ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୮ରୁ ପୁଣି ବର୍ଷିବ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ । ଆସନ୍ତା ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଘନୀଭୁତ ହୋଇ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ ।

ବିଶେଷ କରି ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି । ଅବପାତ ଦୁର୍ବଳ ହୋଇଥିଲେ ମଧ୍ୟ ଦକ୍ଷିଣରୁ ଉତ୍ତର କୁ ବାୟୁ ପ୍ରବାହ ରହୁଥିବାରୁ ଆଜି ବି ବର୍ଷା ଳାଗି ରହିବ । ଗଞ୍ଜାମ, ଗଜପତି, ପୁରୀ, ଯାଜପୁର, ନୟାଗଡ, କଟକ ,ଖୋର୍ଦ୍ଦା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର , ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବା ସମ୍ଭାବନା ରହିଛି । ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବିଶେଷ କରି ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।