ ବିଶ୍ଵାଳ । ଏହି କାର୍ଯ୍ୟକ୍ରମରେ ଜାତିସଙ୍ଘ ଭାରତର ରେସିଡେଣ୍ଟ କୋଅର୍ଡିନେଟର ଶୋମ୍ୱି ଶାର୍ପ, ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରାଳୟ ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର, ୟୁ.ଏନ.ଡି.ପି ମୁଖ୍ୟ ଶୋକା ନୋଡା, ୟୁନିସେଫ୍ ମୁଖ୍ୟ ୟାସୁମାସା ପ୍ରମୁଖଙ୍କ ସମେତ ସମସ୍ତ ଜାତିସଙ୍ଘ ବିଭାଗର କର୍ମକର୍ତ୍ତା, ଭାରତ ସରକାରଙ୍କ ବିଭାଗୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅଗଷ୍ଟ ୧୨ ୨୦୨୨ ଠାରୁ ଆରମ୍ଭ କରି ଅଗଷ୍ଟ ୧୨ ୨୦୨୪ ଯାଏଁ ୨ ବର୍ଷ ପର୍ଯ୍ୟନ୍ତ ପାଈଁ ସ୍ବୀକୃତି ପତ୍ର ପ୍ରଦାନ କରିଛନ୍ତି ।

୨୦୧୪ ମସିହାରୁ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ଅନୁଭବ କରି ଉପକୂଳ ଜୈବ ବିବିଧତା ସୁରକ୍ଷା ପାଇଁ ସୌମ୍ୟ ରଞ୍ଜନ ବିଶ୍ଵାଳ ନିଜସ୍ଵ ଅଭିନବ ଉପାୟରେ କାମ କରୁଛନ୍ତି । ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା, ଲୁଣା ଜଙ୍ଗଲ ସୁରକ୍ଷା ଓ ନଦୀ ପ୍ରଦୂଷଣ ସମ୍ପର୍କିତ ସେ ବିବିଧ ପ୍ରୟାସ ହାତକୁ ନେଇଛନ୍ତି । ଏ ପ୍ରକାର କାର୍ଯ୍ୟଧାରା ପାଈଁ ପୁର୍ବରୁ ଲିମକା ବୁକ୍ ରେକର୍ଡ, ଉପଖଣ୍ଡସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ସହ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ପାଖରୁ ପ୍ରଶଂସିତ ହେବା ସହିତ ତାଙ୍କ ନେତୃତ୍ଵରେ ଅନେକ କାର୍ଯ୍ୟ ଜାତୀୟ ସ୍ତରରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କ ସମେତ ଅନେକ ପ୍ରଶଂସା ପାଇଛି ।

ଏଣିକି ଭଡାଟିଆ ଗଣିବେ ୧୮ ପ୍ରତିଶତ ଜିଏସଟି, ଅଗଷ୍ଟ ୧୮ରୁ ଲାଗୁ

ନୂଆଦିଲ୍ଲୀ: ବଢିଲା ଭଡାଟିଆଙ୍କ ଚିନ୍ତା । ଏଣିକି ଭଡାଟିଆଙ୍କୁ ଘରଭଡ଼ା ଉପରେ ଦେବାକୁ ପଡ଼ିବ ୧୮ ପ୍ରତିଶତ ଜିଏସଟି । ଅଗଷ୍ଟ ୧୮ ତାରିଖରୁ ଏହି ନିୟମ ଲାଗୁ ହେବ । ଜିଏସଟି ପରିଷଦର ୪୭ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯଦି ବ୍ୟକ୍ତିଗତ ବ୍ୟବହାର ପାଇଁ ଜଣେ ବ୍ୟକ୍ତିଙ୍କୁ ଘର ଭଡ଼ା ଦିଆଯାଏ, ତାହେଲେ ଜିଏସଟି ଲାଗୁ ହେବ ନାହିଁ । ଘରକୁ ଯଦି ବ୍ୟାବସାୟିକ କାମ ପାଇଁ ଭଡା ଦିଆଯାଏ, ତେବେ ତା’ ଉପରେ ଜିଏସଟି ଆଦାୟ କରାଯିବ । ଯଦି ଜମି ମାଲିକ କିମ୍ବା କମ୍ପାନୀର ଅଂଶୀଦାର ବ୍ୟକ୍ତିଗତ ବ୍ୟବହାର ପାଇଁ ଭଡ଼ା ଲଗାଇଥାନ୍ତି, ତେବେ ତାହା ଉପରେ ଜିଏସଟି ମଧ୍ୟ ଲାଗୁ ହେବ ନାହିଁ ।

