କଂଗ୍ରେସ ସଭାପତି ନିର୍ବାଚନ: ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଏଆଇସିସି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ । ଏଆଇସିସି ଅଧ୍ୟକ୍ଷ ପଦରେ ଲଢିବା ଲାଗି କଂଗ୍ରେସ ନେତା ଶଶୀ ଥରୁର ପ୍ରାର୍ଥିପତ୍ର ଫର୍ମ ନେଇଥିବା ସୂଚନା ମିଳିଛି । ସଭାପତି ଦୌଡରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ଶଶୀ । ପ୍ରାର୍ଥୀପତ୍ର ଫର୍ମ ନେବା ପରେ ସେ ଏବେ ଏହାକୁ ଦାଖଲ କରିବେ । ଅର୍ଥାତ ପ୍ରଥମ କଂଗ୍ରେସ ନେତା ଭାବେ ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବେ । ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ଦୁଇ ଦଶନ୍ଧୀ ପରେ ଅଣଗାନ୍ଧୀଙ୍କ ହାତକୁ ଯିବ କଂଗ୍ରେସ କମାଣ ।

ଏଆଇସିସି ସଭାପତି ରେସରେ ଗେହଲଟ, ଥରୁର, ଦିଗବିଜୟଙ୍କ ପରି ହେଭିୱେଟ ରହିଛନ୍ତି । କିନ୍ତୁ ସବୁଠୁ ଆଗରେ ଅଶୋକ ଗେହଲଟ । ସେହିଁ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଅଙ୍କ କହୁଛି ନିକଟତମ ବଡ଼ ପ୍ରତିଦ୍ବନ୍ଦ୍ବୀ ଶଶୀ ଥରୁରଙ୍କଠାରୁ ଗେହଲଟଙ୍କ ପଲ୍ଲା ଭାରି । ତାଙ୍କୁ ଦଳର ଅନେକ ବଡ଼ବଡିଆଙ୍କ ପ୍ରଚ୍ଛନ୍ନ ସମର୍ଥନ ରହିଛି ।

ତେବେ ଅଶୋକ ଗେହଲଟ ଦଳର ସଭାପତି ହେଲେ କିଏ ହେବ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଏନେଇ ନିଷ୍ପତ୍ତି ନେବେ ସୋନିଆ ଗାନ୍ଧୀ । ସଚିନ ପାଇଲଟଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଅକ୍ଟୋବର ୧୭ରେ ନିର୍ବାଚନ ହେବ ୧୯ରେ ପ୍ରକାଶ ପାଇବ ଫଳାଫଳ । ଯଦି ଜଣେରୁ ଅଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି ତାହେଲେ ନିର୍ବାଚନ ହେବ ।