spot_img
Home Blog Page 4111

ମନ କିଣୁଛି ତ୍ରିରଙ୍ଗା ମିଠା, ସେନା କର୍ମଚାରୀ ନେଲେ ୫୦ % ରିହାତି

ସୁରଟ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ ଦେଶ ପାଳୁଛି ‘ହର୍‌ ଘର୍‌ ତ୍ରିରଙ୍ଗା’। ପ୍ରତି ଘରେ ଜାତୀୟ ପତାକା ଉଡୁଥିବା ଦେଖିବାକୁ ମିଳିଛି  । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳିବାକୁ ଉଦ୍‌ବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ। ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ହର୍ ଘର୍‌ ତ୍ରିରଙ୍ଗା କାର୍ଯକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଯୋଗୁଁ ଦେଶ ପ୍ରେମ ଜାଗ୍ରତ ହେବା ସହିତ ଜାତୀୟତା ବୋଧର ଅନୁଭବ ଆଣିଛି  ।

ସୁରଟରେ ବି ଦେଖିବାକୁ ମିଳିଛି ଅମୃତ ମହୋତ୍ସବର ନିଦର୍ଶନ  । ମୋଦିଙ୍କ ହର ଘର ତ୍ରିରଙ୍ଗାକୁ ସମ୍ମାନ ଜଣାଇ ଜାତୀୟ ପତାକାରେ ନିଜ ଦୋକାନକୁ ରଙ୍ଗୀନ କରିଛନ୍ତି ଜଣେ ମିଠା ଦୋକାନୀ  । ଦୋକାନ ସାରା ସେ ଜାତୀୟ ପତାକା ଲଗାଇବା ସହ ଜାତୀୟ ପତାକା ରଙ୍ଗର ବେଲୁନରେ ସଜାଇଛନ୍ତି  । ତ୍ରିରଙ୍ଗାର ଭଳିକି ଭଳି ମିଠା ପ୍ରସ୍ତୁତ କରି ସେ ଦୋକାନରେ ସଜାଇଛନ୍ତି  । ଯାହା ନେବା ପାଇଁ ଦୋକାନରେ ଗ୍ରାହକଙ୍କ ଭିଡ ଜମୁଛି  ।

ସେହିପରି ସେନାରେ କାର୍ଯ୍ୟରତ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ଦୋକାନୀ । କୌଣସି ସେନା କର୍ମଚାରୀ ଏହି ଦୋକାନରୁ ମିଠା କିଣିଲେ ସାରା ଜୀବନ ସେମାନେ ଅଧା ଦରରେ କିଣିପାରିବେ  । ସେନା, ବାୟୁସେନା ଓ ନୌସେନାରେ କାର୍ଯ୍ୟରତ ସେନା କର୍ମଚାରୀଙ୍କୁ ୫୦ ପ୍ରତିଶତ ରିହାତି ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ଦୋକାନୀ  । ସେନାରୁ ଅବସର ପରେ ବି ସେମାନଙ୍କୁ ଏହି ସୁବିଧା ମିଳି ପାରିବ ।

ଆଉ ନାହାନ୍ତି ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲା, ଦୁଃଖ ପ୍ରକାଶ କଲେ ମୋଦି 

ମୁମ୍ବାଇ: ପରଲୋକରେ ବିଶିଷ୍ଟ ଉଦ୍ଦ୍ୟୋଗୀ ତଥା ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲା  । ୬୨ ବର୍ଷ ବୟସରେ ରାକେଶଙ୍କ ନିଧନ ହୋଇଛି  । କିଛି ସପ୍ତାହ ପୂର୍ବରୁ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ରାକେଶ  । ଦୀର୍ଘଦିନ ଧରି ସେ ଅନେକ ରୋଗରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଝୁନଝୁନୱାଲାଙ୍କ ନିଧନରେ ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି  । ‘‘ଜଣେ ଅଦମ୍ୟ ସାହସୀ ଥିଲେ ରାକେଶ ଝୁନଝୁନୱାଲା  । ଖୁସି ମିଜାଜ ସ୍ବଭାବର ରାକେଶକୁ ସର୍ବଦା ଝୁରିବ ବିତ୍ତୀୟ ଦୁନିଆ । ଭାରତର ଅଗ୍ରଗତି ପାଇଁ ସବୁବେଳେ ଚିନ୍ତିତ ଥିବା ଝୁନ୍‌ଝୁନ୍‌ୱାଲାଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ  । ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ରହିଛି  । ଓଁ ଶାନ୍ତି  ’’। ପ୍ରସିଦ୍ଧ ନିବେଶକଙ୍କ ଦେହାନ୍ତ ପରେ ଏଭଳି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଜଣେ ନିବେଶକ ହେବା ସହ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ ଝୁନଝୁନୱାଲା  । ସେହିପରି ଦେଶର ଧନୀ ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ନାଁ ସାମିଲ ଥିଲା  । ହଙ୍ଗାମା ମିଡିଆ ଓ ଆପଟେକ୍‌ର ଅଧ୍ୟକ୍ଷ ରହିବା ସହ ୱାଇସରାୟ ହୋଟେଲ, କନକଡ୍‌ ବାୟୋଟେକ, ପ୍ରୋଭୋଗ ଇଣ୍ଡିଆ ଓ ଜିୟୋଜିତ ଫାଇନାନ୍ସିଆଲ ସର୍ଭିସେସର ନିର୍ଦ୍ଦେଶକ ବି ଥିଲେ ଝୁନଝୁନୱାଲା  । ନିକଟରେ ସେ ଆକାଶ ଏୟାରଲାଇନ୍ସର ଲଞ୍ଚ କରିଥିଲେ  । ଆରବପତି ନିବେଶକ ରାକେଶ ୪୦ ପ୍ରତିଶତ ଅଂଶୀଦାର ସହ ଆକାଶ ଏୟାରରେ ୫୦ ମିଲିଅନ ଡଲାର ନିବେଶ କରିଥିଲେ  ।

 

ମନ୍ତ୍ରୀଙ୍କୁ ଚପଲ ମାଡ କରି ୫ ବିଜେପି କର୍ମୀ ଗିରଫ, ଦଳ ଛାଡିଲେ ନେତା

ଚେନ୍ନାଇ: ତାମିଲନାଡୁ ବିଜେପିରେ ଅସନ୍ତୋଷ ନିଆଁ ଦେଖିବାକୁ ମିଳିଛି  । କର୍ମୀ ଓ ନେତାଙ୍କ ଆଚରଣରେ କୌଣସି ତାଳମେଳ ରହୁନାହିଁ  । ମନ୍ତ୍ରୀ ପାଲାନିଭେଲ ଥିଆଗରାଜନଙ୍କ କାରକୁ ଚପଲ ମାଡ କରି ୫ ବିଜେପି କର୍ମୀ ଗିରଫ ପରେ ପଦାରେ ପଡିଛି ବିଜେପି କଳି । ମଦୁରାଇ ବିମାନ ବନ୍ଦର ବାହାରେ ମନ୍ତ୍ରୀଙ୍କ କାରକୁ ଟାର୍ଗେଟ କରିଥିଲେ ବିଜେପି କର୍ମୀ  । ଆଇପିସି ଧାରା ୫୦୬, ୩୪୧, ୩୪ ଆଧାରରେ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ମଦୁରାଇ ପୋଲିସ କମିଶନର  ।

ସେପଟେ ଏହି ଘଟଣା ପରେ ମଦୁରାଇ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବିଜେପି ନେତା ସାରଭନନ  । ‘ବିମାନ ବନ୍ଦରରେ ବିଜେପି କର୍ମୀଙ୍କ ଏଭଳି ଆଚରଣରେ ମୁଁ ଦୁଃଖିତ । ମଧ୍ୟରାତ୍ରିରେ ଅର୍ଥମନ୍ତ୍ରୀଙ୍କୁ ଭେଟି ମୁଁ କ୍ଷମା ପ୍ରାର୍ଥନା କରିଛି  । ନିୟନ୍ତ୍ରଣ ହରାଇ ବିଜେପି ନେତା ଯେଭଳି ଆଚରଣ ପ୍ରଦର୍ଶନ କଲେ ତାହା ଦୁଃଖଦ’ ବୋଲି କହିଛନ୍ତି ସାରଭନନ  ।

