ବିଧାନସଭା ଅଧିବେଶନରେ ଗେମ୍‌ରେ ମସଗୁଲ ବିଧାୟକ, ଭିଡିଓ ଭାଇରାଲ

1 min read

ଲକ୍ଷ୍ନୌ: ବିଧାନସଭା ଚାଲିଥିବା ବେଳେ ବିଧାୟକ କିନ୍ତୁ ନିଜ ଦୁନିଆରେ ମସଗୁଲ  । ହାତରେ ଦେଢ ଲକ୍ଷ ମୂଲ୍ୟର ମୋବାଇଲ ଧରି ତିନ୍‌ ପତି ଗେମ୍‌ରେ ବ୍ୟସ୍ତ ବିଧାୟକ । ଉତ୍ତର ପ୍ରଦେଶ ବିଧାନସଭାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ଦୃଶ୍ୟରେ ଯେଉଁ ବ୍ୟକ୍ତି ଜଣକ ଦେଖା ଯାଉଛନ୍ତି ସେ ହେଉଛନ୍ତି ଜଣେ ବିଧାୟକ ।

 

 

ଜନତାର ପ୍ରତିନିଧି ହୋଇ ବିଧାନସଭାକୁ ଆସିଛନ୍ତି ଲୋକଙ୍କ ସ୍ୱାର୍ଥର କଥା କହିବାକୁ  । କିନ୍ତୁ କାମ ଭିତରେ ଟିକେ ମଜା ବି ଦରକାର । ତେଣୁ ବିଧାୟକ ମହାଶୟ ଖୋଲିଦେଇଛନ୍ତି ମୋବାଇଲ  । ଆଉ ତିନ୍‌ ପତି ଗେମ୍ ଖେଳିବାରେ ଏତେ ବ୍ୟସ୍ତ ଯେ, ବିଧାୟକ ଜଣକ ତାଙ୍କ ଚାରିପଟେ କ’ଣ ଘଟୁଛି ତାହା ଜାଣି ପାରୁନାହାନ୍ତି ।

ଉତ୍ତର ପ୍ରଦେଶର ମହୋବା ବିଧାୟକ ରାକେଶ ଗୋସ୍ୱାମୀ ବିଜେପି ଟିକେଟରେ ବିଧାନସଭାରେ ପହଂଚିଛନ୍ତି । ବିଧାୟକ ଭାବେ ତାଙ୍କ କାମ ହେଉଛି ଲୋକଙ୍କ ସମସ୍ୟାକୁ ବିଧାନସଭାରେ ଉଠାଇବା । କିନ୍ତୁ ଲାଗୁଛି ମହୋବା ବିଧାୟକ ଏହାକୁ ଭୁଲି ଯାଇଛନ୍ତି । ତେଣୁ ବିଧାନସଭାରେ ବସି ମୋବାଇଲରେ ଗେମ୍ ଖେଳୁଛନ୍ତି ।

ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଭିଡିଓଟିକୁ ସମାଜବାଦୀ ପାର୍ଟି ପକ୍ଷରୁ ଟ୍ୱିଟରରେ ସେୟାର କରାଯାଇଥିଲା । ଯାହାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂ ଯାଦବ ସେୟାର କରିଥିଲେ । ସମାଜବାଦୀ ପାର୍ଟିର ଟ୍ୱିଟର ହ୍ୟାଣ୍ଡେଲରେ ଭିଡିଓ ସେୟାର କରି ଲେଖା ଯାଇଥିଲା ଯେ, ବିଜେପି ବିଧାୟକମାନଙ୍କ ଜନସମସ୍ୟା ସହିତ କୌଣସି ସମ୍ପର୍କ ନାହିଁ । ସେମାନଙ୍କର କେବଳ ଦୁଷ୍କର୍ମ, ଦୁର୍ନିତୀ ଓ ଗେମ୍ ସହିତ ସଂପର୍କ ରହିଛି ।

ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ଏହାକୁ ନେଇ ଟିପ୍ପଣୀ କରିବା ଆରମ୍ଭ କରିଛନ୍ତି । ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ଯେ, ଦେଢ ଲକ୍ଷ ଟଙ୍କାର ଫୋନ୍ ନେଇଛନ୍ତି ଯେତେବେଳେ ସେତେବେଳେ ଅଧିକ କ’ଣ ଆଶା କରାଯିବ ? ସେହିଭଳି ଆଉ ଜଣେ ଏହାକୁ ସେୟାର କରି ବିଧାୟକଙ୍କୁ କିଏ ନିଲମ୍ବିତ କରିବ କି ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ।