ସିକନ୍ଦରାବାଦ ଅଗ୍ନିକାଣ୍ଡ: ପ୍ରାଣ ହରାଇଥିବା ୮ ଜଣଙ୍କ ମଧ୍ୟରେ ୨ ଓଡ଼ିଆ

1 min read

କଟକ: ସିକନ୍ଦରାବାଦର ଏକ ଇ-ବାଇକ ଶୋ’ ରୁମରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୮ଜଣଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ ଅଛନ୍ତି । କଟକର ଏକ ନବ ବିବାହିତ ଦମ୍ପତ୍ତି ଏହି ଅଗ୍ନକାଣ୍ଡରେ ଜୀବନ୍ତ ଜଳି ଯାଇଛନ୍ତି । ଏହି ଦୁଇ ଜଣ ହେଲେ କଟକ କାଫଲା ବଜାର ମହାନ୍ତି ସାହିର ଚନ୍ଦନ ଜେଠୀ ଓ ତାଙ୍କ ପତ୍ନୀ ମିତାଲି ମହାପାତ୍ର । ଗତବର୍ଷ ଚନ୍ଦନ ଓ ମିତାଲି ବିବାହ କରିଥିଲେ । ବାଙ୍ଗାଲୋରର ଏକ ଘରୋଇ କଂପାନୀରେ କାମ କରୁଥିଲେ ଚନ୍ଦନ । ଉଭୟେ ହାଇଦ୍ରାବାଦ ବୁଲିବାକୁ ଯାଇ ସିକନ୍ଦରାବାଦର ରୁବି ଲଜରେ ରହିଥିଲେ । ହେଲେ ଗତକାଲି ରାତିରେ ହଠାତ୍ ତଳ ମହଲାରେ ଥିବା ଇ-ବାଇକ୍ ଶୋ ରୁମରେ ନିଆଁ ଲାଗି ଯାଇଥିଲା । ଆଖି ପିଛୁଳାକେ ୪ ମହଲା ବିଶିଷ୍ଟ ବିଲ୍ଡିଂ ଜଳି ଉଠିଥିଲା ।

ଏହି ଅଗ୍ନିକାଣ୍ଡରେ ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ପ୍ରାୟ ୧୫ ଜଣ ଗୁରୁତର ହୋଇଛନ୍ତି । ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଇଲେକ୍ଟ୍ରିକ ସ୍କୁଟର ଶୋ’ ରୁମ ଚାର୍ଜିଂ ପଏଣ୍ଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ବିଲ୍ଡିଂରେ ଏକ ହୋଟେଲ ଓ ରେଷ୍ଟୁରାଣ୍ଟ ଚାଲୁଥିବା ବେଳେ ପ୍ରବଳ ନିଆଁ ଦେଖି ଲୋକମାନେ ଭୟରେ ତଳକୁ ଡେଇଁ ପଡ଼ିଥିଲେ । ବିଲ୍ଡିଂ ଭିତରେ ୨୪ ଜଣ ଫସି ରହିଥିବା ବେଳେ ୮ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଫସି ରହିଥିବା ଲୋକମାନଙ୍କୁ ଝରକା ପଟେ କ୍ରେନ୍ ଯୋଗେ ଉଦ୍ଧାର କରାଯାଇଥିଲା । ସେପଟେ ପୁଅବୋହୂଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ଲୋକେ ସିକନ୍ଦରବାଦ୍ ଅଭିମୁଖେ ବାହାରିଛନ୍ତି ।