ବିଜେପିରେ ପଦବୀ ଅପେକ୍ଷା ଶାନ୍ତି ଜରୁରୀ  । ଏଥିପାଇଁ ବିଜେପି ସହ ଆଗକୁ ବଢିବା ସମ୍ଭବପର ନୁହେଁ  । ବିଜେପିକୁ ଇସ୍ତଫା ପତ୍ର ପଠାଇ ଦେଇଛି  । ଡିଏମକେରେ ଯୋଗ ଦେବାକୁ କୌଣସି ଯୋଜନା ନାହିଁ  । କିନ୍ତୁ ଡିଏମକେରେ ଯୋଗ ଦେବା କୌଣସି ଅପରାଧ ନୁହେଁ ବୋଲି ବିଜେପି ମଦୁରାଇ ଜିଲ୍ଲା ସଭାପତି ସାରଭନନ କ୍ଷୋଭ ପ୍ରକାଶ କରିଛନ୍ତି  ।

ଦୂର ହେବ ଜଳ ସଙ୍କଟ, ଲୋୟର ସୁକତେଲ ପାଇଁ ଏକ ହଜାର କୋଟି ମଞ୍ଜୁର

ବଲାଙ୍ଗୀର: ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ନିର୍ମାଣଧୀନ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୧ ହଜାର ୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଜିଲ୍ଲାର ଜଳସେଚନ ଓ ପାନୀୟ ଜଳ ସଙ୍କଟ ଦୂର ହେବ । ଏଥିପାଇଁ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀରବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।

ଭୂତଳ ପାଇପ୍ ଦ୍ବାରା ପ୍ରକଳ୍ପର କ୍ଷମତା ବୃଦ୍ଧି କରାଯାଇ ଜଳସେଚନ, ପାନୀୟଜଳ ଯୋଗାଣ ସହ ପାଣିର ଅପବ୍ୟବହାର ରୋକିବା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବଲାଙ୍ଗୀର ମାଗୁରବେଡ଼ା ସ୍ଥିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ ଦ୍ବାରା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୯୯୮ କୋଟି ଟଙ୍କା ଓ ୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ ୮ କୋଟି, ୯୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଲୋୟର୍ ସୁକତେଲ ପ୍ରକଳ୍ପ ଡ୍ୟାମ୍‌, ଗେଟ୍ ଓ ମାଟି କାମ ଆସନ୍ତା 2023 ମାର୍ଚ୍ଚ ସୁଦ୍ଧା ଶେଷ ହେବାକୁ ଥିବାବେଳେ ଭୂତଳ ପାଇପ୍ ପ୍ରକଳ୍ପ ଆସନ୍ତା ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବଲାଙ୍ଗୀର ମ୍ୟୁନିସିପାଲଟି, ସଦର ବ୍ଲକ, ଦେଓଗାଁ, ପୁଇଁତଲା ବ୍ଲକ ଓ ସୋନପୁର ଜିଲ୍ଲାର ତରଭା ବ୍ଲକର ୨୭ ହଜାର ହେକ୍ଟର ଜମି ଜଳସେଚିତ ହେବା ସହ ବଲାଙ୍ଗୀର ସହରବାସୀଙ୍କ ପାନୀୟଜଳ ଆବଶ୍ୟକତା ପୂରଣ ହେବ । ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ ବିଧାୟକ ସରୋଜ ମେହେର, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଅଜୟ ଦାସ, ବଲାଙ୍ଗୀର ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କ ସମେତ ଜିଲ୍ଲାର ବରିଷ୍ଠ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଫୁଲୁଛି ନଦୀ, ୮ ଜିଲ୍ଲାକୁ ଯାଇ ସ୍ଥିତି ପରଖିବେ ୬ ଅଧିକାରୀ

