spot_img
Home Blog Page 4112

ବିଶ୍ଵ ଅଙ୍ଗ ଦାନ ଦିବସ: ସ୍ୱର୍ଗତ ସୁଶୀଲ ସାହୁ ଓ ସିଦ୍ଧି ସମୃଦ୍ଧିଙ୍କୁ ସୁରଜ୍ ପୁରସ୍କାର-୨୦୨୨ ପ୍ରଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳର ଆଲାଡ଼ି ଗ୍ରାମର ସ୍ଵର୍ଗତ ସୁଶୀଲ ସାହୁ ଓ ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ କନିଶି ବ୍ଲକ୍ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ ୨୦୨୨ ପାଇଁ ସୁରଜ୍ ପୁରସ୍କାର ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୁଶିଲଙ୍କ ପତ୍ନୀ  ପିଙ୍କି ସାହୁ ଓ ସିଦ୍ଧିଙ୍କ ପିତା  ସପନ୍ କୁମାର ବିନ୍ଧାଣୀ ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।

ହୃଦୟ, କିଡନୀ ଓ ଯକୃତ ପରି ଜୀବନ ରକ୍ଷାକାରୀ ଅଙ୍ଗ ଦାନ ପାଇଁ ୨୦୨୦ ଠାରୁ ଏହି ପୁରସ୍କାର ଦିଆଯାଉଛି। ଚଳିତ ବର୍ଷ ଏହା ତୃତୀୟ ସୁରଜ୍ ପୁରସ୍କାର। 2020 ରେ ଗଞ୍ଜାମର ମସ୍ତିସ୍କ ମୃତ ସୁରଜ୍ ବେହେରାଙ୍କ ପିତାମାତା ତାଙ୍କର ଛ ଟି ଗୁରୁତବପୂର୍ଣ ଅଙ୍ଗ ଦାନ କରି ଛଅ ଟି ଜୀବନ ରକ୍ଷା କରି ଥିବାରୁ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ବର୍ଷ ତାଙ୍କ ନାମରେ ସୁରଜ୍ ପୁରସ୍କାର ଆରମ୍ଭ କରିଥିଲେ।

ଉଭୟ ସୁଶୀଲ ଓ ସିଦ୍ଧିଙ୍କ ପିତା ମାତାଙ୍କ ନିକଟରେ ସମାଜ ରୁଣୀ ବୋଲି ମତ ଦେଇ କହିଲେ ଯେ ଏହା ଦ୍ବାରା ସମାଜ ଉପରେ ବହୁତ୍ ଭଲ ପ୍ରଭାବ ପଡୁଛି। ଏହି ପରି ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କରି ଏକ ସୁନ୍ଦର ସମାଜ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ ଅଙ୍ଗ ଦାନ ଅନେକ ପରିବାର ପାଇଁ ଆଶା ସୃଷ୍ଟି କରି ପାରୁଛି। ଅନ୍ୟର ଜୀବନ ରକ୍ଷା ସବୁଠାରୁ ଅଧିକ ପୁଣ୍ୟ କାର୍ଯ୍ୟ। ଅଙ୍ଗ ଦାନ ଏକ ସାହସିକ ଓ ସାହସିକ ନିଷ୍ପତ୍ତି। ଅଙ୍ଗ ଦାନ କରୁଥିବା ପରିବାରଙ୍କ ତ୍ୟାଗର ତୁଳନା ନାହିଁ ବୋଲି ସେ କହିଥିଲେ।

ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ  ନବ ଦାସ ପ୍ରମୁଖ ନିଜର ବକ୍ତବ୍ୟ ରଖି ସୁଶୀଲ ଓ ସିଦ୍ଧୀଙ୍କ ପରିବାରର ତ୍ୟାଗ ର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କ ଏହି ମହାନ କାର୍ଯ୍ୟ ସମାଜ ପାଇଁ ଆଦର୍ଶ ବୋଲି ସେମାନେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫ଟି) ଶ୍ରୀ ଭି କେ ପଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। NHM ର ନିର୍ଦେଶକ ବ ସ୍ବାଗତ ଭାଷଣ ଦେଇଥିଲେ ଓ DMET ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ  ।

ଶ୍ରୀମୟୀ ମିଶ୍ରଙ୍କ ନାଁରେ ଟଙ୍କା ମାଗୁଛି ସାଇବର ଠକ

ଭୁବନେଶ୍ୱର: ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ନାଁରେ ଫେକ୍ ହ୍ବାଟସଆପ୍ ଆକାଉଣ୍ଟ । ଫେକ ହ୍ବାଟସଆପ୍ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛି ସାଇବର ଠକ । ଏନେଇ ସାଇବର ଥାନାରେ ଫେରାଦ୍ ହୋଇଛନ୍ତି ଶ୍ରୀମୟୀ ମିଶ୍ର । ସମସ୍ତଙ୍କୁ ଏହି ନମ୍ବରରୁ ମେସେଜ ରିସିଭ୍ ନକରିବାକୁ ଶ୍ରୀମୟୀ ନିବେଦନ କରିଛନ୍ତି ।

ସାଇବର ଠକ ଫେକ ଆକାଉଣ୍ଟ ଖୋଲି ଶ୍ରୀମୟୀଙ୍କ ଫଟୋକୁ ଡିପି ଭାବେ ବ୍ୟବହାର କରିଛି । ପାନ୍ଥନିବାସ ମ୍ୟାନେଜରମାନଙ୍କ ସହ ଏହି ନମ୍ବରରୁ ହ୍ବାଟସଆପ୍ ନମ୍ବରରୁ ପ୍ରଥମେ ଚ୍ୟାଟିଂ କରିଥିଲା ଠକ । ଧୀରେ ଧୀରେ ଟଙ୍କା ମାଗିବା ଆରମ୍ଭ କରିଥିଲା । ଯେଉଁଥି ପାଇଁ ମ୍ୟାନେଜରମାନଙ୍କ ସନ୍ଦେହ ଉପୁଜିଥିଲା । ପରେ ସେମାନେ ଶ୍ରୀମୟୀଙ୍କ ବ୍ୟକ୍ତିଗତ ଫୋନ୍ ନମ୍ବରକୁ ଫୋନ୍ କରିବାରୁ ପ୍ରକୃତ ସତ୍ୟ ପଦାକୁ ଆସିଥିଲା ।

ସେପଟେ ଶ୍ରୀମୟୀ ଠକର ଚାଟିଂକୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି  । ଯଦି କେହି ଏଭଳି ଉପାୟରେ ଟଙ୍କା ମାଗୁଥାଏ, ତେବେ ଏଥିରୁ ନିବୃତ୍ତ ରହିବାକୁ ନିବେଦନ କରିଛନ୍ତି  । ତାଙ୍କ ଫଟୋକୁ ହ୍ୱାଟ୍ସଆପରେ ଲଗାଯାଇଛି  । ତେଣୁ ସହଜରେ ଶ୍ରୀମୟୀ ମିଶ୍ର ବୋଲି ସମ୍ପର୍କୀୟ ଭାବିନେବା ସହଜ ହେଉଛି  ।

