ନା ତାରା ନା ପରଗ୍ରହୀଙ୍କ ଉଡନ୍ତା ଥାଳିଆ, ଉତ୍ତର ପ୍ରଦେଶ ଆକାଶରେ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସାଟେଲାଇଟ୍

1 min read

ଲକ୍ଷ୍ନୌ: ଆକାଶରେ ଦେଖାଗଲା ରହସ୍ୟମୟୀ ଦୃଶ୍ୟ । ଗତକାଲି ରାତିରେ ଉତ୍ତରପ୍ରଦେଶର ଆକାଶରେ ଆଲୋକମାଳା ସଦୃଶ ଦୃଶ୍ୟ ଦେଖାଯାଇଥିଲା । ରହସ୍ୟମୟ ଆଲୋକମାଳାକୁ ଦେଖି ଅନେକ ଆଶ୍ଚମ୍ବିତ ହୋଇଛନ୍ତି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଏବଂ ଲକ୍ଷ୍ମୀପୁର ଖେରି ଭଳି ସହରର ଆକାଶରେ ଏହି ଅପୂର୍ବ ଦୃଶ୍ୟ ଦେଖାଯାଇଛି । ଆଲୋକର ଏକ ଧାଡି ଟ୍ରେନ ଭଳି ଗତି କରୁଥିବାର ଦେଖାଯାଇଥିଲା।

ତେବେ ଏହା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଟେସ୍ଲା ଏବଂ ସ୍ପେଶ ଏକ୍ସର ମାଲିକ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସାଟେଲାଇଟ୍ ଅଟେ । ଯାହା କି ସୋମବାର ରାତିରେ ଭାରତର ଆକାଶ ଦେଇ ଗତି କରିଥିଲା । ଏଲନ ମସ୍କ ଏହି ସାଟେଲାଇଟକୁ ପ୍ରତି ଦ୍ୱିତୀୟ ମାସରେ ନିଜର ଫାଲ୍କନ-୯ ରକେଟ ଦ୍ୱାରା ମହାକାଶକୁ ଛାଡ଼ିଥାନ୍ତି । ଏହି ରକେଟରେ ଦୁଇଟି ଷ୍ଟେଜ ରହିଥାଏ ।

ପ୍ରଥମ ଷ୍ଟେଜ ସାଧାରଣତଃ ଲଞ୍ଚିଂର ୯ ମାସ ପରେ ପୃଥିବୀପୃଷ୍ଠକୁ ଫେରି ଆସିଥାଏ । ଯେତବେଳେ କି ଦ୍ୱିତୀୟ ଷ୍ଟେଜ ଷ୍ଟାରଲିଙ୍କ ସାଟେଲାଇଟ୍ସକୁ ପୃଥିବୀର ନିମ୍ନ କକ୍ଷରେ ସ୍ଥାପିତ କରିଥାଏ । ଦ୍ୱିତୀୟ ଷ୍ଟେଜ କିଛି ସମୟ ପରେ ପୃଥିବୀ ପୃଷ୍ଠରେ କ୍ରାସ ଲ୍ୟାଣ୍ଡିଂ କରିଥାଏ । ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବରରରେ ମଧ୍ୟ ପଞ୍ଜାବରେ ଷ୍ଟାରଲିଙ୍କ ସାଟେଲାଇଟ୍ସ ଦେଖିବାକୁ ମିଳିଥିଲା ।

ପ୍ରଥମେ ଲୋକମାନେ ଏହାକୁ ଦେଖିବା ପରେ ଭୟଭୀତ ହୋଇଯାଇଥିଲେ । ହେଲେ ଏହା ସମ୍ପର୍କରେ ଜାଣିବା ପରେ ଆଶ୍ୱସ୍ତି ମିଳିଥିଲା । ଏଲନ ମସ୍କ ନିଜର ଏହି ଷ୍ଟାରଲିଙ୍କ ଇଣ୍ଟରନେଟ୍ ସାଟେଲାଇଟ୍ ବଳରେ ସାରା ବିଶ୍ୱକୁ ମହାକାଶରୁ ଉତ୍ତମ ଏବଂ ଦ୍ରୁତ ଇଣ୍ଟରନେଟ୍ ସେବା ଦେବାକୁ ଚାହୁଁଛନ୍ତି । ଏହି ସାଟେଲାଇଟ ସେବାର ଲାଭ ଏବେ ୪୦ ଦେଶ ଉଠାଉଛନ୍ତି । ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ମଧ୍ୟ ଏଲନ ମସ୍କ ଷ୍ଟାରଲିଙ୍କ ସାଟେଲାଇଟ୍ ଜରିଆରେ ୟୁକ୍ରେନକୁ ଇଣ୍ଟରନେଟର ସୁବିଧା ଦେଇଥିଲେ ।