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଫଳରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର । ଉପର ଓ ତଳ ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢିବା ସହ ଜଳମଗ୍ନ ହେଲାଣି ତଳିଆ ଅଞ୍ଚଳ । ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ପ୍ରମୁଖ ନଦୀର ଜଳସ୍ତର । ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ସଜାଗ ଓ ସତର୍କ ଜଳସମ୍ପଦ ବିଭାଗ । ଫୁଲୁଛି ମହାନଦୀ । ଉପରମୁଣ୍ଡରେ ଲଗାଣ ବର୍ଷାରୁ ମୁଣ୍ଡଳୀ ଠାରେ ଜଳସ୍ତର ୮୭.୬୦ ମିଟର ଥିବା ବେଳେ ତଳମୁଣ୍ଡରେ ୮୫.୨୦ ମିଟରରେ ଜଳ ପ୍ରବାହିତ ହେଉଛି ।

ମୁଣ୍ଡଳୀ ବ୍ୟାରେଜ ଦେଇ ୪ ଲକ୍ଷ ୯୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେପଟେ ବାଲେଶ୍ବରରେ ଜଳକା ବଢ଼ୁଛି । ଆଖୁଆପଦାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଥିବା ବେଳେ କମୁଛି ଜଳସ୍ତର । ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ବର୍ତ୍ତମାନ ୧୭.୯୬ ମିଟରରେ ପାଣି ପ୍ରବାହିତ ହେଉଛି ।

ସେପଟେ ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ଋଷିକୂଲ୍ୟାରେ ଜଳସ୍ତର ରାଇଜିଂ ଟ୍ରେଣ୍ଡରେ ରହିଛି । ତଳିଆ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନିୟନ୍ତ୍ରଣ କରିବାକୁ ଜଳସମ୍ପଦ ବିଭାଗ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିଛି । ସମ୍ବେଦନଶୀଳ ଅଞ୍ଚଳରେ ଅଧିକାରୀଙ୍କୁ ନିୟୋଜିତ କରାଯିବା ସହ କମର୍ଚାରୀଙ୍କ ଛୁଟି ବାତିଲ କରାଯାଇଛି । ୮ ଜିଲ୍ଲା ପାଇଁ ୬ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଆଜି ଅପରାହ୍ନ ସୁଦ୍ଧା ୬ ଯନ୍ତ୍ରୀ ୮ ଜିଲ୍ଲାକୁ ଯାଇ ସ୍ଥିତି ପରଖିବେ  ।

୧୦ ଜିଲ୍ଲାରେ ମୂଷଳଧାରାରେ ବର୍ଷା, ଟ୍ବିନସିଟିକୁ ସତର୍କ ଘଣ୍ଟି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା । ଓ୍ବେଲମାର୍କ ଲୋ’ପ୍ରେସର ପରିଣତ ହେଲା ଲଘୁଚାପ । ଆସନ୍ତା ୧୨ ଘଣ୍ଟାରେ ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଛତିଶଗଡ଼ ଆଡ଼କୁ ମୁହାଁଇବ । ଆଜି ୧୦ ଜିଲ୍ଲାରେ ମୂଷଳଧାରାରେ ବର୍ଷା ହୋଇପାରେ ।

୧୦ ଜିଲ୍ଲାକୁ ରେଡ୍‌, ୧୧ ଜିଲ୍ଲାକୁ ଅରେଞ୍ଜ ଏବଂ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି  । ରେଡ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୨୦୦ରୁ ଅଧିକ ମିଲିମିଟର ବର୍ଷା ହେବ । ରେଡ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲା ଗୁଡିକରେ କଚ୍ଚାଘର ଭାଙ୍ଗିବା ସହ କଚ୍ଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି । ଏହାସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବ ।