ବ୍ୟାଙ୍କ କୃଷି ମ୍ୟାନେଜର ଦିବ୍ୟରଞ୍ଜନଙ୍କ ମୃତଦେହ ମିଳିଲା

ବଲାଙ୍ଗୀର: ଉଦ୍ଧାର ହେଲା ବଲାଙ୍ଗୀର ବ୍ୟାଙ୍କ କୃଷି ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ରଙ୍କ ମୃତଦେହ । ସୋନପୁର ଲଛିପୁର ଅଙ୍ଗନଦୀ କୂଳରୁ ମିଳିଲା ମୃତଦେହ I ଗତ ବୁଧବାର ଦିନ ବଲାଙ୍ଗୀର ସମ୍ବଲପୁର ଏମଏଚ୍ 26 ଚେରୁପାଲି ବ୍ରିଜ ଉପରେ ବାଇକ୍ ରଖି ନିଖୋଜ ହୋଇଥିଲେ ଦିବ୍ୟ । ବରପାଲି ପଞ୍ଜାବ ନେସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଗତ ୧୧ ତାରିଖରୁ ନିଖୋଜ ଥିଲେ ଦିବ୍ୟ । ମୃତ ଦେହ ମିଳିବା ପରେ ପରିବାର ଲୋକ ଚିହ୍ନଟ କରିଥିବା ସୂଚନା ଦେଲେ ଡୁଙ୍ଗୁରିପାଲି ଥାନାଧିକାରୀ ।

ପୋଲିସ ଦିବ୍ୟଙ୍କ ବ୍ୟାଙ୍କ ଡିଟେଲସ ଓ ସିଡିଆର ରିପୋର୍ଟ ଆଧାରରେ ତଦନ୍ତ ଆରମ୍ଭ କରିଛି । ଦିବ୍ୟଙ୍କ ବ୍ୟାଙ୍କ ଆକଉଣ୍ଟରୁ ଦୁଇ ଯୁବତୀ ଓ ଜଣେ ଯୁବକ ପାଖକୁ କିଛି ମାସ ଭିତରେ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡିଥିଲା । ତାହାକୁ ନେଇ ପୋଲିସ ଏବେ ସେହି ଦିଗ ଉପରେ ତଦନ୍ତ ଆରମ୍ଭ କରିଛି । ଦେଢ ମାସ ମଧ୍ୟରେ ଦିବ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଜଣେ ଯୁବତୀ ଓ ଯୁବକଙ୍କ ଆକଉଣ୍ଟକୁ ୭ରୁ ୯ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିଲା। ୨ବର୍ଷ ଭିତରେ ୨୦ଲକ୍ଷ ଟଙ୍କା ଯାଇଛି । ଏପରିକି ଦିବ୍ୟ ୨ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ କରି ଦେଇଛନ୍ତି I ଦିବ୍ୟଙ୍କ ଶେଷ ଲୋକେସନ ଏନ୍ଏଚ୍-୨୬ ଚେରୁପାଲି ଅଙ୍ଗନଦୀ ବ୍ରିଜ ରହିଛି । ତାଙ୍କ ମୋବାଇଲ କେଉଁଠି, ସେନେଇ କିଛି ଜଣାପଡୁନି I ବ୍ଲାକମେଲ ଓ ଟଙ୍କା ଟ୍ରାନ୍ସଫର ସଂପର୍କରେ କିଛି ଜାଣିନଥିବା ତାଙ୍କ ସ୍ତ୍ରୀ କହିଛନ୍ତି I

ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଶପଥ ନେଲେ ନୂଆ ଦୁଇ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ନୂଆ ଦୁଇ ବିଚାରପତି । ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶ ବିଚାରପତି ଭାବେ ଶପଥ ନେଇଛନ୍ତି । ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏନେଇ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଦୁଇ ନୂଆ ବିଚାରପତି ଶପଥ ନେବା ପରେ ଓଡ଼ିଶା ହାଇକୋର୍ଟ ବିଚାରପତି ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ।

ପୂର୍ବରୁ ଦୁଇ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ କରାଯାଇଥିଲା । ସୁପ୍ରିମ୍‌କୋର୍ଟ କଲେଜିୟମ ପକ୍ଷରୁ ନାମ ସୁପାରିଶ ହୋଇଥିବା ସୂଚନା ମିଳିଥିଲା । ଗୌରୀ ଶଙ୍କର ଶତପଥୀ ଓ ଚିତ୍ତ ରଞ୍ଜନ ଦାସଙ୍କ ନାଁ ସୁପାରିଶ କରିଥିଲା କଲେଜିୟମ । ପରେ ଆଜି ଉଭୟେ ଶପଥ ନେଇଛନ୍ତି  ।

 

ପଡ଼ୋଶୀଙ୍କ ବିରୋଧରେ ଅଦାଲତ ଗଲେ ସଲମାନ

ମୁମ୍ବାଇ: ଖାନ୍ ଷ୍ଟାରଙ୍କୁ ଲାଗିଛି ବିବାଦ ଗ୍ରହଣ । ମିଷ୍ଟର ପରଫେକ୍ଟ ଅମିର ଖାନଙ୍କ ଲାଲ୍ ସିଂ ଚଢା ବକ୍ସ ଅଫିସରେ ଚିତ୍ ମାରିଛି । କିଙ୍ଗ ଖାନ୍ ଫିଲ୍ମ କରିବାକୁ ଡରୁଛନ୍ତି । ଆଉ ଭାଇଯାନ କୋର୍ଟ ଦୌଡ଼ି ଦୌଡ଼ି ନାକେଦମ ।

ସଲମାନ କୋର୍ଟ ଦୌଡୁଥିବା କଥା ଶୁଣି ହିଟ୍ ଆଣ୍ଡ ରନ୍ ମାମଲା ମନେ ପଡୁଛି କି ? ଯଦି ଭାବୁଛନ୍ତି ତେବେ ଆପଣଙ୍କ ଭାବନା ଭୁଲ । ହିଟ୍ ଆଣ୍ଡ ରନ୍ ମାମଲା ନୁହେଁ, ଜଣେ ପଡୋଶୀଙ୍କ ପାଇଁ ସଲମାନ ଖାନଙ୍କୁ କୋର୍ଟର ଚକ୍କର ଲଗାଇବାକୁ ପଡୁଛି । ଆଉ ଏହି ପଡୋଶୀ ଜଣଙ୍କ ହେଉଛନ୍ତି କେତନ କକ୍କଡ । ଯିଏ କି ସଲମାନଙ୍କ ପନଭେଲ ଫାର୍ମ ହାଉସ ପାଖରେ ରୁହନ୍ତି ।

ସୋସିଆଲ ମିଡ଼ିଆରେ କେତନ କରିଥିବା କିଛି ପୋଷ୍ଟକୁ ନେଇ ସଲମାନ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଓ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ତଳ କୋର୍ଟରେ ନିରାଶ ହେବା ପରେ ସଲମାନ ଏବେ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଯାହାର ଶୁଣାଣି ଶୁକ୍ରବାର କୋର୍ଟରେ ହୋଇଥିଲା ।

ଏବେ ଆସନ୍ତୁ ଜାଣିବା ଘଟଣାଟି କ’ଣ ଓ କୋର୍ଟ ମାମଲାର ବିଚାର କରି କି ରାୟ ଦେଇଛନ୍ତି ?

ସୂଚନାଯୋଗ୍ୟ, କେତନ କିଛି ପୋଷ୍ଟ କରି ସଲମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ପୋଷ୍ଟର କ୍ୟାପସନରେ କେତନ ଲେଖିଥିଲେ, ନିଜ ଫାର୍ମ ହାଉସ ପାଖରେ ଥିବା ଗଣେଶ ମନ୍ଦିରକୁ ସଲମାନ ଜବର ଦଖଲ କରିବାକୁ ଚାହୁଁଛନ୍ତି । ସଲମାନଙ୍କୁ ବାବର ଓ ଔରଙ୍ଗଜେବଙ୍କ ସହ ତୁଳନା କରିବା ସହ ଅଯୋଧ୍ୟାରେ ମନ୍ଦିର ନିର୍ମାଣକୁ ୫ ଶହ ବର୍ଷ ଲାଗିଥିବା ବେଳେ ଏଠାରେ ସଲମାନ ଗଣେଶ ମନ୍ଦିର ଜବରଦଖଲ କରିବାକୁ ଚାହୁଁଛନ୍ତି ବୋଲି ଲେଖିଥିଲେ । ଯାହାକୁ ଲକ୍ଷ ଲକ୍ଷ ସୋସିଆଲ ମିଡ଼ିଆ ୟୁଜର୍ସ ଦେଖିବା ସହ ସଲମାନଙ୍କ ବିରୋଧରେ ଆପତ୍ତିଜନକ କମେଣ୍ଟ ଦେଇଥିଲେ ।