ଜିଏସଟି ରିଭର୍ସ ଚାର୍ଜ ମେକାନିଜିମ (RCM) ନିୟମ ଆଧାରରେ ଜିଏସଟି ଭରିବେ ବ୍ୟବସାୟୀ । ଇନପୁଟ ଟ୍ୟାକ୍ସ କ୍ରେଡିଟ୍‌ରୁ କାଟି ସେମାନେ ଜିଏସଟି ଦାଖଲ କରିପାରିବେ  । ସେହିପରି ଜିଏସଟି ଅନ୍ତର୍ଭୁକ୍ତ ଓ ଆଇଟି ରିଟର୍ଣ୍ଣ ଭରଣ କରୁଥିବା ଭଡାଟିଆ ଏହି କାଟାଗରୀରେ ସାମିଲ ହେବେ  । ନୂଆ ଜିଏସଟି ଆଇନ ଅନୁସାରେ ପଞ୍ଜିକୃତ ଭଡାଟିଆ ଶ୍ରେଣୀ ଏଥିରେ ସାମିଲ ହେବେ  । ବାର୍ଷିକ ଆୟ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ହେଲେ ବ୍ୟବସାୟୀ ଜିଏସଟି ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ଅଟେ  ।

ଏହି ଆଧାରରେ ବାର୍ଷିକ ୨୦ ଲକ୍ଷରୁ ଅଧିକ ଆୟ ଥିବା ବ୍ୟବସାୟୀଙ୍କ ପାଇଁ ଏହି ନିୟମ ଲାଗୁ ହେବ  । ସେହିପରି କିଣାବିକା କରୁଥିବା ବ୍ୟବସାୟୀଙ୍କ ପାଇଁ ଏହା ୪୦ ଲକ୍ଷ ରହିଛି  । ଯଦି ଉତ୍ତର ପୂର୍ବ ରାଜ୍ୟ ବା ସ୍ବତନ୍ତ୍ର ସୀକୃତିପ୍ରାପ୍ତ ରାଜ୍ୟର ହୋଇଥିବେ ତେବେ ଏଥିପାଇଁ ବାର୍ଷିକ ଲିମିଟ୍‌ ୧୦ ଲକ୍ଷ ରହିଛି  ।

ଦୁଇ ବର୍ଷରେ ଦିବ୍ୟଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର ହୋଇଛି ୨୦ ଲକ୍ଷ

ବରଗଡ: କୁଆଡ଼େ ଗଲେ ବ୍ୟାଙ୍କ ମ୍ୟାନେଜର୍ ଦିବ୍ୟରଞ୍ଜନ ମିଶ୍ର ? ନିଖୋଜ ଘଟଣାକୁ ୩ ଦିନ ବିତିଥିଲେ ବି ମିଳୁନି ପତ୍ତା । ଅଙ୍ଗନଦୀରେ ପୋଲିସ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରି ନିରାଶ ହେବା ପରେ ସର୍ଚ୍ଚ ଅପରେସନକୁ ବନ୍ଦ କରାଯାଇଛି । ପୋଲିସ ଦିବ୍ୟଙ୍କ ବ୍ୟାଙ୍କ ଡିଟେଲସ ଓ ସିଡିଆର ରିପୋର୍ଟ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ଦିବ୍ୟଙ୍କ ବ୍ୟାଙ୍କ ଆକଉଣ୍ଟରୁ ଦୁଇ ଯୁବତୀ ଓ ଜଣେ ଯୁବକଙ୍କ ପାଖକୁ କିଛି ମାସ ଭିତରେ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡିଥିଲା । ତାହାକୁ ନେଇ ପୋଲିସ ଏବେ ସେହି ଦିଗ ଉପରେ ତଦନ୍ତ ଆରମ୍ଭ କରିଛି । ଦେଢ ମାସ ମଧ୍ୟରେ ଦିବ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଜଣେ ଯୁବତୀ ଓ ଯୁବକଙ୍କ ଆକଉଣ୍ଟକୁ ୭ ରୁ ୯ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିଲା। ୨ ବର୍ଷ ଭିତରେ ୨୦ ଲକ୍ଷ ଟଙ୍କା ଯାଇଛି । ଏପରିକି ଦିବ୍ୟ ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ କରି ଦେଇଛନ୍ତି  ।

ଦିବ୍ୟଙ୍କ ଶେଷ ଲୋକେସନ ଏନ୍ଏଚ୍-୨୬ ଚେରୁପାଲି ଅଙ୍ଗନଦୀ ବ୍ରିଜ ରହିଛି । ତାଙ୍କ ମୋବାଇଲ କେଉଁଠି, ସେନେଇ କିଛି ଜଣାପଡୁନି  । ବ୍ଲାକମେଲ ପରେ ଟଙ୍କା ଟ୍ରାନ୍ସଫର ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ  । ସେପଟେ ଦିବ୍ୟଙ୍କ ଠାରେ ସେପରି ସନ୍ଦେହଜନକ ମୂହୁର୍ତ୍ତ ଲକ୍ଷ୍ୟ କରି ନଥିବା ତାଙ୍କ ସ୍ତ୍ରୀ କହିଛନ୍ତି  ।

ବଲାଙ୍ଗୀର ସମ୍ୱଲପୁର ଏନଏଚ ୨୬ର ଚେରୁପାଲି ଅଙ୍ଗନଦୀ ବ୍ରିଜ ଉପରୁ ନିଖୋଜ ହୋଇଯାଇଥିଲେ ଦିବ୍ୟ । ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ହେଉଛନ୍ତି ଦିବ୍ୟରଞ୍ଜନ ମିଶ୍ର।

ମନକଥା କହିବାକୁ ୧୨ ବର୍ଷ ନେଇଥିଲେ କମେଡି କିଙ୍ଗ୍‌ ରାଜୁ

ମୁମ୍ବାଇ: ତାଙ୍କ ଚୁଟକୁଲା ଶୁଣିଲେ କିଏ ବା ନିଜ ହସକୁ ରୋକି ପାରୁଥିଲା  । ହସାଇ ହସାଇ ବେଦମ କରି ଦେଉଥିବା ମଣିଷର ହସ ଦେଖିବାକୁ ଚାହିଁଛି ଦୁନିଆ । ହସୁଥିବା, ହସାଇବାକୁ ଭଲ ପାଉଥିବା ଜୋକ୍ସ ଶୁଣିବାକୁ ଚାତକ ଭଳି ଚାହିଁଛନ୍ତି ଦର୍ଶକ  । ହେଲେ ଭେଣ୍ଟିଲେଟରରେ ଶୋଇଛନ୍ତି ରାଜୁ  । ହସ୍ପିଟାଲ ବେଡ୍‌ରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି କମେଡିଆନ ରାଜୁ ଶ୍ରୀବାସ୍ତବ  । ଜିମ୍‌ରେ ୱାର୍କଆଉଟ ବେଳେ ହୃଦଘାତର ଶିକାର ହୋଇଥିଲେ ରାଜୁ  । କମେଡି କିଙ୍ଗଙ୍କ ହସ ଶୁଣିବାକୁ ଚାରିଆଡେ ଚାଲିଛି ପ୍ରାର୍ଥନା  ।

କେବଳ କମେଡି ନୁହେଁ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ରାଜୁ  । ତାଙ୍କ ଲଭ ଷ୍ଟୋରୀ କୌଣସି ଫିଲ୍ମ କାହାଣୀ ଠୁ କମ ନଥିଲା  । ପ୍ରେମକୁ ପାଇବା ପାଇଁ ଦୀର୍ଘ ୧୨ ବର୍ଷ ସେ କସରତ କରିଥିଲେ  । ଆଜି ଆମେ ଆପଣଙ୍କୁ କହିବୁ କମେଡିଆନ ରାଜୁଙ୍କ ରୋମାଞ୍ଚକର ପ୍ରେମ କାହାଣୀ  ।

