ଆସିବ ଡେଙ୍ଗୁ ପ୍ରତିରୋଧକାରୀ ଟିକା; ଫେଜ-1 ଟ୍ରାଏଲ ଲାଗି ମିଳିଲା ଅନୁମତି

1 min read

ନୂଆଦିଲ୍ଲୀ: ଖୁବଶୀଘ୍ର ଆସିବ ଡେଙ୍ଗୁ ପ୍ରତିରୋଧକାରୀ ଟିକା । ଫେଜ-1 ଟ୍ରାଏଲ ଲାଗି ଇଣ୍ଡିଆନ ଇମୁନୋଲୋଜିକାଲସ୍ ଲିମିଟେଡ ବା IILକୁ ମିଳିଛି ଅନୁମତି । IILର ପରିଚାଳନା ନିର୍ଦ୍ଦେଶକ ଡାକ୍ତର କେ. ଆନନ୍ଦ କୁମାର କହିଛନ୍ତି ଯେ ଡେଙ୍ଗୁର ମୁକାବିଲା ଲାଗି IIL ଅଭିଯାନ ଜାରି ରଖିଛି । ଡେଙ୍ଗୁ ପ୍ରତିରୋଧକାରୀ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଲାଗି ଅନୁମତି ମିଳିଛି । ଅନ୍ୟାନ୍ୟ ବହୁ ରୋଗର ପ୍ରତିରୋଧକ ଟିକା ରହିଥିବାବେଳେ ଭାରତରେ ଡେଙ୍ଗୁ ପ୍ରତିରୋଧକ ଟିକା ନାହିଁ । ଯଦି ଏହି ଟିକା ଆସିବ ତାହା ଏକ ମାଇଲଖୁଣ୍ଟ ତିଆରି କରିବ।

ବର୍ତ୍ତମାନ ସୁଦ୍ଧା ଅନେକ ପ୍ରାଣୀଙ୍କ ଶରୀରରେ ଟିକାର ଟ୍ରାଏଲ ଶେଷ ହୋଇଛି । ଅନୁମତି ମିଳିବା ଯୋଗୁ ମାନବ ଶରୀରରେ ଏହାର ଟ୍ରାଏଲ କରାଯିବ ବୋଲି ଡାକ୍ତର କୁମାର କହିଛନ୍ତି । ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ବା NIHର ସହଭାଗିତାରେ ଟିକା ପ୍ରସ୍ତୁତ ହୋଇଛି । ମାନବ ଶରୀରରେ ବାରମ୍ବାର ଟ୍ରାଏଲ କରାଯିବା ପରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ଟିକା ଉପଲବ୍ଧ ହେବ। ଦେଶରେ ପାନାସିଆ ବାୟୋଟେକ ଲିମିଟେଡ ଓ ସାନୋଫି ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ମଧ୍ୟ କ୍ଲିନିକାଲ ଟ୍ରାଏଲ ଲାଗି ଅନୁମତି ଦିଆଯାଇଥିବା ସୂଚନା ମିଳିଛି। ଆମେରିକାରେ ସାନୋଫି ଇଣ୍ଡିଆର ଟିକାକୁ ଅନୁମତି ମିଳିସାରିଛି । ଜାତୀୟ ପରିବାହିତ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା NCVBDCର ତଥ୍ୟ ଅନୁସାରେ ଗତବର୍ଷ ଦେଶରେ ୧ ଲକ୍ଷ ୯୩ ହଜାର ୨୪୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଥିଲେ ୩୪୬ଜଣ । ଗତ ଅଗଷ୍ଟରେ ଛେଳିଙ୍କ କ୍ଷେତ୍ରରେ ହେଉଥିବା ବସନ୍ତର ପ୍ରତିରୋଧ ଲାଗି IIL ପକ୍ଷରୁ ୧କୋଟି ଟିକା ଉତ୍ପାଦିତ ହୋଇଥିଲା।