ଯାହାକୁ ବିରୋଧ କରି ସଲମାନ ସିଭିଲ୍ କୋର୍ଟକୁ ଯାଇଥିଲେ ଓ କେତନଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ । କେତନ ସାମ୍ପ୍ରଦାୟକ ସଦଭାବନାକୁ ଭାଙ୍ଗ କରୁଥିବା ସେ ଅଭିଯୋଗ କରିବା ସହ ପୋଷ୍ଟ ଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ଏହାସହ ସଲମାନଙ୍କ ବିରୋଧରେ କୌଣସି ଟିପ୍ପଣୀ ଦେବା ନେଇ କେତନଙ୍କ ଉପରେ ରୋକ ଲଗାଇବାକୁ ଦର୍ଶାଇ ଥିଲେ । ଯାହାକୁ ତଳ କୋର୍ଟ ନାକଚ କରି ଦେଇଥିଲେ । ଏହି ଶୁଣାଣିକୁ ଚ୍ୟାଲେଞ୍ଜ କରି ସଲମାନ ୨୨ ମାର୍ଚ୍ଚରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏଥିରେ ସେ କେତନ ପୋଷ୍ଟ କରିଥିବା ଭିଡିଓଗୁଡିକୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ଯାହାର ଶୁଣାଣି ଜଷ୍ଟିସ ସିଭି ଭାଣ୍ଡଙ୍ଗ କରିଥିଲେ । ଯେଉଁଥିରେ କୋର୍ଟ କେତନଙ୍କୁ ଆଶ୍ବସ୍ତି ଦେବାକୁ ମନା କରି ଦେଇଛନ୍ତି ।

ଶୁଣାଣି ବେଳେ ସଲମାନଙ୍କ ଓକିଲ ରବି କଦମ ସିଭିଲ କୋର୍ଟଙ୍କ ଆଦେଶକୁ ଭୁଲ ଦର୍ଶାଇବା ସହ କେତନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଏହା ସଲମାନଙ୍କ ମାନହାନୀ କରିଥିବା, ତାଙ୍କ ବିରୋଧରେ ଲୋକଙ୍କ ମନରେ ସାମ୍ପ୍ରଦାୟିକ ଭାବନା ଭରିଥିବା ଦର୍ଶାଇ ଥିଲେ । ଆଗକୁ ସେ କହିଥିଲେ, କେତନ ସଲମାନଙ୍କ ସମ୍ପର୍କକୁ ଅଣ୍ଡଓ୍ବାଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ସହ ଯୋଡ଼ିଥିଲେ । ତାଙ୍କ ଗ୍ୟାଙ୍ଗର ସଦସ୍ୟ ମଧ୍ୟ କହିଥିଲେ । ସେତିକି ନୁହେଁ ସଲମାନ ନିଜ ଫାର୍ମ ହାଉସରେ ଡ୍ରଗ୍ସ କରବାର, ଅଙ୍ଗ ତସ୍କରୀ ଓ ଛୋଟ ପିଲା ଚାଲାଣ ପରି ବେପାର କରୁଥିବା ଅଭିଯୋଗ କରିଥିଲେ । ଯାହା ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ ।