ଉତ୍ତର ପ୍ରଦେଶ କାନପୁରର ବାବୁପୁରୱା ବାସିନ୍ଦା କାନପୁରିଆ କମେଡିଆନଙ୍କ ଅସଲ ନାଁ ହୁଏତ ବହୁ କମ ଲୋକ ଜାଣିଥିବେ  । ସତ୍ୟପ୍ରକାଶ ଶ୍ରୀବାସ୍ତବ ଓରଫ ରାଜୁ  । ଭାଇର ବିବାହରେ ରାଜୁଙ୍କୁ ମିଳିଯାଇଥିଲା ତାଙ୍କ ପ୍ରଥମ ପ୍ରେମ  । ବରଯାତ୍ରୀ ନେଇ ପହଞ୍ଚିବା ବେଳେ ଶିଖାଙ୍କ ଉପରେ ପଡିଥିଲା ରାଜୁଙ୍କ ନଜର । ସେହି ଦିନରୁ ଶିଖାଙ୍କୁ ଜୀବନସାଥୀ କରିବାକୁ ମନସ୍ଥ କରି ନେଇଥିଲେ ରାଜୁ  । ଭାଉଜଙ୍କ ଦୂର ସମ୍ପର୍କୀୟ ଥିଲେ ଶିଖା  । ପ୍ରଥମେ ଭାଇଙ୍କୁ ମନାଇ ଶିଖାଙ୍କ ଘରକୁ ଯାଉଥିଲେ ରାଜୁ  । ହେଲେ ଏକତରଫା ପ୍ରେମ କରି ଯେମିତି ଫସି ଯାଇଥିଲେ ରାଜୁ  । କାହିଁକି ନା ଶିଖାଙ୍କୁ ମନକଥା ଖୋଲି କହିବାକୁ ସେ ସାହାସ କରୁ ନଥିଲେ ।

ପ୍ରେମ ପର୍ଯ୍ୟନ୍ତ ତ ଠିକ ଥିଲା  । ମାତ୍ର ସଂସାର ଗାଡି ଗଡାଇବା ପାଇଁ ଜରୁରୀ ଥିଲା ରୋଜଗାର  । ୧୯୮୨ରେ ଇନକମ୍‌ ପାଇଁ ମୁମ୍ବାଇ ଚାଲି ଆସିଥିଲେ ରାଜୁ  । ମାୟା ନଗରୀରେ ସେ ଜୋରଦାର ଷ୍ଟ୍ରଗଲ କରିଥିଲେ  ।  ସବୁ ସଂଘର୍ଷକୁ ବାଦ୍‌ ଦେବା ପରେ ବିବାହ କରିବାକୁ ମନସ୍ଥ କରିଥିଲେ ରାଜୁ  । ଏହାରି ମଧ୍ୟରେ ବହୁଥର ଶିଖାଙ୍କୁ ସେ ପ୍ରେମ ପତ୍ର ଲେଖିଥିଲେ  । କିନ୍ତୁ ହୃଦୟର କଥା କହିବା ବେଳେ ଯେପରି ରାଜୁଙ୍କୁ କିଏ ଅଟକାଇ ଦେଉଥିଲା  । କାଳେ ମନର ମଣିଷକୁ ଆଉ କେହି ଚୋରାଇ ନେବ ଆଶଙ୍କା କରି ଡରି ଯାଇଥିଲେ ରାଜୁ  । ଶେଷରେ ବହୁ ସାହାସ କରି ପରିବାରର ସୀକୃତି ନେଇ ଶିଖାଙ୍କ ଘରକୁ ପଠାଇଥିଲେ ପ୍ରସ୍ତାବ ।

ଶିଖାଙ୍କ ଭାଇ ରାଜୁଙ୍କ ବିଷୟରେ ସବୁ ପତ୍ତା କରିବା ପରେ ଶେଷରେ ବିବାହ ପାଇଁ ମାନିଯାଇଥିଲେ  । ୧୭ ମେ ୧୯୯୩ରେ ଶିଖାଙ୍କ ହାତ ଧରି ସାତ ଜନ୍ମର ସାଥୀ କରିବାକୁ ପ୍ରତିଜ୍ଞା ନେଇଥିଲେ ରାଜୁ  ।

 

ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ଆହୁରି ୪ ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ବଢ଼ିଲା ହୀରାକୁଦର ଜଳସ୍ତର । ହୀରାକୁଦରେ ଜଳସ୍ତର ବଢୁଥିବାରୁ ଆଉ ୪ଟି ଗେଟ୍ ଖୋଲାଯାଇଛି । ଫଳରେ ବର୍ତ୍ତମାନ ହୀରାକୁଦରୁ ୨୪ଟି ଗେଟି ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ନଦୀବନ୍ଧର ବାମପଟରୁ ୧୬ଟି ଓ ଡାହାଣ ପାର୍ଶ୍ବରୁ ୮ଟି ଗେଟ୍ ଦେଇ ପାଣି ଛଡାଯାଉଛି ।

ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪ ଲକ୍ଷ ୩୫ ହଜାର ୩୦୩ ଘନଫୁଟ ଜଳ । ସେହିପରି ନିଷ୍କାସିତ ହେଉଛି ୪ ଲକ୍ଷ ୯୫ ହଜାର ଘନଫୁଟ ଜଳ । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୬ ଦଶମିକ ୯୧ ଫୁଟରେ ପହଞ୍ଚିଛି । ଆବଶ୍ୟକ ହେଲେ ଅଧିକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି । ଅନ୍ୟପଟେ ଆଜି ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଲଘୁଚାପ ପ୍ରଭାବରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏମିତି ବର୍ଷା ଲାଗି ରହିଲେ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ଷା ଓ ବନ୍ୟାକୁ ନଜରରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ।

ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର ! ନିଷ୍ପତ୍ତି ନେବ ପରିଚାଳନା କମିଟି

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି କି ନାହିଁ ତାହା ପରିଚାଳନା କମିଟି ନିଷ୍ପତି ନେବ । ପରିଚାଳନା କମିଟି ଏନେଇ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଓ ଆଇନ ବିଭାଗର ଅନୁମୋଦନ ପରେ ଭିତର ରତ୍ନଭଣ୍ଡାର ଖୋଲିପାରିବ ।

ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇର ଚିଠି ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଉନ୍ନୟନ ପ୍ରଶାସକ । ସେପଟେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ଚୁଡାନ୍ତ ହେଲେ ସେବାୟତ ମାନେ ସହଯୋଗ କରିବେ ବୋଲି କହିଛନ୍ତି । ଦୀର୍ଘ ବର୍ଷ ଧରି ଭିତର ରତ୍ନଭଣ୍ଡାର ଖୋଲାଯାଇ ନଥିବା ବେଳେ ଏହାର ଯାଞ୍ଚ ପାଇଁ 2018ରେ ଚେଷ୍ଟା କରାଯାଇଥିଲା । କିନ୍ତୁ ସେ ସମୟରେ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିଲା ।

ପରେ ଗତ ଅଗଷ୍ଟ 6 ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏଏସଆଇ ପକ୍ଷରୁ ଅଗଷ୍ଟ 8 ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ୍ ବିଭାଗକୁ ଭିତର ରତ୍ନଭଣ୍ଡାର ଅନୁଧ୍ୟାନ ଓ ମରାମତି ପାଇଁ ଚିଠି ଲେଖାଯାଇଥିବା ଜଣାପଡିଛି ।

ସର୍ଜରୀ ପରେ ଭେଣ୍ଟିଲେଟରରେ ସଲମାନ ରୁସଦି, ହରାଇ ପାରନ୍ତି ଆଖି

ନୂଆଦିଲ୍ଲୀ: ସଙ୍କଟାପନ୍ନ ଅବସ୍ଥାରେ ବିଶିଷ୍ଟ ଲେଖକ ସଲମାନ ରୁସଦିଙ୍କ ସ୍ବାସ୍ଥ୍ୟାବସ୍ଥା । ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାବେଳେ ଲିଭର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ସେହିପରି ରୁସଦିଙ୍କ ଗୋଟିଏ ଆଖି ନଷ୍ଟ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଆକ୍ରମଣକାରୀକୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ତାକୁ ଗିରଫ କରାଯିବ ।

ଗତକାଲି ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ତାଙ୍କ ଉପରେ ହୋଇଥିଲା ରକ୍ତାକ୍ତ ଆକ୍ରମଣ । ରୁସଦିଙ୍କ ଗଳାରେ ୧୦ରୁ ୧୫ ଥର ଛୁରୀଘାତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଏକ ହେଲିକପ୍ଟରରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପ୍ରସିଦ୍ଧ ପୁସ୍ତକ ଦି ସାଟାନିକ ଭର୍ସେସର ଲେଖକ ସଲମାନଙ୍କ ଉପରେ ହୋଇଥିବା ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଏହି ପୁସ୍ତକ ରଚନା ପରେ ସେ ବାରମ୍ବାର  ହତ୍ୟା ଧମକ ପାଇଥିଲେ। ଦି ସାଟାନିକ ଭର୍ସେସ ପୁସ୍ତକ ପ୍ରକାଶ ପାଇବା ପରେ ବିଶ୍ବର ବିଭିନ୍ନ ମହଲରୁ ତାଙ୍କ ବିରୋଧରେ ପ୍ରତିବାଦ ସୃଷ୍ଟି ହେବା ସହ ହତ୍ୟା ଧମକ ଦିଆଯାଇଥିଲା ।  ୧୯୮୦ ଦଶକରେ ସାଟାନିକ ଭର୍ସେସ ପୁସ୍ତକ ପ୍ରକାଶିତ ହେବା ପରେ ସାରା ବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଥିଲେ ସଲମାନ ।