ବିପଦସଂକୁଳ ଅବସ୍ଥାରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି  । ଟ୍ବିନସିଟିରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷାରେ କମିବ ଦୃଶ୍ୟମାନ କ୍ଷମତା । ବିଭିନ୍ନ  ସ୍ଥାନରେ ସୃଷ୍ଟି ହୋଇପାରେ ଟ୍ରାଫିକ ସମସ୍ୟା । ତଳିଆ ଅଞ୍ଚଳ ଜଳମଗ୍ନ ହେବା ସମ୍ଭାବନା । ଘଣ୍ଟାପ୍ରତି ୨୦ରୁ ୩୦ ମିଲିମିଟର ବର୍ଷା ଆକଳନ କରିଛି ପାଣିପାଗ କେନ୍ଦ୍ର । ବର୍ଷା ସମୟରେ ଯଥାସମ୍ଭବ ବାହାରକୁ ଯିବାରୁ ନିବୃତ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପୁଣି ୧୭ ତାରିଖରେ ଆସୁଛି ଆଉ ଏକ ଲଘୁଚାପ । ତାହା ପୁଣି ବଙ୍ଗୋପସାଗରରେ ସୃଷ୍ଟି ହୋଇ ଓଡ଼ିଶା ଉପରେ ପ୍ରଭାବ ପକାଇବ । ତେବେ ତାହ ଅଧିକ ଘନୀଭୁତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଯଦି ଘନୀଭୁତ ହୁଏ ତେବେ ପୁଣି ଆହୁରି ଏକ ସପ୍ତାହ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ।

 

ସ୍ବାଧୀନତା ଦିବସ ପୂର୍ବରୁ ଭୁବନେଶ୍ୱରରେ କଡ଼ା ସୁରକ୍ଷା

ଭୁବନେଶ୍ୱର: ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଉପରେ ନଜର । ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଜୋରଦାର ଚେକିଂ କରାଯାଇଛି । ଅଶୋକ ନଗର ସମେତ ବିଭିନ୍ନ ହୋଟେଲରେ ଯାଞ୍ଚ କରୁଛି କମିଶନରେଟ୍ ପୋଲିସ । ଅତିରିକ୍ତ ଡିସିପି ଓ ଏସିପିଙ୍କ ସମେତ ୨ ସେକ୍ସନ୍ ପୋଲିସ ଫୋର୍ସ ଜରିଆରେ ଚାଲିଛି ଚେକିଂ ।

ଭୁବନେଶ୍ବରର ୮ ଟି ଜାଗାରେ ଏକକାଳୀନ ଚେକିଂ କରାଯାଉଛି । ଆସନ୍ତାକାଲି ମଧ୍ୟ ଚେକିଂ କରାଯିବ । ଭୁବନେଶ୍ବରକୁ ପ୍ରବେଶ କରୁଥିବା ସମସ୍ତ ଗାଡିକୁ କଡାକଡି ଯାଞ୍ଚ କରାଯାଉଛି । ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତିରେ ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟାନୁଷ୍ଠାନ ମାାନ ହାତକୁ ନିଆଯାଇଛି  । ସେପଟେ ଗୋଟିଏ ଦିନ ପରେ ପତାକା ଉତ୍ତୋଳନ କରାଯିବ  ।

ହୀରାକୁଦରେ ଖୋଲିଲା ୩୪ଟି ଗେଟ୍, ସ୍ଥାନାନ୍ତରିତ ହେଲେ ଲୋକେ

ସମ୍ବଲପୁର: ଉପର ମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ଫଳରେ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ବନ୍ୟା ଦଳ ନିୟନ୍ତ୍ରଣ ପାଇଁ ଆଉ ୪ଟି ଗେଟ ଖୋଲାଯାଇଛି । ଏହାକୁ ମିଶାଇ ମୋଟ ୩୪ଟି ଗେଟ ଦେଇ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଚାଲିଛି । ଦରକାର ହେଲେ ଆଜି ଅଧିକ ଗେଟ ଖୋଲାଯାଇପାରେ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ୍ ।