କୋର୍ଟ ଦୁଇ ପକ୍ଷଙ୍କୁ ଶୁଣିବା ପରେ ମାମଲାର ଶୁଣାଣିକୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏବେ ଅଗଷ୍ଟ ୨୨ ତାରିଖରେ ଏହାର ପରବର୍ତ୍ତି ଶୁଣାଣି କରାଯିବ । ଦେଖାଯାଉ, କୋର୍ଟ ସେ ଦିନ କି ରାୟ ଦେଉଛନ୍ତି ? ସଲମାନଙ୍କ ଦାବିକୁ ଗ୍ରହଣ କରୁଛନ୍ତି ନାଁ କେତନଙ୍କ ଅଭିଯୋଗ ଆଧାରର ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଉଛନ୍ତି ଦେଖିବାକୁ ବାକି ରହିଲା ।

କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି କୋଭିଡ ସଂକ୍ରମିତ

ନୂଆଦିଲ୍ଲୀ: କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ପୁଣି କୋଭିଡ । ଗତ କିଛି ଦିନ ତଳେ ସେ କୋଭିଡରୁ ଆରୋଗ୍ୟ ହୋଇଥିଲେ । କୋଭିଡ ସଂକ୍ରମଣ ନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ।

ପୁଣି କୋଭିଡ ସଂକ୍ରମିତ ହେବା ପରେ ସୋନିଆ ରହିଛନ୍ତି ଆଇସୋଲେସନରେ । ଗତକିଛି ଦିନ ତଳେ ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ୍ ମାମଲାରେ ସୋନିଆଙ୍କୁ ଇଡି ନୋଟିସ ଜାରି କରିଥିଲା । ମାତ୍ର କୋଭିଡ ସଂକ୍ରମିତ ଯୋଗୁ ସେ ହାଜର ହେବା ଲାଗି ତାରିଖ ଘୁଞ୍ଚାଇଥିଲେ ।

ଆଖି ହରାଇ ପାରନ୍ତି ସଲମାନ !

ନ୍ୟୁୟର୍କ: ପ୍ରଖ୍ୟାତ ଲେଖକ ସଲମାନ ରୁସଦିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ଆତତାୟୀ ଆକ୍ରମଣରେ ଲହୁଲୁହାଣ ରୁସଦି ଏବେ ଭେଣ୍ଟିଲେଟରରେ । ଶରୀରର ବିଭିନ୍ନ ସ୍ଥାନରେ ହୋଇଛି ଆଘାତ । ଲିଭର ବି କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ଆଖି ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ତାଙ୍କ ଆଖି ସହ ଗୋଟିଏ ହାତର ନର୍ଭରେ ଗଭୀର କ୍ଷତ ହୋଇଛି ।

ଜୀବନ ସହ ସଂଗ୍ରାମ କରୁଥିବା ଭାରତୀୟ ମୂଳର ରୁସଦିଙ୍କୁ ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ହାଦି ମତାର ନାମକ ଦୁର୍ବୃତ୍ତ ଛୁରିରେ ଆକ୍ରମଣ କରିଥିଲା । ତାଙ୍କ ପେଟ ଓ ଗଳାକୁ ଛୁରିରେ କାଟି ଦେଇଥିଲା ହାଦି ତମାର ।