ତାଙ୍କ ମୁଣ୍ଡ ଲାଗି ଇରାନ ସରକାର ୨୦୧୬ରେ ଘୋଷଣା କରିଥିଲେ ୬ ଲକ୍ଷ ପାଉଣ୍ଡ । ଭାରତୀୟ ବଂଶୋଦ୍ଭବ ସଲମାନ ବ୍ରିଟିଶ ନାଗରିକ ଭାବେ ୨୦ ବର୍ଷ ଧରି ଆମେରିକାରେ ବାସ କରୁଛନ୍ତି । ୧୯୪୭ ଜୁନ ୧୯ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ସଲମାନ ରୁସଦି । ସଲମାନଙ୍କ ଦ୍ବାରା ଲିଖିତ ମିଡନାଇଟସ ଚିଲଡ୍ରେନ ୧୯୮୧ରେ ପ୍ରକାଶିତ ହୋଇଥିବା ବେଳେ ଦି ସାଟାନିକ ଭର୍ସେସ ୧୯୮୮ରେ ପ୍ରକାଶିତ ହୋଇଥିଲା । ୨୦୦୭ରେ ରାଣୀ ଏଲିଜାବେଥଙ୍କ ଦ୍ବାରା ତାଙ୍କୁ ମିଳିଥିଲା ସାର୍ ସମ୍ମାନ ।

ଦିଲ୍ଲୀରୁ ଭୋଜପୁରୀ ଗାୟକ ଗିରଫ, ରଖିଥିଲେ ୨୧ କିଲୋ ଗଞ୍ଜେଇ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ଇନ୍ଦରପୁରୀ ଅଞ୍ଚଳରୁ ଭୋଜପୁରୀ ଗାୟକ ଗିରଫ । ଗାୟକଙ୍କ ଠୁ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଗିରଫ ପରେ ଗାୟକଙ୍କ ପରିଚୟ ମିଳିଛି । ଗାୟକ ଜଣକ ବିହାରର ସିୱାନ ଅଞ୍ଚଳର ହୋଇଥିବା ଜଣାପଡିଛି  । ଦିଲ୍ଲୀର ନାର୍କୋଟିକ୍ସ ସେଲ୍‌କୁ ଡ୍ରଗ୍ସ ପେଡଲର୍‌ଙ୍କ ଖବର ମିଳିଥିଲା ।

ଖବର ପାଇ ନାର୍କୋଟିକ୍ସ ସ୍କ୍ବାଡ ଇନ୍ଦରପୁରୀ ଟୋପାପୁର ଅଞ୍ଚଳରେ ଅଚାନକ ଚଢାଉ କରିଥିଲା । ଡ୍ରଗ୍ସ ପେଡଲରକୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ  । ଏହି ଚଢାଉ ବେଳେ ଗାୟକ ବିନୟ ଶର୍ମାକୁ ଗିରଫ କରାଯାଇଛି  । ଏନଡିପିଏସ ଆକ୍ଟ ଅନୁସାରେ ବିନୟଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି  ।

ଗାୟକଙ୍କ ନିକଟରେ ଏତେ ମାତ୍ରାରେ କେଉଁଠୁ ଗଞ୍ଜେଇ ଆସିଲା ତାହା ତଦନ୍ତ କରିବ ପୋଲିସ  । ତେବେ ଗିରଫ ଗାୟକଙ୍କୁ ପଚରାଉଚୁରା କରୁଛି ପୋଲିସ  । ବିନୟ ଶର୍ମା ଜଣେ ଭୋଜପୁରୀ ଗାୟକ ହୋଇଥିବାବେଳେ ୧୦୦ରୁ ଅଧିକ ଗୀତ ଗାଇଛନ୍ତି  ।