ସମ୍ବଲପୁରରେ ମଧ୍ୟ ଆଜି ପ୍ରବଳ ବର୍ଷା ହୋଇଛି । ୭ ଟି ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ହଜାରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ପମ୍ପିଂ ଷ୍ଟେସନ ମାଧ୍ୟମରେ ଜଳ ନିଷ୍କାସନ ଚାଲିଥିବା କହିଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ୍ ।

ବିପଦ ବେଳେ ସାହାଯ୍ୟ କଲା ଭାରତ, କଥା ରଖିଲାନି ଶ୍ରୀଲଙ୍କା

ନୂଆଦିଲ୍ଲୀ: ସମସ୍ତ ସାହାଯ୍ୟ ସତ୍ତ୍ବେ ଭାରତର କଥା ରଖିଲେନି ଶ୍ରୀଲଙ୍କା ସରକାର । ଚୀନର ସ୍ପାଏ ସିପ୍‌କୁ ଅଟକିବା ଲାଗି ଶ୍ରୀଲଙ୍କା ସରକାର ଦେଲେ ଗ୍ରୀନ ସିଗନାଲ । ପ୍ରତିରକ୍ଷା କାରଣରୁ ଭାରତ ଏହାର ପ୍ରତିବାଦ କରିଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦେଇନାହାନ୍ତି ଶ୍ରୀଲଙ୍କା ସରକାର । ଚୀନର ୟୁଆନ ଓ୍ବାଙ୍ଗ-୫ ଜାହାଜ ଯଦି ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ରୁହେ ତେବେ ଭାରତର ପ୍ରତିରକ୍ଷା ଗବେଷଣା, ଏପିଜେ ଅବଦୁଲ କଲାମ ଦ୍ବୀପର ଗୋପନ ତଥ୍ୟ, କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ଚୀନ ସମସ୍ତ ତଥ୍ୟ ପାଇବ ବୋଲି ଭାରତ ଉଦବେଗ ପ୍ରକାଶ କରିଆସୁଥିଲା ।

ଏହା ସହ ଭାରତ ମହାସାଗର ଓ ଶ୍ରୀଲଙ୍କାରେ ଚୀନର ପ୍ରାଧାନ୍ୟ ବିସ୍ତାରକୁ ଭାରତ ସନ୍ଦିଗ୍ଧ ଦୃଷ୍ଟିରେ ଦେଖୁଛି । ଗତ ୧୧ ତାରିଖରେ ଏହି ଜାହାଜ ଶ୍ରୀଲଙ୍କା ବନ୍ଦରରେ ଲାଗିବାର ଥିଲା । ମାତ୍ର ଶ୍ରୀଲଙ୍କାର ପ୍ରଥମେ ପ୍ରତିବାଦ ଯୋଗୁ ଏହି ତାରିଖ ଘୁଞ୍ଚିଛି । ଆସନ୍ତା ୧୬ରୁ ୨୨ ତାରିଖ ଯାଏ ଜାହାଜଟି ବନ୍ଦରରେ ଲାଗିବ । ଜାହାଜ ସମ୍ପର୍କରେ ଶ୍ରୀଲଙ୍କା ସରକାରଙ୍କ କୂଟନୈତିକ ମଞ୍ଜୁରୀ ମିଳିଛି । ବର୍ତ୍ତମାନ ଜାହାଜଟି ଶ୍ରୀଲଙ୍କାଠାରୁ ୧ ହଜାର କିଲୋମିଟର ଦୂରରେ ରହିଛି ଏବଂ ଧୀର ଧୀରେ ହମ୍ବନଟୋଟା ବନ୍ଦର ଆଡକୁ ଅଗ୍ରସର ହେଉଛି ।

ବିଶ୍ଵ ଅଙ୍ଗ ଦାନ ଦିବସ: ସ୍ୱର୍ଗତ ସୁଶୀଲ ସାହୁ ଓ ସିଦ୍ଧି ସମୃଦ୍ଧିଙ୍କୁ ସୁରଜ୍ ପୁରସ୍କାର-୨୦୨୨ ପ୍ରଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳର ଆଲାଡ଼ି ଗ୍ରାମର ସ୍ଵର୍ଗତ ସୁଶୀଲ ସାହୁ ଓ ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ କନିଶି ବ୍ଲକ୍ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ ୨୦୨୨ ପାଇଁ ସୁରଜ୍ ପୁରସ୍କାର ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୁଶିଲଙ୍କ ପତ୍ନୀ  ପିଙ୍କି ସାହୁ ଓ ସିଦ୍ଧିଙ୍କ ପିତା  ସପନ୍ କୁମାର ବିନ୍ଧାଣୀ ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।

ହୃଦୟ, କିଡନୀ ଓ ଯକୃତ ପରି ଜୀବନ ରକ୍ଷାକାରୀ ଅଙ୍ଗ ଦାନ ପାଇଁ ୨୦୨୦ ଠାରୁ ଏହି ପୁରସ୍କାର ଦିଆଯାଉଛି। ଚଳିତ ବର୍ଷ ଏହା ତୃତୀୟ ସୁରଜ୍ ପୁରସ୍କାର। 2020 ରେ ଗଞ୍ଜାମର ମସ୍ତିସ୍କ ମୃତ ସୁରଜ୍ ବେହେରାଙ୍କ ପିତାମାତା ତାଙ୍କର ଛ ଟି ଗୁରୁତବପୂର୍ଣ ଅଙ୍ଗ ଦାନ କରି ଛଅ ଟି ଜୀବନ ରକ୍ଷା କରି ଥିବାରୁ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ବର୍ଷ ତାଙ୍କ ନାମରେ ସୁରଜ୍ ପୁରସ୍କାର ଆରମ୍ଭ କରିଥିଲେ।

ଉଭୟ ସୁଶୀଲ ଓ ସିଦ୍ଧିଙ୍କ ପିତା ମାତାଙ୍କ ନିକଟରେ ସମାଜ ରୁଣୀ ବୋଲି ମତ ଦେଇ କହିଲେ ଯେ ଏହା ଦ୍ବାରା ସମାଜ ଉପରେ ବହୁତ୍ ଭଲ ପ୍ରଭାବ ପଡୁଛି। ଏହି ପରି ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କରି ଏକ ସୁନ୍ଦର ସମାଜ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ ଅଙ୍ଗ ଦାନ ଅନେକ ପରିବାର ପାଇଁ ଆଶା ସୃଷ୍ଟି କରି ପାରୁଛି। ଅନ୍ୟର ଜୀବନ ରକ୍ଷା ସବୁଠାରୁ ଅଧିକ ପୁଣ୍ୟ କାର୍ଯ୍ୟ। ଅଙ୍ଗ ଦାନ ଏକ ସାହସିକ ଓ ସାହସିକ ନିଷ୍ପତ୍ତି। ଅଙ୍ଗ ଦାନ କରୁଥିବା ପରିବାରଙ୍କ ତ୍ୟାଗର ତୁଳନା ନାହିଁ ବୋଲି ସେ କହିଥିଲେ।

ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ  ନବ ଦାସ ପ୍ରମୁଖ ନିଜର ବକ୍ତବ୍ୟ ରଖି ସୁଶୀଲ ଓ ସିଦ୍ଧୀଙ୍କ ପରିବାରର ତ୍ୟାଗ ର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କ ଏହି ମହାନ କାର୍ଯ୍ୟ ସମାଜ ପାଇଁ ଆଦର୍ଶ ବୋଲି ସେମାନେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫ଟି) ଶ୍ରୀ ଭି କେ ପଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। NHM ର ନିର୍ଦେଶକ ବ ସ୍ବାଗତ ଭାଷଣ ଦେଇଥିଲେ ଓ DMET ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ  ।