ଘଟଣା ସ୍ଥଳରେ ହାଦି ତମାରକୁ ପୋଲିସ ଗିରଫ କରିଛି । ତେବେ ରୁସଦିଙ୍କ ଉପରେ ହାଦି ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଆକ୍ରମଣ ପଛରେ ଆଉ କିଏ ଅଛନ୍ତି ତାହାର ତଦନ୍ତ ଚାଲିଛି । ନ୍ୟୁୟର୍କ ପୋଲିସ ଏଫବିଆଇ ସହ ମିଶି ଘଟଣାର ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ୧୯୪୭ ଜୁନ ୧୯ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ସଲମାନ ରୁସଦି । ୨୦ ବର୍ଷ ହେବ ସେ ଆମେରିକାରେ ରହୁଛନ୍ତି । ସେଠିକାର ନାଗରିକତ୍ବ ମଧ୍ୟ ଗ୍ରହଣ କରିଛନ୍ତି । ୧୯୮୮ରେ ତାଙ୍କର ‘ଦି ସାଟାନିକ ଭର୍ସେସ’ ପୁସ୍ତକ ପ୍ରକାଶିତ ହୋଇଥିଲା । ଏହା ପରଠାରୁ ତାଙ୍କୁ ହତ୍ୟା ଧମକ ମିଳି ଆସୁଥିଲା ।  ଇରାନର ତତ୍କାଳୀନ ସୁପ୍ରିମ ଲିଡର ଅୟାତୁଲ୍ଲା ଖୋମିନୀ ତାଙ୍କ ବିରୋଧରେ ହତ୍ୟା ଫତୁଆ ଜାରି କରିଥିଲେ । ଏଥିପାଇଁ ତାଙ୍କୁ ବହୁଦିନ ଧରି ଲୁଚିଛପି ରହିବାକୁ ପଡ଼ିଥିଲା । ଏପରିକି ସେ ତାଙ୍କ ନାଁ ବଦଳାଇ ଆମେରିକାରେ ରହୁଥିଲେ ।  ତାଙ୍କ ମୁଣ୍ଡ ଲାଗି ଇରାନ ସରକାର ୨୦୧୬ରେ ୬ ଲକ୍ଷ ପାଉଣ୍ଡ ଘୋଷଣା କରିଥିଲେ । ସେବେଠାରୁ ତାଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା । ଏହି ଫତୁଆ ଏବଂ ଅର୍ଥ ଲୋଭରେ ହାଦି ତମାର ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅନୁମାନ କରାଯାଉଛି ।

ଦିଲ୍ଲୀରେ ପଞ୍ଚମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ପଞ୍ଚମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ । ୨୨ ବର୍ଷ ବୟସ୍କ ଆଫ୍ରିକୀୟ ମହିଳା ପଜିଟିଭ ଠାବ ହୋଇଛନ୍ତି । ମାସକ ତଳେ ନାଇଜେରିଆ ଯାଇଥିଲେ ମହିଳା । ସଂକ୍ରମିତ ମହିଳାଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀରେ ସଂକ୍ରମିତ ହେବାରେ ସେ ଦ୍ବିତୀୟ ମହିଳା ହୋଇଥିବାବେଳେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୧୦ । ଦିଲ୍ଲୀରେ ପୂର୍ବରୁ ୪ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣକୁ ଡିସଚାର୍ଜ କରାଯାଇଛି ।

୩ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଗତ ଜୁଲାଇ ୨୪ରେ ପ୍ରଥମ ଥର ଲାଗି ରାଜଧାନୀରେ ଚିହ୍ନଟ ହୋଇଥିଲା ମଙ୍କିପକ୍ସ । ଆନ୍ତର୍ଜାତିକ ଯାତ୍ରୀମାନଙ୍କ ନିମନ୍ତେ ଅନେକ ଗାଇଡଲାଇନ ଜାରି କରାଯାଇଥିବାବେଳେ ଅସୁସ୍ଥ, ମୃତ ଓ ଜୀବଜନ୍ତୁମାନଙ୍କ ସମ୍ପର୍କରେ ନ ଆସିବା ଲାଗି ପରାମର୍ଶ ଦିଆଯାଇଛି । ପ୍ରଥମେ ଜୁଲାଇ ୧୪ରେ କେରଳର କୋଲମରେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୧୦ ।

ଉପର ମୁଣ୍ଡରେ ପ୍ରବଳ ବର୍ଷା, ମହାନଦୀ ବୈତରଣୀ ଓ ଜଳକାରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଛତିଶଗଡ଼ରେ ବର୍ଷା ଲାଗି ରହିଲେ ଏବଂ ଓଡ଼ିଶାରେ ବର୍ଷା ଜାରି ରହିଲେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି । ଆସନ୍ତାକାଲି ସକାଳ 8ଟା ବେଳେ କଟକ ମୁଣ୍ଡଳୀ ଦେଇ ୬ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ । ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି । ତେଣୁ ସ୍ଥିତି ଦେଖି ହୀରାକୁଦ ଗେଟ ଖୋଲାଯାଉଛି । ଏବେ ହୀରାକୁଦର ୨୮ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଥିବା ବେଳେ, ଆଗକୁ ଅଧିକ ଗେଟ୍ ଖୋଲାଯାଇପାରେ ।

ସେହିପରି ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି । ସମସ୍ତଙ୍କ ଛୁଟି ବାତିଲ କରାଯାଇ ଆଲର୍ଟ ମୋଡରେ ରଖାଯାଇଛି । ଦୁର୍ବଳ ନଦୀବନ୍ଧ ଉପରେ କଡ଼ାକଡ଼ି ଭାବେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ବନ୍ୟାକୁ ନଜରରେ ରଖି ୮ ଜିଲ୍ଲା ପାଇଁ ୬ ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି । ପୁରୀ ପାଇଁ ଇଞ୍ଜିନିୟର ଚିନ୍ମୟ ରଞ୍ଜନ ରାଉତ, ଜଗତସିଂହପୁର ଦାୟିତ୍ବରେ ଇଞ୍ଜିନିୟର ବିଜୟ କୁମାର ସାମଲ, କଟକ ଦାୟିତ୍ବରେ ଇଞ୍ଜିନିୟର ବଳେଶ୍ବର ନାଥ ସାହୁ ଅଛନ୍ତି ।

ଅନ୍ୟପଟେ କେନ୍ଦ୍ରାପଡ଼ା ଦାୟିତ୍ବରେ ଇଞ୍ଜିନିୟର ପୂର୍ଣ୍ଣଚନ୍ଦ୍ର ରଥ, ଯାଜପୁର ଓ ଭଦ୍ରକ ଦାୟିତ୍ବରେ ଇଞ୍ଜିନିୟର ଧନେଶ୍ବର ସାମଲ, ଖୋର୍ଦ୍ଦା ଓ ନୟାଗଡ଼ ଦାୟିତ୍ବରେ ବିଘ୍ନରାଜ ପୁରୋହିତ ରହିଛନ୍ତି । 8 ଜିଲ୍ଲାକୁ ଯାଇ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସଂପୃକ୍ତି ଜିଲ୍ଲାକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଘନିଭୂତ ହେଉଛି ସୃଷ୍ଟ ଲଘୁଚାପ, ୭ ଜିଲ୍ଲାକୁ ରେଡ ଆଲର୍ଟ

ଭୁବନେଶ୍ୱର: ଘନିଭୂତ ହେଉଛି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇ ଛତିଶଗଡ଼ ମୁହାଁ ହେବ ଲଘୁଚାପ । ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ଉପକୂଳ ଓଡିଶାର ୭ ଜିଲ୍ଲାକୁ ରେଡ ଆଲର୍ଟ ଦିଆଯାଇଛି । ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ କୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ବରଗଡ଼ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିଭଳି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାକୁ ୟେଲୋ ଅଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତା କାଲି ପାଇଁ ୧୦ ଜିଲ୍ଲାକୁ ରେଡ, ୧୧ ଜିଲ୍ଲାକୁ ଅରେଞ୍ଜ ଏବଂ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଉପକୂଳ ରେ ପ୍ରବଳ ବର୍ଷା ସହ ଝଡ ପବନ ସମ୍ଭାବନା ରହିଛି ।

ଘଣ୍ଟା ପ୍ରତି ୪୫ ରୁ ୫୫ ଏବଂ ଝଟକା ପବନ ୬୫ କିଲୋମିଟର ପର୍ଯ୍ୟନ୍ତ ବହିବ ।ସମୁଦ୍ରର ଅଶାନ୍ତ ରହିବା ସହ ୪ ରୁ ୬ ମିଟର ଉଚ୍ଚ ଜୁଆର ଆସିବ । ୧୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ବାରଣ କରାଯାଇଛି । ଉପର ମହାନଦୀ, ତଳ ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ।